Unknown

 

 

 

 

 

 

 

 

 

 

 

ବୀଣାର ଦୁଇ ତାର

ଭାଗୀରଥି ନେପାକ

 

ମୋର ବାଲ୍ୟ ଶିକ୍ଷକ

 

ଶ୍ରୀଯୁକ୍ତ ଅଯୋଧ୍ୟା ପ୍ରସାଦ ଦାଶଙ୍କୁ......

 

ମହାଶୟ,

 

ଆଶାକରେ ଲଛିପୁରର କେତୋଟି କଳ୍ପିତ-ଚରିତ୍ର-ପରିପୁଷ୍ଟ 'ବୀଣାର ଦୁଇତାର' ଆଗ୍ରହରେ ଗ୍ରହଣ କରିବେ ।

 

ଏହାଦ୍ଵାରା ଜୀବନରେ ଏ ଦୀନ ଲେଖକର ଏକ ମହାନ ଇଚ୍ଛା ପୂରଣ ହେଲା । ଇତି ।

 

ଶିବ କ୍ଷେତ୍ର

ଆପଣଙ୍କର ସ୍ନେହାଧୀନ

ତା ୫ । ୫ । ୬୫

ଭାଗୀରଥି

Image

 

ସଂନ୍ଧ୍ୟା......

ଆୟୁଷ୍ମତୀ ସଂନ୍ଧ୍ୟା !

ଅମିତାଭର ମନେହେଲା, ଜୀବନରେ ଏମିତି ସନ୍ଧ୍ୟାଟିଏ ଏଇ ପ୍ରଥମକରି ଦେଖୁଛି । ଏହା ପୂର୍ବରୁ ପଶ୍ଚିମ ଆକାଶଟା ବିଦାୟୀ ସୂର୍ଯ୍ୟ ପାଇଁ ଏତେ ଚପଳ ହୋଇ ନ ଥିଲା କି ଦକ୍ଷିଣା ପବନଟା ଏତେ ପ୍ରଗଳ୍‌ଭ ହୋଇ ନଥିଲା । ଖୋଲା ପବନର ସ୍ତରେ ସ୍ତରେ ସତେ ଅବା ରୂପସୀ ଉର୍ବଶୀର ହସ ମିଶିଛି । ପବନର ଆର୍ଦ୍ରତାରେ ଆଷାଢ଼ୀ ମେଘର ବେପଥ ଭରିଛି । ହସ ଓ ବେପଥୁଭରା ଲୋହିତ ଆକାଶକୁ ଉପଭୋଗ କରୁ କରୁ ଅମିତାଭ ଦାର୍ଘ ନିଶ୍ଵାସ ନେଲା ।

ବାସର ରାତି ଓହ୍ଲାଇ ଆସୁଛି । କାଠଚମ୍ପା ପାଖୁଡ଼ାରେ ସେହି ସୁରଭିତ ରାତିର ସ୍ପର୍ଶ ଲାଗିଛି ।

ଅନାଗତ ବାସର-ରାତିକୁ ଏହି ମୁହଁ ସଞ୍ଜରେ ବି’ ଉପଭୋଗ କରାଯାଇପାରେ । ‘ପୁଷ୍ପରାଣୀ’ର ଗଭୀର ନିଶ୍ୱାସ ଧାରକ ହୁଏତ ଏ ସାଂନ୍ଧ୍ୟ ପରିବେଶକୁ ରୁଚିମନ୍ତ କରିପାରିଛି । ତା’ ଆଖିର ମଧୁର ଚାହାଣୀ, ଏ ସନ୍ଧ୍ୟାର କୌଣସି ଏକ ଅଂଶରେ ରୋମାଞ୍ଚର କାହାଣୀ କହି ବୁଲୁଥିବ-। ତା’ ଉଲ୍ଲାସିତ ଦେହର ଫୁଲ ଗନ୍ଧ, ଏଇ ପବନ ଭିତରେ କେଉଁଠି ଲୁଚକାଳି ଖେଳି ଲାଗିଛି ।

ପୁଷ୍ପରାଣୀ !

ପୁଷ୍ପା !!

ଅମିତାଭର ସ୍ତ୍ରୀ ।

ଅମିତାଭ ତା’ ହାତ ପାପୁଲିକୁ ବାରମ୍ବାର ନିରୀକ୍ଷଣ କଲା । ଏଇ ଡାହାଣ ହାତ ପାପୁଲିରେ ପୁଷ୍ପାର ଲହୁଣୀ କୋମଳ ପାପୁଲିଟି ଛନ୍ଦି ହୋଇଥିଲା । ପଦ୍ମପାଖୁଡ଼ା ପରି ଲାଲ ଜରଜର ମାଉଁସିଆ ପାପୁଲିଟିଏ । କଇଁ ନାଡ଼ ପରି ସୁନ୍ଦର ଓ ମସୃଣ ହାତ । କୁଶଖିଏ ଭିତରେ ସଂଯୁକ୍ତ ହେଲାବେଳେ ରୋମାଞ୍ଚର କଦମ୍ବ ଫୁଟିଗଲା ଦେହରେ । ଦୁଇଟି ହାତ ଏକ ସମୟରେ ଥରିଉଠିଲା ।

 

ବାସର ରାତି ଏଇ ଆସୁଛି । ମଦ-ଅଳସ ରାତି ଡେଣା ଝାଡ଼ି ଝାଡ଼ି ଓହ୍ଲାଇ ଆସୁଛି ଅମିତାଭର ପାଖକୁ । କି ବାର୍ତ୍ତା ସେ ଆଣିଥିବ ! କି କଥା ସେ କହିବ !

 

ଆଚ୍ଛା, ପୁଷ୍ପରାଣୀକୁ ଖାଲି ପୁଷ୍ପା ବୋଲି ଡାକିଲେ ସେ କ’ଣ ବିମୁଖ ହେବ !

 

ଅନଭିଜ୍ଞ ପୁଷ୍ପା । ଅନାଇ ଦେଲେ ନଇଁଯାଏ । କଥା ପଦେ ପଚାରିଲେ ଉତ୍ତର ଦେଇପାରେନାହିଁ । କିନ୍ତୁ କି ସୁନ୍ଦର ! କି ମନୋଜ୍ଞ !! ତା’ର ଲମ୍ବାଳିଆ ଆଖିର ମିଠା ଚାହାଣୀରେ ମୋହିନୀ କନ୍ୟାର କଳା ଅଛି । ତାର ନବ ଯୌବନରେ ମଳୟର କବିତା ଲେଖି ହୋଇଛି ।

 

ଖାଲି କବିତା ତା’ ନୁହେ, ରୂପ ଓ ଅରୂପର କବିତା ! ପ୍ରାଣ ଓ ପ୍ରାଚୁର୍ଯ୍ୟର କବିତା ! ସେ କବିତା ଚିରନ୍ତନ, ଅବିନଶ୍ଵର । ମନେହୁଏ, ପୁଷ୍ପା ସତେ ଅବା ଅମିତାଭ ପାଇଁ ଜନ୍ମ ହୋଇଥିଲା । ଅମିତାଭର ପ୍ରାଣରେ ଛନ୍ଦମୟ, ରସମୟ ସଙ୍ଗୀତ ଶୁଣାଇବାକୁ ବଢ଼ିଥିଲା ।

 

ଅମିତାଭ ପୁଷ୍ପାର ବଧୂବେଶକୁ ମାନସ-ଚକ୍ଷୁରେ ଅବଲୋକନ କରିପାରୁଛି । କପାଳର ଟିକି ଟିକି ଚନ୍ଦନ ଟୋପା, ସୀମାନ୍ତର ସିନ୍ଦୁର ଓ କବରୀର କେତକୀ ସ୍ତବକରେ ସେ କି ସୁନ୍ଦର ଦେଖା ଯାଉ ନଥିବ ! ତା’ ଚାହାଣୀରେ ପାରିଜାତର ସ୍ନିଗ୍ଧତା ବୋଳି ହୋଇଥିବ । ତା’ର ଶଙ୍ଖଶୁଭ୍ର ଗଳାର ମାଂସରେ ଯେଉଁ ରଙ୍ଗଥିବ, ତହିଁରେ କେତେ ପ୍ରାଣ, କେତେ ପ୍ରାଚୁର୍ଯ୍ୟ ! ଫୁଲ ଶେଯ ଉପରେ ବସିଲେ ମନେହେବ ସେ ବି ଗୋଟିଏ ସଜଫୁଲ ।

 

ଆଃ, ଏ ସଂନ୍ଧ୍ୟା କ’ଣ ସରିବ ନାହିଁ ! ରାତି ଆସିବାକୁ ଆଉ କେତେ ଡେରି !

 

ପଶ୍ଚିମ ଆକାଶର ପଲାଶ ରଙ୍ଗ, ସଂନ୍ଧ୍ୟାର ଶେଷ ଆସର ଭିତରେ ବିଦାୟ ସଙ୍ଗୀତ ଗାଉଛି । ବସାବାହୁଡ଼ା ପକ୍ଷୀର ଡେଣାରେ ଆଗତ ରାତ୍ରିର ଆବାହନୀ ମିଶିଛି । ବୃହତ୍‌ବୃକ୍ଷର କୋଟି କୋଟି ସବୁଜ ପତ୍ର ମୁଣ୍ଡ ହଲାଇ କହୁଛନ୍ତି, ‘ତୁମେ ଯଦି ଫେରି ଯାଉଛ, ଆମେ ମନା କରିବୁ ନାହିଁ । କିନ୍ତୁ ହେ ସନ୍ଧ୍ୟା ! ବିଶ୍ରାମ ପରେ ତୁମେ ଯେତେବେଳେ ଫେରି ଆସିବ, ଆମପାଇଁ ଭଗବାନଙ୍କ ନିକଟରୁ କାଣିଚିଏ ଆଶୀର୍ବାଦ ମାଗି ଅଣିବ ! ’

 

ଆରେ, ଏଯେ ରମା !

 

ଅମିତ ଆଶ୍ଚର୍ଯ୍ୟ ଆଖିରେ ରମା ଆଡ଼କୁ ଅନାଇଲା । ଈଶ୍ଵର ପାଲିର ଉଦାସିନୀ ରମାକୁ ଯିଏ ଦେଖିଛ, ଆଜି ଦେଖିଲେ ମୋଟେ ଚିହ୍ନି ପାରିବନାହିଁ । କାର୍ଯ୍ୟବ୍ୟସ୍ତ ମାଉସୀ ରମାର ହାତ ଧରି ଆଗେଇ ଆସୁଛନ୍ତି । ସେ ଦୁହିଁଙ୍କ ଓଠରେ ହସ ଧରୁନାହିଁ ।

 

ଆଜି ହସିବାର ଦିନ । ସବୁ ଦୁଃଖକୁ ଭୁଲିଯାଇ ହସ ଭିତରେ ବୁଡ଼ ହୋଇଯିବାର ଦିନ । ଅତୀତର କ୍ଳାନ୍ତି, ଉପକଥା ହୋଇ ରହିଥାଉ ! ଆଖି ସାମନାର ଅଜସ୍ର ସମସ୍ୟାକୁ ଆଖିଆଗରୁ ଆଡ଼େଇ ଦେଇ ଆଜି ହସି ବସିଲେ କେହି କିଛି କହିବେ ନାହିଁ । ଅତୀତର ସହସ୍ର କ୍ଳାନ୍ତିକୁ ଭୁଲିଯାଇ ଆନନ୍ଦ ପ୍ରକାଶ କଲେ, ସେହି ବିପର୍ଯ୍ୟସ୍ତ ପରିଚ୍ଛେଦକୁ କେହି ମନେ ପକାଇ ଦେବାର ଦୁଃସାହସ କରିବେ ନାହିଁ ।

 

ଜୀବନକାଳ ଭିତରେ ହସିବାପାଇଁ ନିର୍ଦ୍ଦିଷ୍ଟ ସମୟ ଅଛି । ଏ ଜନ୍ମର ଇତିହାସ କେବଳ ଦୁଃଖ ଓ ନିର୍ଯାତନାର ନୁହେଁ । ସମୟ ଆସିଲେ ସବୁ ଦୁଃଖ ଓ ଦୁର୍ବିପାକ ପାଶୋରି ହୋଇଯାଏ ।

 

ଈଶ୍ୱରପାଲିର ରମାଟା ଯେମିତି ସରଳ ସେମିତି ସୁନ୍ଦର । ତା’ ଦେହ, ଦେହ ନୁହେ ଯେ, ଲାବଣ୍ୟର ଆଧାର । ଦେହର ପ୍ରତି ଲୋମକୂପରୁ ସେ ଝିରି ଝିରି ହେଇ ଝରୁଛି । ଏତେ ହସ ପୁଣି ସେ ଶିଖିଥିଲା ! ଏତେ ଆନନ୍ଦ ହୋଇପାରେ ! କୁମ୍ଭପକା ଦୋ’ ରଙ୍ଗୀ ଶାଢୀଖଣ୍ଡକ ତା’ ଦେହକୁ ସୁନ୍ଦର ମନାଇଛି । ଉଦାସିଆ ମୁହଁରେ ରଙ୍ଗ ଲାଗିଛି । ସପ୍ତରଙ୍ଗୀ ରଙ୍ଗ । ଜୀବନ ଭରା ରଙ୍ଗ ।

 

ମାଉସୀର ହାତ ଧରି ରମା ହସୁଥିଲା । ଏମିତି ଧାରେ ହସ ଦେଖିବା ପାଇଁ ସେଥର ଅମିତ କେତେ ଚେଷ୍ଟା କରିନଥିଲା ! କିନ୍ତୁ ଶେଷକୁ ହତାଶ ହୋଇ ଫେରିଆସିଲା । ଫେରିଆସିବା ପୂର୍ବରୁ ଶେଷକଥା ପଦକ କହି ଯେତେବେଳେ ହସିବାକୁ ଚେଷ୍ଟାକଲା, ସେ ହସ, ହସ ହୋଇ ତ ରହିଲା ନାହିଁ, ହେଲା କରୁଣ କ୍ରନ୍ଦନ । ମନ ଭିତରର ସମସ୍ତ ଗ୍ଳାନି ଓ ହତାଶା ପରସ୍ତ ପରସ୍ତ ହୋଇ ନେସି ହୋଇ ଯାଇଥିଲା ତହିଁରେ ।

 

ସେଦିନ ଅମିତର ମନେହେଲା, ରମାକୁ ବିବାହ କଥା ପଚାରି ଭଲ କରିନାହିଁ । ଯେଉଁ କଥା କହି ତାର ମୌନାବତୀ ମନକୁ ହିଲ୍ଲୋଳିତ କରିବାକୁ ଚାହୁଁଥିଲା, ସେ ହେଲା କ୍ରନ୍ଦନର କାରଣ-

 

ରମା ବାହାଘରେ ପହଞ୍ଚିବାକୁ ଅନେକ ଡେରିକଲା । ଲଛିପୁର ତ’ ଆଉ ଡାକେ ବାଟରେ ନାହିଁ ! ମୋଟର କିମ୍ବା ରେଲ ଲାଗି ଥିଲେ କଥା ନଥିଲା । ମୋଟରରୁ ଓହ୍ଲାଇ ପାହାଡ଼ ପରେ ପାହାଡ଼ ଅତିକ୍ରମ କରିବାକୁ ହୁଏ । ବଣ ଭିତରେ ବେଳ ବୁଡ଼ିଲେ କଥା ସଇଲା । ବାଘ, ଭାଲୁ ବାଟ ଅଟକାଇ ବସିବେ । ଭାଗ୍ୟରେ ଥିଲେ ନୂଆ ଜନମ ।

 

ରମା ଯେ ନିମନ୍ତ୍ରଣକୁ ରକ୍ଷାକରି ଆସିଛି ସେଇ ଯଥେଷ୍ଟ ।

 

ସର କେଉଁଠି ଛକିଥିଲା କେଜାଣି, ରମାକୁ ଅନ୍ନପୂର୍ଣ୍ଣା ମାଉସୀଙ୍କ ହାତରୁ ଭିଡ଼ିଆଣି କାନ ପାଖରେ ଚୁପ୍‌ ଚୁପ୍‌ ପଚାରିଲା, ‘‘ଜୁଆଇଁ କ’ଣ ଆଉ ଟିକିଏ ସହଳ ଛାଡ଼ି ଦେଲେ ନାହିଁ ?’’ ‘ଚୁପ୍‌’ ରମାର ମୁହଁ ରଙ୍ଗା ପଡ଼ି ଯାଇଛି । ସରର ନାକ ଟିପକୁ ତାର ଛୋଟ ଛୋଟ ଅଙ୍ଗୁଳୀରେ ଟିପି ଧରି ପଚାରିଲା, ଏଡ଼ିକି ଦୁଷ୍ଟ ! ଡାକିବି ଦେଖିବ ?

 

କାହାକୁ ?

 

ଯାହାକୁ ଡାକିଲେ ଏ ଦୁଷ୍ଟାମୀ ଭାଙ୍ଗି ପାରିବେ !

 

ତୁମେ ତାହାହେଲେ ହାରିଗଲ–ନୁହଁ ?

 

ରମା ହସି ହସି କହିଲା, ତୁମେ ଏତେକଥା କାହାଠୁ ଶିଖିଲ ଭାଉଜ ? ମୁଁ ତ ଭାବିଥିଲି ସର ଭାଉଜଟା ମୋର ପିତଳ ପିତୁଳି ଟିଏ । କଥା କହି ଆସେନାହିଁ । କିନ୍ତୁ ତୁମେ କେତେ ବଦଳି ଯାଇଛ ଭାଉଜ ?

 

ତୁମଠୁ କମ ବଦଳିଛି । ସର ଉତ୍ତର ଦେଲା ଆଉ ହସିଲା ।

 

ମାନେ ?

 

ମନକୁ ପଚାର ।

 

ମନ’ତ କହୁଛି ମୁଁ ଯେଉଁଠି ଥିଲି, ଠିକ ସେଇଠି ଅଛି । ସେଇ ଦେହ, ସେଇ ମନ । ମନର ଭାବନାଟା ବି ସେଇ ଏକ ପ୍ରକାର । ଖାଲି ମୋ ବୁଝିବାରେ ବୟସ ଟିକିଏ ବଳେଇ ଯାଇଛି-। ତୁମ ପରି କଞ୍ଚା ବୟସ ଆଉ ନାହିଁ ।

 

କଥାପଦକ ବୁଲିପଡ଼ି ଯେ ତାରି ଉପରେ ପଡ଼ିଛି ସର ସେକଥା ବୁଝିପାରି କହିଲା, ଅମିତଭାଇର ବାହାଘରକୁ ଆସି କି କାମ କଲ ଶୁଣେ ? ତମେ କ’ଣ ବୁଝିପାରୁନାଁ ଯେ ଦି’ଦିନ ଆଗରୁ ଆସିବା ଉଚିତ ଥିଲା ।

 

କ’ଣ କରିବି କହିଲ ଭାଉଜ ? ଘରୁ ଗୋଡ଼ କାଢ଼ି ବାହାରିଛି, ରାଧା କାନ୍ଦବୋବାଳି ଛାଡ଼ିଲା । ‘ଦୟା’ କାନ୍ଧର ବୁଜୁଳା ତଳେ ରଖି ନେହୁରା ହୋଇ କହିଲା, ‘‘ତୁମେ ମୋର ଏ ଅସମୟରେ ଚାଲିଯାଅନା ଦେଈ । ଅମିତବାବୁଙ୍କୁ ମୁଁ ଦୋଷ ମାଗିନେବି । ସତକୁସତ ତା’ ଦୁଆର ମୁହଁରେ ପହଞ୍ଚି ନାହିଁ, ରାଧାର ପିଲା ହେଲା ।’’

 

ରାଧାର ପିଲାହେଲା ? ପୁଅ ନାଁ ଝିଅ ? କେମିତି ହୋଇଛି ??

 

ପୁଅଟିଏ । ଅବିକଳ ଦୟାର ମୁହଁ ଆଣିଛି । ଦେହଟା ବି ସେମିତି ଡାଉଲଡାଉଲ । ରାଧା ପରି ସୁନ୍ଦରିଆଟିଏ ହବ ।’’

 

ରାଧାର ପୁଅ ହେଲା ବୋଲି ଦୟାନିଧି ଆସି ପାରି ନାହିଁ ।

 

ଆଃ, କେତେ ଶୀଘ୍ର ରାଧା ‘ମା’ ହୋଇ ଯାଇଛି । ଛୋଟ ସଂସାରଟି ଛୋଟ ପିଲାର ହସ କାନ୍ଦରେ ମୁଖର ହୋଇ ଉଠିଥିବ । ଏଇନେ ଦୟା ଓ ରାଧାର ମୁଣ୍ଡରେ ଦାୟିତ୍ଵ ପଡ଼ିଲା । ସେମାନେ ହୁଏତ ନିଜର ବ୍ୟକ୍ତିଗତ ସୁଖ ଆନନ୍ଦ କଥା ଭୁଲିଯାଇ ସନ୍ତାନର ହସରେ ହସିବେ । ତା’ ମୁହଁରେ କାନ୍ଦ ଦେଖିଲେ ହୃଦୟ ତାଙ୍କର ମନ୍ଥିତ ହେବ । ଛୋଟ ଶିଶୁ ବୋଲି ଦାୟିତ୍ଵ ଟା ଛୋଟ ଆଉ ସହଜ ନୁହେଁ ! ସେ ହିମାଳୟ ପରି ଗରୁ ।

 

ଅମିତ ବର୍ତ୍ତମାନ ପରିସ୍ଥିତିକୁ ଭୁଲିଯାଇ ବିଗତ ଦିନର କେତୋଟି ମନେରଖା କଥା ଭାବିହେଉଥିଲା । ଲଛିପୁରରେ ରହଣି ଭିତରେ ସେ ଦୟା, ରାଧା, ସର ଓ ରମା ପରି କେତୋଟି ହୃଦୟବାନ୍‌ଲୋକଙ୍କ ସଙ୍ଗରେ ମିଶି ନିଜକୁ ଧନ୍ୟ ମନେକରିଛି । ସେମାନଙ୍କ ହସ ଖୁସିରୁ ଭାଗ ଆଣି ନିଜେ ସୁଖୀ ହୋଇଛି । ପୁଣି କେତୋଟି ଦୈନନ୍ଦିନ ଗ୍ରାମ୍ୟ ସମସ୍ୟାକୁ ବୁଝିବିଚାର ସମାଧାନର ପନ୍ଥା ନିର୍ଣ୍ଣୟ କରିଛି । ପ୍ରତ୍ୟେକଟି ଘଟଣା ତା’ ମନସମୁଦ୍ରରେ ଗୋଟିଏ ଗୋଟିଏ ଭାବପୂର୍ଣ୍ଣ ଜୁଆର । ସ୍ମୃତିର ବେଳାଭୂମିରେ ଯେଉଁ ଚିହ୍ନ ଛାଡ଼ିଗଲା ଜୀବନକାଳ ଭିତରେ ଭୁଲି ହେବନି ।

 

ଅମିତ ଅତୀତ ଭିତରେ ଗୋଟାପଣେ ବୁଡ଼ି ଯାଇଥିଲା ।

 

ପାଖ ଘରେ ପୁଷ୍ପାର ସମବୟସୀ ଝିଅମାନେ ମେଳା କରିଛନ୍ତି । ସେମାନଙ୍କ ଚାପା ଚାପା କଣ୍ଠର ହସ ପରିହାସ ଶୁଭୁଛି । ନବବଧୂ ପୁଷ୍ପାକୁ କେନ୍ଦ୍ରକରି ମନ୍ତବ୍ୟ ବାଢ଼ୁଛନ୍ତି ।

 

ତରୁଣୀ କଣ୍ଠର ଓଠଚିପା ହସ କି ଚମତ୍କାର ! ସେମାନଙ୍କ ଆଖିର ଚାହାଣୀ ବି ଏଇ ହସ ପରି ଚପଳ ହୋଇ ଉଠିଥିବ । ପୁଷ୍ପା ଅସହାୟ ଶିଶୁପରି ସେମାନଙ୍କ ପରିହାସକୁ ହଜମ କରି ନେଉଛି । ତା’ ଛଡ଼ା ତା’ର ବା ଆଉ କି ଉପାୟ ଅଛି ! ଏଇନେ ସେ ଶରବିଦ୍ଧ ପକ୍ଷୀ । ସବଳ ପର ଥାଇ ବି ଦୁର୍ବଳ । ଜବାବ ଦେଲେ ଝିଅମାନେ କଣ ରଖେଇ ବସେଇ ଦେବେ ? ପଦେ କଥାରେ ପାଞ୍ଚପଦ ପ୍ରତିବାଦ ଶୁଭିବ । ଆଖି ପଲକରେ ହୁଲସ୍ଥୁଲ ପଡ଼ିଯିବ । ତା’ଠୁ ବରଂ ନୀରବ ରହିବା ଭଲ । ଦିନ କେଇଟା ପରେ ପୁଣି ପୁଷ୍ପାର ପାଳି ପଡ଼ିବ । ସେତିକିବେଳେ ମୂଳ ସଙ୍ଗକୁ କଳନ୍ତର ମିଶାଇ ପାନେ କଚାଡ଼ି ଦେଇ ଯିବ ଯେ ।

 

ସାହିର ଅଭିହାଡ଼ୀ ଝିଅ କେଇଟି କଣେଇ କଣେଇ ଚାହୁଁଛନ୍ତି । ଯେଉଁମାନେ ଦିନେ ଭୁଲରେ ସୁଦ୍ଧା ଆଖି ଟେକି ଚାହିଁ ନଥିଲେ, ସେମାନଙ୍କ ଭ୍ରୂଲତିକାରେ କୌତୂହଳର ଉଜାଣି ବହୁଛି । ପରିହାସପ୍ରିୟ ମାଇପୀମାନେ ଏଇ ଅଭିହାଡ଼ି ଝିଅଙ୍କଠୁ ବଳକା । କାନ୍ଥକୁ ବାଡ଼କୁ ଦେଖାଇ ପଦେ ପଦେ ଛାଡ଼ି ଦେଉଛନ୍ତି । କଥା ତ ନୁହେଁ-ଶାଣୁଆ ଶର । ଛାତି ଭିତରେ ପଶି ଛିନ୍‌ଛତର କରି ଦେଉଛି ।

 

ନ ସହିବା ବ୍ୟତୀତ ଚାରା ନାହିଁ ।

 

ତଥାପି ସେ କଥାଟିମାନ କି ରହସ୍ୟାବୃତ୍ତ !

 

ପ୍ରତିଟି ମନ୍ତବ୍ୟ ମନଭିତରେ ମାୟା ପୂରେଇ ଦେଉଛି ।

 

ଆଜି ଦିନଟା କହିଥାନ୍ତୁ । ସକାଳ ପାହିଲେ ନିଃଶଙ୍କ ବ୍ୟବହାର ଆଉ ନଥିବ । ଆଡ଼େଇ ହୋଇ ଚାଲିବେ । ସାମନାକୁ ଯାଇ କିଛି ପଚାରି ବସିଲେ ବି’ ସାଙ୍ଗେ ସାଙ୍ଗେ ଉତ୍ତର ମିଳିବ ନାହିଁ ।

 

ଅମିତ ଅନୁଭବ କରୁଥିଲା, ତାର ଛୋଟିଆ ଜୀବନ-ପରିସର ଭିତରେ ପରିବର୍ତ୍ତନ ଆସିଛି । ଏଇ ହସଖୁସି ଭିତରେ ସେହି ପରିବର୍ତ୍ତନର ପଦଧ୍ଵନି ଶୁଭୁଛି । ପୁଷ୍ପା ତା ସଙ୍ଗରେ ପରିବର୍ତ୍ତନ ନେଇ ଏ ଘରେ ପାଦ ପକାଇଛି ।

 

ଲଛିପୁର ହୋଇଥିଲେ ଗାଁ ଗୋଟାକର ଲୋକ ଆସି ଜମା ହୋଇଥାନ୍ତେ । ପାଖଆଖର ସବୁ ଲୋକେ ଜାଣିଥାନ୍ତେ, ଅମିତର ବାହାଘର ହେଉଛି । କିନ୍ତୁ ସହର ବୋଲି ଏତେବଡ଼ ସମ୍ବାଦ ସୀମିତ ରହିଗଲା । ନିମନ୍ତ୍ରିତ ପରିବାର କେଇଟି ବ୍ୟତୀତ ଅନ୍ୟ କେହି ଆଗ୍ରହୀ ନୁହନ୍ତି । ଏଇ କେଇଜଣ ଲୋକଙ୍କର ଜଞ୍ଜାଳ କଣ କମ୍‌ହୋଇଛି ? ଅମିତର ବାପା ମା ଦୁହେଁ ଝାଳନାଳ ହୋଇ ଗଲେଣି । ଏକମାତ୍ର ପୁଅର ଏଇ ଶେଷ କାମ । ଭଲରେ ଭଲରେ ସରିଗଲେ, କାଳକାଳକୁ ନାଁ ରହିବ । ସମସ୍ତଙ୍କ ମନ ଧରିଧରି କରି ଦି’ଦିନ ଚଳାଇନେଲେ, ଅପବାଦର ହାଟ ବସିବ ନାହିଁ ।

 

ଅନ୍ନପୂର୍ଣ୍ଣା ମାଉସୀ ସର ସଭିଏଁ ଲାଗିଛନ୍ତି କାମରେ । ହସି ହସି କାମ କରି ଚାଲିଛନ୍ତି । ଟିକିଏ ହେଲେ କ୍ଳାନ୍ତି ନାହିଁ । ଏ ଯେ ଆନନ୍ଦର କାର୍ଯ୍ୟ ।

 

ଅମିତ ଭାଇ !

 

କିଏ ?

 

ମୁଁ ରମା !

 

କଣ ବସ୍‌ପାଇଲ ନାହିଁ ?

 

ନା, ଘରୁ ବାହାରିବାରେ ଡେରି ହେଲା । ରାଧାର ପୁଅ ହେଲା ଯେ....

 

ଶୁଣିଛି ।

 

ତୁମେ ଶୁଣିଛ ଅମିତ ଭାଇ ?

 

ନା, ଭୁଲ ଉତ୍ତରଟିଏ ହେଲା । କଣ ଭାବିବ ରାଧା ? ଛକି ଛକି ମାଇପିଙ୍କ କଥା କାନେଇବା ଭଲ କଥା ନୁହେଁ । କିନ୍ତୁ ରମାର କଥା ଶୁଣିବାକୁ ଭଲଲାଗେ । ସେ ସୁନ୍ଦର କହିପାରେ । ଅମିତ ମୁହଁ ଉଠାଇ ରମାଆଡ଼କୁ ଅନାଇଲା ।

 

ରମା ହସୁଛି । ସେ ହସ ଖୁବ ସଂକ୍ରାମକ । ତାର କଅଁଳ ଓଠ ଦୁଇଟି ଥରି ଥରି ଉଠୁଛି । ଭାବ ଭରା ମୁହଁ । ଆଖିରେ ସତେ ଅବା ବିଜୁଳୀ ଚମକୁଛି । ଚିକ୍କଣ ଗାଲ ଦେହରେ ସେ ହସର ଭଉଁରୀ ଖେଳୁଛି । ନରମ, ନରମ ହସ । ବେଗବତୀ ଗିରି ନଦୀରେ ସତେ ଯେମିତି ଆଷାଢ଼ୀ ଅସରା ଭରିଗଲା । ତାର ଆୟତ ଆଖିରୁ ଯେଉଁ ଭାଷା ବାହାରି ଆସୁଛି, ତହିଁରେ କେତେ ଆନନ୍ଦ !

 

ପରିଚିତା ରମାର ଅପରିଚିତ ଅଂଶ ହେଉଛି ତାର ଏହି ମନବାଉଳା ହସ । ସ୍ଵଚ୍ଛ, ଶୁଭ୍ର ହସ ।

 

ରମା ସାଙ୍ଗରେ ଅମିତର ବା’ କେଇଦିନର ପରିଚୟ ? ତଥାପି ଯେଉଁ କିଛିଦିନ ରମାକୁ ଜାଣିବାର ସୁଯୋଗ ସେ ପାଇଛି, ସେହି କିଛିଟା ଦିନର ଅନୁଭୂତିରୁ ବୁଝିଛି, ସେ ଆଖିଆଗର ଶହଶ’ ଝିଅଙ୍କ ପରି ସାଧାରଣ ଝିଅଟିଏ ନୁହେଁ । ପ୍ରଥମ ସକାଳର ଶାନ୍ତ ଲୋହିତ କିରଣ ପରି ସଂଯତ ଓ ଶିଷ୍ଟ । ଭରା ଯଉବନରେ ପାଦ ଦେଇବି’ ମଧ୍ୟାହ୍ନ ସୂର୍ଯ୍ୟର ଅନଳ-ତୃଷ୍ଣା ନାହିଁ ।

 

ଲଛିପୁରରେ ଶେଷ ଦିନର ଶେଷ ଦେଖାବେଳେ ସେ ଖୁବ୍‌ଅସହାୟ ଜଣାପଡୁଥିଲା । ସେ ଏକ ଧୂସର ଅତୀତର କାହାଣୀ । ରମାର ବିବାହିତା ଦିନର ହା’ ହତାଶଭରା କାହାଣୀ । ଦୁଃଖର ରାତି ପାହି ଯାଇଛି । ସୁଖର ସକାଳ ଆସିଛି । ନୂତନ କିରଣରେ ତା’ ପାଇଁ ଅନେକ ଆର୍ଶୀବାଦ । ହଜାଇ ଦେଇଥିବା ସ୍ଵାମୀଙ୍କୁ ପାଖରେ ପାଇଲେ କେଉଁ ବିବାହିତା ତରୁଣୀ ଖୁସି ହୁଏ ନାହିଁ ଯେ !

 

ରମା ସେତିକିବେଳୁ ହସୁଛି ।

 

ଅମିତର ବାହାଘର ଆଉଥରେ ହେବ ନାହିଁ । ଏତେବଡ଼ ଶୁଭଦିନ ଆଉଥରେ ଆସିବ ନାହିଁ । ଏଇ ଅବସରରେ ମନପୂରାଇ ହସିନେବାର କଥା ।

 

ରମାକୁ ସେଦିନ ଲୁହ ଛଳଛଳ ଆଖିରେ ଅନାଇଲା ବେଳେ ରାତି ଭିତରଟା କରତି ହୋଇ ଯାଉଥିଲା । ଏଇନେ ହସଭରା ମୁହଁଟିକୁ ଚାହିଁ ଅମିତର ମନେ ହେଉଛି, ରମା ଏ ଦୁନିଆ ଭିତରେ ଏକମାତ୍ର ସୁଖୀ ମଣିଷ । ଦୁନିଆରେ ସମସ୍ତଙ୍କର କିଛି ନା କିଛି ଦୁଃଖ, ଅସୁବିଧା କି ସମସ୍ୟା ଅଳ୍ପେ ବହୁତେ ଲାଗିରହିଛି । କିନ୍ତୁ ରମା ଏମିତି ଗୋଟିଏ ଝିଅ, ତାହାର ସମସ୍ୟା ବୋଲି ଆଉ କିଛି ନାହିଁ ।

 

ସଞ୍ଜ ପବନ ଶିରି ଶିରି ହୋଇ ବହୁଛି । ସାରା ପ୍ରକୃତି ହସୁଛି ।

 

ରମାକୁ ଏ ହସର କାରଣଟା ପଚାରିଲେ କେମିତି ହୁଅନ୍ତା ?

 

ସେ ପ୍ରଶ୍ନ ହୁଏତ ହାସ୍ୟଚପଳ ରମା ମୁହଁରୁ ସବୁ ସରାଗ ଛଡ଼ାଇ ନିଅନ୍ତା । ପରକ୍ଷଣରେ କହନ୍ତା, ତୁମେ ସେକଥା ବୁଝି ପାରିବନି ଅମିତ ବାବୁ ! କାରଣ ତୁମେ ମରଦ ପୁଅ । ନାରୀ ଜୀବନର ଇତିହାସ ଏତେ ସମସ୍ୟା ସଂକୁଳ ଯେ ତା’ ଦେହରୁ କିଛି ହେଲେ ହୃଦୟଙ୍ଗମ କରି ପାରିବ ନାହିଁ । ଆମେ କାହିଁକି କାନ୍ଦୁ କି କାହିଁକି ହସୁ ସେ ଏକ ଗରୀୟାନ ପ୍ରଶ୍ନ । ସେ ପ୍ରଶ୍ନର ଉତ୍ତର, ଦୁଇଟି ଜୀବନର ପ୍ରବାହକୁ ନେଇ ସୃଷ୍ଟି । ପୁରୁଷ ଇଚ୍ଛାକଲେ ଆପଣା ସୁଖରେ ହସେ, ଖେଳେ, ମଉଜ କରେ । କେବଳ ନିଜକଥା ବ୍ୟତୀତ ବାହାର ଦୁନିଆକୁ ଭୁଲିଯାଇପାରେ । କିନ୍ତୁ ବିବାହିତା ନାରୀର ବ୍ୟକ୍ତିଗତ ସମସ୍ୟା କେବଳ ତାର ଆପଣାର ଦେହ ଓ ମନକୁ ନେଇ ସୀମିତ ନୁହେଁ । ସେ ଗୋଟିଏ ପରିବାରର ସବୁ ଦାୟିତ୍ଵ ସମ୍ଭାଳେ । ସ୍ଵାମୀକୁ ନିଜର ବ୍ୟକ୍ତିଗତ ଜୀବନର ଅପରିହାର୍ଯ୍ୟ ଅଙ୍ଗ ବିଶେଷ ବୋଲି ଧରିନିଏ । ତେଣୁ ନିଜେ ହସିବାକୁ ଚାହୁଁ ଥିଲେ ବି’ ହସି ପାରେନାହିଁ । ମୋ ସ୍ଵାମୀ ନିରୁଦ୍ଦିଷ୍ଟ ଥିଲାବେଳେ ସେଇଥିପାଇଁ ମୁଁ ହସି ପାରୁନଥିଲି ।

 

ତୁମେ ଏକୁଟିଆ ଆସିଲାଯେ ରମା ! ସଙ୍ଗରେ କେହିହେଲେ ଆସିଲେ ନାହିଁ ? ଅମିତ ପ୍ରଶ୍ନକଲା ।

 

ଆଉ କିଏ ଆସି ଥାନ୍ତେ ? ବାପା ତ ପୁଣି ଇସ୍କୁଲରେ ଯାଇ ଲାଗିଲେଣି । ଈଶ୍ଵରପାଲି ଚାଲିଯିବା ଫଳରେ ଗାଁରେ ଯେତକ କାମ ବାକୀ ଥିଲା, ଦି’ ଗୁଣ ବେଗରେ ସେତକ ସାରିଦେବାକୁ ପଣ କରିଛନ୍ତି । କିନ୍ତୁ ଅମିତଭାଇ, ପଣ କଲେ କଣ ହେବ ? ତାଙ୍କ ଦେହରେ ଆଉ ଆଗର ସେଇ ସିଂହ-ବଳ ନାହିଁ । ଜୋର୍‌କରି ପାଦ ବଢ଼ାଇ ଆଗେଇ ଯିବାପରେ ଅଧବାଟରେ ବସି ପଡ଼ୁଛନ୍ତି । ମୁଁ ବାହାରିଲା ବେଳେ ବାପାଙ୍କର ଦେହ ଭଲନଥିଲା ବୋଲି ‘ସିଏ’ ଆସି ପାରିଲେ ନାହିଁ । ମୋତେ ଆସି ମୋଟରରେ ବସାଇ ଦେଇଗଲେ । ଆମ ଦିହିଁଙ୍କର ଇଚ୍ଛା ଥିଲା, ସଙ୍ଗହୋଇ ଆସିଥାଆନ୍ତୁ । ସପ୍ତାହେ ଖଣ୍ଡେ କଟାଇ ଦେଇ ଯାଇଥାନ୍ତୁ । କିନ୍ତୁ ସେ ସୌଭାଗ୍ୟ କାହିଁ ?

 

ଆମର ଦୁର୍ଭାଗ୍ୟ ବୁଝିବାକୁ ହେବ । ଅମିତ ମନ୍ତବ୍ୟ ଦେଲା ।

 

କେହି କିଛି କହିଲେ ନାହିଁ ।

 

ଅମିତର ମନେ ପଡ଼ୁଥିଲା, ଦାମୋଦର ବାବୁ ବୁଢ଼ା ହୋଇଗଲେଣି । ଜୀବନଟାଯାକ ପରର ସେବା, ପରର ଭଲମନ୍ଦରେ କଟେଇ ଦେଲେ । ଶେଷମୂହୁର୍ତ୍ତ ପର୍ଯ୍ୟନ୍ତ ଧର୍ମ ତାଙ୍କର ଅକ୍ଷୁର୍ଣ୍ଣ ରହିଛି । କିନ୍ତୁ ଏପରି ଲୋକଙ୍କୁ ଗାଁ ଲୋକେ ଚିହ୍ନି ପାରୁ ନାହାନ୍ତି । ଯେତେହେଲେ ‘ଗାଁ କନ୍ୟା ସିଙ୍ଘାଣୀନାକୀ’ । ଆଉ କେଉଁଠି ଜନ୍ମ ହୋଇଥିଲେ କେତେ ନାଁ କରି ସାରନ୍ତେଣି । ସେ ଚାଲିଯିବା ପରେ ଲଛିପୁରଟା ହତଶ୍ରୀ ହୋଇଯିବ । ଲୋକେ ସେତେବେଳେ ମନେ ପକାଇବେ, କେତେବଡ଼ କ୍ଷତିଟିଏ ହୋଇ ଯାଇନାହିଁ ! ଦେଶଟାଯାକ ସେମିତି । କର୍ମୀର ଜୀବନକାଳ ଭିତରେ କେହି ତାହାକୁ ପଚାରେ ନାହିଁ । ତାର ସାମାନ୍ୟତମ ଦୁବଳତା ଦେଖି ଅପପ୍ରଚାର ଓ ସମାଲୋଚନା କରେ-। ମୃତ୍ୟୁପରେ ତା’ପାଇଁ ଆୟୋଜନ ହୁଏ ଶୋକସଭା । ସନ୍ତାପିତ ପରିବାରବର୍ଗଙ୍କୁ ମୂଲ୍ୟହୀନ ଶୋକ ପ୍ରସ୍ତାବଟିଏ ପଠାଇ ଦିଆଯାଏ । ସମସ୍ତେ ତହିଁରେ ଆତ୍ମପ୍ରସାଦ ଅନୁଭବ କରନ୍ତି-। ଭାବନ୍ତି, ସେମାନଙ୍କ କର୍ତ୍ତବ୍ୟ ସାଙ୍ଗ ହେଲା । ଦାମୋଦର ବାବୁଙ୍କ ପାଇଁ ସେମିତି ଅଲଣା ପ୍ରଶଂସା ଯୋଗ ଅଛି । କିନ୍ତୁ ଏ ଦେଶର ଜନତା ଜୀବିତାବସ୍ଥାରେ ଯେଉଁଦିନ ଯୋଗ୍ୟବ୍ୟକ୍ତିର ପ୍ରାପ୍ୟ ସମ୍ମାନ ଫେରାଇଦେବାକୁ ସମର୍ଥ ହେବ, ସେଇଦିନ ବୁଝିବାକୁ ହେବ, ଦେଶର ସ୍ଥିତିରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆସିଛି ।

 

ବିଚାରା ଦାମୋଦରବାବୁ ! ସେ ଦୀର୍ଘାୟୁ ଦୁଅନ୍ତେ କି !!

 

ସରର ତରତରିଆ ଡାକରେ ରମା ଅମିତ ଆଗରୁ ଚାଲିଗଲା ।

 

ଏଇ, ଅମିତର ଘର !

 

ପୁଷ୍ପା ଭ୍ରୂଲତା ଟେକି ଘରଟିକୁ ଥରେ ମନଭାରି ଚାହିଁନେଲା । ମଧ୍ୟଯୁଗୀୟ ଘରଟିଏ । ଅତ୍ୟାଧୁନିକ ଧରଣରେ ତିଆରି ନୁହେଁ । ପୂର୍ବ ପଟେ ମାତ୍ର ଗୋଟିଏ ଝରକା । ପଶ୍ଚିମପାଖର କବାଟ ଫାଙ୍କରୁ ଚାହିଁଲେ ବୃକ୍ଷଗହଳ ବଗିଚାରେ ଦୃଷ୍ଟିପଡ଼େ । ଆକାଶର କିଛିଟା ଅଂଶକୁ ବି’ ଛାତ ସନ୍ଧିରୁ ଉପଭୋଗ କରାଯାଇପାରେ ।

 

ପଲଙ୍କ ଉପରେ ଭଞ୍ଜୀୟ ନାୟିକାର ଚିତ୍ରପଟ ଝୁଲୁଛି । କବିର କାବ୍ୟ ନାୟିକାକୁ କିଏ ତୁଳସୀମୂଳରେ ଜୀବନ୍ୟାସ ଦେଇଛି ଯେମିତି ! ଅପର୍ଯ୍ୟାପ୍ତ ସ୍ଵାସ୍ଥ୍ୟ । ଯୌବନରେ ଦେହ ମୁହଁ ଉଛୁଳି ଉଠୁଛି । ଆକାଶ ରଙ୍ଗର ଶାଢ଼ୀ ଉପରେ ରକ୍ତ ଲାଲ ବ୍ଲାଉଜ ଖଣ୍ଡେ । ଇତଃସ୍ତତ, ବିକ୍ଷିପ୍ତ ଚୂର୍ଣ୍ଣ କୁନ୍ତଳ କେରାକ, ପାନପତ୍ର ପରି ମସୃଣ କପୋଳରେ ମଳୟର ଉଦ୍ଦାମତା ବାଢ଼ି ଯାଉଛି । କାକକୃଷ୍ଣ କବରୀରୁ କଳା ରାତିର ନିବିଡ଼ତା ଉକୁଟି ଉଠୁଛି । ଭାଙ୍ଗ ପଡ଼ିଥିବା ଶୁଭ୍ର ଗ୍ରୀବାରେ ନାହିଁ ନ ଥିବା ଜ୍ୟୋତି । ଆବେଶଭରା ଆଖିରେ ଅକଳନ ମାୟା ଆଉ ସମ୍ମୋହନ ।

 

କିଏ ସେ କୁଶଳୀ କଳାକାର ?

 

ଏହି ଚିତ୍ରପଟ ଭିତରେ ନିଜର ମାନସୀ ତରୁଣୀକୁ ଆବଦ୍ଧ କରି ଯାଇନାହିଁ ତ ? ୟାକୁ ଆଙ୍କିବାକୁ କେତେଦିନ ଲାଗିଥିବ ?

 

ନାୟିକାର ପୃଷ୍ଠଭାବରେ ତୃତୀୟା ଜହ୍ନ ଆତ୍ମପ୍ରକାଶ କରିଛି । ଚନ୍ଦ୍ର ପାଖକୁ ଗୋଟିଏ ବୋଲି ତରା । ଅନ୍ୟ ତରାସବୁ ଅନାମିକା ଗଛର ବୃଶାଳ ଶାଖା ଭିତରେ ହଜି ଯାଇଛନ୍ତି ।

 

ଆଃ, ସେ ତରାଟି କିରି କିରି ହୋଇ ହସିଉଠୁଛି । ତରାର ହସଟା କି ରୋମାଞ୍ଚକର ! ସେହି ରୋମାଞ୍ଚକର ହସ ମାଖି ବୃଶାଳ ଗଛର ସବୁଜ ପତ୍ରଗୁଡ଼ିକ ସରସ ହୋଇ ଉଠିଛନ୍ତି ।

 

ନାୟିକାର ପୁରୋଭାଗରେ ସରଳ, ଶାନ୍ତ ପୁରୁଷଟିଏ । ସେ ଏହି ଯୌବନର ନାୟିକାର ରୂପ ପାନ କରୁଛି । ଆକାଶୀରଙ୍ଗର ଶାଢ଼ୀ ତଳୁ ନାୟିକା ଦେହର ଯେତକ, ଅଂଶ ଆପଣା ଛାଏଁ ଫୁଟି ଉଠିଲା, ସେତକ ସେ ତୃଷିତ ଆଖିରେ ପାନ କରି ନେଉଛି । ଭାବ ଭରା ମୁହଁରେ କେତେ ରଙ୍ଗ, କେତେ ଗୋପନୀୟତା !

 

ନାୟକ ନାୟିକା ନିର୍ବାକ । କିନ୍ତୁ ଆଖିରୁ ଯେଉଁତକ କଥା ଫୁଟି ଉଠିଲା, ତହିଁରେ ସହସ୍ର ରୂପ କବିତାର ସୃଷ୍ଟି ସମ୍ଭବପର । ତାଜା ରକ୍ତର ନିର୍ବାକ ଆକର୍ଷଣ ଅଛି, କଞ୍ଚା ଯୌବନର ଅମାନିଆ ଆହ୍ଵାନ ଶକ୍ତି ଅଛି । ଦୁଇଟି ଓଠ, ଦୁଇଟି ଆଖି ଦେଖି ମହାକାବ୍ୟ ରଚନା କରାଯାଇପାରେ ।

 

ପୁଷ୍ପାର ଛାତି ଭିତରେ ସ୍ପନ୍ଦନ ଖେଳୁଛି । ଆଜି ରାତିର କାହାଣୀକୁ ଏ ଛବି ଭିତରେ କିଏ ପୂରାଇଲା ?

 

ଏଇ ତରୁଣୀଟି ପରି ପ୍ରିୟତମ ଅମିତ ଆଗରେ ସେ ଛିଡ଼ା ହେବ । ତାଙ୍କର ପ୍ରଥମ ଡାକରେ ସେ କଣ ଉତ୍ତର ଦେଇପାରିବ ? ଡାକିବା ସଙ୍ଗେ ସଙ୍ଗେ ପାଖକୁ ଯାଇ ଛିଡ଼ାହୋଇ ପାରିବ ?

 

ପୁଷ୍ପା ଥରି ଥରି ଉଠୁଛି । ଶତ ବସନ୍ତର ଶିହରଣ ଖେଳୁଛି ଦେହରେ । ଦେହଟା ଦେହ ହୋଇ ତ ଆଉ ରହିନାହିଁ । ସେ ହୋଇଛି ଆଷାଢ଼ୀ କଦମ୍ବ ଫୁଲଟିଏ । ଦୁଇଟି ମଦଭରା ଆଖିରେ ଅନାଗତ ରାତ୍ରିର ଅଗଣନ ସିତ୍କାର । ତଳିପାଦ ସତେ ଅବା ମାଟି ଛୁଇଁ ରହିନାହିଁ । ସେ ସ୍ଵର୍ଗଲୋକର ନନ୍ଦନକାନନ ଭିତରେ ପଶି ପାରିଜାତ ତୋଳୁଛି । ଦେବଲୋକର ଅଙ୍ଗ ବିଭୂଷଣ ପାରିଜାତ ! ମର୍ତ୍ତ୍ୟମାନବ ତାର ଦର୍ଶନ ପାଇନାହିଁ । ଖାଲି ନାଆଁଟି ମାତ୍ର ଜାଣି ପାରି, ତାର ଆକର୍ଷଣରେ ବାଳୁତ ଶିଶୁ ପରି ଅବୋଧ୍ୟ ହାତ ବଢ଼ାଇଛି ।

 

ଉତ୍ତରା ପବନ ରହି ରହି କେଉଁ ଛଟକରେ ପଶି ଆସିଛି ଘର ଭିତରକୁ । ପାଳିତ ଶୁକପକ୍ଷୀର କଣ୍ଠରେ ନୂତନ ଉନ୍ମାଦନାର ସ୍ଵାକ୍ଷର ରହିଛି । କାହା ପାଇଁ ସେ ସେହି ଦୁର୍ବୋଧ୍ୟ ଭାଷାରେ ଗୀତ ଗାଉଛି ? କାହିଁକି ଆଜି ତାର ବାରମ୍ବାର ଆହ୍ଵାନ ! ଏ ରାତିଟା ଆସିବା ପୂର୍ବରୁ ଦୁଇଦିନ ପାଇଁ ଡେରି କରନ୍ତା କି ? ଦୁଇଦିନ ଧରି ସଞ୍ଜର ପ୍ରତିଟି ମୂହୁର୍ତ୍ତକୁ ଉପଭୋଗ କରାଯାଇ ପାରନ୍ତା । ତା’ପରେ ଅନନ୍ୟୋପାୟ ହୋଇ ରାତ୍ରି ଯେତେବେଳେ ଆସନ୍ତା, ସେ ଦୀର୍ଘଦିନ ପାଇଁ ସ୍ଥାୟୀ ହୁଅନ୍ତା । ସୁଦୀର୍ଘ ରାତିକୁ ପ୍ରିୟତମ କୋଳରେ ମୁଣ୍ଡ ରଖି ଉପଭୋଗ କଲାବେଳେ କେତେ ସୁନ୍ଦର ଲାଗନ୍ତା ନାହିଁ !

 

ସେହି କଳ୍ପିତ ରାତ୍ରିର ସ୍ଵପ୍ନସୁନ୍ଦର ମୂହୁର୍ତ୍ତକୁ କଳନାକରିବା ସକାଶେ ପୁଷ୍ପା ଆଖି ବୁଜିଦେଲା ।

 

ରକ୍ତବାହୀ ଶିରା ପ୍ରଶିରାଗୁଡ଼ିକ ଉତ୍ତପ୍ତ ହୋଇ ଉଠିଛନ୍ତି । ନିଆଁ ଲାଗିଛି ଦେହର ଯୌବନରେ, ଆଉ ଛାତି ତଳର ମନ ଭିତରେ । ପତା ଦୁଇଟି ଆପେ ଆପେ ପଡ଼ିଯାଇଛି । କାମନାର ଗୋଟାକ ପରେ ଗୋଟାଏ ଢେଉ ଆସି ତାରି ନାରୀତ୍ଵର ପଲ୍ଲବ-ପଦ ପ୍ରକ୍ଷାଳନ କରୁଛି-

 

ସାମନାରେ ଛିଡ଼ାହୋଇ ଅମିତ ବାବୁ ହସୁଛନ୍ତି । ଅଧର ତଳେ କେତେ ଆହ୍ଵାନ, କେତେ ଇଶାରା ! ତହିଁରେ ପୁଣି କେତେ ପ୍ରାଣ, କେତେ ପୁଲକ ! ସଜଫୁଲର ସୁଗନ୍ଧ ଆସି ନାକରେ ବାଜୁଛି । ଅଦିନିଆ ବସନ୍ତର ଉଦ୍ଦାମ ଲାଗିଛି ଅବୟବରେ ।

 

ଅମିତ ବାବୁଙ୍କର ଗାଲ ଦି'ଟା ଗୋଲାପ ପରି । ସୁତୀକ୍ଷ୍‌ଣ ନାସାଗ୍ରରେ କଳ୍ପିତ କନ୍ଦର୍ପ ପୁରୁଷର ଜ୍ୟୋତି ଅଛି ।

ଅମିତ ବାବୁ ଡାକୁଛନ୍ତି । ସ୍ନେହବତୁରା କଣ୍ଠ । ସେ ଡାକକୁ ଆଡ଼େଇ ଦେବା ବୟସୀ ଝିଅ ପାଖରେ କଦାପି ସମ୍ଭବ ହୋଇ ପାରେନା । ଯୌବନ ମନ୍ଥି ହୋଇ ଯାଉଛି । ଜଳିଲା ଜଳିଲା ଆଖିର ଛବିଳ ଡୋଳା ଦୁଇଟି ଯାକ ସ୍ନିଗ୍‌ଧକର !

ପ୍ରିୟ ଅମିତ ବାବୁ ! ଜୀବନ ଯୌବନର ଏକମାତ୍ର ଅବଲମ୍ବନ ।

ପୁଷ୍ପା ଭାବୁଥିଲା, ଅମିତ ବାବୁହିଁ ତା’ ଯୌବନର ଏକମାତ୍ର ଫୁଲ । ତାର ରୂପ ବଗିଚାର ଏକମାତ୍ର ସଜୀବ ବୃକ୍ଷ । ଜୀବନର ସହସ୍ର ଘଟଣାର ସାଥୀ ଆଉ ସାକ୍ଷୀ ସିଏ । ତାଙ୍କ ହାତ ଧରି ବାଟ ଚାଲିଲେ ପଥକ୍ଳାନ୍ତି ଜଣାପଡ଼ିବନି । ଦୁଃଖର ଦିନଗୁଡ଼ିକ ଛାଏଁ ଚାଲିଯିବ ।

ଏଁ, ଅମିତବାବୁ କାହା ସଙ୍ଗରେ କଥାବାର୍ତ୍ତା କରୁଛନ୍ତି ? ପାଖରେ ଛିଡ଼ାହୋଇ କିଏ ସେ ଏତେ ହସୁଛି ?

ପୁଷ୍ପା ଏହାପୂର୍ବରୁ ଏଇ ଝିଅଟିକୁ ଚିହ୍ନିଥିଲା ପରି ମନେ ପଡ଼ୁନାହଁ । କିଏସେ ଏହି ଅପରିଚିତା ତରୁଣୀ ? ଅମିତବାବୁଙ୍କ ସଙ୍ଗରେ ତାର ବା କି ସମ୍ବନ୍ଧ ଥାଇପାରେ ? କାହିଁକି ହସୁଛି-?

ଅମିତବାବୁଙ୍କ ଆଗରେ ଅପରଚିତା ଝିଅଟିଏ ଯଦି ଏଇ ସମୟରେ ଏତେ ଅଭଦ୍ର ଭାବରେ ହସି ପାରିଲା, ତେବେ ତାର ଗୋପନୀୟ ବ୍ୟକ୍ତିଗତ ଜୀବନଟା କେତେ ରୁଚିହୀନ ହୋଇ ନଥିବ ? ଉପସ୍ଥିତ ଲୋକଙ୍କ ଆଗରେ ଏମିତି ଭାବରେ ହସିବାକୁ ତାକୁ କଣ ଟିକିଏ ହେଲେ ଲାଜ ମାଡ଼ୁନି ?

ଆରେ ଏଇ ଝିଅଟି କପାଳରେ ଯେ ସିନ୍ଦୁର ଲାଗିଛି । ସେ ବିବାହିତା ନିଶ୍ଚୟ ! ହଳଦୀ ରଙ୍ଗର ଦେହରେ ଅବିବାହିତ ପୁରୁଷକୁ ଆକର୍ଷଣ କରିବାର ନିଶା ଅଛି ।

ଅମିତବାବୁ ଅବିବାହିତ ଥିଲେ । ଏ ତରୁଣୀଟି ଅନେକ ଦିନରୁ ବିବାହିତା । ଗୋଟିଏ ଅବିବାହିତ ତରୁଣ ଆଗରେ ତାକୁ ଏମିତି ମିଳାମିଶା କରିବାର ସୁଯୋଗ ଦେଲା କିଏ ? କଣ ଅମିତ ବାବୁ ତାକୁ ଏ ଅଧିକାର ଦେଇଛନ୍ତି ? ବିବାହ ପୂର୍ବରୁ ଆଉ ଗୋଟିଏ ବିବାହିତା ସ୍ତ୍ରୀ ପାଖରେ ସେ ଧରାଦେଲେ ! ଅମିତବାବୁଙ୍କର ନିଷ୍କଳଙ୍କ ଚରିତ୍ର ସମ୍ବନ୍ଧରେ ସେ ଯାହାସବୁ ଶୁଣିବାକୁ ପାଇ ଥିଲା, ସେ ସବୁ କଣ ନିରାଟ ମିଛକଥା ?

ଶେଷକୁ ସେ କଣ ପ୍ରତାରିତ ହେଲା ?

ପୁଷ୍ପାର ହିଂସ୍ରକୀ ମନଟା ଚକଟି ହୋଇଯାଉଛି । ନା, କୌଣସି ପୁରୁଷ ବିଶ୍ଵାସଯୋଗ୍ୟ ନୁହନ୍ତି । କାହାରି ଉପରେ ନିର୍ଭର କରାଯାଇ ନପାରେ ।

 

ସଞ୍ଜମୁହାଁ ଶୀତଳ ପବନ ଧାରକ ପୁଷ୍ପାକୁ ନିଦାଘର ଝଡ଼ ପରି ମନେହେଲା । ସବୁ ଭାବନା ଇତଃସ୍ତତ ହୋଇ ଉଠୁଛି । ସେ ଭାରସାମ୍ୟ ରକ୍ଷା କରି ପାରୁନ । ମାତଲ ପରି ମୁଣ୍ଡଗୋଟା ଝିମି ଖାଇଲାଣି ।

 

ଏହାର ପ୍ରତିକାର କରିବାକୁ ହେବ । କିନ୍ତୁ ସେ ପ୍ରତିକାରର ସ୍ଵରୂପକୁ ନିର୍ଦ୍ଦିଷ୍ଟ କରି ପାରିବାର ସାମର୍ଥ୍ୟ ନାହିଁ । ଲୁହଭିଜା ଆଖି ଦି’ଟା ଜାଲଜାଲୁଆ ଦେଖାଗଲାଣି । ଅମିତ ପ୍ରତି ମନ ଭିତରେ ଘୃଣା ଜାଗିଉଠିଛି । ସେ ଏକ କରୁଣ, କ୍ଲାନ୍ତ ପରିବେଶ । ନିଜ ପ୍ରତି ଏକ ନିର୍ମମ ଅଭିଯୋଗ ।

 

କାନ ପାଖରେ ଉପସ୍ଥିତ ଲୋକଙ୍କର କଥାଭାଷା ପଡ଼ୁଛି । ସେମାନଙ୍କର ହସ, ଆନନ୍ଦର ପ୍ରତିଧ୍ଵନି ବାଜୁଛି । କେବଳ ତାକୁ ଛାଡ଼ି ଏ ଘରେ ସମସ୍ତେ ସୁଖୀ ।

 

ବେକର ସୁନାହାରଟିକୁ କାଢ଼ି ଟିକ୍‌ଟିକ୍‌ କରିଦେବାକୁ ଇଚ୍ଛାହେଲା ପୁଷ୍ପାର । କାନର ଦୁଇ ଦୁଇଟି ବି’ ଛିଣ୍ଡାଇ ଆଣନ୍ତା । ଦେହର ଏ ବହୁମୂଲ୍ୟ ଶାଢ଼ୀ ଓ ବ୍ଳାଉଜ୍‌କୁ ଦାନ୍ତରେ କାମୁଡ଼ି ବିନଷ୍ଟ କରି ଦିଅନ୍ତା । ତାପରେ ମଧୁଶଯ୍ୟା ପାଇଁ ପ୍ରସ୍ତୁତ ହୋଇଥିବା ଫୁଲ ମାଳାକୁ ଛିନ୍ନ ବିଚ୍ଛିନ୍ନ କରି ତହିଁରେ ଲେଖି ଦିଅନ୍ତା, ‘ଅମିତବାବୁ ! ତମେ ଲମ୍ଫଟ । ’

 

ଓଃ, କି ଦୁର୍ଭାଗ୍ୟ !

 

ସେହି କୁମାରୀ ଜୀବନ ଭଲଥିଲା । ବାପମାଙ୍କର ସ୍ନେହ, ଆଦରରେ ଏଡ଼ିକି ଟିକିଏ କାଳିମା ମିଶି ନଥିଲା । ସେହି ଆନନ୍ଦ, ସେହି ଆଦରକୁ ଛାଡ଼ି ଦେଇ ଯା’ରି ଛାତିତଳେ ଆଶ୍ରୟ ନେବାକୁ ଆସିଲା ସେ ଶେଷକୁ ପ୍ରତାରକ ହେଲେ ?

 

ଶରବିଦ୍ଧ ପଶୁ ପରି ପୁଷ୍ପାର ମନ ରକ୍ତାକ୍ତ ହୋଇ ଉଠିଛି ।

 

ଅତି ସନ୍ତର୍ପଣ ସହକାରେ ନବାଗତା ବଧୂ ପୁଷ୍ପା ଓ ଅମିତ ରମା ଆଡ଼କୁ ସନ୍ଦେହୀ ଆଖିରେ ଅନାଇଲା । ଉଭୟଙ୍କ ଆଖିରେ ସ୍ନେହବତୁରା ଚାହାଣୀ । ସେ ସ୍ନେହ ଭିତରେ ଆବିଳତା ନାହିଁ ବୋଲି କିଏ କହିବ ?

 

ବଧୂ ବକ୍ଷରେ ଝଡ଼ ଉଠିଛି । ଅତି କରୁଣ, ଅତି ନିର୍ମମ । ଅଭିମାନ ଓ ଅଭିଯୋଗଭରା ଆଖିରେ ତତଲା ଲୁହ ଦି’ଟୋପା ଢଳ ଢଳ ହେଲାଣି ।

 

ପୁଣି ଥରେ ବେକ ଭାଙ୍ଗି କାନ୍ଥ ଉପରେ ଝୁଲା ହୋଇଥିବା ରଙ୍ଗୀନ ଚିତ୍ରପଟ ଉପରେ ଦୃଷ୍ଟିଦେଲା । ପ୍ରଣୟ ବିମୁଗ୍ଧ ପତିପତ୍ନୀଙ୍କ ନୀରବତା ଭିତରେ କବିତାର ଉଜାଣି ବହୁଛି । ଚନ୍ଦ୍ରର କିରଣଟା ଚପଳ ହୋଇଉଠିଛି । ଏତେବଡ଼ ଆକାଶରେ କେବଳ ଗୋଟିଏ ତରା !

 

ଶିଳ୍ପୀ ଚପଳ-ଚନ୍ଦ୍ର-କିରଣରେ ଚକିତ ହୋଇ ଉଠିଛନ୍ତି । ଜ୍ୟୋସ୍ନାବତୁରା ନବବଧୂର ପୁଷ୍ପିଳ ମୁଖଭଙ୍ଗୀକୁ ଅବୋଧ୍ୟ ତୁଳୀ ମୁନରେ ଚିତ୍ରଣ କରିଛନ୍ତି । ସଂସାର-ଅନଭିଜ୍ଞ, ଆଖିରେ ତାଙ୍କର ପ୍ରେମର ପ୍ରକୃତ ପ୍ରତିଛବି ଆଙ୍କିହୋଇ ପାରିନାହିଁ । ଯଦି ସେ ନବବଧୂ ପୁଷ୍ପାର ଶଙ୍କାକୁଳ ଆଖି ଦି'ଟାକୁ ଖାଲି ଥରଟିଏ ପାଇଁ ଚାହିଁ ଥାନ୍ତେ, ତେବେ ଏହି ଦେବଦୁର୍ଲ୍ଲଭ ଚିତ୍ରପଟ ଅଙ୍କନରୁ ଅବଶ୍ୟ ନିବୃତ୍ତ ହୋଇଥାନ୍ତେ ।

 

ସର ସମସ୍ତଙ୍କ ଅଲକ୍ଷରେ ପୁଷ୍ପାର ପାଖକୁ ଆସିଲା । ସେ ପୁଷ୍ପାର ଅବଗୁଣ୍ଠନ ପାଖକୁ ଲାଗିଯାଇ କହିଲା, ତମେ ଆସିଛ ବୋଲି ଏ ଘରେ କେତେ କୋଳାହଳ ଦେଖିଲ ! ତମ ପାଇଁ କେତେ ଆନନ୍ଦ, କେତେ ପ୍ରମୋଦ । ଅଥଚ ତୁମେ ଓଢ଼ଣା ପକାଇ ନୀରବରେ ବସିଛ ।

 

ମୁଁ ଆଉ କରିବି କଣ ସର ?

 

ତୁମେ ହସିବ । ତୁମେହିଁ ତ ଏ ଘରକୁ ସୁଖ ଓ ସନ୍ତୋଷ ନେଇ ଆସିଛ !

 

ତୁମେ ସବୁ ହସୁଛ ସେଇ କଣ ଯଥେଷ୍ଟ ନୁହେ ? ଆଉ ତୁମ ଭାଇଙ୍କ ସାମନାରେ ସେ ଯେଉଁ ଝିଅଟି ଛିଡ଼ା ହୋଇଛି, ସେ କେତେ ହସ ହସୁଛି ଦେଖିଲ । ପୁଷ୍ପା, ରମା ଓ ଅମିତକୁ ଦେଖାଇ ଦେବାକୁ ଅଳ୍ପ ବୁଲିଗଲା ।

 

ସର ଦେଖିଲା, ପୁଷ୍ପା କାନ୍ଦୁଛି । ଅନେକବେଳୁ ଏକୁଟିଆରେ ବସି କାନ୍ଦୁ ଥିଲା । ଗୋଲାପୀ ଗାଲରେ ଦି’ ଧାର ଲୁହ ଶୁଖିଯାଇଛି । ସେ ବଡ଼ ଅସହାୟ ଜଣାପଡ଼ୁଛି ।

 

ପୁଷ୍ପା ଆଉ କଣ ତାର ବାପମାଙ୍କ କଥା ମନେପକାଇ କାନ୍ଦୁଛି ? ହୋଇଥିବ । ସେ ସହାନୁଭୁତି ପ୍ରକାଶ କରି କହିଲା, ଛିଃ ଭାଉଜ ! ଏ ଶୁଭ ବେଳାଟାରେ ତୁମ ଆଖିରେ ଲୁହ ଶୋଭା ପାଉନାହିଁ । ପାଠପଢ଼ି ଶିକ୍ଷିତା ହୋଇଛି । ଏ ସାମାନ୍ୟ କଥାଟା ପୁଣି ମୋର ପରି ଅପାଠୋଇ ନଣନ୍ଦଠାରୁ ଶୁଣିବ । ମୋ’ ରାଣ, ତୁନି ହୁଅ । ଆସ ଏ ଅଲରା ମୁଣ୍ଡକୁ ଆଉ ଥରେ ସଜାଡ଼ି ଦିଏଁ ।

 

ଧନ୍ୟବାଦ ସର ! କିନ୍ତୁ ଏ ଅସଜଡ଼ା ମନଟାକୁ ତ’ ଆଉ ସଜାଡ଼ି ପାରିବ ନାହିଁ ? ପୁଷ୍ପା କହୁ କହୁ କାନ୍ଦିଲା ।

 

ତୁମର କଣ ହୋଇଛି ଭାଉଜ ? ମୋତେ ଭଉଣୀ ଭାବି ବିଶ୍ୱାସ କର !

 

ପୁଷ୍ପା ନୀରବ ହେଲା । ସେ କଣ ଏଇବେଳେ ଅମିତ ଓ ସେ ହସୁଡ଼ୀ ଝିଅର ପରିଚୟ ମାଗିବ ? ନା, ଅସମ୍ଭବ । କିନ୍ତୁ କାରଣ ନଜାଣି ମନ ଭିତରଟା ଆଉଟି ହୋଇ ଯାଉଛି । ସର ଅନ୍ତତଃ ସେ ଝିଅଟି ସମ୍ବନ୍ଧରେ କିଛିଟା ଧାରଣା ଦେଇ ପାରିବ । ପଚାରିଲେ କ୍ଷତି କଣ ? ସବୁକଥା ବୁଝି ସତର୍କ ହୋଇଯିବା ଆବଶ୍ୟକ ।

 

ସରକୁ ସେ ଛାତି ପାଖକୁ ଭିଡ଼ି ଆଣିଲା । କୃତିମ ସ୍ନେହବୋଳା ହାତରେ ତାର ପ୍ରସାଧିତ କବରୀକୁ ଆଉଁସୁ ଆଉଁସୁ କହିଲା, ତୁମ ଭାଇଙ୍କ ପାଖରେ ସେ ଯେଉଁ ଝିଅଟି ଛିଡ଼ା ହୋଇଛି ତାର ପରିଚୟ ତ’ ଦେଲନାହିଁ ସର ?

 

ଓଃ, ରମା କଥା ପଚାରୁଛି ? ରକ୍ତର ସମ୍ପର୍କ ନଥିଲେ କଣ ହେଲା, ସେ ମୋର ପ୍ରାଣର ଅପା । ଗଲାଥର ଅମିତ ଭାଇ ଲଛିପୁର ଯାଇଥିଲାବେଳେ ତା’ସଙ୍ଗରେ ପରିଚୟ ହୋଇଥିଲା । ଖୁବ ସରଳ ଝିଅଟିଏ । ପରକୁ ଆପଣାର କରିନିଏ । ତା’ କଥାରେ ଅମୃତ ଅଛି । ସେ ତମ ପାଖକୁ ବଳେ ଆସିବ ଯେ–

 

ପୁଷ୍ପା କହିଥାନ୍ତା, ମୋ ପାଖକୁ ସେ ଆସିବାର କୌଣସି ଆବଶ୍ୟକତା ନାହିଁ ସର । ତାକୁ ମନା କରିଦେବ । ତାର ଅମୃତ କଥା ଶୁଣିବାକୁ ମୋର ଧୈର୍ଯ୍ୟ ନାହିଁ ! କିନ୍ତୁ କିଛି ହେଲେ କହି ପାରିଲା ନାହିଁ ।

 

ସର ଚାଲିଗଲା । ଗଲାବେଳେ ପୁଷ୍ପା ଆଖିରୁ ଶୁଖିଲା ଲୁହ ଧାରକ ନିଜ ପଣତରେ ପୋଛି ନେଇଗଲା ।

 

କିନ୍ତୁ ପୁଷ୍ପା ସନ୍ତୁଷ୍ଟ ନୁହେ । ନିହାତି ନିଜର ନହେଲେ ଗୋଟିଏ ବଢ଼ିଲା ଝିଅ ସଙ୍ଗେ ପୁରୁଷର ଅବାଧ୍ୟ ମିଳାମିଶାଟାକୁ ଯେକୌଣସି ତରୁଣୀ ସ୍ତ୍ରୀ ସନ୍ଦେହ କରିବା ସ୍ଵାଭାବିକ । ପୁଷ୍ପା ସ୍ତ୍ରୀ ଜାତି ଭିତରେ ବ୍ୟତିକ୍ରମ ନୁହେଁ । ସେ ନିଜ ଭାବନାରେ ନିଜେ ଦଗ୍‌ଧିଭୂତ ହେଉଥିଲା ।

 

କିଏ ଆସୁଛି ।

 

ଘର ଭିତରଟା ଅନ୍ଧାର ହୋଇ ଆସୁଥିବା ଦେଖି କିଏ ଲଣ୍ଠନ ନେଇ ଆସୁଛି । ଧୀର ସଂଯତ ଚାଲି । ପାଦର ନୂପୁର ରିମିଝିମି ହୋଇବାଜୁଛି । ସତେଅବା ଉତ୍ତପ୍ତ ଧରାପୃଷ୍ଠରେ ଆଦ୍ୟ ଆଷାଢ଼ର ପଦଶବ୍ଦ ।

 

ରମା ଧୀରେ କରି ବିଛଣା ପାଖର ଟୁଲ ଉପରେ ଲଣ୍ଠନଟି ରଖି ବତୀଟାକୁ ଅଳ୍ପ ତେଜାଇ ଦେଲା ।

 

ପୁଷ୍ପା କଣେଇ କଣେଇ ଚାହୁଁଛି । ନବବଧୂର ସେଇ ସରମ ଶଂକିତ ଚାହାଣୀ । ସେ ଚାହାଣୀରେ କୁମାରୀ କଳିକାର ବିମୁଗ୍ଧ କଳ୍ପନା ।

 

ସହରକୁ ପହରେ ହେବ ବିଜୁଳୀ ଆଲୁଅ ଆସିନାହିଁ । ଦିନ ସାରା ସେମିତି ଅନ୍ଧାର ରହିବ ନା କଣ !

 

ରମା ଭାବୁଥିଲା, ପୁଷ୍ପା ହୁଏତ ନିଃସଙ୍ଗ ସନ୍ଧ୍ୟାକୁ ନୀରବରେ ଉପଭୋଗ କରୁଛି । ପତି ଗୃହରେ ପ୍ରଥମ ପାଦ ପକାଇ ଭୀରୁ ମନଟା ତାର ଭୀତତ୍ରସ୍ତ ହୋଇ ଉଠିଥିବ । କିନ୍ତୁ କେଇଟା ମୂହୁର୍ତ୍ତ ପାଇଁ ? ଅମିତ ପରି ଦରଦୀ ସାଥୀ କଣ୍ଠରୁ ସ୍ନେହସ୍ନିଗ୍ଧ କଥା କେଇପଦ ଶୁଣିଲା ପରେ ତାର ଭୀରୁ ମନଭିତରେ ସନ୍ତୋଷର ଫୁଲ ଫୁଟିବ । ପ୍ରିୟତମର ପ୍ରେମପୂର୍ଣ୍ଣ ସମ୍ଭାଷଣରେ ଜୀବନପାତ୍ର ପୂରି ଉଠିବ । ପୁଷ୍ପା ଆଉ ସରମ ଶଙ୍କିତା ହୋଇ ରହିବ ନାହିଁ । ସେ ହେବ ସମୁଦ୍ରଗାମୀ ଖରସ୍ରୋତା ! ସେ ହସି ହସି ପୁଷ୍ପା ପାଖକୁ ଲାଗିଆସିଲା । ଆନନ୍ଦରେ ତାର ହାତ ଧରିଲା ।

 

ଏଇ ଝିଅଟି ସଙ୍ଗରେ ଅମିତବାବୁ କଥାଭାଷା ହେଉ ହେଉ ହସୁଥିଲେ । ଉଭୟେ ବୁଡ଼ିଯାଇଥିଲେ ହସରେ । ପୁଷ୍ଠାର ମନେ ହେଲା ସେ ବିଷଧରର ସ୍ପର୍ଶ ପାଇଛି । ଏଇଟାହିଁ ତାର ଉତ୍ତର ଜୀବନର ଏକମାତ୍ର ଅଭିସମ୍ପାତ ।

 

ଭାଉଜ ! କିଛି କୁହ ! ରମା ପଚାରୁଛି ।

 

କଣ ଶୁଣିବ ?

 

ତୁମ କଥା । ତୁମର ପିଲାଦିନର କଥା, କିଛି ଆନନ୍ଦ, କିଛି ଖୁସିର କଥା ।

 

ତୁମେ ପ୍ରଥମେ ତୁମର ହସର କଥା କୁହ ! ଏଇନେ ତ’ ଖୁବ୍‌ ହସୁଥିଲ । ସେ ହସର କାରଣ କିଛି ଶୁଣାଅ । ତା’ ପରେ ମୁଁ ମୋ’ କଥା କହିବି ।

 

ହସର କାରଣ ତ ତୁମେହିଁ ଭାଉଜ ! ଅମିତ ଭାଇ ଖୁସି ଅଛନ୍ତି । ଘରର ସମସ୍ତେ ଖୁସି ଅଛନ୍ତି । ଏ ପରର ଆନନ୍ଦ ଆଳାପ ଦେଖୁ ଦେଖୁ ମୁଁ ବି ହସିଲି । ଅମିତ ଭାଇଙ୍କ ଆଗରେ ଏହାପୂର୍ବରୁ ଏ ହସ କେବେ ହସି ନଥିଲି ।

 

ତୁମେ ବି’ ହସିପାରିଲ ରମା ? ମୋତେ କଣ ଉପହାସ କରି ? ମୋ ଆସିବାଦ୍ଵାରା ଏ ଘରେ କଣ କାହାରିର ଅସୁବିଧା ହେଲା ? ପୁଷ୍ପା ରମାକୁ ଆଘାତ କରିବାକୁ ପଣ କରିଥିଲା ।

 

ତୁମେ ଆସିବା ଦ୍ଵାରା ଅସୁବିଧା ହେବ କାହିଁକି ! ବରଂ ଏ ଘରର ଗାମ୍ଭୀର୍ଯ୍ୟ ବଢ଼ିଯାଇଛି-। ଅମିତ ଭାଇଙ୍କର ଖିଆଲୀ ମନଟା ଏଥର ସଂଯତ ହେଇ ଉଠିବ । ସେଇଥିପାଇଁ ମଉସା ମାଉସୀଙ୍କର ଏ ଆୟୋଜନ !

 

ସେ ଖୁବ୍‌ଦୁଷ୍ଟ ଥିଲେ, ନୁହେ ରମା ?

 

ଦୁଷ୍ଟ ବୋଲି କହୁନାହିଁ । କିନ୍ତୁ ଏତିକି ଜାଣେ, ସେ ଖୁବ୍‌ ଖିଆଲୀ ଧରଣର ଥିଲେ ।

 

କେତେ ଦିନରୁ ତାଙ୍କୁ ଚିହ୍ନିଛ ?

 

ଏଇ ବର୍ଷେ ଖଣ୍ଡେ ହେବ । ଥରେ ଆମ ଗାଁ ଲଛିପୁରକୁ ଯାଇଥିଲେ । ସେଇଠି ତାଙ୍କ ସଙ୍ଗେ ପରିଚୟ ହୋଇଥିଲା । ତାଙ୍କ ସ୍ନେହରେ ଆମ ଘରର ସମସ୍ତେ ବାନ୍ଧି ହୋଇ ପଡ଼ିଲୁ । ସେଇ ଦିନଠୁ ପରିଚୟ ।

 

ସେ ପରିଚୟଟା କଣ ଖୁବ ଗୁରୁତ୍ଵପୂର୍ଣ୍ଣ ଥିଲା ରମା ?

 

କାହାପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା କି ନାହିଁ କହି ପାରିବି ନାହିଁ, କିନ୍ତୁ ମୋ ପାଇଁ ଓ ଆମ ପରିବାର ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା ।

 

ଏତେବଡ଼ ଗୁରୁତ୍ୱପୂର୍ଣ୍ଣ କଥା ମୋ' କାନରେ ଟିକିଏ ଆଗରୁ ପକାଇ ଦେଲନି’ ରମା ? ତୁମ ଜୀବନରେ ସେ ପରିଚୟଟା ଯଦି ଏବେ ଘନିଷ୍ଟ ଭାବରେ ସଂପୃକ୍ତ ବୋଲି ଜାଣିଥାନ୍ତି, ତାହାହେଲେ ତୁମ ରାସ୍ତାରୁ ପାଖେଇ ଯାଇଥାନ୍ତି ।

 

ତୁମେ କଣ କହୁଛ, ମୁଁ ଠିକ୍‌ବୁଝିପାରୁନି ଭାଉଜ ! ରମାର ତୋଫା ମୁହଁଟା ହଠାତ୍‌ ମଳିନ ପଡ଼ି ଆସୁଥିଲା । ଶରତ୍‌ଆକାଶର ରୂପାଥାଳିଆ ପରି ଜହ୍ନଟାକୁ ସତେ ଯେମିତି ନିବିଡ଼ କଳା ବାଦଲ ଖଣ୍ଡେ ଘୋଡ଼ାଇ ଦେଇଛି । ତା’ ମନ ଭିତରେ ସନ୍ଦେହ ଭରି ଉଠିଲା ।

 

ତୁମେ ଖୁବ ଚାଲାକ ଅଛ ଦେଖୁଛି । ଏତେ ଚାଲାକ ଥାଇ ମୋର ଏ ସାମାନ୍ୟ କଥାଟା ବୁଝି ପାରୁନାହିଁ । ତୁମେ ହୁଏତ ବୁଝି ନବୁଝିଲା ପରି ଅଭିନୟ କରୁଛି । କିନ୍ତୁ ସେଥିରେ ମୋର ଯାଏ ଆସେ କେତେ ? ଉଚିତ ଯାହା ଭାବିଲ, କହିଗଲି । ଏକଥା ଶୁଣିଲା ପରେ ଯଦି ମୋର ବିବାହିତ ଜୀବନକୁ ବିଶୃଙ୍ଖଳ କରିବାକୁ ଚାହଁ, ପରିଣାମ ପାଇଁ ତୁମେ ହିଁ ଦାୟୀ ହେବ ।

 

ରମା ତାର କାନ ଦି’ଟାକୁ ଦି’ହାତରେ ଚାପିଧରି ଲୁହ ଜର ଜର ମୁହଁରେ କହିଲା, ଏତେବଡ଼ ଅପବାଦଟିଏ ତୁମେ ଦେଇ ପାରିଲ ଭାଉଜ ? ଅମିତ ବାବୁଙ୍କୁ ଭାଇ ରୂପରେ ଦେଖି ଆସିଲି । ତାଙ୍କୁ ଜୀବନରେ ଥରେ ହେଲେ କାମନା-ମିଶା ଆଖିରେ ଅନାଇ ନାହିଁ । ମୁଁ ହତଭାଗିନୀ ଥିଲି ବୋଲି ମାନୁଛି । କିନ୍ତୁ ମୋର ସ୍ଵାମୀଙ୍କର ଆଗମନ ପରେ ଏ ଜୀବନରେ କିଛିହେଲେ ଅଭାବ ଅଛି ବୋଲି ଭାବୁନାହିଁ । ଆମେ ଗାଉଁଲି ଝିଅମାନେ ସ୍ନେହ, ଶ୍ରଦ୍ଧା ଦେଖିଲେ ତରଳ ଯାଉଁ । କେବଳ ସେହି ସ୍ନେହର ଡୋର ମୋତେ ଏତେଦୂର ଯାଏ ଟାଣି ଆଣିଥିଲା । ତୁମେ ଯଦି ମୋ ମୁହଁର ହସ ଦେଖି ଅବିଶ୍ଵାସ କଲ, ତେବେ ମୁଁ ଚାଲିଯାଉଛି । ଆଉ ଦିନେ ହେଲେ ଏ ଘରେ ପାଦ ଦେବିନାହିଁ । ଏ ଘଟଣାଟି ମୋର ଜୀବନ ସାରା ମନେ ରହିବ ।

 

ପୁଷ୍ପା ଆଖିର ଲୁହକୁ ପିନ୍ଧା ପଣତରେ ପୋଛି ପକାଇ ସେ ଘରୁ ଚାଲିଗଲା ।

 

ଲଣ୍ଠନଟି ଘର ଭିତରର ଅନ୍ଧାର ସିନା ଦୂରେଇ ଦେଲା, ପୁଷ୍ପାର ମନ ଭିତରଟାକୁ ଆଲୋକିତ କରି ପାରିଲାନାହିଁ ।

 

ରମାଟା କେତେ ଆଶା କରି ପୁଷ୍ପା ପାଖକୁ ଆସି ନଥିଲା ! କିନ୍ତୁ କଠୋର ପରିସ୍ଥିତି ଭିତରେ ବାଧ୍ୟହୋଇ ଚାଲିଗଲା ।

 

ପୁଷ୍ପା ବି’ ତାରି ପରି ନାରୀଟିଏ । ତା’ଠୁ ବରଂ ଅଧିକ ସୁନ୍ଦର, ଅଧିକ ସଭ୍ୟ । ସହରର ବଢ଼ି ଗୁଡ଼ାଏ କଥା ଶିଖିଛି । ତଥାପି ସେ ନିଜର ସ୍ଵାମୀ ଆଗରେ ତାର ଖୋଲା ହସକୁ ପସନ୍ଦ କରି ପାରିଲା ନାହିଁ । ହସ ତଳେ ବିଷକୁ ଆବିଷ୍କାର କଲା ।

 

ସବୁ ସହରୀ ଝିଅ କଣ ପୁଷ୍ପା ପରି ? ଅସଲ କଥା କଣ ବୁଝିବାକୁ ଚେଷ୍ଟା ନକରି ଗୁଡ଼ାଏ କାଳ୍ପନିକ ଭାବନାରେ ବୁଡ଼ି ରହନ୍ତି । ଅପେକ୍ଷା କରିବାକୁ ଏଡ଼ିକି ଟିକିଏ ଧୈର୍ଯ୍ୟ ନାହିଁ । ଆଃ, କି ନିର୍ମମ ସେମାନେ ହୋଇ ପାରନ୍ତି ନାହିଁ ! ଅମିତ ଭାଇଙ୍କର ଜୀବନକାଳ ଭିତରେ ଦହଗଞ୍ଜ ହେବେ । ତାଙ୍କର ସରଳ ମନଟାକୁ ପୁଷ୍ପା ତିଳେ ତିଳେ ତଳେ କୀଟ ପରି ଧ୍ଵଂସ କରିଦେବ କରିଦେବ ।

 

ରମା ଅମିତର ଚିଠିଟାକୁ କାଢ଼ି ଆଉଥରେ ପଢ଼ିଲା । ‘ତୁମେ ଆସିବ ରମା ! ପୁଷ୍ପା ଭାଉଜକୁ ତମର ଦେଖିଯିବ । ଅନେକ ବଛାବଛି କରି ବାପା ପୁଷ୍ପାକୁ ପସନ୍ଦ କରିଛନ୍ତି । କିଛି ପାଠ ବି’ ସେ ପଡ଼ିଛି । ବାପା ତାର ଆମ ସମାଜର ଜଣେ ମୁଖ୍ୟ ବ୍ୟକ୍ତି । ନ ଆସିଲେ ବୁଝିବି, ତମର ଅମିତ ଭାଇ ଉପରେ ମୋଟେ ହେଲେ ସ୍ନେହ ନାହିଁ ।

 

ରମା ସେ ଚିଠି ଖଣ୍ଡକୁ ଟିକି ଟିକି କରି ଚିରି ଫୋପାଡ଼ି ଦେଲା । ଅମିତ ପ୍ରତି ଦୟା ହେଲା । କେତେ ସୁନ୍ଦର, ସରଳ ମଣିଷଟା କି ହିନସ୍ତା ହେବେନାହିଁ ! ତାପରେ ଅଜଣା ଦେବତା ଉଦ୍ଦେଶ୍ୟର ହାତ ଉଠାଇ ନମସ୍କାର ହେଉ ହେଉ କହିଲା, ପୁଷ୍ପାକୁ ତୁମେ ସୁବୁଦ୍ଧି ଦିଅ ଭଗବାନ ! ଅନ୍ତତଃ ଅମିତ ଭାଇଙ୍କର ଆନନ୍ଦ ପାଇଁ ପୁଷ୍ପାକୁ ସୁବୁଦ୍ଧି ଦେବାର ତୁମର କର୍ତ୍ତବ୍ୟ ।

 

କେତେ ଆନନ୍ଦ, କେତେ ଆଶା ନେଇ ଆସି ନଥିଲା ରମା ! କିନ୍ତୁ ଫେରିଗଲା ଏକ ନିର୍ମମ ଓ କଠୋର ଅନୁଭୂତି ନେଇ । କେହି ତାକୁ ଅଟକାଇ ରଖି ପାରିଲେ ନାହିଁ । ଅନ୍ନପୂର୍ଣ୍ଣା ମାଉସୀ ଓ ଅମିତର ବାପ ମାଙ୍କର ଅଜସ୍ର ଅନୁରୋଧକୁ ସେ ପାଷାଣୀ ପରି ପ୍ରତ୍ୟାଖ୍ୟାନ କରିଦେଲା । କେତେ ବାହାନା ଦେଖାଇ, ମିଛ କହି ସହରର ଶେଷ ଗାଡ଼ିରେ ଚଢ଼ି ଲଛିପୁର ଫେରିଗଲା ।

 

ଗଲାବେଳେ ଅମିତ ସଙ୍ଗେ ବି’ ଦେଖା କରିନାହିଁ ।

 

ନୀରବ ରାତ୍ରି ର ନିରନ୍ଧ୍ର ଅନ୍ଧକାରର ବି’ ଜୀବନ ଅଛି ।

 

ଅମିତାଭର ଅବୟବ ପ୍ରାଣ ପ୍ରାଚୁର୍ଯ୍ୟରେ ଭରି ଉଠିଛି ।

 

ବହୁ ଆକାଂକ୍ଷିତ ବାସର ରାତି ଆସିଛି । ତାର ଯୌବନକୁ ସାର୍ଥକ କରି ବହୁ ପ୍ରତୀକ୍ଷା ପରେ ଆସିଛି । ଏ ରାତିର ସ୍ମୃତି ଟିକକ ଭବିଷ୍ୟତ ଜୀବନର ବହୁମୂଲ୍ୟ ଅଂଶ ହୋଇ ରହିବ ।

 

ଅଙ୍ଗେ ଅଙ୍ଗେ ରୋମାଞ୍ଚର ଶତ କଦମ୍ବ ଫୁଟି ଉଠିଛି । ମନର କଳ୍ପନାଟା ବେଳେବେଳେ ସବୁଜ ତ ବେଳେବେଳେ ରକ୍ତବର୍ଣ୍ଣ ଧରୁଛି ।

 

ପୁଷ୍ପା ହୁଏତ ପାଦରେ ଅଳତା ଲଗାଇଥିବ । ତାର ଟିକି ଟିକି ଆଖିର ଓସାରିଆ ପତାରେ କଜଳର ଫିକାଶିଆ ରଙ୍ଗ ଲାଗିଥିବ । ସୁଗଠିତ ନରମ ଓଠକୁ ଯଦି କିଛି ରକ୍ତ ପ୍ରଲେପରେ ରଞ୍ଜିତ କରିଥାଏ, ତେବେ ସେ ଆହୁରି ଚମତ୍କାର ଦେଖାଯିବ । ସେ କଣ ଇରାନୀ ଝିଅ ପରି ଲମ୍ବା ବେଣୀରେ ରିବନ ଖଞ୍ଜିଥିବ ? ତାର ବେଣୀର ଲମ୍ବଟା ଉନ୍ମାଦନାର କବିତା ଗାଉଥିବ ନିଶ୍ଚୟ !

 

ଅମିତାଭ ମନେ ମନେ ପ୍ରିୟତମା ପୁଷ୍ପାର ଯେଉଁ ରୋମାଞ୍ଚକର ପରିକଳ୍ପନା କରୁଥିଲା ତାହା ଅଚିନ୍ତ୍ୟପୂର୍ବ ।

 

ପୁଷ୍ପା ପରି ସୁରୁଚି ସମ୍ପନ୍ନା ଝିଅକୁ ପାଇବା ପୂର୍ବଜନ୍ମର ସୁକୃତିର ଫଳ । ଏମିତି ଝିଅର ଚରଣ ତଳେ ଆଜୀବନ ଆବଦ୍ଧ ରହିବାରେ ବି’ ଆନନ୍ଦ ଅଛି ।

 

ବାସର-ଘରୁ ପୁଷ୍ପାର ସୁରଭି ଭାସି ଆସୁଛି ।

 

ହାଲୁକା ପବନରେ ପୁଷ୍ପାର ଦେହର ଗନ୍ଧ ମିଶିଛି ।

 

ଅମିତ ଚପା ଚପା ପାଦ ପକାଇ ବାସର ଘରକୁ ଯିବାବେଳେ ମୋହିତ ହୋଇ ଉଠୁଥିଲା । ଲଣ୍ଠନର କ୍ଷୀଣ ଆଲୋକ ପଡ଼ିଛି ପୁଷ୍ପାର ସୁଗଠିତ ଶରୀର ଉପରେ । ପିନ୍‌ପାତଳ ଅବଗୁଣ୍ଠନ ତଳୁ ପୁଷ୍ପାର ପୁଷ୍ପଖଚିତ କୃଷ୍ଣ କବରୀ ଦେଖାଯାଉଛି ।

 

ମୁଗ୍‌ଧା ପ୍ରେୟସୀ ପୁଷ୍ପା ଅପେକ୍ଷା କରିଛି । ସତେଅବା ରୁଚିଶୀଳ କଳାକାରର ଏକ ସାର୍ଥକ ସୃଷ୍ଟି । ଅଥବା ବିଜ୍ଞ କବିର ଆମୋଦପୂର୍ଣ୍ଣ କବିତା । ରୂପ, ରସ ଓ ଗନ୍ଧର ସାକ୍ଷାତ ପ୍ରତିମାଟିଏ ।

 

ପରୀ ଦେଶର ଅଲିଅଳି ରାଜଜେମା । ପଥ ବଣାହୋଇ ଅଟକି ଯାଇଛି ।

 

ବୁଢ଼ୀମା କାହାଣୀର ପଦ୍ମଫୁଲ ସମ୍ଭୂତା ନାରୀମୂର୍ତ୍ତି ଏଇମାତ୍ର ଆତ୍ମପ୍ରକାଶ କରିଛି !!

 

ଅମିତ ଥରିଲା ହାତ ବଢ଼ାଇ ପୁଷ୍ପାର କାନ୍ଧକୁ ଅଳ୍ପ ସ୍ପର୍ଶ କଲାବେଳେ ମୁହଁଟା ତାର ଅସମ୍ଭବ ଭାବରେ ଲାଲ ପଡ଼ିଗଲା । ରହି ରହି ଡାକିଲା, ପୁଷ୍ପା !

 

ପୁଷ୍ପା ବେକ ଭାଙ୍ଗି ଚାହିଁଲା । ତା’ ଆଖିରେ ଅଶେଷ ଅଳସ ।

 

ଅମିତ ଭାବୁଥିଲା ଏଇ ଅଳସଭରା ଆଖି, ଯୌବନଦୀପ୍ତ ଅଙ୍ଗଲତା ଓ ରୂପଭରା ମୁହଁଟି ହିଁ ତାର ପ୍ରେମମୟ ଜୀବନର ପଟ୍ଟ ଭୂମି । ପୁଷ୍ପାର ହସ ଓ ଆନନ୍ଦ ହିଁ ତାର ଯାତ୍ରା ପଥକୁ ବିଜୟମଣ୍ଡିତ କରିବ । ଅତୀତରେ ଯାହା କିଛି ଅଲଭ୍ୟ ରହିଯାଇଛି, ପୁଷ୍ପାର ସାନ୍ତିଧ୍ୟ ଲାଭ ପରେ ସେ ସବୁକୁ ଆଉ ମନେ ପକାଇବ ନାହିଁ । ପୁଷ୍ପା ହିଁ ତାର ସର୍ବପ୍ରଧାନ ପ୍ରାପ୍ତି ।

 

ପୁଷ୍ପା ଅମିତର ମୁହଁକୁ ଅନୁସନ୍ଧାନୀ ଆଖିରେ ଅନାଇଲା ।

 

ରମାର ପ୍ରସ୍ଥାନ ପରେ ତା’ମୁହଁରେ କି ପରିବର୍ତ୍ତନ ଆସିଛି ?

 

ସେ କଣ ସେହି ରମାର କଥାକୁ ପ୍ରଥମେ ପଚାରିବ ? ଯଦି ପଚାରେ, କି ଉତ୍ତର ଦିଆଯାଇ ପାରେ ?

 

ବିମୁଗ୍ଧ, ବଶୀଭୂତ ପୁରୁଷକୁ ନିର୍ଦ୍ଦେଶ ଦେଇ ଜବତ କରିବା ଏହା ହିଁ ସୁବର୍ଣ୍ଣ ସୁଯୋଗ । ଏ ସୁଯୋଗ ହରାଇ ଦେବା ନିର୍ବୋଧତା ହେବ । ଏମିତ ସୁଯୋଗ ଜୀବନରେ କେଇ ଥର ଆସେ-? ବାସର ରାତି ଆଉଥରେ ଆସିବ ନାହିଁ । ବାସର ରାତିର କାହାଣୀ ଆଉ ଥରେ ପୁନରାବୃତ୍ତି ହେବନାହିଁ ।

 

ଅମିତାଭ ଡରି ଡରି ପାଖରେ ବସୁଛି । ଜୀବନରେ ପ୍ରଥମ ଥର ପାଇଁ ଗୋଟିଏ ତରୁଣୀର ଏତେ ପାଖରେ ବସୁଛି । ମନ ଭିତରେ ଯେତକଯାକ ଦ୍ଵିଧା, ଯେତକଯାକ ଆଶଙ୍କା ଜାମ ଜମାଟ ବାନ୍ଧିଛି । ପୁଷ୍ପା ଯଦି ତାର ବ୍ୟବହାର ଦେଖି ବିମନା ହୁଏ ? ଯଦି ଅଭଦ୍ର ବୋଲି ଧାରଣା କରିନିଏ ?

 

ବିଶୃଙ୍ଖଳ ମନର ଲଗାମ ଭିଡ଼ି ଧରିଛି ଅମିତାଭ ।

 

‘‘ତୁମେ ଖୁବ ସୁନ୍ଦର ଦିଶୁଛ ପୁଷ୍ପା ! ମୋର କଳ୍ପନାଠାରୁ ବି’ ଆହୁରି ସୁନ୍ଦର !’’

 

ପୁଷ୍ପା ସାମାନ୍ୟ ହସିଲା ।

 

ସତେ ଯେମିତି ପୁଷ୍ପାର ହସରୁ ମୁଠେ ଫୁଲ ବୁଣି ହୋଇଗଲା । ସେ ହସଟା କି ପ୍ରାଣବନ୍ତ, କି ସୌରଭଯୁକ୍ତ !!

 

ଅମିତ ଉଲ୍ଲସିତ ହୋଇ ଉଠିଲା ।

 

ଅମିତର ସ୍ପର୍ଶରେ ପୁଲକ ଅଛି । ପୁଷ୍ପାର ଦେହରେ ବି’ ଶିହରଣର ଲହଡ଼ା ଭାଙ୍ଗୁଛି । ସେ କିଞ୍ଚିତ କ୍ଳାନ୍ତ ମନେକଲା ।

 

ମୁଁ କଣ ରମାଠୁ ବଳି ସୁନ୍ଦର ? ପୁଷ୍ପା ପ୍ରଶ୍ନକଲା । ପୁଷ୍ପାର ପ୍ରଥମ କଥା ଇଏ । କଥା ନୁହେଁ ତ ପ୍ରଶ୍ନଟିଏ । କିନ୍ତୁ ରମା ସଙ୍ଗରେ କାହିଁକି ସେ ତୁଳନା କରୁଛି ?

 

କେଉଁ ରମା କଥା କହୁଛି ? ଅମିତ ପଚାରିଲା ।

 

ଲଛିପୁରର ରମା ! ସିଏ ଖୁବ ଡେରିରେ ଆସିଥିଲା । ତୁମ ସଙ୍ଗେ କଥା ହେଲାବେଳେ ଖୁବ ହସୁଥିଲା ।

 

ରମା ଖୁବ୍‌ଭଲ ଝିଅଟିଏ ପୁଷ୍ପା । ତା’ ସାଙ୍ଗରେ ମୁଁ ତୁମକୁ ପରିଚୟ କରାଇ ଦେବି ।

 

କି ଦରକାର ?

 

କଥାଭାଷା ହେବ । ସେ ନର୍ସିଂ ପାଶ କରିଛି ।

 

ସତେ ନାଁ କଣ ?

 

ସତରେ ପୁଷ୍ପା ! ତା’ ସଙ୍ଗରେ ପଦଟିଏ କଥାହେଲା ପରେ ଭାବିବ, ସତେଅବା ପିଠି ଭଉଣୀଟିଏ । ଖୁବ ସୁନ୍ଦର ବ୍ୟବହାର ।

 

ମୁଁ ତାକୁ ଚିହ୍ନିଛି ।

 

ତାକୁ ଚିହ୍ନିଛି ? କେଉଁଠି ? କେବେ ?

 

ସଞ୍ଜବେଳେ ଦେଖା ହୋଇଥିଲା । ସେ ବି’ ତମର ଖୁବ୍‌ତାରିଫ କରୁଥିଲା ।

 

କଣ ସବୁ କହୁଥିଲା ?

 

ତମେ କୁଆଡ଼େ ସ୍ନେହୀ ମଣିଷଟିଏ ।

 

ସେ ସମସ୍ତଙ୍କୁ ସ୍ନେହକରେ ପୁଷ୍ପା ! କଥା କହି ଆପଣାର କରିନିଏ ।

 

ସମସ୍ତଙ୍କୁ ? କିନ୍ତୁ ତା’ କଥାଶୁଣି ମୋତେ ବିରକ୍ତ ଲାଗିଲା । ତାକୁ ମୁଁ ବାରଣ କରିଦେଲି-

 

ତୁମେ ଠିକ୍‌ କରିନ ପୁଷ୍ପା !

 

ପୁଷ୍ପା ତ ଆଉ ରମା ନୁହେ ଯେ, ତାର ପ୍ରତ୍ୟେକ କଥା ଠିକ ହେବ । ପୁଷ୍ପା ରମା ପରି ପର ମଣିଷ ପାଖରେ ଘଣ୍ଟା ଘଣ୍ଟା ଧରି ହସିବି’ ପାରେ ନାହିଁ । ଏମିତି ଝିଅକୁ ଚିହ୍ନିବା ପୁଷ୍ପା ପକ୍ଷରେ କଷ୍ଟକର ନୁହେଁ । ତାକୁ ଚିହ୍ନିଲି ବୋଲି ଏ ଘରେ ପାଦ ପକାଇବାକୁ ସବୁଦିନ ପାଇଁ ମନା କରିଦେଲି-। ବିଚାରୀ କାନ୍ଦି କାନ୍ଦି ଚାଲିଗଲା-

 

ସତରେ ତୁମେ ତାକୁ ଅପମାନ ଦେଇଛ ପୁଷ୍ପା ?

 

ଆଉ କଣ କରିଥାନ୍ତି କହିଲ ?

 

ତୁମେ ତା’ ପାଖରେ କ୍ଷମା ମାଗିନେବା ଉଚିତ ହେବ ।

 

ସେ ତମର ବାନ୍ଧବୀ ବୋଲି ?

 

ନା, ନା, ତୁମେ କାହିଁକି ? ମୁଁ ଡାକି ଆଣିଥିଲି, ମୁଁ ହିଁ କ୍ଷମା ମାଗିନେବି । ତୁମେ ତା’ ପ୍ରତି ଅନ୍ୟାୟ କରିଛ !

 

କିନ୍ତୁ ସେ ଯେ ଆଉ ନାହିଁ ! ଲଛିପୁର ଚାଲିଗଲା ।

 

ଚାଲିଗଲା ?

ପୁଷ୍ପା ହସୁଥିଲା । ଏକ ବ୍ୟଙ୍ଗାତ୍ମକ ହସ ।

ଅମିତର ମୁଣ୍ଡ ଘୁରିବାକୁ ଲାଗିଲା । ବାସର ଘର ସଙ୍ଗେ ପୁଷ୍ପା ବି’ ତା ଆଖି ସାମନାରେ ଘିରି ଘିରି ହେଇ ବୁଲୁଥିଲେ ।

ଜୀବନର ସବୁ ପ୍ରାପ୍ତି ବ୍ୟର୍ଥ ହୋଇଛି । ଜୀବନର ଉତ୍ତର ଅଂଶଟାକୁ ପୁଷ୍ପା ବ୍ୟର୍ଥ କରିଦେବ । ଏ ଜୀବନର ଅର୍ଥ କିଛି ରହିଲା ନାହିଁ । ବାସର ରାତିରେ ଯେଉଁ ନିଆଁ ଜଳିଉଠିଛି, ଆଜୀବନ ସେ ଜଳିବ । ଏ ପୁଷ୍ପା ବଦଳିବାର ନୁହେଁ । ପରିଚୟର ପ୍ରଥମ ଦିନରୁ ହିଁ ସେ ଅବିଶ୍ୱାସ କରିବା ଆରମ୍ଭ କରିଛି ।

ତେବେ ଏ ଜୀବନଟା କଣ ହା’ହୁତାଶନର ?

ପୁଷ୍ପାର ରୂପ ତଳେ ଏ ଯେଉଁ କୁରୂପା କାହାଣୀ ଆତ୍ମପରିଚୟ ଦେଇଗଲା, ତାର ଶେଷ କେଉଁଠି ?

ଅମିତ ଘଣ୍ଟା ଘଣ୍ଟା ଧରି ଭାବୁଥିଲା ।

ପୁଷ୍ପା ଅପେକ୍ଷା କରୁ କରୁ ଶୋଇଯାଇଛି ।

ଅମିତର ମନେପଡ଼ୁଛି ଅନେକ ଦିନ ତଳର କଥା-ଅନେକ କଥା.... ।

ଅନେକ ଦିନ ତଳେ......

ଶରତର ଶୁଭ ସୁନ୍ଦର ସକାଳ ।

ସିଏ ଶୋଇପଡ଼ିଲା । ସାତ ସାଗରର ଅନନ୍ତ ନୀଳିମା ଭିତରେ ଶୋଇ ଶୋଇ ସପନ ଦେଖୁଥିବ ବୋଧହୁଏ । ସେ ସପନର ସୁନେଲୀ ରଙ୍ଗ ଲାଗିଛି ଭସା ବାଦଲର ହାଲୁକା ଡେଣା ଉପରେ ।

 

ପାଦଚିପା ପାହୁଲ ପକାଇ, ଧରଣୀ ଉଉପରକୁ ଓହ୍ଲାଇ ଆସୁଛି ଆୟୁଷ୍ମତୀ ସଂନ୍ଧ୍ୟା । ସର୍ବ ସହଣୀ ବସୁଧାକୁ କଷ୍ଟ ଦେବନି ବୋଲି ଯେମିତ୍ତି ସେ ପ୍ରତିଜ୍ଞାବଦ୍ଧ । ସଂନ୍ଧ୍ୟାକୁ ସ୍ଵାଗତ କରିବ ବୋଲି ବସୁଧାର ସଭିଏଁ ସବୁଆଡ଼େ ପ୍ରସ୍ତୁତ ହେଉଛନ୍ତି ।

 

ଚାରିଆଡ଼କୁ ଆଖି ବୁଲେଇ ନେଇ ଅମିତ ନିଜେ ପ୍ରସ୍ତୁତ ହୋଇ ପଡ଼ିଲା । ପୂର୍ବ କାମିଜର ଭଙ୍ଗା କନାକୁ କହୁଣୀ ତଳକୁ ଖସାଇ ଆଣିଲା । ବେକ ତଳର ଖୋଲା ବୋତାମକୁ ଆଉଥରେ ଲଗାଇ ନେଲା । ବେଗ ଭିତରେ ହାତ ପଶାଇ ଟର୍ଚ୍ଚ ଅଛି କି ନାହିଁ ପରଖି ନେଲା । ତାପରେ ଆଖି ଆଗର ଅନନ୍ତ ପଥକୁ ଦୃଷ୍ଟି ପକାଇଲା ।

 

ଓଃ, ଗଦାଏ ବାଟ । ଆଖି ପାଇଲାଯାଏ ଲମ୍ବିଯାଇଛି । ଢେଉ ଢେଉକା ପାହାଡ଼ । ପାହାଡ଼ର ଡେଙ୍ଗାଳିଆ ଗଛସବୁ ଧୂସର ଦିଶିଲାଣି । ଚଲାବାଟରେ ଅଜଣା ଗାଁର ବାଟୋଇ ବାଟ ଭାଙ୍ଗି ଚାଲି ଯାଉଛନ୍ତି ।

 

ଅମିତର ମନେହେଲା, ସତେ ଯେମିତି ଏ ବାଟ ସରିବନାହିଁ ।

 

ଏତେଗୁଡ଼ିଏ ବାଟ ଚାଲିବା ଜୀବନରେ ଏଇ ପ୍ରଥମ । ପାଦ କାଲୁଆ ହୋଇ ଆସିଲାଣି-। ଆଣ୍ଠୁ ଦରଜ ହେଉଛି । ସାରା ଦେହରେ ଦରଜ ଘର କଲାଣି । କେତେ ସମୟ ଚାଲିବ ଆଉ ?

 

ପାହାଡ଼ ଆରପଟୁ ଗଭୀର ଅନ୍ଧକାର ମାଡ଼ି ମାଡ଼ି ଆସୁଛି । ତାହାରି ଭିତରେ ଜମାଟ ବନ୍ଧା ନୀରବତା । ପାହାଡ଼ପଟୁ କାକର ମିଶା ପବନ ବହୁଛି । ଆସନ୍ନ ସଞ୍ଜର ପ୍ରଥମ ସଙ୍କେତ ! ତହିଁରେ ନୀରବ ରାତ୍ରିର ଅସ୍ପଷ୍ଟ ଆବାହନୀ ବି ମିଶିଛି ।

 

ଆଗକୁ ରାସ୍ତା ଉପରେ ନାଳଟିଏ । କାଚକେନ୍ଦୁ ଭଳି ଜଳ । ନାଳ ପୂରିଥିଲା ଯାଏ ଗାଁ ଲୋକେ ଆନନ୍ଦରେ ବ୍ୟବହାର କରନ୍ତି । ଅଳ୍ପଦୂରରୁ ପଲ୍ଲୀବଧୂର ଚପଳ ହସ ଶୁଭିଲା । ଛନ୍ଦମଧୁର ଆଳାପ ଆଲୋଚନାରେ ବ୍ୟସ୍ତ ସେମାନେ । ଜଳାର୍ଥିନୀ ଯୁବତୀ କାଖରେ କଳସୀ ଧରି ଅଳସେଇ ଅଳସେଇ ଚାଲିଛି । ଦେହର ଉଛୁଳା ଯୌବନରେ ଅସ୍ତଗାମୀ ସୂର୍ଯ୍ୟର ସୁନେଲୀ ଖରା ନେସି ହୋଇଛି । ହାତରେ କୋଦାଳ, କାନ୍ଧରେ ଭାର ନେଇ ଆଗେଇ ଆସୁଛି ପଲ୍ଲୀ ଯୁବକ । ମାଟି ବୋଳା ଦେହରୁ ବି’ କେମିତି ଗୋଟିଏ ବଳିଷ୍ଠ କାନ୍ତ ଫୁଟି ବାହାରୁଛି । ନିଃଶଙ୍କ ଆଖିରେ ତାର ନିର୍ଭୟ ଜୀବନର କାହାଣୀ । ସିଏ କାହାକୁ ଡରିନାହିଁ-ସିଏ କାହାକୁ ଡରୁନାହିଁ କି କେବେହେଲେ ଡରିବ ନାହିଁ । ଏଇ ମାଟି ଥିଲାଯାଏ, ଏଇ ବାହୁ ଦି’ଟା ଥିଲାଯାଏ ସେ ତାରି ସଂସାରର ରାଜା । ଜୀବନରେ ତାର ସୌକୀନ ସ୍ୱପ୍ନ ନାହିଁ । ତେଣୁ ଅଭାବ ନାହିଁ । ଅମିତ ତାର ପଥଶ୍ରମ କଥା ଭୁଲିଗଲା । କିଛି ସମୟ ପାଇଁ ସେ ଏହି ଅଜଣା ପଲ୍ଲୀର ଅନାମଧେୟ ଲୋକଙ୍କ କଥା ଭାବି ଯଥେଷ୍ଟ ଆନନ୍ଦ ଅନୁଭବ କଲା ।

 

ମୁଣ୍ଡ ଉପରେ ଦି’ଟା ବସା-ବାହୁଡ଼ା-ପକ୍ଷୀ କଥାବାର୍ତ୍ତା ହୋଇ ଉଡ଼ିଗଲେ । ଉଡ଼ା ପକ୍ଷୀର ପର ଆସି ପଡ଼ିଲା ନାଳ-ପାଣି ଉପରେ । ବୋହିଲା ସୁଅ ଉପରେ ଚକାଭଉଁରୀ ଖେଳି ଖେଳିକା ସେ ଭାସୁଥିଲା । ବିଲ ହିଡ଼ର ସବୁଜ ଘାସ ଦେହରେ ଅଟକ ନଗଲା ଯାଏ ସିଏ ବୋହିଥାନ୍ତା । କିନ୍ତୁ ସ୍ନାନରତ ଦୟାନିଧି ତାକୁ ବୋହିଲା ପାଣିରୁ ଛାଣି ନେଇ ପରୀକ୍ଷା କରୁଥିଲା ।

 

ମାଈ ପକ୍ଷୀର ପରଟିଏ । ପରର କଅଁଳିଆ ଲୋମ ଦେହରେ ସଞ୍ଜ ସୂର୍ଯ୍ୟର ରଶ୍ମି ବାଜୁଛି । ପ୍ରତ୍ୟେକ ଲୋମ ଗଣି ହୋଇ ଯାଉଛି । ପରର ତଟକା ରଙ୍ଗଟା ବି ମନକୁ ମୋହି ନେଉଛି । ଏ ପରଟା ଯଦି ରାଧାର ଗହଳ ଖୋସା ଭିତରେ ଖଞ୍ଜାଯାଏ.... । ଦୟାନିଧି ମନେ ମନେ କୁରୁଳି ଉଠୁଥିଲା ।

 

ଆଜି ତ ଖୁବ ହସୁଛୁ ଦୟା ! କହିବୁ ନାହିଁ, କଥା କଣ ? ସାଙ୍ଗ ପିଲାଟିଏ କୂଳ ପାଖରୁ ପ୍ରଶ୍ନକଲା ।

 

ନାଁ ସେ କିଛି ନୁହେଁ । ଦୟା ସରଳ ଗଳାରେ ଉତ୍ତର ଦେଲା ।

 

କାନରେ କଣ ଦୟା ?

 

ପରଟିଏ ।

 

କାହିଁ ଦେଖେ ?

 

ଜୟ ପକ୍ଷୀର ପର । କେବେ କଣ ଦେଖିନୁ ?

 

ଓଃ, ବୁଝିଲି ଏଥର । ଏ ପର ରାଧା ପାଇଁ, ନୁହେଁ ?

 

ଦୟାନିଧି ହସିଲା । ତାର ବନ୍ଧୁଟା ବି ହସୁଥିଲା । ହସି ହସି କହିଲା, ଜୟ ପକ୍ଷୀର ପର ଦେଇ ରାଧାକୁ ଜୟ କରିବୁ । ଏ ପର ସଙ୍ଗେ ଯଦି ରୂପା ପାନ ପତରଟିଏ ଦିଅନ୍ତୁ ନାଁ-ଖୁବ ମନାନ୍ତା-। ରାଧାର ସେ ବହଳ ଖୋସାଟା ପାନ ପତରରେ ନଇଁ ନଇଁ ଯାଆନ୍ତା । ଆଉ ସେ ନଇଁଲା ବାଳ ଉପରେ ଏ ପରଟା ଫର୍‌ ଫର୍‌ହେଇ ଉଡ଼ି କହୁଥାନ୍ତା.....

 

ଅଟକି ଗଲୁଯେ- । ବାକିତକ କହି ଦେ ନାଁ !

 

କହିବ ? ନାଁ–କହିବି ନାହିଁ ।

 

କହିବୁ ନାହିଁ ! ଅଲବତ୍‌ କହିବୁ । ଦୟାନିଧି ସାଙ୍ଗର ଅଣ୍ଟା ପାଖରେ ଗୁଡ଼ିଆ ହୋଇଥିବା ରଙ୍ଗ ଗାମୁଛାକୁ ଭିଡ଼ି ଧରିଲା ।

 

କହିବି ବାବା, କହୁଛି ଶୁଣ । ସେ ପର କହନ୍ତା, ମୋ’ ବର ଖୁବ୍‌ସୁନ୍ଦର ! ଏ ମହୀମଣ୍ଡଳରେ ମୋ ବର ପରି ମଣିଷ କେହି ନାହିଁ ।

 

ରୂପାର ପାନ ପତର ତ ଏସାଲେ ଦେଇ ପାରିବି ନାହିଁ । କିନ୍ତୁ ଏ ପରଟିକୁ ନିଶ୍ଚୟ ଦେବି । ଜୀବନ ଥିଲେ ଆର ସାଲକୁ ଦି’ଟା ପାନ ପତର କରିଦେବି । ଏସାଲେ ଇନ୍ଦ୍ର ଯେମିତି ପାଳୁଛି ଫସଲ ନିଶ୍ଚୟ ଭଲ ହେବ । କହିଲୁ, ସେ କଣ ଖୁସି ହେବନାହିଁ ? ଦୟାନିଧି ଉତ୍ସୁକ ହୋଇ ପଚାରିଲା ।

 

ତୁ’ ଦେବୁ, ଆଉ ସେ ଖୁସି ହେବନାହିଁ ? ସେ କଣ ଗଲା ସାଲର ଠିଆମରୁଡ଼ି କଥା ଜାଣିନାହିଁ ଯେ ଆକଟ କରିବ ? ସଭିଙ୍କ କଥା ସେଇଆରେ ଦୟା ! ଗଲା ସାଲେ କି କୂଟ ପଡ଼ିଲା କେଜାଣି, ଗାଁ ଗାଁର ଫସଲ ଜଳିଗଲା । ଆଖିରୁ ପାଣି ମଲା, ଅନେଇ ଅନେଇ ବରଷା ହେଲାନାହିଁ-। ଲୁହ ଶୁଖି ଲହୁ ବୋହିଲା । ତଥାପି ଇନ୍ଦ୍ର ଦେବତା ବରଷା କଲାନାହିଁ । ପାରିଲା ଘରର ଝିଅ ରାଧା, ନିପାରିଲା ଘରର ଝିଅ ପରି ପର ବିଲରେ ମୂଲ କଲା ! ସେ ରୂପା ପତର ପାଇଁ କଣ ଅନାଇଛି ? ଏ ଉଡ଼ା ପକ୍ଷୀର ପର ପାଇଲେ ବି’ ସେ ହସିବ, ସେ ଖୁସି ହେବ ।

 

ଦୟାନିଧି ରତ ରତ ବେଳ ଆଡ଼କୁ ନଜର ଦେଇ ତରତର ହୋଇ ଲୁଗା ପାଲଟୁଥିଲା । ବେଳ ବୁଡ଼ିବାକୁ ଆଉ କେତେ ଡ଼େରି ? ଖବର ତେଜ ନାହିଁ । ପାହାଡ଼ ସେପଟକୁ ସୂର୍ଯ୍ୟ ନଇଁଗଲେ ରାତି ହେବ । ଦୟାନିଧି ତାର ବାବୁରି ବାଳକୁ ପୋଛି ଦେଉ ଦେଉ କହିଲା, ଯାଉଛିରେ ଭାଇ । ଗାଁକୁ ଯିବାକୁ ଡେରି ହେବ ।

 

ଡେରି ହେଲେ ଭୟ କଣ ଅଛି । ଆମ ଗାଁ ନାହିଁ ନା ଆମ ଘର ନାହିଁ ? ଆମ ଘରଟା କଣ ପରଘର ଭାବିଲୁ ? ହେଲା ନହେଲା କଣ ଚଳେଇ ନେଇ ହେବ ନାହିଁ ?

 

ଦୟାନିଧି ଆଗୁଆ ହୋଇ କହିଲା, ସେ କଥା ନୁହେଁରେ ଭାଇ ! ଘରେ କେହି ନାହିଁ । କବାଟ ଆଉଜେଇ ଦେଇ ଆସିଥିଲି । ଘର ଭିତରେ ମୁଗ ପୁଡ଼ାଟାର ମୁହଁ ବନ୍ଧା ହୋଇନାହିଁ । ରାତିରେ ଯଦି ବୁଲା ଗାଈ ପଶିଯାଏ ତ କଥା ସଇଲା ।

 

ଅମିତ ରତରତ ବେଳକୁ ଚାହିଁଦେଇ ପାଦର ଗତିକୁ କ୍ଷୀପ୍ର କଲା । ଲଛିପୁରକୁ ମୋଟର ନାହିଁ କି ରେଳ ନାହିଁ । ପଙ୍କୁଆ ରାସ୍ତାରେ ସାଇକେଲଟିଏ ବି ଗଡ଼ି ପାରିବନାହିଁ । ଯେତେ ଚାଲିଲେ ବି ବାଟ ଘୁଞ୍ଚି ଘୁଞ୍ଚି ଯାଉଛି । ଅମିତ ପଲ୍ଲୀ ପଥର ସବୁ ଆକର୍ଷଣକୁ ପଛରେ ପକାଇ ଆଗକୁ ଗୋଡ଼ ବଢ଼ାଇଲା ।

 

ଦୟାନିଧି ପ୍ରିୟତମା ରାଧାର କଥା ମନେ ପକାଇ ବାଟ ଚାଲୁଥିଲା ।

 

ନିଛାଟିଆ ରାସ୍ତାରେ ଚାଲୁଥିଲେ ଭୟ ଲାଗେ । ସାଙ୍ଗରେ ସାଥି ଥିଲେ କଥାଭାଷା ହୋଇ ବାଟ ସରିଯାଏ । ଭୂତପ୍ରେତ କି’ ସାପ ବାଘ କଥା ମନେ ପଡ଼େ ନାହିଁ । ଜଣେ ଆରଜଣକୁ ଦେଖି ସାହସ ସଞ୍ଚୟ କରନ୍ତି ।

 

ଲଛିପୁରର ବଣୁଆ ବାଟଟି ଯେତେ ଚାଲିଲେ ବି ସର ନାହିଁ । ମଲାନଈ ପରି ଧାରେଇ ଯାଇଥିବା ବାଟଟା ଲମ୍ବି ଲମ୍ବି ଯାଏ । ବାଟରେ ବୁଦୁବୁଦୁକିଆ ବଣ ପଡ଼େ । ଗାଁ ପାଖକୁ ଗହୀର ଜଙ୍ଗଲ । ଦିନ ଦି’ ପହରେ ବିଲୁଆ, ଭାଲୁ ନିର୍ଭୟରେ ଚାଲୁ ଥାଆନ୍ତି । ଅଭ୍ୟାସ ନଥିବା ସହରୀ ଲୋକ ଭୟପାଏ । ଜୀବନ ବିକଳରେ ମହାଦେବଙ୍କୁ ଡାକେ ।

 

ଦୟାନିଧିର ଛାତିରେ ସିଂହର ବଳ । ସେ ସହଜରେ କାହାକୁ ଡରେନାହିଁ । କିନ୍ତୁ ନଖଥିବା ଜନ୍ତୁଙ୍କ ଆଗରେ ଏକୁଟିଆ ଲୋକ କରିବ ବା’ କଣ ?

 

ଦୟାନିଧି ମନ ଭିତରୁ ସବୁ ଭୟ ଜାଣିଶୁଣି ଦୂରେଇଦେବାକୁ ଚେଷ୍ଟା କରୁଥିଲା । ଶଗଡ଼ିଆର ସେଇ ‘ରାମ ଲଇଖଣ’ ଗୀତଠାରୁ ଆରମ୍ଭ କରି ଗାଁ ଥେଟରର ‘କାନ୍ଦିଲେ କି ହେବ ଗଜେନ୍ଦ୍ର ଗମନା’ ଯାଏ ସୁର ଯୋଖି ଯୋଖି ଗାଇଲା । ଶେଷକୁ ସାପୁଆ ଯଦୁମଣି ଶିଖେଇ ଦେଇଥିବା ମନ୍ତତନ୍ତ୍ରରୁ ‘କାହାର ଆଜ୍ଞା’ ନାଁରେ ଶହେ କି ବିଶାଶହେ ଠାକୁରଙ୍କ ନାଁ ଧରିଲା । ଶେଷକୁ ମନେପଡ଼ିଲା ରାଧା କଥା । ରାଧା କଥା ମନେପଡ଼ିବାରୁ ଦେହଟା କେମିତି ଉଲୁସେଇ ଉଠିଲା । ରାଧା ନାଁ ରେ କି କୁହୁକ ଅଛି ସତରେ ? ଭାବିଲେ ଭଲ ଲାଗେ । ଯେତେଥର ଭାବିଲେ ବି ନୂଆ ନୂଆ କଥା ମନେ ପଡ଼ିଯାଏ । ରାଧାଟା ତାର କେଡ଼େ ଚମତ୍କାର ସତରେ !

 

ଈଶ୍ଵର କରିଥିଲେ ଗଲାସନରୁ ବାହାଘର ସରନ୍ତାଣି । ଏଇନେ ତାରି ଘରେ ବସି ଫେରିଲା ବାଟକୁ ଅନାଇ ବସିଥାନ୍ତା । ଖଣ୍ଡେ ବାଟରୁ ପଚାରନ୍ତା, ଏତେ ଉଛୁର ! କଣ କରୁଥୁଲ ଶୁଣେ । ଯାହା ଉତ୍ତର ଦେଲେ ବି ତା ମନ ମାନନ୍ତା ନାହିଁ । ଖାଲି ମାନଅଭି କରନ୍ତା ।

 

ଗଲାସନ ଇନ୍ଦ୍ରଦେବତା ପାଳକ କଲାନାହିଁ । ଧାନବିଲ ଠିଆରେ ଠିଆରେ ଜଳିଗଲା । ଦେଶରେ ଅଭାବ ପଡ଼ିଲା । ନାମୀ ଚାଷୀମାନେ ବିହନ ମୁଠାକ ହରାଇ ବସିଲେ । କିଣିଖିଆଙ୍କ କଥା କହିଲେ ନସରେ । ଫସଲ ହେଲେ ସିନା ବିଲ କାମ । ଫସଲ ଅଭାବରୁ ବିଲ କାମ ସବୁ ବନ୍ଦ ରହିଲା । ମୂଲିଆମାନେ ଭୋକ ଉପାସ ଦଳ ଦଳ ହୋଇ ଗାଁ ଛାଡ଼ିଲେ । କନ୍ଦମୂଳ, କଇଁମୂଳ, ଶାଗ, ଯେତେକଯାକ ଅଖାଦ୍ୟ ବି’ ଲୋକଙ୍କ ପେଟକୁ ଅଣ୍ଟିଲା ନାହିଁ । ଧାନ ସେର ଟଙ୍କାଏ ହେଲା-। ଲୋକେ ଆଗକୁ ନ ଭାବି ଘର ଧାନ ବିକି ଦେଇ ବଡ଼ ଚାଷୀର ଦୁଆରେ ଧାରଣା ଦେଲେ-। ଚାଉଳ, ଖୁଦ ଯାହା ପାଇଲେ ପ୍ରାଣ ବିକଳରେ ନେଇ ଆସିଲେ ।

 

ଆଃ, ସେ ଯେଉଁ ହୃଦୟ ବିଦାରକ ଦୃଶ୍ୟ ! ଧାନକ୍ଷେତରେ ପାଣି ନାହିଁ । ମାଟି ଫାଟି ଆଁ କରି ଅନାଇଛି । ଲୋକେ ଖାଲି ଆକାଶକୁ ଅନେଇ ବସିଛନ୍ତି । ରୋଗଶଯ୍ୟର ପାଣ୍ଡୁର ଶିଶୁପରି ଧାନବିଲ ସବୁ ମରି ଶୋଇଛି । ଲୋକେ ବି କମ ମରିନାହାନ୍ତି । ପେଟ ବିକଳରେ ଅଖାଦ୍ୟ ଖାଇ ଝାଡ଼ାବାନ୍ତିରେ ମରି ଶୋଇଲେ । ମଣିଷ ମଡ଼କ ପଛକୁ ଗୋରୁଗାଈ ବି ସମଦ୍ଦଶାପନ୍ନ ହେଲେ । ମୁଣ୍ଡଉପରେ ଛଞ୍ଚାଣ ଆସି ଚକର କାଟୁଛି । ସଞ୍ଜମୁହଁ ରୁ ବିଲୁଆ, କୋକିଶିଆଳଙ୍କ କାନଫଟା ରଡ଼ି ଶୁଭୁଛି । ଗାଁ ରୁ ପେଚା ଦଳକ ବି ଆସ୍ଥାନ ଛାଡ଼ୁ ନାହାନ୍ତି । କେଉଁ ହୀନକର୍ମକୁ ଦେଖି ଦେବତା ଅଭିଶାପ ଦେଇଛି । ବଡ଼ ଯେମିତ ସାନମାନେ ବି’ ସେମିତି ଦହଗଞ୍ଜ ହେଲେ ।

 

ସରକାରଙ୍କ କାନରେ ଏ କଥା ପହଞ୍ଚୁ ପହଞ୍ଚୁ ଅନେକ ଡେରି ହେଲା । ନାଲିଫିତାର ତ ପୁଣି କରାମତି ଅଛି ! ଶେଷରେ ଲୋକଙ୍କୁ କାର୍ଯ୍ୟ ଯୋଗାଇ ଦେବାକୁ ଲଛିପୁର ଗାଁକୁ ପ୍ରଧାନ ରାସ୍ତା ସଙ୍ଗେ ସଂଯୋଗ ରଖିବାକୁ ସଡ଼କଟିଏ ଆରମ୍ଭ କରାଗଲା । ଗାଁର ଟାଉଟର ଜାତୀୟ କେତୋଟି ମୁଖିଆ ଲୋକ ସରକାରଙ୍କ ଦପ୍ତରରୁ ଠିକା ଧରିଲେ । ଟଙ୍କାକ ଯାଗାରେ ଚରଣା, ଛଅଣା ଦେଇ ମୂଲିଆ ଯୋଗାଡ଼ କଲେ । ନିଅଣ୍ଟିଆ ଯୋଗକୁ ମୂଲିଆ ଅଭାବ ପଡ଼ିଲେ ନାହିଁ । ଦେହର ଖାଲ ଛାଞ୍ଚଟାକୁ ବଞ୍ଚାଇ ରଖିଥିବା ଅବଶିଷ୍ଟ ମୁଲିଆ, ମୁଣ୍ଡରେ ଟୋକେଇ ନେଇ ମାଟି ବୋହିଲେ । ଟୋକାଏ ମାଟିର ଓଜନ ସଙ୍ଗେ ବି’ ସମାନ ହେବେନି ସମୁଦାୟ ଦେହଟା । କୁନ୍ଥାଇ କୁନ୍ଥାଇ ମାଟି ବୋହି ସଡ଼କରେ ପକାଉଛନ୍ତି ।

 

ସରକାରଙ୍କ ବିକାଶ ଯୋଜନାରେ ସେମାନେ ସହଯୋଗ କରୁଛନ୍ତି । ଗାଁ ମୁଖିଆର ଧନ ବଢୁଛି, ପଣ ବଢ଼ୁଛି ।

 

ସେ ବର୍ଷ ରାଧା ଆଉ ଦୟାନିଧିର ବିବାହ ହୋଇପାରିଲା ନାହିଁ । ଜୀବନ ଥିଲେ ବାହାଘରଟା ଉଡ଼ିଯାଉନି । ଦୟାନିଧି ବରଷେ କାଳ ଅପେକ୍ଷା କରିଛି ।

 

ଏବର୍ଷ ଯେମିତି ହେଲେ ବାହାଘର ହେବ । ଯେମିତି ହେଲେ ରାଧା ଆସିବ । ବୟସ ତ’ ଆଉ ଅନାଇ ରହୁନାହିଁ ।

 

ଦୟାନିଧି ମନ ଆନନ୍ଦରେ ‘ଗଜେନ୍ଦ୍ର ଗମନା’ ଗୀତଟାକୁ ଆହୁରି ଜୋରରେ ଗାଇବାକୁ ଲାଗିଲା ।

 

ନିଛାଟିଆ ରାସ୍ତା । ରାସ୍ତା ଦି’ପାଖରେ ନିଘଞ୍ଚ ବଣ । ଗଛର ମୋଟା ମୋଟା ଗଣ୍ଡିଗୁଡ଼ିକ ପୋତା ତାରଖୁଣ୍ଟ ପରି ଠିଆ ଠିଆ । ଶାଖା ପ୍ରଶାଖା ଛତା ପରି ଆକାଶକୁ ଛାଇ ରଖିଛନ୍ତି । ଗଛ ଶାଖାରେ ବନ କପୋତୀ ଡେଣା ଝାଡ଼ୁଛି । ଚୁନପରି ସଫେଦ ଡେଣାରୁ ଚୂନା ଚୂନା ଲୋମ ସବୁ ଝଡ଼ିଯାଉଛି । ଝଡ଼ିଗଲା ଲୋମ ଭିତରେ ଅନେକ କ୍ଳାନ୍ତି ! ଦିବସର ସବୁତକ କ୍ଳାନ୍ତି !! ଟାଣୁଆ ଖରାର ତେଜ ଲାଗି ସେ ଝାଉଁଳି ପଡ଼ିଥିଲା । ଧୂଳି ପାଉଁଶ ଜମି ଜମି ଫିକାଶିଆ ପଡ଼ି ଯାଇଥିଲା । ବନ କପୋତୀ ସେତକ ଝାଡ଼ିଦେଲା । ସାଥ କପୋତ ଅନାଇଛି । ଆଖିରେ ତାର ଅଜସ୍ର ପ୍ରଶଂସା-। ବନ କପୋତୀର କୋମଳ ମାଂସ ଓ ସୁକୋମଳ ଗ୍ରୀବା ତାକୁ ମୋହିତ କରି ରଖିଛି ।

 

କପୋତ କପୋତୀ ଗୋଲ ଗୋଲ ଆଖିରେ ପରସ୍ପରକୁ ଅନାଇଲେ । ସେ ବିହ୍ୱଳ ଡୋଳାମାନଙ୍କରେ ସରୁ ସରୁ ଖିଅ ଥିଲା । ସେମାନେ ଦିନାନ୍ତର ବିଶ୍ରାମ କଥା କହୁଥିଲେ । ପର ସଙ୍ଗରେ ପର ଯୋଡ଼ି ଶୋଇବାରେ ଆନନ୍ଦ ଅଛି ! ଥଣ୍ଟ ଉପରେ ଥଣ୍ଟ ରଖି ଶୋଇଲେ ନିଦଟା ଚଟକିନା ମାଡ଼ିଆସେ । ଅନ୍ଧାର ଉଜ୍ଵଳ କିଛି ଜଣା ପଡ଼େନାହିଁ ।

 

ଗୋଟିଏ ଦିନର ଅଚିନ୍ତା ନିଦ ! ପାହାନ୍ତାର ଦୂରୁହୁରିଆ ପବନରେ ସେ ନିଦ ଭାଙ୍ଗିଯାଏ-। ବଣ କୁକୁଡ଼ା ପାହାନ୍ତା ତରା ଦେଖି ରଡ଼ି ଛାଡ଼େ, ‘ଉଠ ହେ ଉଠ’ କେତେ ଶୋଉଛ ? ଉଠୁଛ ନା-?’’ ଶୋଇଲା ଗଛର ଡାଳ ସେ ଡାକଶୁଣି ଚମକି ପଡ଼େ । ଦେହ ଝାଡ଼ି ଅନେଇଲା ବେଳକୁ ଡାଳର କୋଟି କୋଟି ପତ୍ର ଥରି ଥରି ଯାଆନ୍ତି । ଗଛ ଡାଳରେ ବସା ବାନ୍ଧିଥିବା ଅଗଣନ କୀଟ ପତଙ୍ଗର ନିଦ ଭାଙ୍ଗେ । ଯିଏ ଯୁଆଡ଼େ ନିଜ କାମରେ ବାହାରିପଡ଼େ । ସୂର୍ଯ୍ୟ ସେମାନଙ୍କୁ ବାଟ ଦେଖାଏ । ପବନ ସେମାନଙ୍କ ପରରେ ବଳ ଦିଏ ।

 

ଘନ ଅନ୍ଧାର ପଶ୍ଚିମ ବଳୟ ତଳୁ ମାଡ଼ି ମାଡ଼ି ଆସୁଛି ।

 

ସହରର ଗଳିକନ୍ଦ ସବୁ ବିଜୁଳୀ ଆଲୋକରେ ଉଛୁଳି ଉଠୁଥିବ । ରାତ୍ରି ର ଆଲୋକ ସଜ୍ଜା ଦିବସର ମନୋରମ ସୂର୍ଯ୍ୟ କିରଣକୁ ଉପହାସ କରି ବୁଲୁଥିବ । ସୌଦାଗରୀ ରାଜପଥର ଜନକୋଳାହଳ ଦ୍ରୁତଗାମୀ କାର୍ ରିକ୍‌ସାର ପ୍ରତିଧ୍ୱନିରେ ଆତ୍ମ ଗୋପନ କରିଥିବ ।

 

ସହରର ସଂନ୍ଧ୍ୟା ! ଆଧୁନିକ ସାଜସଜ୍ଜାରେ ପ୍ରତିଟି ଗୃହ ସୁସଜ୍ଜିତ । ଆଭିଜାତ୍ୟର ଗୌରବରେ ଗୌରବାନ୍ଵିତ । ଆଗନ୍ତୁକର ମନ ଭିତରେ ସେହି ବିଶୃଙ୍ଖଳ ସୌନ୍ଦର୍ଯ୍ୟ ବିସ୍ମୟ ସୃଷ୍ଟିକରେ । ସିନେମା ହଲର ପୋଷ୍ଟର ପାଖରେ ଛିଡ଼ାହୋଇ ନିର୍ଲ୍ଲଜୀ ତରୁଣୀମାନେ ଛଳ ଛଳ ହୋଇ ହସନ୍ତି । ସେ ହସରେ ଉଦାସୀନ ମନର ଆହତ ଚିତ୍କାର ମିଶିଥାଏ । ବ୍ୟର୍ଥ ପ୍ରେମିକ କିନ୍ତୁ ସେ ହସରୁ ଖୋଜେ ଜୀଇଁବାର ଉପାଦାନ । ଅତି ନିଷ୍ଠୁର ଭାବରେ ସେମାନେ ଉପଭୋଗ ନାଁଆରେ ବ୍ୟଭିଚାରର ଆଶ୍ରୟ ଗ୍ରହଣ କରନ୍ତି । ସହରର ସନ୍ଧ୍ୟା ଏସବୁ ପ୍ରଶ୍ରୟ ଦିଏ । ଷ୍ଟେସନାରୀ ଦୋକାନର ନିଅନ ଲାଇଟ ତଳେ ସବୁ ଜିନିଷ ଲୋଭାନୀୟ ଦେଖାଯାଏ । ନିଜକୁ ଦାମୀ ପୋଷାକରେ ସଜାଇ ଅବିହାଡ଼ୀ ତରୁଣ ତରୁଣୀ ଫଟୋ ଦୋକାନରେ ପଶନ୍ତି । ଛକ ହୋଟେଲମାନଙ୍କରେ ଭୀଷଣ ଭିଡ଼ ହୁଏ । ଆବାଳବୃଦ୍ଧବନିତା ହୋଟେଲ ଚୌକିଉପରେ ବସି କଥାବାର୍ତ୍ତା କରୁ କରୁ ଚା’ ଜଳଖିଆ ଖାଇବାରେ ଖୁବ ଅଭ୍ୟସ୍ତ । ଡାୟସ ଉପରେ ବସି ଅପରିଚିତା କଣ୍ଠରୁ ଗୀତ ଶୁଣିବାକୁ ସେମାନେ ଭଲ ପାଆନ୍ତି । ରାତ୍ରି ଭୋଜନ ପୂର୍ବରୁ ଗରମ ଚା’ ଖାଇବା ସେମାନଙ୍କ ସୌଖୀନ ଜୀବନର ଏକ ସଉକ ହୋଇ ଉଠିଛି ।

 

ସୁଶ୍ରୀ ଯୁବକ ଯୁବତୀ ହାତ ଧରାଧରି ହୋଇ ଚାଲନ୍ତି । ଜନ ଗହଳ ରାଜମାର୍ଗ ସେମାନଙ୍କ ହସରେ ପୁଲକିତା ହୁଏ । ଆଧୁନିକା, ସୁବେଶା ତରୁଣୀ ସାଥୀ ଯୁବକକୁ ପ୍ରଲୁବ୍ଧ କରେ । ସେମାନେ ରୂପ ସ୍ନାନ କରନ୍ତି । ଯୌବନର ଜୁଆର ସେମାନଙ୍କ ତନୁରେ ଆବିଳତାର ବୀଜବପନ କରେ । ସେମାନେ ଭାବନ୍ତି, ସତେ ଯେମିତି ଯୌବନ ନୂଆ ହୋଇ ତାଙ୍କରି ଦେହରେ ଓହ୍ଲାଇଛି । ଏ ଯୌବନ ସବୁଦିନ ପାଇଁ ଦେହ କାନନରେ ବସାବାନ୍ଧି ରହିବ । ଦାରୁଣ ରୌଦ୍ର, କି ଅବିଶ୍ରାନ୍ତ ବାରିପାତ ତାର ସ୍ଥିତି ଉପରେ କୌଣସି ଆଞ୍ଚ ଆଣି ପାରିବ ନାହିଁ ।

 

ସହରର ସବୁଦିନିଆ କଥା ଭାବିଲାବେଳେ ଅମିତ ଏଇ ନିର୍ଜନ ଆଉ ନିଃସଙ୍ଗ ଯାତ୍ରା କଥା ଭୁଲିଗଲା । ଗୋଧୂଳି ଆକାଶରେ ନଇଁ ଆସୁଛି କଲା ବାଦଲ । ବାଦଲର ଛାତି ଚିରି ରହି ରହି ଫୁଟି ଉଠୁଛି ବିଜୁଳୀ । ହୁଏତ ବର୍ଷା ହୋଇପାରେ... । ବାଟରେ ଗାଁ ଗଣ୍ଡା କିଛି ଦିଶୁନାହିଁ । ସାମନାରେ ଯେଉଁ ତାଳଗଛ କେଇଟା ଅସ୍ପଷ୍ଟ ଦେଖାଯାଉଛି, ତାର ଦୂରତ୍ୱ ମାଇଲିଏରୁ ଊଣା ନୁହେଁ-। ଏ ବର୍ଷା ପାଗରେ ମନେ ହେଉଛି, ସତେ ଅବା ଲଛିପୁର ଆଉ ପାଇ ହବନି ।

 

ଅମିତ ରାସ୍ତାକଡ଼ରେ ଛିଡ଼ାହେଲା । ଅସହାୟ ଆଖିରେ ଅନେକ ବିଳାପ ।

 

ପଛରୁ କାହାର ପାଦଶବ୍ଦ ଶୁଭୁଛି । କିନ୍ତୁ ଶବ୍ଦରେ ଭୟ କଲାପରି କୌଣସି ସଙ୍କେତ ନାହିଁ । ଅମିତ ଅପେକ୍ଷା କଲା । ଦୟାନିଧି ଲମ୍ବା ଲମ୍ବା ପାଦ ପକାଇ ଆସୁଛି । ତା’ ଚାହାଣୀରେ ଆଶଙ୍କା ନଥିଲେ ବି ଉଦ୍‌ବେଗ ଅଛି । ନିଛାଟିଆ ରାସ୍ତାରେ ହାତୀ ପରି ଚାଲୁଛି ।

 

କୁଆଡ଼େ ଯିବ ? ଅମିତ ପଚାରିଲା ।

 

ଈଶ୍ୱରପାଲି । ଦୟା ଉତ୍ତର ଦେଲା ।

 

ଅମିତ ବି’ ଦୟା ସାଙ୍ଗରେ ଚାଲୁ ଚାଲୁ କହିଲା, ମୁଁ କଣ ଲଛିପୁରେ ଆଜି ପହଞ୍ଚି ପାରିବି ଓ ଏ ଯେଉଁ ବର୍ଷା ଆଉ ଅନ୍ଧାର ମାଡ଼ି ଆସୁଛି ନା.....

 

ଇଚ୍ଛାକଲେ ତ ପାରିବ ନିଶ୍ଚୟ । କିନ୍ତୁ ଏଡ଼େ ତର ତର କାହିଁକି ଯେ ? ଯାଇ ନପାରିଲେ ଆମ ଗାଁରେ ରହିଯିବ । ଧାପେ ବାଟ । ମଝିରେ ଯୋଡ଼ଟିଏ । ସକାଳୁ ଦାନ୍ତପତ୍ର ଘସି ବାହାରିଲେ ଲଛିପୁରର ଲୋକ ଉଠି ନଥିବେ ପହଞ୍ଚିଯିବ ।

 

ଅମିତ ମନରେ ଏଥର ଆଶଙ୍କା ନାହିଁ । ଦୟାନିଧିର ସଙ୍ଗ ପାଇ ନିଧକ ଭାବରେ ଚାଲିଛି । ଏଥର ବର୍ଷା କି ଅନ୍ଧାର କେହି କିଛି କରି ପାରିବେ ନାହିଁ ।

 

ସହର ଭିତରେ ସିନା ଦୟା ବୋକା, କିନ୍ତୁ ବଣ ଜଙ୍ଗଲରେ ସେ ରକ୍ଷା କବଚ । ତାର ବାହୁର ବଳ ଉପରେ ଆସ୍ଥା ରଖିଲେ ଠକାଇ ହେବାର କାରଣ ନାହିଁ । ପିଲାଟି ଦିନୁ ସେ ପ୍ରକୃତି କୋଳରେ ବଢ଼ି ଆସିଛି । ଏ ଗଛପତ୍ରମାନଙ୍କ ସଙ୍ଗରେ ବନ୍ଧୁ ବାନ୍ଧି ଚଳିଛି । ପଶୁପକ୍ଷୀର ଭାଷା ସେ ବୁଝିପାରେ । ଉଡ଼ିଗଲା ଚଢ଼େଇର ପର ଦେଖି ତାରି ନାଁ କହିପାରେ । ଅରଣ୍ୟ ପଥରେ କେଉଁଠି କି ବିପଦର ସମ୍ଭାବନା ରହିଛି, ତାହା ସେ ଖୁବ ଆଗରୁ ଜାଣିଛି ।

 

ଦୟା ବାଟ ସାରିବାକୁ ବାରକଥା ପକାଇଲା । ସେ କହୁ ଥାଏ ସହର ଖୁବ ଭଲ ବାବୁ ! ମଣିଷ ବାହା ଟେକିଲେ ଖାଇବାର ଅଭାବ ଜାଣି ପାରେନାହିଁ । ସକାଳ ପାହିଲେ ଆଖିଆଗରେ କେତେ ଧନ୍ଦା । ଆଖିବୁଜି ସହରକୁ ବାହାରି ପଡ଼ିଲେ ତେଣିକି ଚଳିବା ଚିନ୍ତା ସରିଲା । ସମସ୍ତେ ସମସ୍ତଙ୍କର ବ୍ୟବସାୟରେ ବୁଡ଼ିଚନ୍ତି । ଗାଁ ଗହଳ ପରି ବାଦଛେଦ ନାହିଁ । ଆଜିକାଲି ଗାରେ ଦେଖିବ ଯେତକ ଯାକ ବିଭେଦ । ଭାଇ ଭାଇ ସଙ୍ଗରେ ପଡ଼ୁନାହିଁ । ସାହି ସାହିରେ ଗୋଟିଏ ଗୋଟିଏ ଦଳ ! ମାଡ଼ ଫୈାଜଦାରୀରେ ଅଞ୍ଚଳ କମ୍ପୁଛି । ବର୍ଷକୁ ଥରେ ବେଉଷଣ । ବେଉଷଣ ବାଦ ଆଉ ଆଠ ମାସ ବେକାର । କାମଧାମ ତ ନାହିଁ, ଚଷୁକୁଟା ସାର ହେଉଛି । ଦଳେ ଟାଉଟରିଆଙ୍କ ରାତିଦିନ ଚିନ୍ତା ହେଲା, କେମିତ୍ତି ଗାଁରେ ଦଳ କରିବେ । ଜିରାରୁ ଶିରା କାଢ଼ି ସଜ ମାଂସରେ ପୋକ ପକାଇବା ମତଲବ ତାଙ୍କର । ଦୁଇଦଳର ବିବାଦ ସଳିତାକୁ ତେଜାଇ ଦେଲେ, ହାତରେ ନିଶ୍ଚୟ କିଛି ତେଲ ଲାଗିଲା । ସେତକ ମୁଣ୍ଡରେ ଗୋଡ଼ରେ ବୋଳିହୋଇ ଉପରକୁ ଚିକଣିଆ ବାବୁ ଦେଖାଯିବେ । ଆମ ଗାଁରେ ଘରେ ବୋଲି ତିରିଶ କି ଚାଳିଶ । ତହଁରେ ପୁଣି ଦଳ ହେବା ଉପରେ । ଲଛିପୁର ତ ବଡ଼ ଗାଆଁ । ପ୍ରକ୍ତ ସାହୀ ଗୋଟିଏ ଗୋଟିଏ ଦଳ । ଆମ ଗାଆଁଟା ଦାମୋଦର ବାବୁଙ୍କ ପାଇଁ ରକ୍ଷା ପାଇଯାଇଛି ।

 

ଈଶ୍ୱରପାଲି ଡାକେ ବାଟ ଅଛି, ସିଇଁ ସଇଁ ହୋଇ ପବନ ବହିଲା । ଆକାଶରେ କଳା ବାଦଲ ଗର୍ଜି ଉଠିଲା । ଶେଷ ଆଷାଢ଼ର ବର୍ଷ ପରି ମୁଷଳ ଧାରରେ ବର୍ଷା ହେଲା ।

 

ଅମିତ ହାତରୁ ବେଗଖଣ୍ଡିକ ଛଡ଼ାଇ ଆଣି ଦୟା ମସ୍ତବଡ଼ ଶାଳଗଛ ତଳେ ଅପେକ୍ଷା କରିବାକୁ କହିଲା ।

 

ସଞ୍ଜ ମୁହଁର ବର୍ଷା କାକରରେ ସେମାନେ ଦୁହେଁ ଲଗାଲଗି ହୋଇ ଶାଳମୂଳେ ଛିଡ଼ା ହୋଇଥିଲେ । ସତେ ଯେମିତ ବହୁ ଦିନର ପରିଚିତ ବନ୍ଧୁ ଦି’ଜଣ ! ଅଦିନିଆ ବର୍ଷା ସେମାନଙ୍କ ମନ ଭିତରୁ ସହର ଓ ମଫସଲର ପାର୍ଥକ୍ୟ ଦୂରେଇ ଦେଇଥିଲା ।

 

ବର୍ଷ ଛାଡ଼ିବାକୁ ଅନେକ ଡେରି ହେଲା ।

 

ଅମିତ ସେଦିନ ଦୟାନିଧି ବସାରେ ଆଶ୍ରୟ ନେବାକୁ ବାଧ୍ୟ ହେଲା ।

 

ଈଶ୍ୱରପାଲି ଓଡ଼ିଶାର ଅଗଣନ ଅବହେଳିତ ଗ୍ରାମ ଭିତରୁ ଗୋଟିଏ । ସହରର ଚାକଚକ୍ୟ ତ ଦୂରର କଥା, ଇଟା ଚୂନର ଘର ଖଣ୍ଡେ ବି’ ନାହିଁ । ବିଜୁଳୀ ଆଲୁଅର ସ୍ୱପ୍ନ ସୁଦ୍ଧା ସେ ଗ୍ରାମ ବାସୀମାନେ ଦେଖିନାହାନ୍ତି । ଛୋଟ ଛୋଟ ଚାଳ ଘରଟିମାନଙ୍କରେ ଗୋଟିଏ ଗୋଟିଏ ପରିବାର । ସେ ପରିବାରର କୌଣସି ବ୍ୟକ୍ତି ରୋଗବଇରାଗରେ ଡାକ୍ତରୀ ଔଷଧ ବ୍ୟବହାର କରିନାହିଁ । ରେଳ ଚଢ଼ିବା ତ ଦୂରର କଥା, କେହହେଲେ ରେଳ ଦେଖିନାହାନ୍ତି । ଆବଶ୍ୟକ ନ ପଡ଼ିଲେ ବିଲବାଡ଼ି ଘରଦ୍ୱାର ଛାଡ଼ି କେହିହେଲେ ଗାଁ ଛାଡ଼ନ୍ତି ନାହିଁ ।

 

ଗାଁର ଚାରିଦିଗରେ ବିଲମାଳ । ବଲ ଡେଇଁଲେ ଘନ ଜଙ୍ଗଲ । ବିଲୁଆର ଡାକ ଶୁଣି ସେମାନେ ନିଶୂନ ରାତ୍ରିର ପ୍ରହର କଥା ଜାଣିପାରନ୍ତି । ସୂର୍ଯ୍ୟ କିରଣରେ ଛାଇ ମାପି ଖାଇବା ବେଳ ସ୍ଥିର କରନ୍ତି । ସ୍ଥାନର ଦୂରତ୍ୱ ବୁଝିବାକୁ ସଜ ଗଛ ଡାଳଟିଏ ଧରି ବାଟ ଚାଲନ୍ତି । ଡାଳର ସବୁ ପତ୍ର କିରଣ ବାଜି ଶୁଖିଗଲେ, ତାଙ୍କ ହିସାବରେ କୋଶେ ହୁଏ । ତାଙ୍କ ଆଗରେ ମଇଲ, ମିଟର ସବୁ ନିରର୍ଥକ । ବଳଦ ଆଉ ଶଗଡ଼ ହେଲେ ସେ ଗାଆଁ ର ଯାନ ବାହନ ।

 

ଅମିତ ଦେଖିଲା, ସେମାନେ ପହଞ୍ଚିଲା ବେଳକୁ ଗାଁର ଜଣେ ହେଲେ ଚେତା ନାହାନ୍ତି । ଏଇ ବର୍ଷା ପାଗରେ ବୋଧହୁଏ ଖଟରେ ପଡ଼ି ଆରାମ ନେଉ ନେଉ ଶୋଇ ଯାଇଛନ୍ତି । କୌଣସି କୌଣସି ଘରର କବାଟ ସନ୍ଧରୁ କ୍ଷୀଣ ଜଡାତେଲ ଦୀପର ମୂମୂର୍ଷୁ ଆଲୁଅ ଦେଖାଯାଉଛି ।

 

ଈଶ୍ୱରପାଲି ଆରାମରେ ଶୋଇଯାଇଛି ।

 

ଦୟାନିଧି ଦଉଡ଼ିଆ ଖଟ ପକାଇ ଦେଇ କହିଲା, ବାବୁ ତମେ ବସିଥା । ମୁଁ ଏଇନେ ଆସୁଛି ।

 

ଏ ବର୍ଷ ପାଗରେ କୁଆଡ଼େ ଯିବୁ ଦୟା ? ଏଇଠି ସାଙ୍ଗ ହୋଇ ଆରାମରେ ଟିକିଏ ବସିଯିବା । ତା’ ପରେ ଯୋଉ କଥା !

 

ଏ କଣ କହୁଛ ବାବୁ ? ତମେ ଆଜି ମୋ ଘରର ଅତିଥି ହୋଇ ଅଖିଆ ରହିବ, ଆଉ ମୁଁ ଆରାମରେ ବସିଯିବି ? ତାହା ହେବନି ।

 

ତୁ କଣ କରିବୁ ଶୁଣେ ?

 

ଏକଲା ଲୋକ ତ ! ଯାହିତାହି ଖାଇଦେଇ ପାଣି ମନ୍ଦାଏ ପିଇ ଦେଇଥିଲେ ଚଳିଥାନ୍ତା । କିନ୍ତୁ ଅବେଳରେ ଆସିଛି ଯେତେ ବେଳେ, ଏଇ ପାଖଘରେ ଯାଇ ବନ୍ଦୋବସ୍ତ କରିଦେଇ ଆସିବି । ଘରେ ସବୁ ଜିନିଷ ସଜାଡ଼ି ରଖିନି ବାବୁ ! ନ ହେଲେ ଦି’ଜଣଙ୍କ ରନ୍ଧା ମୋତେ ବଳେଇ ପଡ଼ି ନଥାନ୍ତା ।

 

ପାଖ ଘରେ କିଏ ଥାଏ କି ଦୟା ? ସେ କଣ ତୋର ଆତ୍ମୀୟ ?

 

ପାଖ ଘରେ ଜଣେ ଶିକ୍ଷକ ରହନ୍ତି । ସେ ମୋର କଣ, ଦୁନିଆ ଯାକର ଆତ୍ମୀୟ । ଅତି ସ୍ନେହୀ ଲୋକଟିଏ । ଦେଖିଲେ ଶ୍ରଦ୍ଧାରେ ମୁଣ୍ଡ ନଇଁଯିବ । ସତେ ଯେମିତି ସବୁ ଭଲଗୁଣର ସାକ୍ଷାତ ଅବତାର । ତାଙ୍କ ପାଖରେ ଝିଅଟିଏ । ଖଣ୍ଡାଧାର ପରି କଥା କହେ । କିନ୍ତୁ ମନ ଭିତରେ ତାର ଅନେକ ସ୍ନେହ ଆଉ ଶ୍ରଦ୍ଧା । ତାକୁଇ ଯାଇ କହିବାକୁ ହେବ । ତା’ଛଡ଼ା ଅନ୍ୟ ଉପାୟ ନାହିଁ ।

 

ଏ ରାତି ଅଧରେ ଝିଅଟାକୁ ଯାଇ ହଇରାଣ କରିବୁ ନା ?

 

ହଇରାଣ ଆଉ କଣ ବାବୁ ? ତମକୁ ଅଖିଆ ରଖିଲେ ସକାଳ ପାହିଲେ ଗାଆଁ ଦାଣ୍ଡରେ ମୁହଁ ଟେକି ଚାଲି ପାରିବି ? ସମସ୍ତେ ଛି ଛାକର କରିବେ । ବ୍ରାହ୍ମଣ ଘରଟିଏ ତ ପାଖରେ ଅଛନ୍ତି ! କହିଲେ ଦୋଷ କଣ ?

 

ଦୟା ଅମିତର ବାରଣ ନଶୁଣି ଦାଣ୍ଡକୁ ବାହାରି ପଡ଼ିଲା । ମୁଣ୍ଡରେ ସାହେବ ଟୋପି ଗଢ଼ଣର ତାଳପତ୍ରର ଛତ୍ର । ତାରି ଉପରେ ଅଦିନିଆ ମେଘର ଅସରା କଚାଡ଼ି ହୋଇ ପଡ଼ୁଥାଏ । ତାଳ ପତ୍ରର ଛତ୍ରରୁ ଟୁପ୍‌ଟାପ୍‌ଆବାଜ ହେଉଥାଏ ।

 

ଘରେ ସବୁ କାମ ସାରିଦେଇ ରମା ଶୋଇବାକୁ ବାହାରି ଥାଏ ।

 

ଶୋଇବା ପୂର୍ବରୁ ତାର ହଠାତ୍‌ମନେହେଲା, ଭାଇ ପାଖକୁ ଚିଠି ଲେଖିବାକୁ ହେବ । ଦି’ଖଣ୍ଡ ଚିଠି ପହଞ୍ଚି ଗଲାଣି, ଅଥଚ ଉତ୍ତର ଯାଇନାହିଁ । ଆଉ କିଛିଦିନ ପରେ ଭାଇ କଡ଼ା କରି ଲେଖି ଚିଠି ଦେବେ । କହିବେ, ତୁମର ମୋ ପ୍ରତି କଣ ଟିକିଏ ହେଲେ ଦୟା ନାହିଁ ? ଘରର ମଣିଷଟିଏ ଏତେଦୂରରେ ଥାଇ ଘରର ଭଲ ମନ୍ଦ ଜାଣିବାକୁ ଚାତକ ପରି ଯେ ଅନାଇ ରହିଛି, ସେ କଥା କଣ ଭୁଲିଗଲ ? ଚିଠି ନ ପାଇଲେ ମୋ ମନରେ ଯେଉଁ ସନ୍ଦେହର ବତାଶ ଉଠେ, ତାହା ତୁମେ ଜାଣିପାରନା ? କମ ଦୂରରେ ତ ନାହିଁ ! ପାଖରେ ଥିଲେ ଅବା ସପ୍ତାହକୁ ଥରେ ଧାଇଁ ଯାଇ ଦେଖି ଆସନ୍ତି !

 

ରବିର ଚିଠି ପଢ଼ିଲେ ଦାମୋଦର ବାବୁଙ୍କ ମୁହଁରେ ଚିନ୍ତାର ଭଉଁରୀ ଖେଳିଯାଏ । ଆଖିରୁ ଲୁହ ବହେ । କେତେ ଦୂରରେ ରହିଲା । ଘର କଥା ନେଇ ମନ ଭିତରଟା ଘାଣ୍ଟି ହୋଇ ଯାଉଥିବ । ଚିଠି ନଦେଇ ଅନ୍ୟାୟ କରିଛନ୍ତି । ଘର ଯଦି ସୁବିଧାରେ ଚଳି ଯାଉଥାନ୍ତା, ସେ କଣ ଏକମାତ୍ର ପୁଅ ରବିକୁ ଚାକିରୀ କରିବାକୁ ଛାଡ଼ିଥାନ୍ତେ ? ଅଭାବ ଅନାଟନର ଦୁନିଆ । ନିଅଣ୍ଟିଆ ଲୁଗାକୁ ପାଖକେ ଟାଣିଲେ ଦେହର ଅନ୍ୟପାଖଟି ମେଲା ହେଇଯାଏ ! କେତେ ବା ଉପାର୍ଜନ !

 

ଆଉ ରମା ? ଭାଗ୍ୟ ନିଉନ ବୋଲି ଘର କରି ପାରିଲା ନାହିଁ । କିନ୍ତୁ କେଇଦିନ ଏମିତି ରହିବ ? ସେ ତ ଆଉ କାଖର ପିଲା ନୁହେ ! ବୟସ ହୋଇ ଯାଇଛି । ତାକୁ ଲୋକ ଖୋଜି ଦି’ ହାତ କରିଦେଲେ ଯାଇ ଚଳେ । ବୟସ ଅଭାବକୁ ଅନେଇ ବସିବ ନାହିଁ । ଡେରି କଲେ, ଲୋକହସା । ବାହାର ଲେକେ ତ ଆଉ ତାଙ୍କ ସଂସାରର ଜଞ୍ଜାଳ କଥା ଭାବିବେ ନାହିଁ । କହିବେ, ବୟସୀ ଝିଅକୁ ବସାଇଛି । ରବି ପୁଅ ପିଲା । ତାର ଡେରି ଚଳିବ । କିନ୍ତୁ ରମା ପାଇଁ ଯେମିତି ହେଉ ଆଉ ଗୋଟିଏ ପାତ୍ର ଯୋଗାଡ଼ କରିବାକୁ ହେବ । ଅଭାବ କଥା ଭାବି ବସିଲେ ରକ୍ଷା ନାହିଁ ।

 

ରମା ଭାଇ ପାଖକୁ ଚିଠି ଲେଖିବାକୁ ବସିଲା । ଏଇ ରାତି ସମୟଟା ଫୁର୍‌ସତ୍‌ମିଳିଛି । ଦିନବେଳେ ଆଉ ସମୟ କାହିଁ ? ଘର କାମ ଆଉ ବାପାଙ୍କ କଥା ବୁଝୁବୁଝୁ ନ ବାହାରିଯାଏ ।

 

ରମା ସବୁଦିନ ପରି କାଗଜ କଲମ ଧରି ଏକା ନିଃଶ୍ଵାସରେ ଲେଖି ପାରୁନି’ । ହାତଟାକୁ କଣଟାଏ ଯେପରି ପଛରୁ ଭିଡ଼ି ଧରୁଛି । ଅଙ୍ଗୁଳୀ ସବୁ ଥରି ଥରି ଉଠୁଛି । ଲେଖିବାକୁ ଗଦାଏ କଥା-। କିନ୍ତୁ ସେସବୁ କଣ ଲେଖି ହୁଏ ! ଭାଇ ଏଇନେ ବିଦେଶରେ । ଶୁଭ ଖବର ପାଇଁ ଚାତକ ପରି ଅନାଇଛନ୍ତି । ଏଇ କିଛିଦିନ ଭିତରେ ଛୋଟ ପରିବାରଟି ଭିତରେ ଯେତେ ସବୁ ଝଡ଼ ଝଞ୍ଜା ବୋହିଗଲା, ସେ ସବୁ ଲେଖିଲେ କଣ ସେ ଦମ୍ଭ ଧରି ରହି ପାରିବେ ? ଚାକିରୀ ଛାଡ଼ି ଦଉଡ଼ି ଆସିବେ । ତାପରେ ?

 

ନା, ସେ ସବୁକଥା ପ୍ରବାସୀ ଭାଇଙ୍କୁ ଲେଖା ହୋଇ ପାରିବ ନାହିଁ । ଚିଠିଟାଏ ପଢି ଯଦି ଖୁସି ହେବା ପରିବର୍ତ୍ତେ ଦୁଃଖ ପ୍ରକାଶ କରନ୍ତି, ସେମିତି ଚିଠି ନ ଲେଖିବାଇ ଭଲ । ଯାହା ତାଙ୍କୁ ଖୁସି କରିବ, ସେହିପ୍ରକାର ଲେଖିବ । ପରିବାର ପାଇଁ ଅନେକ ଦୁଃଖ ଭୋଗିଛନ୍ତି । ତଥାପି କଳ୍ପିତ ଆନନ୍ଦର ମୁହଁ ଦେଖିନାହିଁ ତାଙ୍କ ପରିବାର । ପୁଣି ଥରେ ଏଣୁତେଣୁ ଲେଖିବାର ମାନେ ହେବ, ବୋଝ ଉପରେ ନଳିତା ବିଡ଼ା ଲଦିବା ।

 

ରମା ଏଇ କିଛିଦିନର କଥା ଭାବି କାଠ ହୋଇ ଯାଉଥିଲା । ଏ ଦୁନିଆ କି ନିଷ୍ଠୁର ସତରେ । ଲୋକଙ୍କର ଦୁଃଖ ଦେଖି ହସରେ ଉଛୁଳି ଉଠେ ! ଆଖିର ଲୁହ ଦେଖିଲେ ତାଳିମାରି ହସେ । କାହାରି ସୁଖ ଯେମିତି ସହି ପାରେନାହିଁ । ହସାଇବା ପରିବର୍ତ୍ତେ କନ୍ଦାଇବା ତାର ଅଭ୍ୟାସ-। ଦୁଃଖୀ ହେଲେ କିଛି ଯାଏ ଆସେ ନାହିଁ । କିନ୍ତୁ ସୁଖୀ ପରିବାରର ଯେତିକି ଯାକ ବିପଦ-! ପରର ମନ୍ଦ ପାଞ୍ଚିବା ଯେମିତି ମଣିଷ ଜାତିର ଅଭ୍ୟାସରେ ପରିଣତ ହୋଇଯାଇଛି ।

 

ତଥାପି ସହିବାକୁ ହେବ । ସଂସାର ଭିତରେ ଘର କରି ଥିଲେ ଦୃଦୟକୁ ପାଷାଣ କରିବାକୁ ହେବ । ସଂସାରର ବିପଦଆପଦ ସବୁବେଳେ ସବୁସ୍ଥାନରେ ରହିଛି । ସ୍ରୋତ ମୁହଁର ପଥର ପିଠି ଦେଖାଇ ପଡ଼ିଥାଏ । ସାମନାରେ ଜଳ ଭଉଁରୀ ଖେଳେ । ଲହଡ଼ା କଚାଡ଼ି ହୋଇ ଫେରିଯାଏ । ପଥର କିଛି କହି ପାରେନା । କାରଣ ତାହାହିଁ ତାର ଇତିହାସ । କେତେ ଦୁଃଖ, କେତେ କଷଣ ଏକତ୍ରିତ ହୋଇ ଲେଖା ହୋଇଛି ତାର ଜନ୍ମଜାତକ ।

 

ଦୁଆର ମୁହଁ ରେ ଦୟାନିଧି ଡାକୁଛି ।

 

ରାତିଅଧରେ ଦୟାନିଧିର କି କାମ ? ହୁଏତ ଅଚାନକ ବିପଦ ପଡ଼ିଥବ । ନହେଲେ ଈଶ୍ୱରପାଲିର କେହି ପୀଡ଼ିତ ଥିବେ । ନହେଲେ ଦୟାନିଧି ଆସନ୍ତା ନାହିଁ ।

 

ରମା ଆଉ ଚିଠି ଲେଖି ପାରିଲାନାହିଁ । କାଗଜ କଲମ ରଖି ଦେଇ ତରତରରେ ଯାଇ କବାଟ ଫିଟାଇଲା ।

 

ବାହାରେ ବର୍ଷା ହେଉଛି । ପତର ଛତାଟିଏ ଧରି ଦୟା ଓଳିତଳେ ଛିଡ଼ା ହୋଇଛି । ପାଖ ବଣରୁ ବିଲୁଆମାନଙ୍କର ରଡ଼ି ଶୁଭୁଛି । ରାତିର ପ୍ରଥମ ପ୍ରହର ଆଖର ହୋଇଗଲା ।

 

ରମାକୁ ଲଣ୍ଠନ ଆଲୁଅରେ ଦେଖି ଦୟା କହିଲା, ତୁମକୁ ଉଠାଇବି ନାହିଁ ବୋଲି ଅନେକ ଭାବିଲି । କିନ୍ତୁ ପାରିଲି ନାହିଁ ଦେଈ ! ଗାଁରେ ଅତିଥି ଜଣେ ଅଖିଆ ରହିଯିବେ ବୋଲି ଦଉଡ଼ି ଆସିଲି ।

 

ଏମିତି ବେଳେବେଳେ ହୁଏ । ସମୟ ଅସମୟରେ ଗାଁକୁ କେହି ଅତିଥି ଆସିଲେ ରମାର କାମ ବଢିଯାଏ । କିନ୍ତୁ କୌଣସି ଦିନ ସେ ବିରକ୍ତ ହୋଇନାହିଁ । ବରଂ ଆନନ୍ଦରେ ଅଜଣା ଅତିଥିର ଚର୍ଚ୍ଚା କରିଛି । ଗାଁର ଯେତକ ଯାକ ଦୁଃଖୀ ସମସ୍ତେ ତା’ହାତକୁ ଅପେକ୍ଷା ରଖିଥାନ୍ତି । ତାରି ହାତଟେକା ତରକାରୀ ଟିକିଏ କି ଭାତ ଗଣ୍ଡେ ପାଇଲେ ସମ୍ପଦ ପାଇଲା ପରି ଲାଗେ । ରମାର ହାତରନ୍ଧା ଭାତ ସତେକି ଅମୃତ ! ବହୁଦିନରୁ ରୋଗ ଭୋଗୁଥିବା ଲୋକର ଅରୁଚି ଭାଙ୍ଗେ ତାରି ହାତଟେକା ତରକାରୀରେ ।

 

ରମା ହସିଲା । କହିଲା, ଏଥିରେ ଭାବିବାର କଣ ଅଛି ଦୟା ? ଗାଁରେ ଯେତେବେଳେ ପଡ଼ିଛେଁ, ଗାଁର ଦୁଃଖ ସୁଖ କଣ ସମସ୍ତଙ୍କର ନୁହେଁ ? ଅତିଥି ଅଖିଆ ରହିଲେ ଆମକୁ କଣ ନିନ୍ଦା ଆସିବ ନାହିଁ ?

 

ଦୟା ଡାଲି ଚାଉଳ ଖଞ୍ଜାଟିଏ ଧରି ଆସିଥିଲା । ସେ ରମା ଆଗରେ ସେତକ ରଖି ଦେଉ ଦେଉ କହିଲା, ମୁଁ ଟିକକ ପରେ ଆସି ଖବର ବୁଝିଯିବ ଦେଈ ! ଅନେକ ଦୟା ତମର ।

 

ରମା ଡାଲି ଚାଉଳ ଦେଖାଇ ପଚାରିଲା, ଏ କଣ ଦୟା ?

 

କିଛି ନୁହେଁ ଦେଈ ! ଘରେ କଣ ଗଣ୍ଡେ ପଡ଼ିଥିଲା । ନେଇ ଆସିଲି । ଦୟା ଅଳ୍ପ ହସିଲା-। ସଙ୍କୋଚ ମିଶା ହସ ।

 

ନା, ଏକଥା ହେବନାହିଁ । ଡାଲି ଚାଉଳ ନେଇ ତୋ ଘରେ ରଖ । ଅତିଥିକୁ ଗଣ୍ଡେ ଖାଇବାକୁ ଦେବାକୁ ରମାଦେଈ ଅପାରଗ ହୋଇନାହିଁ । ରାଧା ସଙ୍ଗରେ ଯେଉଁଦିନ ବାହାଘର ହେବ, ମୂଳ କଳନ୍ତର ମିଶାଇ, ଦେଇଯିବୁ ଯେ ଭୋଜି ହେବ ।

 

ଦୟା ରାଧା କଥା ଶୁଣି ନଇଁପଡ଼ିଲା । ଡାଲି ଚାଉଳ ଟେକି ଚାଲିଯିବାକୁ ବାହାରିଲା ।

 

ରମା ମୁହଁରୁ ରାଧା କଥା ଶୁଣି ଦୟା ସବୁଦିନ ଏମିତି ଲାଜ କରେ !

 

ଦୟା ଚାଲି ଯାଉଥିବା ଦେଖି ରମା ପଚାରିଲା, ଅତିଥି ସହରିଆନା ଆମ ପରି ମଫସଲୀରେ ଦୟା ?

 

ସହରୀ ବାବୁଜଣେ ଦେଈ ! କିନ୍ତୁ ମୋତେ ଲାଗିଲା ସେ ଅନ୍ୟ ସହରୀ ବାବୁଙ୍କଠୁ ଅଲଗା । ସହରର ଲୋକ ହେଲେ ବି’ ମଫସଲୀ ମନଟିଏ ପାଇଛନ୍ତି । ତାଙ୍କ ମନଭିତରେ ଦରଦ, ଆଶ୍ଵାସନା ବସା ବାନ୍ଧିଛି । ଦେଖିବ ନାହିଁ ସେ ଲୋକ କିମିତିକା !

 

ପଖାଳ ଭଜା ହେଲେ ଚଳିଯିବ ତାହାହେଲେ । ରମା ମନକୁ ମନ ଭାବି ହେଲା । ଚୁଲୀ ଲଗାଇ ରାତି ଅଧରେ ଭଜା ବସାଇଲା ।

 

ଦୟାନିଧି ଅମିତକୁ ନେଇ ରମା ଘରେ ପହଞ୍ଚିଲା ।

 

ଛୋଟିଆ ଘରଟିଏ । ସାମନାରେ ଯୋଡ଼ି କବାଟ ଲାଗିଛି ଦାଣ୍ଡବାରଣ୍ଡା ଲିପାପୋଛା ହୋଇ ଚିକ୍କଣିଆ ଦିଶୁଛି । ମୁହଁ ଦେଖିଲେ ଦିଶିବ । ମାଟି ଘରର କାନ୍ଥ ଦେହରୁ ଯେଉଁ ଜ୍ୟୋତି ବାହାରୁଛି, ସହରର ନାଲିଧୂଳି ଢଙ୍କା ପକ୍କା ଘରୁ ସେ ଜ୍ୟୋତି ଆଶା କରିବା ଅସମ୍ଭବ ।

 

ବାହାରେ ପାଦଶବ୍ଦ ଶୁଣି ରମା ଆସି କବାଟ ଫିଟାଇଦେଲା । ଲଣ୍ଠନର ସ୍ତିମୀତ ଆଲୋକ ରମାର ଅନିନ୍ଦ୍ୟ ସୁଷମାର ସ୍ତୁତିପାଠ କରୁଥାଏ । ଗ୍ରାମ୍ୟ ସୀମନ୍ତିନୀର ସବୁତକ ସୌନ୍ଦର୍ଯ୍ୟ ଯେମିତି ଏକତ୍ରିତ ହୋଇଥାଏ ରମାର ଛୋଟିଆ ଦେହ ଖଣ୍ଡକ ଭିତରେ ।

 

ରମାର ସୌନ୍ଦର୍ଯ୍ୟରୁ କେମିତି ଏକ ସୁଗନ୍ଧ ବାହାରୁଛି । ସୀମନ୍ତର ପରିପାଟୀରେ ଆଷାଢ଼ୀ ମେଘ ଲୁଚିଛି । ଦୁଧ ଅଳତା ମିଶା ଦେହର ରଙ୍ଗ । ସୁକୁମାର ଚିବୁକର କଟା ଅଂଶଟା ଥଣ୍ଡ । ପବନ ବାଜି ଥରି ଥରି ଉଠୁଛି । ଶଙ୍ଖ ଗ୍ରୀବାର ନେଳୀ ଶିରାଗୁଡ଼ିକ ଗଣି ହୋଇଯାଉଛି । ସହଜ, ସରଳ ପ୍ରସାଧନ । କିନ୍ତୁ ତହିଁରେ ଉନ୍ନତ ରୁଚିର ଶୈଳୀ ମିଶିଛି । ସାଧା ଆଖି ଦି’ଟାରେ ବସନ୍ତର ସବୁ ପ୍ରାଚୁର୍ଯ୍ୟ ଲହଡ଼ା ମାରୁଛି ।

 

ରମାର ଆଖି ସଙ୍ଗରେ ଅମିତର ଆଖି ମିଶିଲା । ପ୍ରଥମ ଜୀବନରେ ଏମିତି ଅପୂର୍ବ ଶିହରଣ ଅନୁଭବ କଲା । ପଲ୍ଲୀ ସାମନ୍ତିନୀର ଅନାଘ୍ରାତ ଯୌବନ କଥା ଶୁଣିଥିଲା ମାତ୍ର । ଜୀବନରେ ଏମିତି କିଛି ଗୋଟିଏ ଅନୁଭବ ହେବ ବୋଲି କଳ୍ପନାରେ ସୁଦ୍ଧା ଭାବି ନଥିଲା । ତାର ସବୁ କଳ୍ପନାକୁ ସାର୍ଥକ କରି ଛିଡ଼ା ହୋଇଛି ରମା ! ଯାହାର ବର୍ଣ୍ଣନା, ମୃତଭାଷାରେ କଳ୍ପନା କରି ହୁଏନାହିଁ । ଯାହାର ତୁଳନା, ଆଉ କୌଣସି ବସ୍ତୁକୁ ଉପଲକ୍ଷ୍ୟ କରି କହି ହୁଏନାହିଁ ।

 

ରମା ଅମିତର ଦୁର୍ବଳତାକୁ ନିମିଷକରେ ପଡ଼ିନେଲା । କିନ୍ତୁ ତା’ ମନଭିତରେ କାଣିଚିଏ ସୁଦ୍ଧା ଚମକ ଲାଗିନାହିଁ । ସେ ସେହି ସଦାଚଞ୍ଚଳ ରମା ବ୍ୟତୀତ ଆଉ କିଛି ନୁହେଁ ।

 

ତରୁଣୀର ଦେହ ଉପରେ ବୟସ ଆସି ତାର ମଦୁଆ ରଙ୍ଗ ବୋଳିଦିଏ । ପୁରୁଷ ତାକୁ ଦେଖି ଉଲ୍ଲସିତ ହୋଇଉଠେ । ମନଟା ସହସ୍ର ଡେଣା ଝାଡ଼ି ଉଠିବସେ । ଆକର୍ଷଣତାର ନିଶା ପାନକରି ସବୁକିଛି ଭୁଲିଯାଏ । ମଣିଷର ଭୁଲାମନଟାକୁ ଭିଡ଼ଧରିବା ସକାଶେ ହାତ ବଢ଼ାଇବା, ତରୁଣୀ ପକ୍ଷରେ ଏକ ମାରାତ୍ମକ ଭୁଲ । ସେ ଭୁଲ କରିବାର ପ୍ରବୃତ୍ତିଟା ଏଡ଼େ ସହଜ ଯେ, ସବୁ କଥାକୁ ଆଡ଼େଇ ଦେଇ ବାରମ୍ବାର ଭୁଲ କରିବାକୁ ମନ ଡାକେ । ଭୁଲର ମିଠା ଥରେ ଚାଖିଦେଲେ ଜୀବନଟା ଆମ୍ବିଳା ଲାଗେ । ଛାତି ଭିତରେ ଗୋଟିଏ ଗାର ଟାଣିଦେଇ ସମୟ ଚାଲିଯାଏ । ଛାତି ଭିତରର ଗାର ଗୋଟାକ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଓସାରିଆ ଆଉ ଗହୀର ହୁଏ ସିନା, ଲିଭେନାହିଁ । ପୁରୁଷ ମହୁଆ ରଙ୍ଗ ଟିକକ ନିଜ ଦେହରେ ବୋଳି ହୋଇଯାଇ ଉତ୍‌ଫୁଲ୍ଲ ହୁଏ । ତାହାହିଁ ହୁଏ ତାର ବିଜୟ । ପୁରୁଷର ବିଜୟ ଯେଉଁଠି ସ୍ତ୍ରୀର ପରାଜୟ ସେଇଠି । ଜ୍ଞାନୀ ଝିଅ ଏସବୁ ବୁଝିଥାଏ ବୋଲି ପୁରୁଷ ମନର ସହଜିଆ ଡାକକୁ କାନ ଦିଏନାହିଁ । ସେ ବିବେକର ଡାକକୁ ଅପେକ୍ଷା କରେ ।

 

ରମାର ସେ ଜ୍ଞାନ ଅଛି । ଆଜି ଏହି ଅପରିଚିତ ଆଗନ୍ତୁକ ତାକୁ ଦେଖି ମୁଗ୍ଧ ହୋଇଛନ୍ତି-। ତାହାହିଁ ତାର ପ୍ରାପ୍ତି । ସେହି ପ୍ରାପ୍ତିରେ ଅଛି ତାରି ଜୀବନ ଯୌବନ ପ୍ରତି ପ୍ରଶଂସାର ଭାଷା । ଏହାଠୁ ଅଧିକ ଆଶାକରିବା ମୁର୍ଖାମୀ ହେବ । ଆଗନ୍ତୁକ ରାତି ପାହିଲେ ଗାଁ ଛାଡ଼ି ଚାଲିଯିବେ । ଗୋଟିଏ ତରୁଣୀକୁ ଯେ ଜୟକରି ଚାଲିଆସିଲେ, ସେହି ଆତ୍ମପ୍ରଶଂସାରେ ଛାତି ତାଙ୍କର କୁଣ୍ଢେ ମୋଟ ହୋଇଯିବ । ଆଉ ସେ ପୁନର୍ବାର ଫେରିବେ ନାହିଁ । କଥା ଭାବି ଭାବି ଦିନ ସରିଯିବ ସିନା, ଫଳ ମିଳିବ ନାହିଁ । ତାହାଠୁ ବରଂ ଦୂରେଇ ରହିବା ଭଲ । ସବୁ ଦେଖି ଆଖି ବୁଜିଦେବା ଉତ୍ତମ । ଦାଣ୍ଡରେ କଥା ପଡ଼ିବ ନାହିଁ କି ନାଁ ନେଇ ହାଟ ବସିବ ନାହିଁ । ସେ କଣ ଏସବୁ ଦେଖିନାହିଁ ନା ଚାଖିନାହିଁ ? ନୂଆ ନୁହେ ତ !

ବଢ଼ା ହେଇଛି, ଆସନ୍ତୁ । ରମା ନରମ କଣ୍ଠରେ କହିଲା ।

ତା କଥାରେ କିମିଆ ମିଶିଛି ଯେମିତି । ଅମିତ ସେ କଥା ସବୁ ପିଇଗଲା । ମନ୍ତ୍ରମୁଗ୍ଧ ପରି ରମାର ଅନୁଗମନ କରୁଥିଲା । ରମାର ଚାଲିଟା ବି ତାକୁ ସୁନ୍ଦର ଲାଗୁଛି ।

ଭାବିଥିଲି ରାନ୍ଧିବ ବୋଲି । ପଖାଳ ଥିଲା ବୋଲି ଆଉ ରାନ୍ଧିଲି ନାହିଁ । ଭଜା କରି ଦେଇଛି । ରମା ସରଳ ଭାବରେ କହିଗଲା ।

ଖୁବ୍‌ ହେଇଛି । ସେ ଚଳିଯିବ । ଅମିତ ମୁଣ୍ଡ ପୋତି ଖାଇବାକୁ ଲାଗିଲା ।

ବାହାରେ ଆହୁରି ବର୍ଷା ହେଉଛି । ଏ ବର୍ଷା କଣ ଛାଡ଼ିବ ନାହିଁ ? ଅମିତ ହାତ ଧୋଉ ଧୋଉ କଳା ମେଘକୁ ଅନାଇ ଭାବୁଥିଲା ।

ରମାଦେଈ ଆମର ସାକ୍ଷାତ ଲକ୍ଷ୍ମୀ ବାବୁ ! ସାରା ଗାଁ କଥା ସେ ବୁଝୁଛନ୍ତି । ଲଛିପୁର ଗାଁ ଛାଡ଼ି ଏ ଗାଁରେ ପାଦ ଦେଲା ଦିନୁ ଆମେ ସବୁ ଖୁସିରେ ଅଛୁ । ଦୟା ମନ୍ତବ୍ୟ ଦେଲା ।

ଏତେ ପ୍ରଶଂସା କରନାରେ ଦୟା ! ମୁଁ କଣ ଗାଁର ପଡ଼ି ଚାଲୁଛି ?

ସେ କଥା ନୁହଁ ଯେ ଦେଈ, ଜଣେ ଜଣେ ଲୋକ ଥାନ୍ତି, ସେହି ଜଣକ ଲାଗି ଗାଁର ମହତ ବଢ଼େ । ସୁଖ ଓ ସୌଭାଗ୍ୟ ଏକାଧାରରେ ବୋହି ଆସେ । ତୁମେ ଆସିଲ ଦିନୁ, ଆମ ଗାଁରେ ରୋଗ ବୈରାଗ କିଛି ନାହିଁ । ତୁମେ ଆମ ଗାଁର ଲକ୍ଷ୍ମୀ ବୋଲି ମନେ ହେଉଛ ଦେଈ !

ଲକ୍ଷ୍ମୀ କି ଅଲକ୍ଷ୍ମୀ ମୁଁ ଜାଣେରେ ଦୟା ! କାହାକୁ କହିବ ? ଏସବୁ କପାଳ ଦୋଷ ଛଡ଼ା ଆଉ କଣ ହୋଇପାରେ ?

କଥା ଭୁଲାଇବାକୁ ଦୟା ପଚାରିଲା, ମାଷ୍ଟର ବାବୁ କଣ ଶୋଇଗଲେ ଦେଈ ?

ହଁ ସେ ଶୋଇ ଯାଇଛନ୍ତି । ବାବୁଙ୍କୁ କହ ସକାଳେ ଏଇଠି ଚାହା ଖାଇଯିବେ । ବାପାଙ୍କ ସଙ୍ଗରେ ବି ଦେଖା ହେବ ।

ଅମିତ ଦୟା ସଙ୍ଗରେ ଫେରିଗଲା । କିନ୍ତୁ ମନ ଗୋଟାକ ପଛକୁ ଭିଡ଼ ହେଉଥାଏ । ରମାର ବ୍ୟକ୍ତିଗତ କଥା ବୁଝିବାକୁ ଇଚ୍ଛା ହେଉଥିଲା । କେଡ଼େ ସୁନ୍ଦର ପରିବାରଟିଏ ! ଅଥଚ ରମାର ଉତ୍ତରରେ କେତେ ଦୁଃଖ, କେତେ ଯନ୍ତ୍ରଣା ! ଦୁଃଖର କାରଣଟି କଣ ହୋଇପାରେ ?

ଅମିତର ମନକଥା ବୁଝିଲା ପରି ଦୟା କହିବାକୁ ଲାଗିଲା, ଲଛିପୁରଟା ବିବାଦିଆ ଜାଗାଟିଏ ବାବୁ । ଗାଁ କିନ୍ତୁ ପ୍ରଥମେ ଏମିତି ନ ଥିଲା । ଲୋକେ ସୁଖରେ ଦିନ କାଟୁଥିଲେ । ଦିନକେଇଟା ଭିତରେ ସବୁ ବଦଳିଗଲା । ନହେଲେ ଆମର ରମାଦେଈ ପରି ଝିଅ ଆଉ ମାଷ୍ଟର ବାବୁଙ୍କ ପରି ଦେବତା ତୁଲ୍ୟ ମଣିଷ ସେ ଗାଁ ଛାଡ଼ି ଚାଲି ଆସିଥାନ୍ତେ ? ଗାଁରେ ଏତେ ଲୋକ ଅଛନ୍ତି, ଆଉ ଏଇ ସରଳ ପରିବାରଟି ପାଇଁ ସେଇଠି ଥାନ ହୋଇ ନଥାନ୍ତା ? ଭାଗ୍ୟକୁ ଲଛିପୁର ଗାଁରେ ରବି ଭାଇ ନଥିଲେ । ନହେଲେ ଗାଁ ମାଟି ତଳ ଉପର ହୋଇ ଯାଇଥାନ୍ତା ।

 

ରବି କିଏ ସେ ଦୟା ?

 

ରମାଦେଈଙ୍କ ବଡ଼ ଘର । ବିଦେଶରେ ଚାକିରୀ କରନ୍ତି । ମିଲଟାରୀ ଚାକିରୀ ବୋଲି ଶୁଣୁଛି । କଡ଼ା ମିଞ୍ଜାସ । ମନ ପାଇଥିଲେ କାନ୍ଧରେ ବସାଇଥିବେ । କିନ୍ତୁ ଟିକିଏ ଭୁଲ ଦେଖିଲେ ତଳେ କଚାଡ଼ି ଚୁନ୍‍ଚୂନା କରିଦେବେ । ସେ ଆସିଲେ କଣ ଯେ ଘଟାଇବେ, ସେଇଥିପାଇଁ ମାଷ୍ଟରବାବୁଙ୍କ ଭାବନା ପଡ଼ିଛି । ବୁଝେଇବେ ସିନା ! ନ ବୁଝିଲେ ଆଉ ଉପାୟ କଣ ?

 

ରମାଘର କଥା ଯେ ଶୁଣୁଥିଲା, ଅମିତର ମନ ଭିତରେ ସେତିକି ଆଗ୍ରହ ବଢ଼ି ଉଠୁଥିଲା-। ସବୁ ଆଗ୍ରହ, ସବୁ ଉତ୍କଣ୍ଠାକୁ ମନଭିତରେ ଚାପି ରଖି ଅମିତ ଶୋଇଗଲା ।

 

ପଥଶ୍ରାନ୍ତ ଅମିତ, ନିମିଷକ ଭିତରେ ନିଦ ଚାଦର ଭିତରେ ସତେଅବା ନିଜକୁ ଲୁଚାଇ ଦେଇଛି ।

 

ସକାଳର ଉଷୁମଖରା ଗାଁ ଦାଣ୍ଡରେ ବୁଣିହୋଇ ପଡ଼ିଛି । ରୂପାର ଝିନ୍‌ଝିନ୍‌ପାତଳ ପରଦାଟିଏ ପୃଥିବୀ ଉପରେ ପରଦାଟିଏ ପୃଥିବୀ ଉପରେ କିଏ ପକାଇ ଦେଲା । ଗାଁ, ନଈ, ବିଲ, ବଣ ସବୁ ଚିକ୍‌ମାରୁଛି । ହସିଲା ଓଠରେ ସମସ୍ତେ ସମସ୍ତଙ୍କୁ ଅନାଇଛନ୍ତି । ଆଖିରେ ଆଖିଏ ଆଖିଏ ହସ ।

 

ଓଦାମାଟି ଉପରେ ଖରା ପଡ଼ିଛି । କୁହୁଡ଼ି ପରି ପାତଳ ଧୂଆଁ ଧାର ଧାର ହୋଇ ଆକାଶ ଉପରକୁ ମାଡ଼ି ଯାଉଛି । ତାରି ଭିତରେ ମିଶିଛି ସଦ୍ୟସ୍ନାତ ପୃଥିବୀର ହସଖୁସି କଥା । ସେ ସବୁ ଶୁଣିବ ବୋଲି ଆକାଶ ଅନେଇ ରହିଛି । ଯୋଜନ ଯୋଜନ କୋଶ ଦୂରରେ ଥାଇବି ବସୁଧା ପ୍ରତି ତାର ଅଦ୍ଭୁତ ମମତା !

 

ସବୁଜ ପ୍ରକୃତି ଶୋଇଥିଲା । ଖରା ଆସି ତା’ ଦେହରେ ଉଷୁମ ହାତ ବୋଳି ଦେଲା । ଦେହମୁଣ୍ଡ ସଲ ସଲ ହେଉଛି । ସେ ଆଖି ମଳି ମଳି ଚାହିଁଲା । ପକ୍ଷ୍ମଲତାର ଧାରେ ଧାରେ ଘୁମନ୍ତ-। ନିଦ ଲହଡ଼ା ଭାଙ୍ଗୁଛି । ଦେହରେ ଅଳସ ଖୁନ୍ଦି ହୋଇଛି । କଣେଇ କଣେଇ ଚାହିଁଲା । କିଏ ଅନାଇଛି କି ? ବେହେଡ଼ା ବନ କପୋତ ପର ଝାଡୁଛି । ଦି’ ତିନିଟା ଅଲାଜୁକ କୋକଶିଆଳ ଲାଙ୍ଗୁଡ଼ ହଲେଇ ଧାଇଁ ଗଲେ । ମୁଣ୍ଡ ଉପରେ ମୁକୁଳା ଆକାଶଟା ଖିଲି ଖିଲି ହୋଇ ହସି ଉଠୁଛି । ପଶ୍ଚିମା ପବନଟା ପ୍ରେମ ସଂଗୀତର ଘୋଷା ଧରିଛି । ନବ ଯୁବତୀ ପରି ଝାଉଁଳି ଗଲା ପ୍ରକୃତି ରାଣୀ ।

 

ଦୟାର ସବୁଦିନ ପରି ପାହାନ୍ତା ପହରୁ ନିଦ ଭାଙ୍ଗିଲା ।

 

ଅମିତ ଆହୁରି ଶୋଇଛି । ଚାଦର ଖଣ୍ଡକ ବେକଯାଏ ଯୋଡ଼ିହୋଇ ମୋଡ଼ିହୋଇ ପଡ଼ିଛି । ଆଖିରେ ତାର ଅଚିନ୍ତା ନିଦ । ପାଦ ପରାଣ ଛାଡ଼ି ନାହିଁ । ଦୟାର ସହରିଆ ଲୋକମାନଙ୍କ ପ୍ରତି ଦୟା ହେଲା । ସହର ଭିତରେ ସଉକ କରି ବୁଲୁଥିବେ । ବାରଦିନର ଦିନେ ବାଟ ଚାଲିଲେ ସମ୍ଭାଳି ପାରିବେ ନାହିଁ । ମଫସଲରେ ଜନ୍ମ ହୋଇଥିଲେ କଣ କରନ୍ତେ କେଜାଣି ? ସକାଳ ପାହିଲେ ବାଟଚଲା । ବିଲ ମାଳକୁ ନଜର ନ ରଖିଲେ କଣ ଚଳିବ ? ତାହା ହିଁ ହେଲା ବରଷଯାକର ଭାତ ହାଣ୍ଡି । ମେହେନତ ନକଲେ ଭୋକରେ ମରିବା କଥା ।

 

ଦୟା ଅମିତକୁ ନ ଉଠାଇ ଲଛିପୁରର ନାଳ ଆଡ଼କୁ ମୁହାଁଇଲା । ନଦୀ ଟିକିଏ ଦୂର ପଡ଼ୁଛି । ବନ୍ଧଟା ଠିଆ ମେଲା । ଗୋଡ଼ବଢାଇଲେ ଚିକିଟା ପଙ୍କ । ଏଇ ନାଳଟା ସବୁ ଦିଗରୁ ଭଲ-। କାଉ ଆଖି ପରି ଝଲଝଲିଆ ପାଣିଧାର । ସୁନ୍ଦର ସରୁ ସରୁ ବାଲି । ନାଳ କୂଳରେ ଛିଡ଼ା ହେଲେ ଖୁବ୍‌ଭଲ ଲାଗେ । ଟିକି ଟିକି କେରାଣ୍ଡି ମାଛ ସବୁ ଏପଟ ସେପଟ ହେଉଥାନ୍ତି । ପାହାନ୍ତି ପବନରେ ଆଖୁ କିଆରୀ ମାତାଲ ହୋଇ ନାଚୁଥାଏ । ଏ ସବୁ ଦେଖିଲେ ପେଟ ପୂରିଯାଏ ।

 

ଦୟା ସାନ ଗାମୁଛାଟିଏ ଧରି ହଲି ହଲିକା ଚାଲୁଛି । ତାରି ଆଗପଛ ହୋଇ ଗାଁର ଗାଈ ବଳଦ ସବୁ ଗୋଚର ପଡ଼ିଆକୁ ଧାଉଁଛନ୍ତି । ଶିଙ୍ଘବଳା ଲଗା ବଇଁଶୀ ଖଣ୍ଡେ ଧରି ଗାଈଆଳ ପଛରେ ପଛରେ ଚାଲିଛି । ଦୂର ବିଲମାଳ ଭିତରୁ ‘ରାମଲଇଖନ’ ଗୀତ ଶୁଭୁଛି । ଈଶ୍ୱରପାଲିର କେଉଁ ଚଷା ବୋଧହୁଏ ରାତି ପହରକରୁ ଉଠି ହଳ ବୁଲାଇଲାଣି ।

 

ବାଁ’ ହାତ ପଟେ କୁରେଇ ଫୁଲ ଫୁଟିଛି । ଧୋବ କର କର ପୂରା ଜହ୍ନି ପରି ରଙ୍ଗ । ଗୋଟିଏ ଦି’ଟା ନୁହେଁ, ପେନ୍ଥା ପେନ୍ଥା, ମାଳ ମାଳ । ଫୁଲ ଭାରରେ ଡାଳ ନଇଁ ପଡ଼ିଛି । କି ସୁନ୍ଦର ବାସ୍ନା ।

 

ଦୟା ଶାଳଗଛ ମୂଳରୁ କଣ ସିଧା ସଳଖ ଦାନ୍ତକାଠିଟିଏ ଭାଙ୍ଗି ଆଣିଲା । ତଳ ଡାଳରେ ମହୁମାଛିମାନେ ରୁଣ୍ଡ ହୋଇ ମହୁ ଫେଣାଟିଏ ତୋଳୁଥିଲେ, ଡାଳଭଙ୍ଗା ଶବ୍ଦରେ ସିଇଁ ସିଇଁ ହୋଇ ଉଡ଼ି ଆସିଲେ । ସତେ ଯେମିତି ଆକ୍ରମଣ କରିବାକୁ ସତର୍କ ହୋଇ ରହିଲେ । ଶହ ଶହ ସଂଖ୍ୟାରେ ବିଦ୍ରୋହ ଘୋଷଣା କଲେ । ମହୁମାଛିମାନଙ୍କର କାନ ସବୁ କି ସାଙ୍ଘାତିକ ଭାବରେ ତତ୍ପର ସତରେ ।

 

ଦୟା ଦୂରକୁ ଟିକିଏ ଘୁଞ୍ଚିଗଲା ।

 

ନାଳର ଧାରଟା ଟିକିଏ କମି ଯାଇଛି । ଆଖୁ କିଆରୀକି ପାଣି ମଡ଼ାଇ ମଡ଼ାଇ ପାଣି ଧାରକୁ କ୍ଷୀଣକାୟ କରି ପକାଇଲେଣି । ମୁହଁହାତ ଧୋଇ ପକାଇ ଦୟା ପ୍ରଥମେ ଦି’ ଆଞ୍ଜୁଳା ପାଣି ପିଇନେଲା । ସକାଳେ ବାସି ମୁହଁରେ ପାଣି ପିଇଲେ ଖୁବ୍‌ମିଠା ଲାଗେ ଦୟାକୁ । ମନଟା ଫୁର୍ତ୍ତି ଲାଗୁଛି । ଏ ସକାଳଟା ମନେ ରଖିବା ପରି ସକାଳଟିଏ ସତରେ । କି ବାର ? କେତେ ତାରିଖ ?

 

ସବୁ ସକାଳ ସମାନ ଭାବରେ ପାହେ ନାହିଁ । ଦିନେ ଦିନେ ବିଛଣା ଛାଡ଼ିଲାବେଳେ ମନଟା ମାନ୍ଦା ମାନ୍ଦା ଲାଗେ । ଦିନତମାମ କାମ କରିବାକୁ ଇଚ୍ଛା ହୁଏ ନାହିଁ । ଆଉ ଦିନେ ଦିନେ ପୁଣି ଖୁବ୍‌ତାଜା ଲାଗେ । ପୃଥିବୀର ସବୁତକ ଜିନିଷ ସୁନ୍ଦର ମନେ ହୁଏ । ଅଧୁରା କାମ ଆଖି ପଲକରେ ସରିଯାଏ । ଆଜି ଦୟା ପକ୍ଷରେ ସେମିତି ଆନନ୍ଦର ଦିନଟାଏ !

 

ପୂରୁବ ଆକାଶ ରଙ୍ଗା ଦିଶୁଛି । ବଳୟତଳେ ଉଦୟ ସୂର୍ଯ୍ୟର ରୋଷଣୀ ଲାଗିଲାଣି । ପୃଥିବୀଟା ସ୍ଵଚ୍ଛ ଦେଖା ଯାଉଛି । ପୁଣି ଗୋଟିଏ ନୂଆଦିନ ଆସିଲା । ନୂଆଦିନର ଗର୍ଭ ଭିତରେ ଭଲ ଅଛି କି ମନ୍ଦ ଅଛି କିଏ ଜାଣିଲା ?

 

ଦୟା ସ୍ଵଚ୍ଛମନ ଆଉ ସତେଜ ଦେହରେ ପୂର୍ବ ଆକାଶକୁ ମୁହଁକରି ଛିଡ଼ା ହେଲା । ଶିଶୁ ସୂର୍ଯ୍ୟକୁ ମୁହୁର୍ତ୍ତେ ଚାହିଁ ହାତ ଯୋଡ଼ି ନମସ୍କାର କରୁ କରୁ କହିଲା, ହେ ଧରମ ଦେବତା ! ସଂସାରକୁ ସୁଖୀ କର । ଈଶ୍ଵରପାଲିକୁ ସୁନଜର ରଖିଥାଅ !

 

ଈଶ୍ଵରପାଲି ଆଉ ଲଛିପୁର ମଝିରେ ଥିବା କ୍ଷୀଣକାୟ ‘ବାଲିନାଳ’ଟି ହିଁ ଉଭୟ ଗ୍ରାମର ସୀମାରେଖାକୁ ସୂଚେଇ ଦିଏ । ଦି’ ଗାଁର ଲୋକ ନାଳର ଦି’ କୂଳରେ ସବୁଦିନେ ଏକତ୍ରିତ ହୁଅନ୍ତି । ସକାଳ ପାହିଲେ ମୁହଁଚାହଁ ଆଉ ଦୁଃଖସୁଖ । ଛୋଟିଆ ପାଣିଧାରଟି ସେମାନଙ୍କ, ସୁଖଦୁଃଖରେ ପ୍ରତିବନ୍ଧକ ହୁଏ ନାହିଁ । ସେ ଦି’ ଗାଁର ସବୁଦିନିଆ ଇତିହାସକୁ ମନ ଦେଇ ଶୁଣେ । ବରଂ ଦି’ଟି ଗାଁକୁ ପାଖାପାଖି ଛିଡ଼ା କରିଦିଏ !

 

ରାଧା ରାସ୍ତ । ଉପରୁ କିଛିଦୂର ତଳକୁ ଖସି ଯାଇ ପଲାଶ ଗଛର ନୂଆ ନୂଆ ପତ୍ର ସବୁ ତୋଳି ସଂଗ୍ରହ କରୁଥିଲା । ସବୁଜ ପତ୍ରର ନରମ ଅଂଶକୁ କଅଁଳ ହାତରେ ଅନୁଭବ କରୁ କରୁ ପିଲାଦିନର ‘ହୋମ’ ଗୀତଟିଏ ଆବୃତି କରୁଥିଲା । ଗୀତର ପାଶୋରି ପକାଇ ଥିବା ଅଂଶତକ ଗୁଣୁ ଗୁଣୁ ସ୍ଵରର ପୂରଣ କରି ଭାବୁଥିଲା, କେଡ଼େ ସୁନ୍ଦର ଗୀତଟା ପାଶୋରି ହୋଇ ଯାଇଛି । ଗାଁ ଦାଣ୍ଡରେ ‘ହୋମ’ ଖେଳ ଖେଳିଲେ ସବୁତକ ମନେ ପଡ଼ନ୍ତା !

 

ପତ୍ର ସବୁ ବାଲି ନାଳରେ ଧୋଇ ନେବାକୁ ଯାଇ ଚିକ୍‌କଣିଆ ପଥରଟିଏ ଉପରେ ବସି ପଡ଼ିଲା । ଏ ସ୍ଥାନଟିଏ ରାଧାର ଆବିଷ୍କୃତ ଅପେକ୍ଷାକୃତ ନିରାପଦ ସ୍ଥାନଟିଏ । ନାଳ ଏଇଠି ବଙ୍କେଇ ଯାଇଛି । ସାମନାରେ ବୁଦୁବୁଦୁକିଆ କୁରେଇ ଗଛର ବଣ । ଏ ଗହଳି ଭିତରେ ପଶିଲେ ରାସ୍ତା ଲୁଚିଯାଏ । ରାସ୍ତାର ଚଲା ମଣିଷ ବି’ ଦେଖା ଯାଅନ୍ତି ନାହିଁ ।

 

ରାଧା ଗୋଟି ଗୋଟି କରି ସବୁପତ୍ର ଧୋଇ ନେଇ ବାଉଁଶ ପାଚିଆରେ ସଜାଡ଼ି ରଖିଲା-। ତା’ ପରେ ମୁହଁ ଧୋଇ ଉଠି ପଡ଼ୁଛି, ଦେଖିଲା ପାଣିଧାର ଉପରେ ତାର ମୁହଁ ଦିଶୁଛି ।

 

ରାଧା ହସିଲାତ ତାର ଛାଇ ବି’ ହସିବାକୁ ଲାଗିଲା । ସୁନ୍ଦରିଆ ମୁହଁଟିଏ !

 

ରାଧା ଲାଜ କଲା । ଏ ମୁହଁଟିକୁ ଦୟା’ କେତେ ଆଦର କରେ ! କହେ, ତୋ’ ଆଖି ଦି’ଟା କି ସୁନ୍ଦର ଲୋ ରାଧା ! ଆଉ ଏ ଦେହ ? କୁରେଇ ଫୁଲରୁ ଆହୁରି ସୁନ୍ଦର, ଆହୁରି ତେଜ ! ଏ ମୁହଁରେ ଏମିତି କଣ ଅଛି ଯେ ଦୟାର ଏତେ ଲୋଭ ହୁଏ ?

 

ରାଧା କୁରେଇ ଫୁଲକୁ ଆଖି କଲା । ପବନରେ ଦୋହଲି ଦୋହଲି ନାଚୁଛି । ଟିକି ଟିକି ସରୁ ସରୁ ଫୁଲ । ନରମ ଆଉ ତଟ୍‌କା । ଖରା ବାଜିଲେ ଝାଉଁଳିଯିବ । ଏଇନେ ହସୁଛନ୍ତି । ମୁଣ୍ଡ ଟୁଙ୍ଗାରି କହୁଛନ୍ତି, ‘‘ହାଲୋ’’ ହଁ । ତୁ ଆମଠୁ ବି ଆହୁରି ସୁନ୍ଦର ! ଖରା ବାଜିଲେ ଆମେ ଝଡ଼ି ପଡ଼ିବୁ ।’’ କିନ୍ତୁ ତୁ ନୁହଁ ! ଆମର କାହାଣୀ କେବଳ ଗୋଟିଏ ଦିନର । ଆଉ ତୋର ? ଆମଠୁ ଅନେକ ବେଶୀ ।

 

ଏ କେମିତିଆ କଥା ମ ? ଫୁଲ ପରି ମୁଁ କଣ ସୁନ୍ଦର ହୋଇ ପାରିବି ? ରାଧା ନିଜ ଅଜାଣତରେ ଦେହକୁ ମୁହଁକୁ ଚାହିଁଦେଲା ।

 

ଏ ଦେହରେ ଅନେକ ମାଂସ ଜମିଛି । କୁନ୍ଦିଲ କୁନ୍ଦିଲା ହାତ ଗୋଡ । ହାତ ପାପୁଲିରେ ରକ୍ତକଇଁ ଫୁଟିଛି । ଏତେ ରୂପ, ଏତେ ଯୌବନ କିଏ ଦେଲା ସତରେ ? କାହିଁକି ହେଲା ବୁଝି ହେଉନି’ । ତାହାହେଲେ ଦୟାନିଧିର କଥାଟା ମିଛ ନୁହେଁ । କାହିଁ ଦୟା ବ୍ୟତୀତ ଆଉ କେହି ତ ତାକୁ ଏମିତି କଥା କହନ୍ତି ନାହିଁ ?

 

ଦୟାଟା କି ଦୁଷ୍ଟ ! ତା’ ହାତ ବାଜିଲେ ନିଦ ଲାଗିଲା ପରି ଅଳସିଆ ଲାଗେ । ଦେହ ହାତ ଝିମେଇ ଯାଏ । କହିବା କଥା ହେତୁ ହୁଏ ନାହିଁ ।

 

କ’ଣ ବା’ କହି ହୁଅନ୍ତା ? ଦୟା କଣ ଦମ୍ଭ ଧରି ଶୁଣନ୍ତା ? ସେ ଖାଲି କହିଯାଏ । ତା’ରି କଥା କହିବାକୁ ତୁଣ୍ଡକୁ ତାର ହାଲିଆ ଲାଗେ ନାହିଁ । କେତେ ଶରଧାରେ ଖୋଷାରେ ହାତ ମାରେ-। ମୁହଁ ସାମନାର ବାଳ କେରାଏ ଭିଡି ଦେଇ ଗାଲ ଉପରେ ବଙ୍କେଇ ବଙ୍କେଇ ରଖେ । ସେ କଣେଇ କଣେଇ ଚାହିଁଲେ ଦେହ ଉପରକୁ କ’ଣଟିଏ ମାଡ଼ିମାଡ଼ି ଆସିଲା ପରି ଲାଗେ । ଛାତି ଭିତରଟା ଧଡ଼ ଧଡ଼ ହୋଇଯାଏ । ସତେ ଯେମିତ ପାଞ୍ଚ ଦଶ କୋଣ ଖାଲି ପାଦର ଧାଇଁ ଆସିଛି ।

 

ତଥାପି ଦୟା ଭାରୀ ଭଲ ଲାଗେ । ଘଣ୍ଟା ଘଣ୍ଟା ଧରି ପାଖରେ ବସିବାକୁ ମନ ଡାକେ । ତାର କଥା ସବୁ ସୁଆଦିଆ । ତାର ଦୁଷ୍ଟାମୀତକ ବି ମିଠା ।

 

ଦୟା କାଲି ଦେଖାକଲା ନାହିଁ । କୁଆଡ଼େ ଗଲା ବି’ କହିନାହିଁ । କାହାକୁ ପଚାରିଥାନ୍ତା । ଦୟାକଥା ? ବାପାକୁ ପଚାରିବାକୁ ଲାଜମାଡ଼େ । ଆରେ ଶୁଣିଲେ କହିବ, ବାହା ନ ହେଉଣୁ ଏକି କଥାଲେ ଲୋ ରାଧା ? ଟୋକୀର ରଙ୍ଗ ଦେଖ ! ଏତେ ଯଦି ଦରଦ,ମନକୁ ଯାଇ ତା’ ଘରେ ପଶୁନୁ ! ବାହା ଖର୍ଚ୍ଚ ଲାଗିବ ନାହିଁ । ପାଖରେ ବସି ଟୁପୁରୁ ଟାପୁରୁ ହେଉଥିବୁ । ମନ କଲେ ଶାଢ଼ୀ ପଣତରେ ବାନ୍ଧି ରଖିବୁ । ମୁହଁକୁ ମୁହଁ ଯୋଡ଼ି ଦେଇ ବସିଥିବ । ତା’ କଥା ଛୁଞ୍ଚି ପରି ଦେହରେ ଗଳି ଗଳି ଯାଏ ।

 

ଆଉ ରମାଦେଈ ? ଓ ସୁନା ମଣିଷଟିଏ । ଭଗବାନ ତାଙ୍କୁ କେତେ ବୁଦ୍ଧି ଦେଇଛନ୍ତି । ପାଖରେ ବସିଲେ ରାଇଜ ଯାକର କଥା କହନ୍ତି । ଖଡ଼ି ଧରି ଅକ୍ଷର ଶିଖାଇ ଦିଅନ୍ତି । ପଚାରନ୍ତି, କେବେ ବାହା ହେଉଛୁଲୋ ରାଧା ? ବିଚାର ଦୟା ଏକଲା ମଣିଷ । ଧୋଇ ଫୁଟାଇ ଚଳୁଛି । ଦୁଃଖ ବୁଝିବାକୁ କେହି ନାହିଁ । ବଡ଼ ଦହଗଞ୍ଜ ହେଉଛି । ବୁଝିଲୁ ରାଧା, ବାହାବେଳେ ବାପାକୁ ମନେ ପକାଇ ଦେବୁ । ମୋତେ ଗୁଆନିଉତା କରିବେ । ଭୁଲିବୁ ନାହିଁଟି !

 

ଦୟା ଆଜି ନିଶ୍ଚୟ ଆସିବ । କାହିଁକି ଆସି ନଥିଲେ, ବୁଝାଇ କହିବ । ଅଭିମାନ କରି କଥା ନ କହିଲେ ଜୋକ ପରି ପଛରେ ଲାଗିଥିବ ।

 

ରାଧା ମନ ଆନନ୍ଦରେ ବୋହଲି ପାଣିକୁ ମୁଠା ମୁଠା କରି ଧରୁ ଧରୁ, ତା’ ଭଙ୍ଗା ଛାଇକୁ କହି ହେଉଥିଲା, ଶୁଣୁଛୁ କିଲୋ ! ଆଜି ଦୟା ଆସିବ ! ସେ ନିଶ୍ଚୟ ଆସିବ । ତୁ ଜାଣିନଥିଲେ କଣ ହେବ, ମୁଁ ଜାଣିଛି, ମୋ ମନ କହୁଛି ସେ ନିଶ୍ଚୟ ଆସିବ ।

 

ବାଲି ନାଳର ପାତଳ ପାଣି ଉପରେ ତା’ ଛାଇ ପାଖକୁ ଆଉ ଗୋଟିଏ ମୁହଁ ଦିଶିଲା ।

 

ରାଧା ଚମକି ପଡ଼ି ଦେଖିଲା ବେଳକୁ ଦୟା ତାରି ଆଡ଼କୁ ଚାହିଁ କିରିକିରି ହୋଇ ହସୁଛି-। ଗାଲ ଦି’ଟାରେ ଦି’ମୁଠା ଫଗୁ । କେତେ ସୁନ୍ଦର ଦିଶୁଛି ଦୟାଟା ।

 

ରାଧା କଥା ନ କହି ମୁଣ୍ଡ ପୋତିଦେଲା ।

 

କଥା କହ ! ଦୟା ଅଳିକଲା ଯେମିତି ।

 

କହିବି ନାହିଁ । ରାଧାର କଣ୍ଠ ଚିପା ଚିପା ।

 

କାହିଁକି ? ମୁଁ କଣ କଲି ?

 

ମନକୁ ପଚାର ।

 

ଦୟା ହସିଲା । କହିଲା, ଘରେ କୁଣୁଆ ପରାଲୋ ! କେମିତି ଆସିଥାନ୍ତି କହିଲୁ ?

 

କୋଉ ଗାଁର କୁଣୁଆ ?

 

ଗାଁ ନୁହଁ, ସହରର । ବାଟରେ ଦେଖାହେଲା । ସାଙ୍ଗହୋଇ ଆସିଲୁ । ଲଛିପୁର ଯାଇଥାନ୍ତେ । ବରଷା ହେବାରୁ ଅଟକିଗଲେ ।

 

ସହର କୁଣୁଆ ତାହାହେଲେ ! କିନ୍ତୁ ସାବଧାନ, ଆଖି ନ ରଖିଲେ ଅକଲସଲାମୀ ଦେବାକୁ ହେବ ।

 

ମୋ କୁଣୁଆ ସେମିତି ନୁହଁ ।

 

ଆଉ କଣ ଦେବତା ?

 

ଦେବତା ନୁହଁ ମଣିଷ । ହେଲେ ଦେହରେ ଅଛି ଦେବତାର ଗୁଣ ।

 

ମୁଁ ବିଶ୍ଵାସ କରିବି ନାହିଁ ।

 

ରମା ଅପାକୁ ପଚାରିବୁ ।

 

ପୁଣି ରମାଦେଈ ଉପରେ ଜଞ୍ଜାଳ କଲ ? ତାଙ୍କୁ ଏ ଗାଁରେ ରଖାଇ ବସାଇ ଦେଉ ନାହାନ୍ତି । କି' ଅବେଳାରେ ପାଦ ଦେଲେ ଯେ, ସୁଖ ସୁବିଧା ପୋଡ଼ି ଖାଇଲେ । ତମ କୁଣୁଆ ଆଉ କେତେ ଦିନ ରହିବେ କହିଲ ?

 

ତୁ ରାଗନା ରାଧା । ଏଇନେ ଚାଲିଯିବେ । ଲଛିପୁର ଆଉ କେତେ ବାଟ ଯେ ! ନାଳ ଡେଇଁଲେ ବାଟ ସରିଲା । ତୁ ଥା’ ରାଧା । ତାଙ୍କୁ ବଳେଇ ଦେବାକୁ ଯାଉଛି ।

 

ଦୟା ତରବର ହୋଇ ଚାଲିଗଲା ।

 

କିଆରୀରେ ଚକ୍‌ମକି ଖରା ଲହଡ଼ା ଭାଙ୍ଗୁଛି । ଆଖୁ କିଆରୀ ହସୁଛି । ଆକାଶ ଉପରେ ଦଳ ଦଳ ଚଣାଖିଆ ଚଢ଼େଇ ପରକୁ ପର ଯୋଡ଼ି ଉଡ଼ି ଯାଉଛନ୍ତି ।

 

ଲଛୁପୁର ସ୍କୁଲର ଘଣ୍ଟା ଶୁଭୁଛି । ସକାଳ ସ୍କୁଲ । ଈଶ୍ଵରପାଲିର ପୁଞ୍ଜେ ପାଞ୍ଚଟା ପିଲା କାଖରେ ସିଲଟ ଧରି ଧାଉଁଛନ୍ତି ।

 

ରାଧା ଦୟାର ଧାଇଁଲା ପାଦ ଦି’ଟାକୁ ମୁଗ୍‌ଧ ଆଖିରେ ଅନେଇ ଥିଲା । ଲମ୍ବା ହାତ ଦି’ଟା ଜଙ୍ଘରେ ବାଜୁଛି । ହାତୀ ପରି ଦମ୍‌ଦମ୍‌ହୋଇ ଚାଲୁଛି । ତା’ ଚାଲିଟା କି ଦମ୍ଭିଲା !

 

ରାଧା ନିଜ ମନଟିକୁ ଦୟାନିଧି ଭିତରେ ହଜାଇ ଦେଇଥିଲା ।

 

ରମା ଦାଣ୍ଡ ମୁହଁରୁ ଡାକଛାଡ଼ିଲା, ‘ଦୟା ଅଛି ? ’

 

ଦୟାନିଧିର ଉତ୍ତର ନାହିଁ । ବାପା ତେଣେ ଅପେକ୍ଷା କରି ଚାହିଁଛନ୍ତି । କୁଣୁଆଁ ଗଲେ ଚା ଖାଇବେ । ଦିପଦ କଥା ଭାଷା ହେବେ । ଅମିତ ବାବୁଙ୍କ ପରି କୁଣୁଆ ପାଇଲେ କିଏ ଖୁସି ନ ହେବ ସେ ! ସରଳ ମନ । ବ୍ୟବହାରରେ ଟିକିଏ ହେଲେ ଛନ୍ଦ କପଟ ନାହିଁ । ସହର ପିଲାଙ୍କ ପରି ଉପରମୁହାଁ ନୁହଁନ୍ତି । ଏମିତି ଲୋକଙ୍କ ସଙ୍ଗେ ପରିଚୟ ହେବାକୁ ଖୁସି ଲାଗେ । ଉପରେ ପଡ଼ି ବନ୍ଧୁତା ବାନ୍ଧିବାକୁ ମନ ବଳେ । ଆଉ ଜଣେ ଜଣେ ଅଛନ୍ତି, କଥାରେ ସରାଗ ନାହିଁ । ପ୍ରାଣ ନାହିଁ । ମଲା ମଲା କଥା । ସବୁ କଥାକୁ ଅଡ଼େଇ ଦେବାକୁ ଚାହାନ୍ତି । ସେମାନଙ୍କ ମୁହଁ ଚାହିଁବାକୁ ମନ ବଳେନାହିଁ ।

 

ଅମିତବାବୁଟା ଚମତ୍କାର ମଣିଷଟିଏ !

 

କିନ୍ତୁ ଏ କଣ ଭାବୁଛି ସିଏ ? ନିଜ ଭାବନାରେ ଅଟକି ଗଲା ରମା ! ପର ବିଷୟରେ ମନ୍ତବ୍ୟ ଦେବା କ’ଣ ଏତେ ସହଜ ? ମଣିଷର ମନକୁ ସହଜରେ ଚିହ୍ନି ହୁଏନାହିଁ । ଅଧେ ଲୋକ ମୁହଁରେ କଥାଏ କହୁଥିବେ ତ ପେଟରେ ଆଉ ଗୋଟାଏ କଥା ଭାବୁଥିବେ । ହସି ହସି ଯେଉଁ ଉତ୍ତର ପଦକ ଦେବେ, ସେ ଉତ୍ତର ରେ ଗୁଡ଼ାଏ ‘କିନ୍ତୁ’ ମିଶିବ । ସେମାନଙ୍କର ଜନ୍ମଜାତକ ସେଇଆ । ସରଳ ସୁନ୍ଦର ପୃଥିବୀରେ ସେମାନେ ଗୋଟିଏ ଗୋଟିଏ ଅଦ୍ଭୁଦ ପ୍ରକାର ପ୍ରାଣୀ ! ସହର ଭିତରେ ଏ ଦେଖାସୁନ୍ଦର ମହାକାଳ-ମଣିଷଙ୍କର ଅଭାବ ନାହିଁ ।

 

ବାପା ତେଣେ ଅନେଥିବେ । କେତେ ସମୟ ବାହାରେ ଅପେକ୍ଷା କରିଥିବ ? ଗଲା ଆସିଲା ଲୋକଙ୍କ ସାଙ୍ଗ ଦି ପଦ ମନ ଖୋଲା କଥାଭାଷା କଲେ ବାପାଙ୍କୁ ଖୁବ୍‌ ଭଲଲାଗେ । ବୁଢ଼ା ଦିନରେ କଥାଭାଷା ହେବାଟା ତାଙ୍କର ଗୋଟିଏ ଖୋଲା ହୋଇଗଲାଣୀ । କଥା ପଡ଼ିଥିଲେ ଦିନରାତିର ବ୍ୟବଧାନ ସେ ଭୁଲିଯାଆନ୍ତି । ବିଭିନ୍ନ ଦେଶରେ ନୂଆ ନୂଆ କଥା ଶୁଣିବାକୁ କାନେଇ ଥାଆନ୍ତି । ସେମିତି ସାଙ୍ଗ ପାଇଥିଲେ କହିବା ଅପେକ୍ଷା ଶୁଣିବାକୁ ସେ ଭଲ ପାଆନ୍ତି ।

 

ଯୁଗ ବଦଳି ଯାଉଛି । ବାପାଙ୍କର ପିଲାଦିନର କଥା ଆଉ ନାହିଁ । କେତେ ପରିବର୍ତ୍ତନର ପାହାଚ ଚଢ଼ି ଆସି ଏବର ଦୁନିଆ ନୂଆ ଯୁଗଟିଏ ତୋଳିଛି । ଜଡ଼ାତେଲର ଯୁଗ ଯାଇ, କିରୋସିନ ମୁଣ୍ଡ ଉପରେ ଚଢ଼ି, ଆଜିକାଲି ଲୋକେ ବିଜୁଳୀ ଶକ୍ତିରେ ହାତ ଦେଇଛନ୍ତି । ପରମାଣୁ ଯୁଗ ଘନେଇ ଆସୁଛି । ମଣିଷ ଯାଇ ପୃଥିବୀ ଚାରିପଟେ ଘୁରି ଆସିଲାଣି । ହିମାଳୟ ଆଉ ଦୁରୁହ ନାହିଁ କି ମନ ଯାନ ଆଉ କଷ୍ଟସାଧ୍ୟ ନୁହେଁ । ଦୁନିଆ ବଦଳି ଯାଇଛି । ଈଶ୍ୱର-ପାଲିର ସୀମିତ ସଂସାର ସିନା ସେ ସବୁର ଖବର ରଖିନାହିଁ, ସଭ୍ୟ ସହରର ପ୍ରତ୍ୟେକ ଅଧିବାସୀ ଆଜି ସେ ସମସ୍ତ ପ୍ରାପ୍ତି ପ୍ରତି ସଚେଷ୍ଟ । ବାପା ଏ ସବୁ କଥାକୁ ଈଶ୍ୱରପାଲିର ଆଉ ପାଞ୍ଚ ଜଣକ ପରି ହସରେ ଉଡ଼ାଇ ଦିଅନ୍ତି ନାହିଁ କି ଆଶ୍ଚର୍ଯ୍ୟ ହୁଅନ୍ତି ନାହିଁ । ବରଂ ଆଗ୍ରହରେ ତାର ଖବର ରଖନ୍ତି । ଦୈନିକ ଖବରକାଗଜ ଚାରି ପାଞ୍ଚ ଦିନ ବ୍ୟବଧାନରେ ପହଞ୍ଚୁ ପଛକେ, ଆଗ୍ରହରେ ଟିକିନିଖି ଖବର ଟିପି ରଖନ୍ତି ।

 

ରମା ଆଉ ଅପେକ୍ଷା ନକରି ଘର ଭିତରେ ପଶିଗଲା ।

 

ଅମିତ ଶୋଇଯାଇଛି । ବାଳୁତ ସୂର୍ଯ୍ୟର ସୁନେଲୀ ରଶ୍ମୀ ତା ପିଠି ଉପରେ ନେଶି ହୋଇଛି ।

 

ରମା ହସିଲା । କି ଅଦ୍ଭୁତ ମଣିଷଟିଏ ହୋଇଥିବେ ! ଖରାରେ ଦେହ ତାତି ଯିବଣି, ତଥାପି ନିଦ ଭାଙ୍ଗୁନାହିଁ । ଇଚ୍ଛାକଲା ଅମିତ ବାବୁଙ୍କୁ ବଡ଼ ପାଟିରେ ଡାକି ଉଠାଇ ଦେବ ।

 

କିନ୍ତୁ କଣ ଭାବିବେ ସେ ? ନା, ତାହା ଶୋଭନୀୟ ହେବ । ସେ ଫେରି ଆସିବାକୁ ବସିଛି, ଦୟା ଆସି ପହୁଞ୍ଚିଗଲା ।

 

ତମେ ଆସିଥିଲ ଦେଈ ? ଦୟା ପଚାରିଲା ।

 

ହଁ । କିନ୍ତୁ କୁଣୁଆ ଓ ଉଠିନାହାନ୍ତି । ସେଥିପାଇଁ ଫେରି ଯାଉଛି

 

ଉଠାଇ ଦେବେ ?

 

ନାଁ, ଥାଆନ୍ତୁ । ଉଠିଲେ ପଠାଇ ଦେବୁ । ବାପା ତେଣେ ଖାଇବେ ବୋଲି ଅପେକ୍ଷା କରିଛନ୍ତି ।

 

ଅମିତର ନିଦ ଭାଙ୍ଗି ଗଲା । ଦିନର ପ୍ରଥମ ଦୃଷ୍ଟି ପଡ଼ିଲା ରମା ଉପରେ । ରମା ମୁହଁରେ ସକାଳୁ ନୂଆ ଖରା ପଡ଼ିଛି । ସେ ଆଉଟା ସୁନା ପରି ଝଟକ ଯାଉଛି । ଏତେ ରୂପ, ଏତେ ସ୍ଵାସ୍ଥ୍ୟର ଏକତ୍ର ସମାବେଶ ସେ ଏହା ପୂର୍ବରୁ ଦେଖିଥିଲେ ବୋଲି ମନ ପଡ଼ୁନାହିଁ । ସୁନା ଦେହକୁ ସଜ୍ଜିତ କରିବାର କୌଣସି ଯତ୍ନ ନାହିଁ । ସେ ଆପେ ଆପେ ଝଳୁଛି । ସତେ ଯେମିତ ପ୍ରକୃତିର ଅବାଧ ସ୍ନେହ, ସରାଗ ପାଇ ବଢ଼ି ଆସିଛି । ବିଭିନ୍ନ ଋତୁର ପର୍ଯ୍ୟାପ୍ତ ଆର୍ଶୀବାଦ ପାଇ ଛିଡ଼ା ହୋଇଛି । ତା ଆଖିର ସୁନୀଳ ଆକାଶର ଭାଷା, ମୁହଁରେ ସବୁଜ ବନାନୀର ଶୋଭା ସମ୍ପଦ । ପ୍ରକୃତିର ଅଲିଅଳ କନ୍ୟାଟିଏ ଯେମିତି ! ଅମିତ ଶୋଇ ଶୋଇ ରମାର ସ୍ଵାଭାବିକ ବିକାଶକୁ ଉପଭୋଗ କରୁଥିଲା ।

 

ରମା ଅମିତ ଆଡ଼କୁ ଅନେଇ ଦେଇ ଚାଲିଯିବାକୁ ବାହାରରୁଛି, ଅମିତର ନିଦାବୋଳା ଅଳସ ଆଖି ସଙ୍ଗରେ ତାର ତୀର୍ଯ୍ୟକ ଆଖିର ରେଶମୀ ଚାହାଣୀ ମିଶିଗଲା । ରମାର ମନ ଭିତରେ ଶିହରଣ ଦେଖାଗଲା କି ନାହିଁ ଜଣା ପଡ଼ିଲା ନାହିଁ । ସେ ଆଖି ଫେରାଇ ଦୟାକୁ କହିଲା, ହେଇଟି ଉଠିଲେଣି । ତୁ ସଙ୍ଗରେ ନେଇ ଆ । ମୁଁ ଆସୁଛି ।

 

ଅମିତ ରମା ଘରକୁ ଯାଉ ଯାଉ ଭାବୁଥିଲା, ଝିଅଟା ଅଜବ ଝିଅଟିଏ ! ସତେ ଯେମିତି ସେ ତରୁଣୀ ଜାତି କ୍ରମରେ ଏକ ଅଦ୍ଭୁତ ବ୍ୟତିକ୍ରମ ! ଏତେ ରୂପ, ଏତେ ଗୁଣ ପାଇବି ବାହାଦୂରୀ ନେବାର ପ୍ରୟାସ ନାହିଁ । ଝିଅଟା ଏତେ ପାଖରେ, ଅଥଚ ମନେହୁଏ ଯେମିତି ଅନେକ ଦୂରରେ ।

 

ଅମିତର ମନେ ପଡ଼ିଥିଲେ ଅନେକ ସହରୀ କନ୍ୟା ! ସେମାନେ ଦେହର ଐଶ୍ଵର୍ଯ୍ୟ ପ୍ରତି ସଚେତନ ! ଶାଢ଼ୀ, ବ୍ଲାଇଜ୍ ଆଉ ସାୟା ସୁଶୋଭିତ ଶରୀରକୁ ଲୋକ ଲୋଚନ ସମ୍ମୁଖରେ ବାଢ଼ି ଥୋଇବାକୁ ପ୍ରାଣାନ୍ତକ ଚେଷ୍ଟା କରନ୍ତି । ନୂଆ ଯୁବକ ପ୍ରଲୁବ୍‌ଧ ହୁଏ । ତରୁଣୀର ରୂପାନଳ ଭିତରେ ଅବଗାହନ କରିବାକୁ ଲଳାୟିତ ହୁଏ । ରୂପ ଅନଳ ତେଜରେ ପକ୍ଷ ପଛକେ ବିଚ୍ଛିନ୍ନ ହେଉ, ତଥାପି ଉଦ୍ୟମର ଅନ୍ତନାହିଁ । ତା ଆଖିରେ, ତରୁଣୀ କେବଳ ରକ୍ତ ମାଂସର ପରିପ୍ରକାଶ ନୁହେଁ, ଜୀବନ ଯୌବନର ସାର୍ଥକ ଭାଷା । ଆଉ ତାହା ଯେମିତି ଏ ଜୀବନର ସର୍ବପ୍ରଥମ ଓ ସର୍ବଶେଷ ଲକ୍ଷ୍ୟ

 

ରୂପ ସଚେତନ ସହରୀ କନ୍ୟା ବିଜୟର ଧ୍ଵଜା ଉଡ଼ାଇ ଚାଲିଯାଏ । କେତୋଟି ଚପଳ ଯୁବକକୁ ଆକୃଷ୍ଟ କରି ପାରୁଛି ବୋଲି ଗର୍ବରେ ଫୁଲିଉଠେ । ସେ ଅଦୃଶ ରହସ୍ୟମୟୀ ହେବାକୁ ଚେଷ୍ଟା କରେ । ନିଜ ଜୀବନର ସଂଜ୍ଞା ନିରୂପଣ କରି ନପାରି ସେ ବିଶୃଙ୍ଖଳ ହୁଏ । ତା ଆଗରେ ବିଶୃଙ୍ଖଳ ଜୀବନଯାପନର ଅନ୍ୟନାମ ଯୌବନ । ଚଞ୍ଚଳ ଆଉ ଚପଳ ହେବା, ଯୌବନର ସହଜ ସୁଲଭ ପ୍ରକୃତ ପ୍ରେମ ଉପରେ ଆଧ୍ୟାତ୍ମିକ ଅର୍ଥ ପ୍ରୟୋଗ କରିବା ପରିବର୍ତ୍ତେ ତାକୁ ହସଖୁସିର ଖେଳ ବୋଲି ଭାବିନିଅନ୍ତି । ରଙ୍ଗିନ ନିଶାରେ ପୃଥିବୀକୁ ଅନାଇଲେ ପ୍ରତିଟି ପଦାର୍ଥ ନୂଆ ଲାଗେ । ସେମାନେ ମନେ କରନ୍ତି, ସମୁଦାୟ ପୃଥିବୀ ବୋଧହୁଏ ଏଇଆ ! ପ୍ରତ୍ୟେକ ଗଛରେ ଫୁଲ ଫୁଟେ ପ୍ରତ୍ୟେକ ଫୁଲରୁ ଫଳ ଧରେ ।

 

କେତେ ଗଛରେ ସେ ଫୁଲ ଫୁଟେ ନାହିଁ, ତାହା ସେମାନେ ଭୁଲି ଯାଆନ୍ତି । ଫଳ ଧରିବା ପୂର୍ବରୁ କେତେ ଫୁଲ ଯେ ମଉଳି ଯାଇ ମାଟିରେ ମିଶିଯାଏ, ତାର କଳନା କରନ୍ତି ନାହିଁ ।

 

ଆସ ବାବା, ଭିତରକୁ ଆସ ! ରମାଘର ପିଣ୍ଡାରେ ଠିଆ ହୋଇ ବୃଦ୍ଧ ଜଣେ ଡାକୁଛନ୍ତି । ରମାର ବାପା ବୋଧହୁଏ । ହାଡ଼ୁଆ ମୁହଁର ପେଜୁଆ ଆଖି ଦି'ଟା ରେ ଅସ୍ତ ବୟସର ନିଷ୍ପ୍ରଭ କାହାଣୀ ମିଶିଛି । ଅଧା ହାତ ଆଉ କଲର ନ ଥିବା କାମିଜ ଖଣ୍ଡେ ପିନ୍ଧିଛନ୍ତି । ଦେହର ଛାଞ୍ଚ ଦେଖିଲେ ମନେହେବ, ପ୍ରଥମେ ବଳିଷ୍ଠ ଚେହେରା ଥିଲା । ବୟସ ସବୁ ସାରି ଦେଇଛି । କିନ୍ତୁ, ମୁହଁରୁ କେମିତି ଏକ ଜ୍ଞାନ ଆଉ ଗାରିମାର ଦୀପ୍ତି ବାହାରୁଛି । ସେଇଟି ଉନ୍ନତ ରୁଚିର ପରିଚାୟକ-

 

ରମା ଚା’ ବସାଇଛି । ଆସ ବାବା, ଭିତରକୁ ଆସ ! ବୁଢ଼ା ଆଉଥରେ କହିଲେ ।

 

ମୋର ଅନେକ ଡେରି ହେଲା । ଅମିତ ନମସ୍କାର ଜଣାଉ ଜଣାଉ କହିଲା । ଆଜି ବହୁତ ବେଳଯାଏ ଶୋଇ ପଡ଼ିଲି ।

 

ବାଟ ଚଲାଟା କମ ଦୁଃଖ ନୁହେଁ ବାବା ! ଶୁଣିଲି କାଲି ବର୍ଷା ପାଗରେ ଏଇଠି ପହଞ୍ଚିଲା-। ପରିଶ୍ରମ ତ କମ ନୁହେଁ ! ଚାଲିବାର ଅଭ୍ୟାସ ଥିଲେ ସେ କଥା ଅଲଗା ।

 

ଅମିତ ବୃଦ୍ଧଙ୍କ ସଙ୍ଗରେ ଘର ଭିତରେ ପଶୁ ପଶୁ କହିବାକୁ ଲାଗିଲା, ଲଛିପୁର ଚାଲି ଯାଇଥାନ୍ତି । ଦୟା ମନାକଲା । ବର୍ଷା ପାଗରେ ଯାଇ ବି ପାରିଲିନାହିଁ । ତୁମକୁ ଖାଲି ହଇରାଣ କଲି ।

 

ହଇରାଣ କଣ ବାବା ! ଏଇ ମଫସଲ ଭିତରେ ଆମେ ପଡ଼ିଥାଉଁ । ତୁମ ପରି ସହରର ଲୋକ ଆସିଲେ, ଦି ଚାରିପଦ କଥା ଶୁଣିବାକୁ ଆଗ୍ରହ ଲାଗେ । ରାତିରେ କାଲି ଶୋଇ ଯାଇଥିଲା-। ଶୁଣିଲି ରମା ତୁମ ପାଇଁ ଭଜା ଦିଖଣ୍ଡ ପ୍ରସ୍ତୁତ କରିଥିଲା । କିନ୍ତୁ ଜାଣ ବାବା, ସେଥିପାଇଁ ମନ ଖୁବ୍‌ଖୁସି । କାମ କଲେ ବରଂ ସେ ଆନନ୍ଦ ପାଏ ।

 

ସପଖଣ୍ଡେ ଉପରେ ବୃଦ୍ଧ ଆଉ ଅମିତ ପାଖାପାଖି ହୋଇ ବସିଲେ । ରମା ଚା’ ଦେଇଗଲା । ଚା’ ସଙ୍ଗକୁ ତଟକା ମୁଢ଼ି ।

 

ଅମିତ ଖାଲି ଚା’ ଖାଉଥିଲା ।

 

ଖାଲି ଚା’ କେବେ ପିଇବନି ବାବା ! ପେଟ ଗରମ କରେ । ଚା’ ଖାଇବା ପୂର୍ବରୁ କିଛି ନା କିଛି ତୁଣ୍ଡରେ ପକାଇବା ଦରକାର । ଈଶ୍ଵରପାଲିରେ ଜଳଖିଆ, ବିସ୍କୁଟ ସପନ । ମୁଢ଼ି ଗଣ୍ଡେ ଖାଇଦିଅ ।

 

ଅମିତ ଆଉ ବୃଦ୍ଧଙ୍କର ଚା’ ଖିଆ ପର୍ବ ଶେଷ ହେଲା ।

 

ବୃଦ୍ଧ କିନ୍ତୁ ନୀରବ ରହି ପାରିଲେ ନାହିଁ । କହିଲେ, ବୁଝିଲ ଅମିତ ! ଆଜିକାଲିକାର ଦୁନିଆ କ୍ରମେ ଜଟିଳ ଆଡ଼କୁ ଗତି କରୁଛି । ମୋର ଧାରଣା ଥିଲା, ଲୋକ ସ୍ଵାଧୀନ ଆଉ ଶିକ୍ଷିତ ହେଲେ ଗାଁ ଗହଳିର ଆଭିମୁଖ୍ୟ ବଦଳିଯିବ । ଲୋକେ ସଂଯତ ଆଉ ସହ୍ୟ ହେବେ । କିନ୍ତୁ ଦେଖୁଛି, ସ୍ଵାଧୀନତା ପ୍ରାପ୍ତିର ବର୍ଷ କେତେଟାରେ ସବୁକିଛି ଗୋଳମାଳ ହୋଇଯାଇଛି । ସ୍ୱାଧୀନତା ପରେ ଲୋକେ ବିଶୃଙ୍ଖଳା ହୋଇ ପଡ଼ିଛନ୍ତି । କାହାରିର ଜଣକର ହେଲେ ଦାୟିତ୍ଵବୋଧ ଜ୍ଞାନ ନାହିଁ-। ବୟସରେ ବଡ଼ଥିବା ଲୋକଙ୍କୁ ଯେ ସମ୍ମାନ ଦେବାକୁ ହୁଏ, ଏକଥା କନିଷ୍ଠମାନେ ଭୁଲିଗଲେଣି । ବରଂ ଜ୍ୟେଷ୍ଠମାନଙ୍କୁ ଦେଖିଲେ ସେମାନେ ଉପହାସ କରୁଛନ୍ତି । ଈଶ୍ଵରପାଲିର ତୁଳନାରେ ଲଛିପୁରଟା ଅପେକ୍ଷାକୃତ ଶିକ୍ଷିତ ଓ ସଭ୍ୟ ହେଲେବି, ଏଇ ଈଶ୍ଵରପାଲିର ସଂସ୍କାର ନାହିଁ ସେଇଠି-। ଯିଏ ଯାହାକୁ ତିନିହାର ଚାଖଣ୍ଡେ । କେହି କାହା କଥା ମାନିବେ ନାହିଁ କି ଶୁଣିବେ ନାହିଁ । ଯାହାର ମନକୁ ଯାହା ଆସୁଛି କର ଯାଉଛି । ଏଡ଼ିକି ଟିକିଏ ଛୋଟ ଗାଁ ସିନା, ସେଇଠି କିନ୍ତୁ ସାହିକି ଗୋଟିଏ ଗୋଟିଏ ଦଳ । ଜାଣିବା ଶୁଣିବା ଲୋକମାନେ ଆଖିବୁଜି ଆଡ଼େଇ ହୋଇ ଯାଉଛନ୍ତି । ଗାଁ ଚଳୁଛି ଅଜ୍ଞାନ, ଅପଖଣ୍ଡ ଯୁବକ ଦଳ ହାତରେ । ସକାଳ ପାହିଲେ, ପରିଛିଦ୍ର ଆଉ ପର ନିନ୍ଦା । ଖାଲି ଅଧୋଗତିର ଲକ୍ଷଣ ବାବୁ, ଆଉ କିଛି ନୁହେଁ । ତୁମ ସହର କଣ ଏମିତିକା ?

 

ଅମିତ ବୁଢ଼ାଙ୍କ ପ୍ରଶ୍ନରେ ଚକିତ ହେଲା । କେଉଁ ଗାଁରେ ଯେ ବିଭ୍ରାଟ ନାହିଁ ଏମିତି କଥା ନାହିଁ । କିନ୍ତୁ ପରିମାଣଟା ! ସବୁ ସ୍ଥାନରେ ସମାନ ନୁହେଁ । ସହର ଭିତରେ ଜାଲ, ଡକାୟତୀ, ମୋକଦ୍ଦମା ସଂଖ୍ୟା ବଢ଼ୁଛି । କିନ୍ତୁ ଶିକ୍ଷିତ ଲୋକେ ଏସବୁ କଥାରେ ସଂପୃକ୍ତ ନୁହନ୍ତି । କାରଣ ସେମାନେ ଦିନସାରା ନିଜ ନିଜ କର୍ତ୍ତବ୍ୟରେ ନିମଗ୍ନ । କିଏ ବ୍ୟବସାୟ କରୁଛ ତ କିଏ ଚାକିରୀ କରୁଛି । ପରଛିଦ୍ର ପରିନିନ୍ଦା କରିବାକୁ ସମୟ କାହିଁ ! ସେ ସହଜ କଣ୍ଠରେ ଉତ୍ତର ଦେଲା, ସରରର ଲୋକଙ୍କ ଭିତରେ ଯେ ମନୋମାଳିନ୍ୟ ନାହିଁ ଏକଥା କହି ହବନାହିଁ । କିନ୍ତୁ ପ୍ରକାଶ୍ୟ ଭାବରେ କେହି କାହାରିର ଅନିଷ୍ଟ କରିବାକୁ ସାହସ କରେ ନାହିଁ ।

 

ସେ କଥା ବୁଝିଛି ବାବା ! ସହରର ହେଉ କି ଗ୍ରାମର ହେଉ, ମଣିଷ ମାତ୍ରେ ରକ୍ତମାଂସରେ ଗଢ଼ା । ପ୍ରତ୍ୟେକ ଲୋକର ବିଭିନ୍ନ ମତାମତ ରହିଛି । ଏହା ବୋଲିତ ମତାମତ ନେଇ ସେମାନେ ଦାଣ୍ଡ ଉପରେ ମଲ୍ଲଯୁଦ୍ଧ ଆରମ୍ଭ କରି ଦିଅନ୍ତି ନାହିଁ । ତାହାହେଲେ ପଶୁ ଆଉ ମଣିଷ ଭିତରେ ଥିବା ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ରହିବ ନାହିଁ । କିନ୍ତୁ ଶୁଣିଲେ ଅବାକ ହେବ, ଲଛିପୁରର ବାସିନ୍ଦା ଦିନ ଦି’ ପହରରେ ପରସ୍ପର ଭିତରେ କଳି କରନ୍ତି । ବ୍ୟକ୍ତିଗତ କାରଣରୁ ଦଳ ସୃଷ୍ଟିହୁଏ । ସବୁ ମାନବିକତାକୁ ଜାଳିପୋଡ଼ି ପାଉଁଶ କର, ଶିକ୍ଷା ଓ ସଭ୍ୟତାର ଗଳା ଚିପି ସେମାନେ ଠେଙ୍ଗାବାଡ଼ି ନେଇ ଯୁଦ୍ଧ ଘୋଷଣା କରନ୍ତି । ଅନ୍ୟାୟର ପ୍ରତିବାଦକୁ ସହିନେବାର ବିବେକ ପାଇନାହାନ୍ତି । ସେଇଥିପାଇଁ ମୁଁ ଆଜି ଗ୍ରାମତ୍ୟାଗୀ ! ବଢ଼ିଲା ଝିଅକୁ ନେଇ ଦହଗଞ୍ଜ ହେଉଛି ।

 

କିନ୍ତୁ ତୁମେ ଯେ ଅନ୍ୟାୟ କରିବା ଲୋକ ବୋଲି ମନ ହେଉନ, କି ଅପରାଧ କରିଥିଲ-?

 

ଅପରାଧ କଥା ଶୁଣିବ ? ଅପରଧା କରିଥିଲି, ଲଛିପୁରର ସାନ ସାନ ପିଲାଙ୍କୁ ପାଖରେ ବସାଇ ପାଠ ପଢ଼ାଇବା ଦ୍ଵାରା । ଅପରାଧ ହେଲା ବିଦେଶୀ କଣ୍ଟ୍ରାକଟର ବର୍ବରତାକୁ ପ୍ରଶ୍ରୟ ନ ଦେବା ଦ୍ଵାରା । ଗ୍ରାମସଭା ମୋର ଦୋଷ ବାଛିଲା । ସକାଳ ପାହିଥିଲେ ଯିଏ ମୋର ସମୁଦି ହୋଇଥାନ୍ତା, ସେ ମୋତେ ଅପମାନ ଦେଲା । ମୁଁ ଉପାୟନ୍ତର ହୋଇ ଲଛିପୁର ଛାଡ଼ିଲି ।

 

ବୁଢ଼ାଙ୍କ ଆଖିରୁ ଲୁହ ବୋହୁଥିଲା । ସେ ଏହି ଲୁହ ମାଧ୍ୟମରେ ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ପ୍ରତିବାଦ ଜଣାଉଥିଲେ ।

 

ବୁଢା ନିଜକଥା କହୁ କହୁ ସ୍ଥାନକାଳପାତ୍ରର ବିଚାର ରଖନ୍ତି ନାହିଁ । ଏହି ଗାଁ ଛାଡ଼ିବାର କଥା ପଡ଼ିଲେ କାନ୍ଦି ପକାନ୍ତି । ଲଛିପୁରଟା ତାଙ୍କର ଅତି ପ୍ରିୟ ଥିଲା । ସେହି ଗାଁର ପ୍ରତିଟି ଗଛ ପତରକୁ ସୁଦ୍ଧା ସେ ସ୍ନେହ କରୁଥିଲେ । ଗାଁରେ ଶିକ୍ଷାର ଦୀପାଳୀ ଜାଳିବାକୁ ଚାହିଁ ଅବୈତନିକ ଭାବରେ ଶିକ୍ଷକତା କରୁଥିଲେ । ଗାଁକୁ ଆଦର୍ଶ କରି ତୋଳିବାକୁ ପ୍ରାଣାନ୍ତକ ଚେଷ୍ଟା କରୁଥିଲେ । କିନ୍ତୁ ସେ କଥା କଳ୍ପନାରେ ହିଁ ରହିଗଲା । ଏଇନେ ପଛକଥା ମନେ ପକାଇ କାନ୍ଦୁଛନ୍ତି ।

 

ରମା ବାପାଙ୍କ କାନ୍ଦକୁ ସହିପାରିଲା ନାହିଁ । ରନ୍ଧାଘରୁ ବାହାରି ଆସି କହିଲା, ସେ ଲଛିପୁର ଯିବେ ବାବା ! ତେଣେ ଉଛୁର ହେଉଛି ଯେ !

 

ବୃଦ୍ଧ ପ୍ରକୃତିସ୍ଥ ହେଲେ । ଆଖିରୁ ଲୁହ ପୋଛି କହିଲେ, ଆରେ ମୁଁ ଯେ ଭୁଲି ଯାଉଥିଲି-। ତୁମେ ପରା ଲଛିପୁର ଯିବ ବାବା ! ବାଟ ତ ଅତି ସାମାନ୍ୟ । ଯେତିକି ଦିନ ରହିବ, ସମୟ ଦେଖି ଆସୁଥିବ ବାବା ! କଥାବାର୍ତ୍ତା ହେବା । ମୋର ମନେହୁଏ, ରବି ବି’ ବିଦେଶରୁ ଆସିବ । ହଁ, ହଁ, ଚିଠି ପାଇବା ମାତ୍ରକେ ଚାଲି ଆସିବ । ତୁମକୁ ଦେଖିଲେ ସେ ବି' ଖୁସିହେବ ।

 

ରବି ଭାଇ ପାଖକୁ କଣ ଚିଠି ଲେଖିଛ ବାବା ? ରମା ପଚାରିଲା ।

 

ହଁ ରେ ମା ! ନ ଲେଖି ରହିପାରିଲି ନାହିଁ । ସେ ଆସି ଏସବୁ କଥା ନିଜ ଆଖିରେ ଦେଖିନେଉ । ଯାହା ବିଚାର କରିବ ସେଇଆ ହେବ ।

 

ଅମିତ ସେଇଠୁ ଉଠି ଛିଡ଼ାହେଲା ।

 

ଦୟା ବାହାର ପିଣ୍ଡାରେ ଅପେକ୍ଷା କରିଥିଲା ।

 

ଅମିତକୁ ବଳେଇ ଦେବାପାଇଁ ରମାବାପା ଦାଣ୍ଡଯାଏ ଆସିଲେ । ବାପା ପଛକୁ ରମା ବି’ ଆସିଥାଏ । ସେମାନଙ୍କ ବ୍ୟବହାରରେ ମମତା ମିଶିଥାଏ । ଗୋଟାଏ ଦିନର ପରିଚୟ ଭିତରେ ଅମିତ ସେ ମମତା-ଫାଶରେ ବାନ୍ଧି ହୋଇ ଯାଇଥାଏ । ସେ ନମସ୍କାର କରି ବିଦାୟ ନେଲା ।

 

ଅମିତ ରମାକୁ ଶେଷଥର ପାଇଁ ଚାହିଁଲା । ରମା ସେତେବେଳେ ପିନ୍ଧା ପଣତରେ ଆଖି ପୋଛୁଥାଏ । ଅମିତକୁ ଦେଖି ମୁଣ୍ଡ ପୋତିଦେଲା ।

 

Unknown

ଦାମୋଦର ବାବୁ ଭାବୁଥିଲେ, ଅମିତ ଶିକ୍ଷିତ ପିଲାଟିଏ ପରି ମନେ ହେଉଛି । ରମାର ପୁନର୍ବିବାହ କଥା ନେଇ ଆଲୋଚନା କରିଥିଲେ ହୋଇଥାନ୍ତା । କିନ୍ତୁ... ନାଁ । ଥାଉ ଆଉଥରେ ଆସିଲେ ଦେଖାଯିବ ।

 

ଏଇ ଲଛିପୁରଟା ସାମନାରେ ।

 

ଲଛିପୁର ଆଉ ଈଶ୍ଵରପାଲି ମଝିରେ ଗୋଟିଏ ନାଳ । ତା ନାଁ ନାହିଁ । ଅଳ୍ପ ତଳେ ନାଳଟି ଯାଇ ନଦୀରେ ପଡ଼ିଛି । ବଢ଼ି ହେଲେ ନଦୀର ପାଣି ଆସି ନାଳଟାକୁ ଫୁଲାଇ ଦିଏ । ଗର୍ଭିଣୀ ସ୍ତ୍ରୀ ପରି ସେ ସ୍ଫୀତା ହୁଏ । ତାର ଅବୟଗୁଡ଼ିକ ଅସମ୍ଭବ ଭାବରେ ବଢ଼ିଯାଏ । ଦିନ ଦୁଇଟାକୁ ପୁଣି ଯୋଉ କଥାକୁ ସେହି କଥା । ଆଣ୍ଠୁଆ ହେବ ପାଣି । ଦର୍ପଣ ପରି ଝଳ ଝଳ । ଶଯ୍ୟାରେ ସରୁ ସରୁ, ଟିକି ଟିକି ନଈବାଲି । ଶଗଡ଼ ଚାଲିଲାବେଳେ ଚକ ଦୁଇଟା ହାଲୁକା ବାଲିରେ ପୋତି ହୋଇଯାଏ । ଶଗଡ଼ିଆ ଓହ୍ଲାଇ ପଡ଼ି ଆଣ୍ଠୁ ଲୁଗା ଟେକିଦେଇ, ବଳଦ ଲାଙ୍ଗୁଡ଼ରେ ହାତ ଦିଏ । ଦିନେ ଦିନେ ଅକାଳ କଥା ପରି ସରକାରୀ ଜିପଗାଡ଼ି ଆସିବାର ବରାଦ ଥିଲେ ନାଳ ଛାତିରେ ଡାଳ ପଡ଼େ । ଜିପଗାଡ଼ି ଆସିବାରେ ସୁବିଧା ହୁଏନାହିଁ । ଦି’ ଗାଁର ଝାଙ୍କର ବେହେରା ସେ ଦାୟିତ୍ଵ ତୁଲାନ୍ତି ।

 

ନାଳରେ ସବୁଦିନେ ବାଲି ପଡ଼ିଥାଏ ବୋଲି ତା ନାଁ ବାଲିନାଳ !

 

ଖରାଦିନେ ଆଖୁ କିଆରୀକି ପାଣି ବଳାହୁଏ । କ୍ଷେତ ତଳର ଗହୀର ହୁଡ଼ା ଶୁଖାଇ ଉଭୟ ଗାଁର ଲୋକେ ମାଛ ମାରନ୍ତି । ବାଲିନାଳ ଅନେକ କାମରେ ଲାଗେ ।

 

ଦୟା ଆଉ ଅମିତ ଆଗପଛ ହୋଇ ଚାଲୁଥିଲେ ।

 

ଲଛିପୁରର ଇସ୍କୁଲ ଘର ସ୍ପଷ୍ଟ ଦିଶୁଛି । ସରକାରୀ କୋଠାବାଡ଼ି କେଇଟି ଗଣିହୋଇ ଯାଉଛି । ‘ପଠାଣ ଡିହ’ ଉପରେ ଖଣ୍ଡିଆ ଭୂତ ପରି ଛପର ଘରଟିଏ ଛିଡ଼ାହୋଇଛି । ଝଙ୍କା ବରଗଛ ଡାଳରେ ଅନେକ ପକ୍ଷୀ ମିଶି ଗହଳ କରୁଛନ୍ତି । ଯାତାୟତ କରୁଥିବା ଲୋକବାକ ଅତି ଛୋଟ ଆଉ ଅସ୍ପଷ୍ଟ ଦେଖାଯାଉଛନ୍ତି । ଖଣ୍ଡ ଦୂରକୁ ମଉନ ପାହାଡ଼ଟା ତପସ୍ଵାମଗ୍ନ ସନ୍ନ୍ୟାସୀ ପରି ବସିଛି । ଦେହରେ ସାଗୁଆ ରଙ୍ଗର ଚାଦର । ଖରା ବର୍ଷା ଦାଉରୁ ମଉନ ପାହାଡ଼କୁ ରକ୍ଷା କରିବା ପାଇଁ ଅନାମିକା ଗଛଟିଏ ଡାଳପତ୍ର ମେଲାଇ ଛତ୍ରପରି ଛଡ଼ା ହୋଇଛି ।

 

ଲଛିପୁରର ଯେ କୌଣସି ପୁରୁଣା ଘରଠାରୁ ମନମୁହାଁ ‘ବାର ପାହାଡ଼’ ପୁରୁଣା । ସେ ଏ ଗାଁର ପ୍ରଥମ ସୃଷ୍ଟି ଦେଖିଛି । କେତେ ଲୋକ ଲଙ୍ଗଳା ହୋଇ ଗାଁ ଦାଣ୍ଡରେ ଖେଳି ବୁଲି ମଣିଷ ହେଲେ । ସେମାନେ ପୁଣି ବୁଢ଼ା ହୋଇଯାଇ ପୁଅ ନାତିଙ୍କୁ ପ୍ରତିନିଧି ରୂପେ ରଖି ଦେଇ ଆଖି ବୁଜିଲେ । ଆଜିର ମାମଲତକାର ବୋଲାଉ ଥିବା ଲଛିପୁରର ପୁରୁଖା ଲୋକ, ସେହି ଲଙ୍ଗଳା ହୋଇ ବୁଲୁଥିବା ଓ ପରେ ବୁଢ଼ା ହୋଇ ଆଖିବୁଜି ଦେଇଥିବା ପୂର୍ବ ବଂଶଧରମାନଙ୍କୁ କେତେ ପୁରୁଷର ପଣନାତି କିଏ କହିବ ? ଦୁନିଆରେ କେହି ଚିର ହୋଇ ରହି ନାହିଁ କି ରହି ପାରିବେ ନାହିଁ-। ନିଜର କାଳବେଳ ଟିକକ ସରିଗଲେ, ଯେଝା ସ୍ଥାନକୁ ଫେରଯିବେ । କିନ୍ତୁ ଜୀବିତ ମଣିଷ କେବେହେଲେ ଭୁଲରେ ସୁଦ୍ଧା ସେସବୁ ଭାବିନାହିଁ । ‘ବାର ପାହାଡ଼’ ମଣିଷର ଏହି ଅଢ଼େଇ ଦିନିଆ ଭାବନା ଦେଖି ଠୋ ଠୋ ହୋଇ ହସେ । କାହାକୁ କ’ଣ କହିହେବ ? କହିଲେ ବି’ କିଏ ତା କଥା ଶୁଣିବ ? ତା’ଠାରୁ ବରଂ ନୀରବ ରହିବା ଭଲ । ଏ ଜାତି ଆପେ ଆପେ ଯେତେବେଳେ ନିଜ ଭଲମନ୍ଦ ବୁଝିପାରିବ, ସେଦିନ ସେ କଥା କହିବ । )

 

ଚଲାବାଟରେ ଦୟାନିଧି ଏହି ଈଶ୍ୱରପାଲିର ପୁରୁଣା ଇତିହାସ କଥା ବଖାଣୁଥିଲା । ଅନେକଦିନ ପରେ ଈଶ୍ୱରପାଲି ବଣ ଜଙ୍ଗଲରେ ପୂରି ଥିଲା । ଯୁଆଡ଼େ ଦେଖିବ, ଠିଆ ଠିଆ ଶାଳ ଗଛ । ହରିଡା, ବାହାଡ଼ା, ଶାହାଡ଼ା ଗଛର ଝଙ୍କାଳିଆ ଶାଖା ପ୍ରଶାଖା । ମଝିରେ ଶରଡ-ହୁଳା-ବାଟ-। ଦିନ ଦି’ପହରେ ବାଘ ଭାଲୁ ଗତାଗତ କରନ୍ତି । ମଣିଷକୁ ଡରନ୍ତି ନାହିଁ କି ମାନନ୍ତି ନାହିଁ । ଗନ୍ଧ ବାଛି ମାଈବାଘ ନିଃସଙ୍ଗ ପଥିକ ଉପରକୁ ଲାମ୍ପ ମାରେ । କିନ୍ତୁ ଦିନେ ସେହି ଅରମା ଜଙ୍ଗଲର କାଠ ହଣାହେଲା । ଲଛିପୁର ଗାଁର ମେଳ ଆଗରେ ସେହି ଗାଁର ଘାଟ ପରିବାରଟାଏ ହାର ମାନି ପଳାଇ ଆସିଲା ଈଶ୍ୱରପାଲିକୁ । ସେ ଗୋଟିଏ ପରିବାରରୁ ଜନ୍ମ ହେଲା ବାରଟି ପରିବାର । ଜଙ୍ଗଲ ସଫା କରି ବିଲ କଲେ ।

 

ଲୋକଗହଳି ଦେଖି ବଣର ଜନ୍ତୁ ନିରାପଦ ସ୍ଥାନକୁ ପଳାଇଗଲେ । ସେହିଦିନଠୁ ଲଛିପୁର ଗାଁର କୌଣସି ପରିବାର ସେ ଗାଁରେ ରହି ନ ପାରିଲେ ଈଶ୍ୱରପାଲିକୁ ପଳାଇ ଆସନ୍ତି । ରମା ଘର ବି’ ସେମିତି ପଳାଇ ଆସିଲେ ବାବୁ ! ବିନା କାରଣରେ ତାଙ୍କ ଉପରେ ପଡ଼ୁଥିବା ବଦନାମକୁ ସହି ପାରିଲେ ନାହିଁ । ମାଷ୍ଟରବାବୁ ଚାହୁଁଥିଲେ ଗାଁର ଉନ୍ନତି, ଗ୍ରାମବାସୀଙ୍କର ଉପକାର-। କିନ୍ତୁ ଲଙ୍କାରେ କି ହରିଶଦ୍ଦ କେବେ ଶୋଭା ପାଏ ?

 

ଅମିତ ଏହି ମାଷ୍ଟର ପରିବାର ସମ୍ବନ୍ଧରେ ଆହୁରି କିଛି ଜାଣିବାକୁ ଆଗ୍ରହ ପ୍ରକାଶ କରୁଥାଏ ।

 

ବାଟରେ ସେହି ‘ବାଲିନାଳ’ ପଡ଼ିଲା । ରାଧା ଦୟାନିଧିକୁ ଗଛ ଛାଇତଳେ ଅପେକ୍ଷା କରିଥାଏ । ଦୟାକୁ ଦେଖି ଅଳ୍ପ ହସିଦେଲା ।

 

ଅମିତ ଦେଖିଲା, ନବଯୁବତୀଟିଏ ଦୟା ଆଡ଼କୁ ଚାହିଁ ମୁରୁକି ମୁରୁକି ହସୁଛି । ନୂଆ ମନରେ ତାର ବସନ୍ତର ହାତ ବାଜିଛି ବୋଧହୁଏ । ଅନିନ୍ଦ୍ୟ ସ୍ଵାସ୍ଥ୍ୟରେ ଭରା ଫସଲର ଶ୍ରୀ ମିଳିଛି । ଦେହରେ ମେହେର ପୁଅର ତନ୍ତବୁଣା କୁମ୍ଭ ଶାଢ଼ୀଟିଏ । କୁମ୍ଭ ଶାଢ଼ୀର ଗୋଲିପୀ ରଙ୍ଗ ତା’ ଦେହର ରଙ୍ଗ ସଙ୍ଗେ ମିଶି ଯାଉଛି ।

 

ଦୟା କୁ ଦେଖି ଅଳ୍ପ ପଛେଇ ଗଲା ।

 

ଅମିତ ଦୟାର ମନକୁ ବୁଝିପାରି କହିଲା, ତୁ ଥାଆରେ ଦୟା, ବାଟ ତ’ ଏଇ ସରିଆସିଲା । ପୁଣିଥରେ ଦେଖାହେବ ।

 

ଦୟା ଖୁସି ମନରେ ସେଇଠି ଅଟକିଗଲା ।

 

ତମେ ଏମିତି ଅଟକି ଗଲ ଯେ.... ରାଧା ଦୟାନିଧିର ପାଖକୁ ଲାଗିଯାଇ ଧୀରେ ପଚାରିଦେଲା । ମନରେ ତାର ଅସୀମ ଆନନ୍ଦ । ସେତେହେଲେ ଦୟାଟା ଆପଣାର ମଣିଷ । ନହେଲେ ସେ କଣ ଅଟକି ଯାଇଥାନ୍ତା !

 

ତୁ ଆଖି ମାରିଲୁ କାହିଁକି କହିଲୁ ? ଦୟା ପ୍ରଶ୍ନକଲା ।

 

ରାଧା ଛାତିରେ ଛେପ ପକାଇ ଭଙ୍ଗାଗଳାରେ କହିଲା, ଆଖି ମାଇଲି ମୁଁ ? ଏ କ’ଣ କହୁଛ ଭଲା ! ଲୋକେ ଶୁଣିଲେ କ’ଣ କହିବେ ?

 

କଣ କହିବେ ଜାଣିଛୁ ? କହିବେ ରାଧା ମନ୍ତ୍ର ଶିଖିଛି । ମନ୍ତ୍ର ପଢି ଦୟାକୁ ଏମିତ ହଇରାଣ କଲାଣି ଯେ, ବିଚରା ନାକେଦମ୍‌ ।

 

ବାସ, ବାସ ! ମୁଁ କିଏ ଜାଣେ, ଜଣାପଡ଼ିଗଲାଣି ।

 

ତୁ ଜାଣିଛୁ ରାଧା ? ଦୟା ପଚାରିଲା ।

 

ହଁ ।

 

ମୁଁ କି ଜାଣେ ?

 

କହିଲୁ ଜାଣିଛୁ ବୋଲି ?

 

ମୋ ମନ ହେଲା, ଯା’ ।

 

ତୋ ମନହେଲା ? ଦୟା ରାଧାର ବଳିଲା ବଳିଲା ବାହୁ ଦି’ଟାକୁ ଧରି ଭିଡ଼ି ଆଣିଲା ତା ଛାତି ପାଖକୁ । ଦେହରେ ଦେହ ଘଷି ହୋଇ ଯାଉଥାଏ । ମନ ଭିତରେ ବିଜୁଳି ନାଚୁଥାଏ । ତା କାନ ପାଖକୁ ମୁହଁ ନେଇ ପଚାରିଲା, କହିବୁ କି ନାହିଁ କହିଲୁ ?

 

ଏମିତି କଣ କରୁଛ ଶୁଣ ? ରାଧା ବିନୀତ କଣ୍ଠରେ ପଚାରିଲା ।

 

ମୋ ମନହେଲା । ଦୟା ଉତ୍ତର ଦେଲା ।

 

ଲୋକେ ଦେଖିଲେ କଣ କହିବେ ?

 

ଲୋକ କେହି ନାହାନ୍ତି ।

 

ଏ ଗଛ ପତରତ ଅଛି । ଗଛ ଉପର କେତେ ପକ୍ଷୀ ଚାହିଁଲ । ବାରନାଳର ପାଣିଗୁଡ଼ା କଣ କହିବେ ?

 

କହିବେ, ରାଧା ମିଛୁରୀଟାଏ । ଦୟା ଦଣ୍ଡ ଦେଉଛି ।

 

ଛାଡ କହୁଛି । ରାଧା ଭିଡ଼ି ମୋଡ଼ି ହେଲା । ତା’ ଶାଢ଼ୀ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଖୋଷା ଫିଟିବା ଉପରେ । ଆଖିରେ କେମିତି ଏକ ଅଳସିଆ ଚାହାଣୀ ।

 

ଯଦି ନ ଛାଡ଼େ ?

 

ମୁଁ କେବେହେଲେ କଥା କହିବି ନାହିଁ ।

 

କେବେ ନୁହେଁ ?

ନାଁ ।

 

ଆଚ୍ଛା ଭଲକଥା । ମୋ’ ଘରକୁ ବି’ କେବେ ଯିବୁ ନାହିଁ ?

 

ଡାକିଲେ ଯିବି । ନଡାକିଲେ ଦୁଆର ମାଡ଼ିବି ନାହିଁ । ରାଧା ଫୁଲେଇ ହେଲା ।

 

ଆମେ ବାହା ହେବାନି ରାଧା ? ଦୟା ଅଡ଼ୁଆ ପ୍ରଶ୍ନଟିଏ ପଚାରିଲା ।

 

ରାଧା ବଙ୍କେଇ କରି ଚାହିଁଲା ଦୟାକୁ । ଇଏ କେମିତି ମରଦଟାଏ ମ ? ଟିକିଏ ହେଲେ ଲାଜ ନାହିଁ ? ଲୋକଟା ଆଉ କେବେ ବୁଦ୍ଧି ଶିଖିବ କେଜାଣି ! ଏମିତି ମରଦର ହାତ ଧରି ଦିନ କେମିତି ସରିବ ? ତଥାପି ଦୟା ଖୁବ୍‌ଭଲ ଲାଗେ । ତାର ଛୋଟ ଛୋଟ ନିରମାୟା କଥାମାନଙ୍କରେ ମାୟା ଥାଏ । କଥା କହି ମନ ମୋହିନିଏ । ଆଦର କଲେ ଗୋଟାପଣେ ନିଜକୁ ଅଜାଡ଼ି ଦିଏ । ତା’ମୁଣ୍ଡର ବାସୁରି ବାଳଗୁଡ଼ିକ ଟାଆଁସିଆ, ଟାଆଁସିଆ । ତାରି ଭିତରେ ହାତ ମାରିଲେ ସେ ଆନନ୍ଦରେ ଆଖି ବୁଜିଦିଏ । କଣ ଭାବି ଆଖି ଅଧାବୁଜା, ଅଧାଖୋଲା ଆଖିରେ ଥରକୁ ଥର ଅନାଏ । କଉତୁକିଆ ଆଖିରେ ହସୁଥାଏ ଯେମିତି । ତା’ ଚାହାଣୀ ଶରମାରିଲା ପରି ଦେହସାରା ଛପି ଛପି ହୋଇ ଗଳିଯାଏ । ରାଧା ନୀରବରେ ଦୟାନିଧି କଥା ଭାବି ହେଉଥିଲା ।

 

ରାଧାର ନିରବତା ଦେଖି, ଦୟା ଅଭିମାନରେ ନଇଁଗଲା । ଓଦା କଣ୍ଠରେ କହିଲା, ଜାଣେଲୋ ଜାଣେ । ତୁ ମୋତେ ଭଲପାଉନା । ଖାଲି ମୁହଁ ଓପ୍ରଧକୁ ହସୁ । ମୋର କ’ଣ ଅଛି ଯେ ବାହାହେବୁ ? ଘର ନାହିଁ କି ଦ୍ଵାର ନାହିଁ । ଭଙ୍ଗା ଦଦରା କୋଠରୀ ଖଣ୍ଡେ । ବିଲର ଚାଷ ବରଷଟିଏ ଚଳେନାହିଁ । ସଂସାରରେ ନିଜର ବୋଲି

 

କେହି ନାହିଁ ।

 

ଆଉ ଏ ମୋଟାମୋଟା ବାହୁ ଦି’ ଟା ? ରାଧା ଦୟାନିଧିର ଅଭିମାନ କଥା ବୁଝିପାରିଲା ।

 

ଏ ବାହୁ କଣ ସବୁଦିନ ମୋଟା ହୋଇଥିବ ? ରକ୍ତ ମାଉଁସର ଦେହକୁ କ’ଣ ଜର ନାହିଁ କି ଦୁଃଖ ନାହିଁ ?

 

ତଥାପି ଏ ବାହୁ ଦି ଉପରେ ମୋର ବିଶ୍ୱାସ ଅଛି । ଆମେ କେବେ ହେଲେ ଦୁଃଖ ପାଇବା ନାହିଁ । ଖଟି ଖାଇବାକୁ ଦୁନିଆରେ କାମର ଅଭାବ ନାହିଁ । ତମ ଦେହ ଦୁଃଖକୁ ମୁଁ ଥିବି ମୋ ଦୁଃଖବେଳେ ତମେ ଥିବ । ଦୁନିଆର କୌଣସି ବାଧା ମାନିବା ନାହିଁ ।

 

ଦୟା ରାଧାର ଭାବପୂର୍ଣ୍ଣ ମୁହଁଟିକୁ ଆଉଁସୁ ଆଉଁସୁ କହିଲା, ତୁ କେତେ ଭଲ ମଣିଷଟିଏ ଲୋ ? ତୋ ମୁହଁ ଦେଖିଲେ, ମୋ ପେଟ ପୂରିଯାଉଛି । ତୁ ସୁନ୍ଦରୀଟିଏ । ଦୟା ରାଧାର ବେକ ପାଖରେ ହାତ ଟିକକୁ ବୁଲାଇ ନେଇ ଆଖିକୁ ଚାହିଁଥିଲା । ଏହି ଚାହିଁବା ଛଳରେ ମନଟାକୁ ପଡ଼ି ନେଉଥିଲା ଯେମିତି ।

 

ମୋ’ଠୁ କ’ଣ ସୁନ୍ଦର ଝିଅ ନାହାନ୍ତି ?

 

ମୁଁ ଦେଖିନାହଁ କି ଜାଣିନାହିଁ । ମୋ’ ଦେଖିବାରେ, ଜାଣିବାରେ ମୋ ସବୁଠୁ ବଳି ସୁନ୍ଦର-। ମୋ’ ରାଧାର ତଳପାଦର ଧୂଳିକୁ ବି’ କେହି ସରି ହେବେନାହିଁ । ତୋତେ ଏତେ ସୁନ୍ଦର କରି ଗଢ଼ିଲା କିଏ ରାଧା ?

 

ରାଧାର ମୁହଁ ଲାଲ ପଡ଼ି ଆସୁଥିଲା । ଲାଜକୁଳି ଗଛର ପତ୍ର ପରି ସେ ଭିଡିମୋଡ଼ି ହୋଇଗଲା । ଦୟାର ଓସାରିଆ ଛାତି ଭିତରେ ମୁହଁ ଲୁଚାଇ କହିଲା, ତୁମେ ଦିନେ ଦିନେ ନ କହି ଗାଁ ଛାଡ଼ି ଚାଲିଯାଅ । ଦୁଆରକୁ ଆସି ଫେରିଯାଏ । ମନ ମୋର ଦବି ଦବି ଯାଏ । ଯେତେଯାକ ଅଶୁଭ କଥା ଭାବିହୁଏ । ଭାବେ ସତେ କ’ଣ ସେ ଆଉ ଗାଁକୁ ଫେରିବେ ନାହିଁ ? ଦୁର ଗାଁର ମୋହିନୀ ଝିଅର ମୁହଁ ଦେଖି ଅଟକି ଯିବେ ? ମନ ମୋର ଦୁଇ ଭାଗ ହୋଇଯାଏ । ଆରଭାଗକ କହେ, ସେ ସେମିତି ମଣିଷ ନୁହଁ । ମୁହଁ ଟେକି କାହାକୁ ଚାହିଁବେ ନାହିଁ । ଦୀପ ଲାଗିଲେ ଚରି ଯାଇଥିବା ଚଢ଼େଇ ପରି ଫେରି ଆସିବେ ।

 

ଦୟା ରାଧାର ଭାବନାଭରା ମୁହଁକୁ ଥରିଲା ହାତରେ ଟେକି ଧରି ପଚାରିଲା, ମୋ ଉପରେ ତୋର ଏଡ଼ିକି ବିଶ୍ୱାସ ରାଧା ?

 

ଆଉ କାହାକୁ ବିଶ୍ୱାସ କରିବି କହିଲ ? ଏ ମନ ଆଉ ଦେହ ସବୁ ତୁମର । ତୁମେ ଯୁଆଡ଼େ ଯାଅ, ଏ ପ୍ରାଣ ବି ତୁମର ସାଙ୍ଗରେ ଚାଲିଯାଏ । ଖାଲି ଦେହଟାକୁ ନେଇ ଏପାଖ ସେପାଖ ହେଉଥାଏ । କାଲି ବରଷା ରାତିରେ ଆସିଲ ନାହିଁ ବୋଲି କେତେ ଭାବିଛି ଜାଣ ?

 

ମୁଁ ଆସିଥିଲି ରାଧା ! ରାତି ପହରକେ ଘର ମାଡ଼ିଲି । କୁଣୁଆ ଥିଲେ ବୋଲି ଦେଖା ହୋଇ ହେଲାନାହିଁ । ଉପାସ ରହିଥାନ୍ତା କୁଣୁଆ । ରମାଦେଈଙ୍କୁ କହି ଖାଇବା ଠିକଣା କଲି ।

 

ସେ କୁଣୁଆଟି ତମର କିଏ କି ?

 

କେହି ନୁହନ୍ତି । ସହରରୁ ଆସିଥିଲେ । ରାସ୍ତାଉପରେ ଦେଖା ହେଲା । କଥାବାର୍ତ୍ତା ହୋଇ ଘରକୁ ଆସିଲୁ । ତାଙ୍କ କଥାବାର୍ତ୍ତା ମୋତେ ଖୁବ ଭଲ ଲାଗିଲା । ସହରୀ ହୋଇ ବି’ ସହରର ଇତର ଆଚାର ନାହିଁ । ତାଙ୍କ ସାଙ୍ଗରେ କଥାହେଲେ ମନେହେବ, ସତେ ଅବା ଅତି ଆପଣାର । କେଉଁ ଜନମରେ ଭାଇ କି ସଙ୍ଗାତ ଥିଲେ ।

 

ସତରେ ଆମ ରମାଦେଈଙ୍କ ସଙ୍ଗରେ ଯଦି ତାଙ୍କର ବାହାଘର ହୁଅନ୍ତା, କେଡ଼େ ସୁନ୍ଦର ହୁଅନ୍ତା ! ରାଧା ମନ୍ତବ୍ୟ କଲା ।

 

ବାହାଘର କଣ ହାତର କଥା ! ବିଧାତା କଲେ ସାତ ପରବତ ଡେଇଁ ଅଜଣା ଲୋକ ଆସି କୁଆଁରୀ ଝିଅର ହାତ ଧରେ । ଇଚ୍ଛା କଲେ ସବୁ କଥା କରି ହୁଏ ନାହିଁ । ଦୟା ଉତ୍ତର ଦେଲା-

 

କିନ୍ତୁ ମୋ’ ହାତରେ ଯଦି ସବୁକଥା ହୋଇ ପାରଥାନ୍ତାନା, ରମାଦେଈଙ୍କ ପାଇଁ ...ରାଧା ଅଟକିଗଲା ।

 

ପୁରୁଷ ଜାତିରେ ସହନଶୀଳ ମନୋଭାବ ଅଛି । ନାରୀ ଜାତିରେ କିନ୍ତୁ ସେତିକି ନାହିଁ । ନାରୀ ସମବୟସୀ ନାରୀର ପ୍ରଶଂସା କରି ପାରେନାହିଁ । ସେ ଖାଲି ଛିଦ୍ର ଖୋଜେ । ପୁଣି ସେ ରାଧା ବୟସର ନବ ଯୁବତୀ ହୋଇଥିଲେ ରକ୍ଷା ନାହିଁ । ପଚାରିଲେ, ସାଙ୍ଗ ଝିଅର ସହସ୍ର ଦୁର୍ଗଣ ବଖାଣି ଯିବ । ପଦେହେଲେ ଭଲ କଥା ନାହିଁ । ନିଜ କଥା କହିଲାବେଳକୁ ଖୁବ୍‌ ଚିକ୍‌କଣ । ସତେ ଯେମିତି ଗୋଟାକ ଯାକ ତୁଳସୀ ! ନିଜକୁ ପ୍ରକାଶ କରିବାକୁ ଉଚ୍ଛନ୍ନ । ସମର୍ଥକ ପାଇଲେ ଶ୍ରାବଣ ବନ୍ୟା ପରି ମୁହଁର କଥାତକ ବଢ଼ି ବଢ଼ିଯାଏ ।

 

କିନ୍ତୁ ରମା ସତେ ଅବା ନାରୀ ହୋଇ ବି’ ନାରୀ ଜାତିଠାରୁ ଅଲଗା । ସେ ଗୁଣି ଶିଖିଛି-। ମନ୍ତ୍ର ପଢ଼ି ନିଜ ପ୍ରତି ଅପର ହୃଦୟରେ ସହାନୁଭୂତି ଜଗାଇ ପାରୁଛି । ସମସ୍ତେ ତାର ସୁଗୁଣ ଦେଖି ପାରୁଛନ୍ତି । ନିଷ୍ଠାପ,ନିଷ୍କଳଙ୍କ ସୁଗୁଣ ।

 

ରମା କଥା କହି ମନ ମୋହି ନେଇପାରେ । ସବୁ ଦୁଃଖକୁ ହସିରେ ଘୋଡ଼ାଇ ଦିଏ । କିନ୍ତୁ ତା’ ଆଗରେ ହାରମାନେ । ନିଜ ଘର କଥା ସାରି ପର ପାଞ୍ଚ ଜଣଙ୍କ ଖବର ବୁଝେ । ନିଅଣ୍ଟିଆ ପରିବାରକୁ ଜଗିରଖି ଚଳାଇ ଗାଁର ନିପାରିଲା ଲୋକର ଚର୍ଚ୍ଚା କରେ । କୁଆଁରୀ ଝିଅ ରମା ପାଖରୁ ଘରକରା ଝିଅର ଅନେକ କିଛି ଶିଖିବାର ଅଛି ।

 

ମା’ ଅବେଳରେ ଆଖି ବୁଜିଦେଲେ । ରମାର ଆନନ୍ଦର ଦିନ ସରିଗଲା । ହସିଖେଳ ଦିନ କାଟିବାର ବେଳ ଚାଲିଗଲା । ପରିବାର ଗୋଟାକ ଅନାଥ ହୋଇ ପଡ଼ିଥାନ୍ତେ । କିନ୍ତୁ ଅନାଥା ପ୍ରତି ଈଶ୍ଵରଙ୍କର ଅସୀମ ଦୟା । ରମା ମନରେ ନୂଆ ଶକ୍ତି ଦେଲେ । ପରିବାର ସମ୍ଭାଳିବାକୁ ଆଗେଇ ଆସିଲା ରମା । ଦିନ କେଇଟାରେ ଯେଉଁ ଘରକୁ ସେହି ଘର ସେ ଘର ମୁହଁରୁ ପୂର୍ବପରି କୌଣସି ଭିକ୍ଷୁକ ଖାଲି ହାତରେ ଫେରିନାହିଁ । କୌଣସି ଅତିଥି ବିନା ଚର୍ଚ୍ଚାରେ ଯାଇନାହିଁ । ରମା ଏକାଧାରରେ ଗୃହର ଲକ୍ଷ୍ମୀ, ଝିଅ ଆଉ ମାଆ ହେଲା ।

 

ମାଷ୍ଟର ଦାମୋଦର ବାବୁ ଝିଅର ଦାୟିତ୍ଵ ବୋଧ ଦେଖି ଆଶ୍ଚର୍ଯ୍ୟ ହେଲେ । ଅବୁଝା ଝିଅ ରମା ଦେହରେ ପୁଣି ଏତିକି ଗୁଣ ଥିଲା ? ରମା ପରି ଝିଅ ପାଇଁ ମନ ଆନନ୍ଦରେ କୁରୁଳି ଉଠେ । ଯାହା ଘରକୁ ଯିବ ସୁନାମ କରିବ । ଏମିତି ଲକ୍ଷ୍ମୀ ଝିଅକୁ ଆଉ କେତେଦିନ ଅଟକାଇ ହେବ ?

 

ଆଃ, ତା ମୁହଁକୁ ଚାହିଁ ହେଉନାହିଁ । ତାର ବଢ଼ିଲା ଦେହ ନିଜ ଉପରେ ସତେ ଯେମିତି ମାଡ଼ି ମାଡ଼ି ବସୁଛି । ଏ ବୟସୀ ଝିଅକୁ ଆଉ କେତେଦିନ ଅଟକାଇ ହେବ ? ଯୋଉଦିନ ଘର ଛାଡ଼ିବ, ସେଦିନ ଘର ଶୂନ୍ୟ ହେବ । ଜୀବନ ଖାଲି ଖାଲି ଲାଗିବ । ଦାମୋଦର ବାବୁ ଆଗରୁ ଆଉ ଭାବି ପାରନ୍ତି ନାହିଁ ।

 

ଗାଁ ଲୋକେ ରମାର କଥା ଭାବି ହୁଅନ୍ତି । ଭାଗ୍ୟବତୀ ଝିଅଟିଏ ପାଇ ଈଶ୍ୱରପାଲି ଧନ୍ୟ ହୋଇଛି । ପରଶୁ ପଥରର ସ୍ପର୍ଶ ପାଇ ମାଟି ପଥର ଯେମିତି ସୁନା ପାଲଟିଯାଏ, ଏ ଗାଁ ମାଟିରେ ପାଦ ଦେଇ ସମସ୍ତଙ୍କୁ ସେମିତି ମୋହର କରିଦେଲା ।

 

ରାଧା ନିଜ କଥା ଛାଡ଼ି ରମାଦେଈ କଥା ଭାବି ହେଉଥିଲା । ନିଜ ବାହାଘର କଥା ଭୁଲି ରମାଦେଈ ବାହାଘର କଥା କହୁଥିଲା ।

 

ରାଧାର ମୁହଁଟା କି ସୁନ୍ଦର ଦେଖାଯାଉଛି ! ତା' ଓଠରେ ଲାଲ ଗୋଲାପର ରଙ୍ଗ । ତା’ ଖୋଷାରେ କଳାହାଣ୍ଡିଆ ମେଘର କାନ୍ତି । ଉଚ୍ଛ୍ଵାସରେ ଭାଙ୍ଗିପଡ଼ୁଛି ରାଧା । ଦୟାନିଧି ଆଖି ପୂରାଇ ରାଧାର ପୂରା ଦେହଟିକୁ ଅନାଇଥିଲା ।

 

ଭରା ଭାଦ୍ରବ ଲହଡ଼ା ଭାଙ୍ଗୁଛି ଶସ୍ୟକ୍ଷେତ୍ରରେ । ସ୍ଵପ୍ନାଚାରୀ ଶିଳ୍ପୀର ସାର୍ଥକ ଶିଳ୍ପଟିଏ ଯେମିତି । ବସୁଧାର ସ୍ତରେ ସ୍ତରେ ଉଚ୍ଛ୍ୱାସ ଓ ଉଲ୍ଲାସର ଅଭିବ୍ୟକ୍ତି । ଭସା ପବନରେ ଅନାଘ୍ରାତ କୁସୁମର ସୁରଭି ମିଶିଛି ।

 

ଅମିତ ଗାଁ ମୁଣ୍ଡ ବରଗଛରୁ ଲଛିପୁରକୁ ଚାହିଁଲା । ଗାଁ ଭିତରରୁ ଜନ କୋଳାହଳ ଉଛୁଳି ଉଠୁଛି । ସେ କୋଳାହଳରେ ଜୀବନର ସ୍ପର୍ଶ ମିଶିଛି । ଗ୍ରାମ୍ୟପଥର ଦୁଇକଡ଼କୁ ଲାଗି ସବୁଜ ସୁନ୍ଦର ଧାନକ୍ଷେତ । ତାରି ଭିତରେ ମଣିଷ ଛିଡ଼ାହେଲେ ଲୁଚିଯିବ । ହିଡ଼ ଉପରେ କୃଷକ ଘାସ କାଟୁଛି । କୃଷକ କନ୍ୟା ଖାଲି ଡାଲା ଧରି ଚାହିଁଛି ।

 

ଅମିତର ପାଖ ଦେଇ ଭିକାରୀଟିଏ ଚାଲିଗଲା । ହାତରେ ଖଞ୍ଜଣୀଟିଏ ଧରିଛି । ପିଠି ଉପରେ ଚାଉଳ ଗଣ୍ଠିଟିଏ । ଲଛିପୁରର କାମ ସାରି ଈଶ୍ଵରପାଲି ଆଡ଼େ ଯାଉଛି ।

 

ଦୁଇଜଣ ଅଳ୍ପବୟସା ଝିଅ ବାଟ ପାଖରେ କଡେଇ ହୋଇ ଛିଡ଼ାହେଲେ । ଅମିତକୁ ଦେଖି ବାଟ ଛାଡ଼ି ଦେଇଛନ୍ତି । ଅମିତ ସେମାନଙ୍କୁ କଣେଇ କରି ଚାହିଁଲା । ବୟସ ଷୋହଳ ସତର ହେବ । କିନ୍ତୁ ଆଖି ଡୋଳାରେ ଷୋଡ଼ଶୀ ବଧୂର କାନ୍ତି ନାହିଁ । ସେଇଠି ଖାଲି କାନ୍ତିର ବାର୍ତ୍ତା ଜମାଟ ବାନ୍ଧିଛି । ଅର୍ଥହୀନ ବିବଶ ଚାହାଣୀ । ଅନନ୍ତ ବୟସ ଆସ୍ଥାନ ଜମାଇ ଦେଇଛି । ଦେହରେ ଯୌବନର ଦୀପ୍ତି ନାହିଁ । ଅମିତ ହତାଶ ହୋଇ ଆଖି ଫେରାଇ ଆଣିଲା ।

 

ସାମନାକୁ ଧାଡ଼ି ହୋଇ ଗାଈ ବଳଦ ଚାଲିଛନ୍ତି । ଖାଲି ଛାଞ୍ଚଟିଏ ମାନ । ସ୍ୱାସ୍ଥ୍ୟର ନାଁ ନାହିଁ ।

 

ଲଛିପୁର, ଦୂରରୁ ସୁନ୍ଦର ଦେଖାଯାଉଥିଲା ! ପାଖକୁ ଆସି ବାରୁ ଅସଲ ରୂପ ଦିଶୁଛି । ଗାଁର ଦାରିଦ୍ର୍ୟ ରୂପ ପାଇଛି ଏହି ଅପରିଚିତା ତରୁଣୀ ଦୁଇଟି ଦେହରେ । ବିକଳାଙ୍ଗ ଗାଈ ବଳଦ ସେ ଗାଁର ସଜୀବ ବିଜ୍ଞାପନ । ରାସ୍ତା ଉପରେ ଆଣ୍ଠୁଏ ଧୂଳି । ଯେଉଁଠି ଧୂଳି ନାହିଁ, ସେଇଠି ଦାଢ଼ୁଆ ଦାଢ଼ୁଆ ପଥର । ଟିକିଏ ସତର୍କ ନହୋଇ ଚାଲିଲେ, ପାଦ କଟିଯିବାର ଭୟ । ଠାଏ ଠାଏ ଅଳିଆ ଗଦା । ଗୋବର, ପାଳ ଜମାହୋଇ କମ୍ଭୁତ କିମାକାର ରୂପ ନେଇଛି । ଘର ଭିତରୁ ସ୍ଵାସ୍ଥ୍ୟହୀନ ପିଲାମାନେ ଆଣ୍ଠେଇ ଆଣ୍ଠେଇ ପଦାକୁ ବାହାରି ପଡ଼ୁଛନ୍ତି । ଘର ବାରଣ୍ଡାରେ ପାରିଲା ଲୋକେ ବସି ତାସ ଖେଳୁଛନ୍ତି । ତିନିପତି ଜମକ ଧରିଛି ବୋଧହୁଏ । ଖେଳାଳୀ ଆଉ ଦର୍ଶକମାନଙ୍କ ଭିତରୁ ବାଦବିସମ୍ବାଦ ମୁଣ୍ଡ ଟେକୁଛି ।

 

ଏହାହିଁ ଲଛିପୁର ଗାଁର ଇତିହାସ । ଦୁରକୁ ସୁନ୍ଦର ଦେଖା ଯାଏ । ଈଶ୍ଵରପାଲିର ଲୋକେ କହନ୍ତି, ଲଛିପୁର ସହରଟିଏ । କାରଣ ସେଇଠି ସ୍କୁଲ, ଡାକଘର, ପଞ୍ଚାୟତ ସମିତି, ଦାତବ୍ୟ ଚିକିତ୍ସାଳୟ ଅଛି । ଶାନ୍ତିର ସୁରକ୍ଷା ପାଇଁ ପୋଲିସ ଫାଣ୍ଡି ବି’ ରହିଛି । ପଶୁ ବିଭାଗର ସେବା ସକାଶେ ଷ୍ଟକମେନ କେନ୍ଦ୍ର ସ୍ଥାପିତ । ନିର୍ବାଚନ ସମୟରେ ଏଇଠି ଗ୍ରହଣ କେନ୍ଦ୍ର ଖୋଲାହୁଏ-। କିନ୍ତୁ କୌଣସି ଅନୁଷ୍ଠାନ ଏ ଗାଁ ଲୋକଙ୍କ ପାଇଁ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣି ପାରିନାହିଁ । ବଡ଼ ବଡ଼ ପଞ୍ଚବାର୍ଷିକ ଯୋଜନା ପରି ଏହି ନୂଆ ଅନୁଷ୍ଠାନର ଅର୍ଥ ସେମିତି ଦୁର୍ବୋଧ ହୋଇ ପଡ଼ିଛି-। ତେ କଣ ଏହାର ସୂରୂପ ବଦଳିବ ନାହିଁ ? ଗ୍ରାମବାସୀ କେବେ ଆଉ ନିଜର ଦାୟିତ୍ଵ ଉପଲବ୍‌ଧ କରି ପାରିବେ ? ?

 

ମାଉସୀ ବାହାର ଘର କବାଟ ବନ୍ଦ କରି ପାଣି ଆଣିବାକୁ ବାହାରିଥିଲେ । ଅମିତକୁ ଦେଖି କାଖରୁ ଗରା ରଖିଦେଇ କବାଟ ଫିଟାଇଲେ । ଆନନ୍ଦର ଆଖି ଦୁଇଟି ଓସାରି ହୋଇ ପଡ଼ୁଥାଏ । ସେ ଫୁଲି ଯାଉଥାନ୍ତି ଯେମିତି ।

 

ଦୁନିଆରେ ଅମିତ ଘରଟି ସାହା ଅତି ଆପଣାର । ଝିଅମାନଙ୍କୁ ବାହା ଦେଲାପରେ ସ୍ଵାମୀ ଚାଲିଗଲେ । ଗୋଟିଏ ଜୀବନର ଅଧେ କାହାଣୀ ଶେଷ ହୋଇଗଲା । ଆର ଅଧକ ଲଛିପୁର ଗାଁରେ ନୂଆ ଇତିହାସ ଦେଖୁଛ । ସ୍ୱାମୀଙ୍କର କ୍ରୀଡ଼ାଭୂମି ପ୍ରତି ଅସୀମ ଭକ୍ତି । ଶୂନ୍ୟ ଘରର ପ୍ରତି କାନ୍ଥ, ଅଗଣାରେ ପ୍ରିୟ ସ୍ଵାମୀଙ୍କର ସ୍ପର୍ଶ ମିଶିଛି । ଏଇ ଘରଟି ଭିତରେ ସେ ଜୀବନ ଯୌବନ କଟାଇ ଦେଇଥିଲେ । ଅତୀତର କେତେ ବିସ୍ମିତ ରାତ୍ରି ତାଙ୍କର ହସ ଆନନ୍ଦର ପରାଗ ମାଖି ଜୀବନ ପାଇଥିଲା । ସେ ଅତୀତ ଚାଲିଗଲା । କିନ୍ତୁ ଘରଟି ଭିତରେ ଆଖି ବୁଜିଲେ ସବୁ ସ୍ମୃତି ଜୀବନ ପାଇ ଫେରି ଆସେ । ଲାଗେ, ସାମନାରେ ସ୍ଵାମୀ ବସିଛନ୍ତି । ପରିବାରର ଭଲମନ୍ଦ କଥା ପଡ଼ିଛି । ଭବିଷ୍ୟତର ସୁନା କଳ୍ପନାରେ ଆଖିର ଡୋଳା ଦୁଇଟି ଢଳ ଢଳ ହୋଇ ଉଠୁଛି । ସେ ମରି ବି' ମରି ନାହାନ୍ତି । ସବୁବେଳେ ତାଙ୍କ ପାଖରେ । ଏବେ ସ୍ମୃତିବୋଳା ମଧୁରୁ ସୁନ୍ଦର ଘର ଛାଡ଼ି ମାଉସୀ ଆଉ କୁଆଡ଼େ ଯିବାକୁ ଇଚ୍ଛା କରୁନାହାନ୍ତି ।

 

କିନ୍ତୁ ଦେଢ଼ସୁରମାନଙ୍କ ଇଚ୍ଛା, ବିଧବା ବୋହୂ ଚାଲି ଯାଆନ୍ତେ । କିଛି ନ ହେଲେ ଜମିବାଡ଼ିରୁ ଭାଗ ମିଳନ୍ତା । ଝିଅମାନେ ଯେଝା କାମରେ ବ୍ୟସ୍ତ । ଜମି ଚଷିବାକୁ ତ ଆଉ ଲଛିପୁରକୁ ଆସନ୍ତି ନାହିଁ ! ଉପରେ ଉପରେ କଥା କହୁଥିଲେ ବି' ଭିତରେ ଭିତରେ ଫନ୍ଦ, ଫିକର । ବିଧବା ବୋହୂର ଜିଦ୍‌ଭାଙ୍ଗିବାକୁ ଷଡଯନ୍ତ୍ର ।

 

ସବୁ ଷଡଯନ୍ତ୍ରକୁ ବ୍ୟର୍ଥ କରି ଅନ୍ନପୂର୍ଣ୍ଣା ଦେବୀ ଲଛିପୁରରେ ଜୀବନ କାଟୁଛନ୍ତି । ତାଙ୍କର ଇଚ୍ଛା, ଜୀବନର ଅବଶିଷ୍ଟାଂଶରୁ ଶାଶୁ ଶଶୁରଙ୍କ ପବିତ୍ର ଡିହ ଖଣ୍ଡିକରେ କଟାଇ ଦେବେ । ମରିବା ପୁର୍ବରୁ କହିଯିବେ, ସ୍ଵାମୀ ଯେଉଁଠି ପୋଡ଼ାହେଲେ, ସେଇଠି ଠିକ୍‌ତାଙ୍କ ପାଇଁ ଚିତାର ବ୍ୟବସ୍ଥା ହେବ । ଜୀବନର ସୁମଧୁର ଦିନଗୁଡ଼ିକ ସଙ୍ଗ ହୋଇ ଉପଭୋଗ କରିଛନ୍ତି । ମଲେ ପୋଡ଼ାହେବେ ଠିକ୍‌ଗୋଟିଏ ସ୍ଥାନରେ । ସେହି ପୋଡ଼ା ମାଟି ଖଣ୍ଡକ ପାଇଁ ଅସୀମ ଶ୍ରଦ୍ଧା ତାଙ୍କର । ନଈକି ଗଲେ, ସକାଳ ସଞ୍ଜ ଦୁଇଥର ଯାକ ସେହି ମାଟିକୁ ଦେଖି ଆସନ୍ତି । ପୁନେଇ ପରବ ହେଲେ ସେଇଠି ଯାଇ ମୁଣ୍ଡିଆ ମାରି କହନ୍ତି, ଆଉ କେଇଟା ଦିନ ଯେ ? ତୁମେ କେଉଁଠି ଅଛି ଜାଣେ ନାହିଁ । ଯେଉଁଠି ଥାଅ ଏ ଦୁଃଖିନୀ ପ୍ରତି ଦୟା ରଖିଥିବ । ଏକୁଟିଆ କୁଆଡ଼େ ଚାଲି ଯିବନି’ । ଟିକିଏ ଅପେକ୍ଷା କର, ସାଙ୍ଗ ହୋଇ ରହିବା ! ସାଥିହୋଇ ବୁଲିବା । ସେଇଥି ପାଇଁ ତ ହାତ ଧରି ଥିଲା ! ଅଗ୍ନି ଦେବତାଙ୍କୁ ସାକ୍ଷୀରଖି ବିବାହ କରିଥିଲା ! !

 

ମାଉସୀ ହସିଲେ । କିନ୍ତୁ ସେ ହସରେ କନ୍ଦନର ମାତ୍ରା ଅଧିକ । ସେ ନ ହସି କାନ୍ଦିଥିଲେ, ଏ କ୍ରନ୍ଦନର ମାତ୍ରାକୁ ଏତେ ଗଭୀର ଭାବରେ ଅନୁଭବ କରି ହୋଇ ନଥାନ୍ତା । ଅମିତ ଘରର ଯାହାକୁ ହେଲେ ଦେଖିଲେ କାନ୍ଦନ୍ତା । ସ୍ଵାମୀ ଥିଲାବେଳେ ହସୁଥିଲେ ! ହସ ଭିତରେ କ୍ରନ୍ଦନ ଲୁଚି ଯାଉଥିଲେ । କିନ୍ତୁ ଏଇନେ ସେ ଆଉ ହସି ପାରୁନାହାନ୍ତି । ହସିଲ ମୁହଁ କାନ୍ଦୁରୁ । ଥନ, ଥନ ହୋଇ କହିଲେ, ଏଣିକି ଆ ଅମିତ ! ଆଖି ପୁରାଇ ଦେଖିନିଅ !

 

ଅମିତକୁ ପାଦଧୂଳି ନେବାର ଅବକାଶ ବି’ ଦେଲେ ନାହିଁ । ବଡ଼ ଭଉଣୀର ପୁଅ ଅମିତ-। ମାଆ ବାପାଙ୍କର ଗୋଟିଏ ରକ୍ତ ବାଣ୍ଟି ଦି’ ଭଉଣୀ ହୋଇ ଜନ୍ମ ହୋଇଥିଲେ । ମାଆ ବାପା ଆଉ ନାହାନ୍ତି । ଦି’ ଭଉଣୀ ବାହା ହୋଇ ଛିଡ଼ା ଛିଡି ହୋଇଗଲେ । ଦରକାର ନ ପଡ଼ିଲେ ଦେଖା ଚାହି ନାହିଁ । ଏଇ ଅମିତ ଭଉଣୀର ରକ୍ତ ଆଣିଛି । ତା ଦେହରେ ବି' ତାଙ୍କରି ମାଆବାପାଙ୍କର ଅଂଶ ଅଛି-। ନାଁ, ବାପା ମାଆ ମରିନାହାନ୍ତି । ଭାଗ ଭାଗ ହୋଇ, ଅମିତ ଆଉ ନିଜର ଦି'ଝିଅଙ୍କ ଭିତରେ ବାଣ୍ଟି ହୋଇ ରହିଗଲେ । ଅମିତ ଆଉ କେହି ନୁହେଁ । ତାଙ୍କର ମାଆ ନହେଲେ ବାପାର ସ୍ମାରକ । ନିଜ ଭଉଣୀର ପୁଅ । ଆଃ ,ରକ୍ତର ସମ୍ପର୍କର ମଧୁର ! ନିଜର ପରି ଲାଗେ । କିଏ କହେ ପୁଅ ଖାଲି ବାପର ପ୍ରତିନିଧିତ୍ଵ କରେ ବୋଲି । ସେ ବଂଶର ପ୍ରତିନିଧିତ୍ଵ କରେ । ବଂଶ ଗଛରେ କଣ ଶାଖା ପ୍ରଶାଖା ନାହିଁ ନା ଚେର ଉପଚାର ନାହିଁ ? ପଚାରିଲେ ସେ ବି' ନିଜର ଅଜା ଆଈଙ୍କର ନାଁ କହିବ-। ତାଙ୍କର ବାପମାଆଙ୍କର ନାଁ କହିବ । ସେ ଅମିତକୁ ପରମ ତୃପ୍ତିରେ ଛାତିକୁ ନେଲେ । ଅମିତ ଯେତେବଡ଼ ହୋଇଥାଉନା କାହିଁକି, ତାଙ୍କର ପୁଅ ତ ! ଯେତେ ପାଠ ପଢିଥିଲେ ବି’ ପେଟର ପିଲା ସିଏ !

 

ଅମିତର ସ୍ପର୍ଶରେ ଶରୀର ତାଙ୍କର ପୁଲକିତ ହୋଇ ଉଠୁଥିଲା । ବାତ୍ସଲ୍ୟ ରସରେ ସେ ଗୋଟାପଣେ ବୁଡ଼ି ଯାଇଥିଲେ । ଆଖି ହସୁ ହସୁ କାନ୍ଦୁଥିଲା, ପୁଣି କାନ୍ଦୁ କାନ୍ଦୁ ହସୁଥିଲା ।

 

ମନେପଡ଼ୁଥିଲା ଅନେକଦିନ ତଳର କଥା । ସେତେବେଳେ ବଡ଼ ଭଉଣୀ ଆଉ ସେ ନିଜେ, ଆଠ ନ' ବରଷର ଛୋଟ ଛୋଟ ଝିଅ । ସାଙ୍ଗ ହୋଇ ପାଠ ପଢ଼ାଠାରୁ ଆରମ୍ଭ କରି ଖିଆପିଆ ପର୍ଯ୍ୟନ୍ତ । ଶୀତଋତୁଦିନରେ ଗୋଟିଏ ଚାଦର ଯୋଡ଼ିହୋଇ ଜାକିଜୁକି ହୋଇ ଶୁଅନ୍ତି । ନିଦ ବାଉଳାରେ ବଡ଼ଭଉଣୀ ସମୁଦାୟ ଚାଦରଟା ଘୋଡ଼ି ହୋଇଯାଏ । ଶୀତରେ ନିଦ ଭାଙ୍ଗିଲେ ରାହାଧରି ସେ କାନ୍ଦନ୍ତି । ମାଆଙ୍କ ନିଦ ଯେମିତି ଅନେଇଥାଏ । ସେ ବଡ଼ଭଉଣୀର କାନ ଧରି ଉଠାଇ ଦେଉ ଦେଉ କହନ୍ତି, ଆପଣା ସୁଖୀଟା । ଶାଶୁଘରକୁ ଗଲେ କାହାର ପତରରେ କିଛି ନ ଦେଇ ଆପେ ସବୁ ଗିଳିଯିବ ! ବଡ଼ ଭଉଣୀ ଲାଜ ପାଏ । ସେ କାନ୍ଦି କାନ୍ଦି କହେ, ଦେଖିବୁ ରହ, ମୁଁ ନଖାଇବି ପଛକେ, ହାଣ୍ଡି ପୋଛି ସବୁତକ ସମସ୍ତଙ୍କ ପତରକୁ ଅଜାଡ଼ି ଦେବି । ମୋତେ ଆପଣା ସୁଖୀ କହୁଛ ?

 

ଖାଲି ଶାଶୁଶଶୁରଙ୍କୁ ଅଜାଡ଼ି ଦେବୁ ନା ଆମକୁ ବି ଗଲେ ଦବୁ ଲୋ ? ମାଆ ପଚାରନ୍ତି-

 

ତୋତେ ବି' ଦେବି, ଯାଆ ।

 

ଆଉ ତୋର ଏ ସାନ ଭଉଣୀକୁ ?

 

ବଡ଼ ଭଉଣୀ କଥାର ମର୍ମ ବୁଝି ହସିପକାଏ । ରାତିଅର୍ଦ୍ଧରେ ଆମ ଘରର ସମସ୍ତେ ହସନ୍ତି । ସମସ୍ତଙ୍କର ହସ ଦେଖି ସେ ବି ହସି ଦିଅନ୍ତି । ସେ କଥାର ଅର୍ଥ ନବୁଝିଲେ ବି କଣ ହେଲା, ହସ କଥାଟିଏ ନିଶ୍ଚୟ ।

 

କିଲୋ, ତୁ ବି' ହସୁଛୁ ଯେ ! ମାଆ ପଚାରନ୍ତି ।

 

ସେ ମୋ ପାଛୁଡ଼ା ନେଇଗଲା ବୋଲି ।

 

ଏଇନେ କହିଥିଲୁ ଯେ ?

 

ମୁଁ କାହିଁକି କାନ୍ଦିବି ଓ ନାନି କାନ୍ଦୁଥିଲା ନା ।

 

ସେ ଦିନ ସରିଗଲା । ବଡ଼ଭଉଣୀ ତାଙ୍କର ହୀନ ଜୀବନର ଭଲମନ୍ଦ କଥା ବୁଝିବାକୁ ଅମିତକୁ ପଠାଇଛନ୍ତି । ଯେତେ ହେଲେ ବଡ଼ଭଉଣୀ ! ତାଙ୍କର ସୁଖ ଦୁଃଖର ଖବର ରଖୁଛନ୍ତି ।

 

କିରେ ସକାଳଟାରେ କେମିତି ପହଞ୍ଚିଗଲୁ ? କ'ଣ ଆଜି କାଲି ନୂଆ ମୋଟର ଲାଗିଛି ନାଁ କଅଣ ? ଅନ୍ନପୂର୍ଣ୍ଣା ପ୍ରଶ୍ନକଲେ ।

 

କାଲି ସଞ୍ଜବେଳୁ ଆସିଥାନ୍ତି ମାଉସୀ ! କାଲି ଯେଉଁ ଝଡ ବର୍ଷା ନାଁ ବାଟରେ ରହିଲେ ।

 

ଭଲକଲୁ ପୁଅ ! କାଲି ସେ ଯେଉଁ ବର୍ଷା ଆଉ ଝଡ଼ ! ସେ କଥା ଆଉ କହନା । ଏମିତି ଅଦିନ ମେଘ କେବେ ଦେଖି ନ ଥିଲି । ଆ, ଘର ଭିତରକୁ । ଚା' କରିଦେଇ ପାଣି ପାଇଁ ଯିବି ।

 

ଅମିତ ମନାକରି ପାରିଲା ନାହିଁ । ସେ ମାଉସୀଙ୍କର ପଛେ ପଛେ ଚାଲିଲା ।

 

ଘର କାନ୍ଥ ଗୋବର ଲିପା ହୋଇ ଝଟକୁଛି । ତୁଳସୀ ଚଉଁରାରେ ସାତରଙ୍ଗର ମୁରୁଜ । ମୁରୁଜର ଜଗନ୍ନାଥ, ବଳଭଦ୍ର,ସୁଭଦ୍ରା । ତ୍ରିମୂର୍ତ୍ତି ପାଦରେ ତୁଳସି ସ୍ତବକ । ଜଣାଣ ବହିଟିଏ ପାଖରେ ରଖା ହୋଇଛି । ହାଲୁକା ଦୀପଶିଖା ଚକାଭଉଁରୀଟା ଖେଳୁଛି । ଘର କେବଳ ଘର ନୁହେଁ ଯେ, ମନ୍ଦିରଟି । ମନ ଭିତରକୁ ସ୍ଵଚ୍ଛ କରିଦିଏ । ପବିତ୍ରତାର ସ୍ପର୍ଶ ପୁଲକି ଉଠେ ମନ ।

 

ମାଉସୀ ଅମିତକୁ ପାଖରେ ବସାଇ ଜଣ ଜଣ କରି ସମସ୍ତଙ୍କର ଖବର ପଚାରି ନେଲେ-। ଘରର କଳା ବିରାଡ଼ି କଥା ବି ବାଦ ପଡ଼ିଲା ନାହିଁ ।

 

ଅନ୍ନପୁର୍ଣ୍ଣା ଅମିତକୁ ଚା ଜଳଖିଆ ଦେଇ ପାଣି ପାଇଁ ଚାଲିଗଲେ ।

 

ଅମିତ ବାଡ଼ିପଟେ ଚାଲିଗଲା । ବିସ୍ତୀର୍ଣ୍ଣ ବାଡ଼ି । ବିଭିନ୍ନ ଗଛଲଟା । ରଞ୍ଜ ଉପରେ ଶିମ୍ବଲଟା ମାଡ଼ିଯାଇଛି । ପେନ୍ଥା ପେନ୍ଥା ଫୁଲ ଆଉ ଫଳ । ଛାମୁଣ୍ଡିଆରେ କଖାରୁଫୁଲ ଫୁଟିଛି । ହଳଦୀ ଜରଜର ଫୁଲ । ମାଳ ମାଳ ଭଅଁର । ଫୁଲରୁ ଫୁଲ ଡେଇଁ ରୁଣୁ ରୁଣୁ ଶବ୍ଦ କରୁଛନ୍ତି । ଜହ୍ନି ଗଛର ସବୁଜ ପତ୍ର ତଳେ ଲମ୍ବା ଲମ୍ବା । ଜହ୍ନି ଝୁଲୁଛି । ଆଉ ଗୋଟିଏ କଡ଼କୁ ଶାଗ କିଆରୀଟିଏ । ମଝିରେ ମଝିରେ ଧନିଆ ଗଛ । ଖରା ବାଜି ସେତକ ଝଳି ଉଠୁଛି । ଡାଳିମ୍ବର ବଡ଼ ବଡ଼ ଫଳ ଦେଖି ମାଉସୀ କନା ବାନ୍ଧିଛନ୍ତି । କେତେ ଯତ୍ନ, କେତେ ସ୍ନେହ ! ମାଉସୀଙ୍କ ହାତର ସ୍ପର୍ଶ ପାଇ ଗଛଲତା ସ୍ୱଚ୍ଛନ୍ଦରେ ବଢ଼ି ଉଠିଛନ୍ତି । ଛୋଟ ଛୋଟ ପୁଅଝିଅ ପରି ପ୍ରତ୍ୟେକଟି ଗଛର ଯତ୍ନ ନେଇଛନ୍ତି । ତାଙ୍କର ଟିକି ସଂସାରର ବାଡି ଖଣ୍ଡକ ଏକ ଅମୂଲ୍ୟ ସମ୍ପତ୍ତି ।

 

ଅନ୍ନପୂର୍ଣ୍ଣାଙ୍କର ଗଛଲତା ପ୍ରତି ଅପୂର୍ବ ଶ୍ରଦ୍ଧା । ତାଙ୍କ ହାତରେ ସବୁ ଗଛ ଉଧାଏ । ପରିଶ୍ରମର ତ ପୁଣି ଗୋଟାଏ ମୂଲ୍ୟ ଅଛି !

 

ଅମିତର ମନ ଆନନ୍ଦରେ ପୂରି ଉଠୁଥିଲା । ଶାଗ କିଆରୀରେ ବସିପଡ଼ି ସେ ବି ସରୁ ସରୁ ଘାସଗଛ ଗୁଡା ଉପାଡ଼ିବାରେ ଲାଗିଲା ।

 

ପାଖ ବାଡିରେ ଚଷାପୁଅର ଗୀତ ଶୁଭୁଛି । ବଗିଚାକୁ ସେ ପାଣି ମଡ଼ାଉଛି ବୋଧହୁଏ ।

 

ଅମିତ ଛିଡ଼ାହୋଇ ଆରପଟକୁ ଚାହିଁଲା । ସ୍ଵାମୀ କୂଅରୁ ପାଣି କାଢୁଛି । ସ୍ତ୍ରୀ କିଆରୀ କାଟି ପାଣି ଛାଡୁଛି । ସ୍ଵାସ୍ଥ୍ୟବତୀ ସ୍ତ୍ରୀଟିଏ । କଦଳୀ ବଣ ଭିତରୁ ଅଧା ଅଧା ଦେହ ଦିଶୁଛି । କଦଳୀ ଗଛପରି ଦୃଶାଳ ଅବୟବ । ଯୌବନର ଫୁଲଟିଏ ଯେମିତି । ହାତରେ କୋଡ଼ି ଧରି ସ୍ଵାମୀକୁ ତାର କଣେଇ କଣେଇ ଚାହୁଁଛି । ଲାଲ ଜରଜର ଓଠ ତଟରେ ହସ ଫାଟିପଡୁଛି । ଏ ହସ କେବଳ ତାର କ୍ଷଣିକ ବିକାଶ ନୁହେଁ, ସ୍ଵାଭାବିକ ପରିପ୍ରକାଶ । ଅଙ୍ଗଲାବଣ୍ୟକୁ ଲୁଚାଇବାର ଚେଷ୍ଟା ନାହିଁ । ଛାଇ ଛାଇକା ଆଲୋକ ବାଜି ଝଟକି ଉଠୁଛି । ସଜଡ଼ା ଖୋସା ଫିଟିଗଲାଣି । ଅଙ୍ଗାଏ କେଶ ଏପାଖ ସେପାଖ ହେଇ ଦୋହଲୁଛି ।

 

ଅମିତର ମନ ତୃପ୍ତି ହେଲା । ପଲ୍ଲୀ ଗହଳର ଯେତେକଯାକ ରୂପକଥା ଶୁଣିଥିଲା । ସବୁ ମିଶି ଯେମିତି ଏ କିଆରୀଟିରେ ସାକ୍ଷାତ ରୂପ ପାଇଛି । ଲଛିପୁର କେବଳ ସ୍ଵାସ୍ଥ୍ୟହୀନା ତରୁଣୀର ଆବାସ- ସ୍ଥଳ ନୁହେଁ କି ଶ୍ରୀହୀନ ପୁରୁଷର ଘର ନୁହେଁ । ଏଇଠି ଏଇ କୃଷକ ଦମ୍ପତି ପରି ସାହାସ୍ୟ ସୁନ୍ଦର ପରିବାର ଅଛନ୍ତି । ସେମାନଙ୍କ ଅବୟବରେ ପଲ୍ଲୀର କଳ୍ପିତ ସୌନ୍ଦର୍ଯ୍ୟ ଅଟକି ରହିଛି । ସହରର ଅପ୍ରାକୃତିକ ରୂପସଜ୍ଜା ପାଇଁ ସେମାନେ ପାଗଳ ନୁହନ୍ତି କି ବିକାରଗ୍ରସ୍ତ ସଂସ୍କୃତି ପାଇଁ ପ୍ରଲୁବ୍‌ଧ ନୁହନ୍ତି । ସେମାନେ ବୁଝିଛନ୍ତି, ପାରିପାର୍ଶିକ ଜୀବଜଗତ ପରି ଜୀବନ ଏକ ସହଜ ଆଉ ସରଳ ବିକାଶ । କୁତ୍ରିମତାଇ ଆଶ୍ରୟ ନେଲେ ଅମାୟିକ ଜୀବନଧାର ବାଧାପ୍ରାପ୍ତ ହୁଏ । ସ୍ଵଚ୍ଛଳ ଜୀବନ ସ୍ରୋତକୁ ଅବରୋଧ କରିବା ଅର୍ଥ ନିଜକୁ ହତ୍ୟା କରିବା । ହସି ଖେଳି ଜୀବନ ଯାପନ କରିବାର ଅନ୍ୟ ନାମ ସନ୍ତୋଷ । ଏହାକୁ କିଣାବିକା କରି ହୁଏନାହିଁ । ଜୀବନ ସଙ୍ଗରେ ଆପେ ଆପେ ଆସି ଧରାଦିଏ ।

 

ଯେଉଁମାନେ ପରଶ୍ରୀକାତର, ନିରୀକ୍ଷଣ କଲେ ଜଣାପଡ଼ିବ,ସେମାନଙ୍କ ମନ ବିକାରଗ୍ରସ୍ତ । ନିଜକୁ ହଜାଇ ଦେଇ ଅଜାଣତରେ ଆଉ କାହାକୁ ଖୋଜି ହେଉଛନ୍ତି । ନିଜେ ଦୁଃଖୀ ବୋଲି ପରର ସୁଖ ସହି ପାରୁନାହାନ୍ତି । ଅନାବଶ୍ୟକ ଜଞ୍ଜାଳ ଫାଶରେ ଧରାଦେଇ, ସାଥୀ ଖୋଜୁଛନ୍ତି । ସାଥିଟିଏ ପାଇଲେ ଦୁଃଖ ଲାଘବ ହେବ । ନିଜ ପାଖରେ ଆଉଜଣେ ଅଛି ଭାବି ଆଶ୍ୱସ୍ତ ହେବେ । ସେଇଥିପାଇଁ ସେମାନେ ଗ୍ରାମେ ଗ୍ରାମେ, ସହରେ ସହରେ ଗଣ୍ଡଗୋଳ ଚାରା ବିଛେଇ ଦିଅନ୍ତି । ସୁଖୀ ପରିବାରକୁ ଅଶାନ୍ତି ଭିତରକୁ ଟାଣି ଆଣି ଆନନ୍ଦରେ ତାଳିମାରି ହସନ୍ତି । ଏହାର ଜନ୍ମ ସହରରେ ହୋଇଥିଲା କି ଗ୍ରାମରେ ହୋଇଥିଲା କହିହେବ ନାହିଁ । କିନ୍ତୁ ଏଇନେ ସହର ଜୀବନକୁ କବଳିତ କରି ଗ୍ରାମର ମେରୁଦଣ୍ଡ ଦୋହଲାଇ ଦେଇଛି । ଦାମୋଦର ବାବୁଙ୍କ ପରି ନିଷ୍ପାପର ଲୋକ ହୁଅନ୍ତି ଏହି ଅନର୍ଥକାରୀଙ୍କର ସହକ ଶୀକାର । ସାଧୁର ସିନା ସାଥି ମିଳନ୍ତି ନାହିଁ, ଦୁଷ୍ଟ ଲୋକଙ୍କ ଭାଗ୍ୟକୁ ସଙ୍ଗେ ସଙ୍ଗେ ସମର୍ଥକ ମିଳଯାନ୍ତି ।

 

ଅମିତର ମନ ଘୃଣ ଖାଉଥିଲା । ସେ ଭାବି ହେଉଥିଲା, ସତରେ କଣ ଏହାର ପ୍ରତିକାର ନାହିଁ ? ବିଜ୍ଞାନ ବଳରେ ମଣିଷ ଆଜି ଚନ୍ଦ୍ରଲୋକ ଅବିଷ୍କାର କଲେଣି । କିନ୍ତୁ ମଣିଷ ଭିତରର ମାନ ବିକତା ପାଇଁ କଣ ତାର କିଛି ଦାୟିତ୍ୱ ନାହିଁ ? ଏମିତି ଗୋଟିଏ ମନ୍ତ୍ର କି ଔଷଧ ଆବିଷ୍କାର ହୁଅନ୍ତା, ଯାହା ଫଳରେ ମଣିଷ ନିଜକୁ ନିଜେ ଚିହ୍ନି ପାରିବାର ଶକ୍ତି ପାଆନ୍ତା । ହୃତ ମାନବିକତାକୁ ଲେଉଟାଇ ଆଣିବାକୁ ତାହାହିଁ ହୁଅନ୍ତା । ଅମୋଘ ଅସ୍ତ୍ର । ତାହା ହେଲେ ଯାଇ ଏ ପୃଥିବୀରୁ ପରଆପଣା ଭେଦ ଦୁରେଇ ଯାଆନ୍ତା । ପର ସମ୍ପତ୍ତି, ପର ଅଧିକାର ଅପହରଣ କରିବାର ଅବକାଶ ସୁଦ୍ଧା ରହନ୍ତା ନାହିଁ । ଏ ସୃଷ୍ଟି ହୁଅନ୍ତା କଳ୍ପିତ ସ୍ଵର୍ଗଲୋକ ପରି ଚିର ସୁନ୍ଦର, ଚିର ଶାନ୍ତିମୟ ।

 

ସେ ସୁଦିନ କେବେ ଆସିବ ସତରେ ?

 

ଲଛିପୁରରେ ସଂଧ୍ୟା ହେଲା ।

 

ସନ୍ଧ୍ୟାର ସୁସମ୍ବାଦ ବାଢ଼ିଦେଲା ଜଗନ୍ନାଥ ଦେଉଳର ଘଣ୍ଟା ଶବ୍ଦ । ନଈକୂଳିଆ ମହାଦେବ ମନ୍ଦିରରୁ ଶଙ୍ଖସ୍ଵନ ଶୁଭୁଛି । ଗାଁମୁଣ୍ଡ ବାହୁଡା ପକ୍ଷୀଙ୍କର କଳରବ ଶୁଭୁଛି । ଗାଁ ମୁଣ୍ଡ ବରଗଛ ତଳେ କୁକୁର କେଇଟି ଜମା ହୋଇ ରାତି ଆସୁଛି ବୋଲି ଶୁଣାଇଦେଲେ । ନଈକୂଳିଆ,ବିଲୁଆ କହୁଛି, ରାତି ଆସୁଛି । ରାତି ଅଧାନଈ ଡେଇଁ ଗଲାଣି ।

 

ଘର ବାରଣ୍ଡାରେ ଦଳ ଦଳ ହୋଇ ଲୋକ ବସି ଚାଷବାଷର କଥା ପକାଇଛନ୍ତି । ପାଞ୍ଜି ଅନୁସାରେ ବର୍ଷା ହେଲା କି ନାହିଁ ସେଇଥିପାଇଁ ବାଦ ବିସମ୍ବାଦ ଉଠିଛି । ଗ୍ରାମପଞ୍ଚାୟତର ଭୁଲଭଟକା ନେଇ କେତେ ଟିପ୍‌ପଣୀ ବଢ଼ା ହେଉଛି ।

 

ପଲ୍ଲୀ ଜୀବନର ସନ୍ଧ୍ୟା କହେ ଆରାମ ଆଉ ବିଶ୍ରାମର ହାଲୁକା ହାଲୁକା କଥା । ଦିନସାରା ପରିଶ୍ରମ କରି ଗୃହସ୍ଥ ଥଳି ଯାଇଥାଏ । ଆଲୁଅ ସରିଗଲେ, ତାର ଦୈନନ୍ଦିନ କାମ ବି’ ସରିଯାଏ ।

 

ସହର କଥା ସ୍ଵତନ୍ତ୍ର । ସଞ୍ଜହେଲେ ବ୍ୟବସାୟୀ ଦୋକାନ ଘରର ଆଲୁଅ ଜାଳି ଇଷ୍ଟଦେବଙ୍କ ସ୍ମରଣ କରୁ କରୁ କହେ, ‘ଆଜି ଅନେକ ରାତି ପର୍ଯ୍ୟନ୍ତ କାରବାର ଜୁଟାଇ ଦିଅ !’ ସିନେମା ପରିଚାଳକ କହେ, ‘ରାତି ବାରଟା ପର୍ଯ୍ୟନ୍ତ ଟିକଟ ବିକ୍ରି ହେଉ ।’ ଆଉ କଳାବଜାରୀ ? ସେ ରାତିର ନିରନ୍ଧ୍ର ଅନ୍ଧକାରକୁ ଅପେକ୍ଷା କରେ । ସୁବିଧା ଦେଖି ଚୋରୀ ମାଲ ଚାଲାଣ କରେ । ରୂପଜୀବୀ ପକ୍ଷରେ ରାତିଟା ହିଁ ଦିନ । ସାରା ରାତି ଉଜାଗର ରହି ବ୍ୟଭିଚାର ବ୍ୟବସାୟରେ ନିମଗ୍ନ ରହେ ।

 

ଅନ୍ନପୂର୍ଣ୍ଣ । ସଳିତା ଜାଳି ତୁଳସୀ ଗଛମୂଳେ ରଖିଲେ । ବେକରେ ଦି’ପରସ୍ତ ପଣତ ପକାଇ ଜଗନ୍ନାଥଙ୍କ ସ୍ତୁତି ପାଠ କଲେ । ତାଙ୍କ କଣ୍ଠରେ ଅଦେଖା ଦେବତା ପାଇଁ ଅନେକ ଭକ୍ତି । ସବୁ ସାହା ଭରସା ହଜାଇ ଜଗନ୍ନାଥଙ୍କ ଉପରେ ନିର୍ଭର କରିଛନ୍ତି । କହୁଛନ୍ତି, କେଉଁ ଜନମରେ କେତେ ପାପ କରିଥିଲି ବୋଲି, ଏ ଜନମ ମୋର ବ୍ୟର୍ଥ କରିଦେଲ । ଇହ ଜୀବନଟା ବ୍ୟର୍ଥ ହୋଇ-ଗଲା ଜଗନ୍ନାଥ ! ତଥାପି କଣ ପ୍ରାୟଶ୍ଚିତ ସରିନାହିଁ ? ମୋତେ ମୃତ୍ୟୁ ଦିଅ । ମୃତ୍ୟୁ ହିଁ ମୋ ପକ୍ଷରେ ଏକାନ୍ତ କାମ୍ୟ । ଆଗୁଆ ଜନମ ପାଇଁ କହୁଛି, ଏତେ ଦୁଃଖ ଏତେ ବ୍ୟର୍ଥତା ଦେବନାହିଁ ।

 

ମଣିଷର ପିଆସୀ ମନଟା ଅହେତୁକ ଭାବନା କରି ବେଳେ ବେଳେ ଶାନ୍ତିପାଏ । ଇହଜନ୍ମରେ କଳ୍ପିତ ସୁଖ ଶାନ୍ତି ପାଏ ନାହିଁ । ତେଣୁ ଭଗବାନଙ୍କ ନିକଟରେ ଅଭିଯୋଗ କରେ । କରେ, ଆର ଜନ୍ମକୁ ସ୍ୱଚ୍ଛଳ କରିବ । କିନ୍ତୁ ମର୍ତ୍ତ୍ୟର ଦେହଧାରା କେବେ କଣ ନିଚ୍ଛକ ଆନନ୍ଦ ପାଇଛି-? ଦେହମାଂସର ଶରୀର ମାତ୍ରକେ ଦୁଃଖ ଓ ବିପର୍ଯ୍ୟୟର ମୂଳ କାରଣ । ମଣିଷର ସବୁ ଇଚ୍ଛା ପୂରଣ ହୁଏନାହିଁ । ସବୁ ଅଶା ସଫଳ ହୁଏନାହିଁ । ତାର ଏକମାତ୍ର କାରଣ ହେଉଛି, ସେ ମଣିଷ !

 

ଅର୍ଣ୍ଣପୂର୍ଣ୍ଣା ଦୀପ ଦେଇ ସାରି ଅମିତକୁ ନୀରବ ରହିଥିବା ଦେଖିଲେ ।

 

ଅମିତ ମୁଣ୍ଡିଆଟିଏ ମାରିଦେଇ ତୁଳସୀଗଛ ତଳର ମୁରୁଜ ଜଗନ୍ନାଥଙ୍କୁ ଅନାଇଥିଲା । ମାଉସୀଙ୍କ କଥାରେ ଭାଗବତ ଅଧ୍ୟାୟଟିଏ ଗାଇଲି ।

 

ଗାଁ ଦାଣ୍ଡରେ ଲଛିପୁରର ସୁନାମଧନ୍ୟ ମହାପାତ୍ରେ କଠଉ ମାଡ଼ି ଠକ୍‌ଠକ୍‌କରି ଚାଲି ଯାଉଥିଲେ । ଅନ୍ନପୂର୍ଣ୍ଣାଙ୍କ ଘର ଭିତରକୁ ବିନା ଡାକହାକରେ ପଶିଆସି କହିଲେ, ନୂଆକଣ୍ଠ ଶୁଣି ଚାଲି ଆସିଲି । ସେ ତମର କଅଣ ହେବ କି ଝୁଅ ?

 

ମହପାତ୍ରେ ଗାଁର ମାମଲତକାର । ପ୍ରତି ଘରର ଟିକିନିଖି ଖବର ସଂଗ୍ରହ କରିଛନ୍ତି । ଇଚ୍ଛାକଲେ ଦୁଇଜଣଙ୍କ ଭିତରେ ପାଲା ଲଗାଇ ଦେଇପାରନ୍ତି । ଧନୀ ବୋଲି ଅଞ୍ଚଳ ଭିତରେ ନାଁ ଅଛି । ଅଭାବ ଅସୁବିଧାକୁ ଚଳେଇ ନିଅନ୍ତି । ସେଇଥିପାଇଁ ସେ ଯେତେ ଅନ୍ୟାୟ କଲେ ବି’ ଲୋକେ ପ୍ରତିବାଦ କରି ପାରନ୍ତି ନାହିଁ । ବ୍ରହ୍ମା ତୁଣ୍ଡର ବେଦ ପରି, ତାଙ୍କର ପ୍ରତ୍ୟେକ କଥା ସୁନ୍ଦର ଆଉ ସତ । ଗାଁରେ କାହିଁକି ଅଞ୍ଚଳ ସାରା ବୁଲି ନିଷ୍ପତ୍ତି କରୁଥିଲେ । ଚାଷବାସ ସଙ୍ଗକୁ ସେ ବି’ ଗୋଟିଏ ବ୍ୟବସାୟ ଥିଲା । କିଛିଦିନ ହେବ ସେଇ ଦାୟିତ୍ୱ ଟିକକ ବଡ଼ପୁଅ ଉପରେ ଛାଡି ଦେଇଛନ୍ତି ।

 

ମହାପାତ୍ରଙ୍କ ଅଚାନକ ପ୍ରବେଶ ଦେଖି ଅନ୍ନପୂର୍ଣ୍ଣା ମସିଣା ଖଣ୍ଡେ ପକାଇ ଦେଲେ । ଅମିତର ପରିଚୟ ଦେଇସାରି କହିଲେ, ଆଜି ତ’ ଆମର ବହୁ ଭାଗ୍ୟ ଦେଖୁଛି ! କୁଆଡ଼େ ବାହାରିଥିଲେ ?

 

ବାହାରିବି ଆଉ କୁଆଡ଼େ ? ମଶାଣିକି ଯିବାର ସମୟ ଆସିଲାଣି । ତଥାପି କଣ ଏ ଗାଁ ଲୋକ ବସେଇ ଉଠେଇ ଦେଉଛନ୍ତି ? ପୁଅର ନିଷ୍ପତ୍ତିରେ ମନ ମାନିଲା ନାହିଁ ବୋଲି ମୋତେ ହିଁ ଡକାଇ ପଠାଇଲେ । ଗାଁରେ ଘର କରି କଣ ପାଞ୍ଚ ଜଣକ କଥାକୁ ଏଡ଼ାଇ ଦେଇ ହୁଏ ?

 

ଅମିତ ଆଶ୍ଚର୍ଯ୍ୟ ଆଖିରେ ଅନାଇଲା ମହାପାତ୍ରଙ୍କୁ । ପୁଅର ନିଷ୍ପତ୍ତିର ଅପିଲ ହେଉଛି ବାପ ପାଖରେ । ତା’ହେଲେ ମୀମାଂସାଟା କଣ ଜଳ ଜଳ ହୋଇ ଦେଖା ଯାଉନି ?

 

ମହାପାତ୍ରେ ହସି ହସି କଥା ହେଉଛନ୍ତି । ସେ ହସଟା ବି’ ଏକ ନୂତନ ଧରଣର ହସ । ସବୁବେଳେ ପାନଖିଆ ଦାନ୍ତ କେଇ ପୁଞ୍ଜା ପଦାକୁ । ସେଇଟା ବୋଧହୁଏ ତାଙ୍କର ପ୍ରକୃତି । ବହୁ ଦିନରୁ ଅଭ୍ୟାସ କରିଥିଲେ । ଏବେ ପ୍ରକୃତିରେ ପରିଣତ ହୋଇ ଯାଇଛି । ହସି ହସି କଥା କହିଲାବେଳେ ଅଟକି ଯାଆନ୍ତି । ସେ ହସଟା ବି ଓଠ ମଝିରେ ଅଟକି ଯାଏ । ତା’ପରେ ଗମ୍ଭୀର୍ଯ୍ୟପୂର୍ଣ୍ଣ ପଦେ କଥା । ଅନେକ ଭାବିଚିନ୍ତି ସେ କଥା ପଦକ ବାହାରିଥାଏ । ତେଣୁ ପରସ୍ଥିତି ସଙ୍ଗରେ ତାହା ଅଦ୍ଭୁତ ଭାବରେ ମିଶିଯାଏ ।

 

ମହାପାତ୍ରେ ହସି ହସି ପରର ବିନାଶର ବାଟ ଦେଖାଇ ଦିଅନ୍ତି । ମହାପାତ୍ରଙ୍କର ଅସୀମ ବୃଦ୍ଧି । ସେ ବୃଦ୍ଧିକୁ ଆଉ କିଏ ପସନ୍ଦ କରୁ କି ନ କରୁ, ନିଜେ ଅନ୍ତରର ସହିତ ପସନ୍ଦ କରନ୍ତି । ସମର୍ଥନ ପାଇଲେ ସୁଖୀ ହୁଅନ୍ତୁ । ଆପତ୍ତି କଲେ ମନ୍ତବ୍ୟ କରନ୍ତି, ‘‘କଥା କହିବା ଜାଣନାହିଁ । ମୋ ସଙ୍ଗରେ କଥା କହିବାକୁ ଯଦି । ଇଚ୍ଛା ଥାଏ, ତେବେ କିଛି ଦିନ ଅଭ୍ୟାସ କରି କଥା କହିବା ଶିଖ । ତା ପରେ ମୋ ପାଖକୁ ଆସ । ମୁଁ ଖୁସି ହେବ ।’’

 

ଅମିତ ସଙ୍ଗରେ ଦୁଇପଦ କଥାବାର୍ତ୍ତା କରି ସେ ଫେରି ଯାଉ ଯାଉ କହିଲେ, ଟିକିଏ ପାଖକୁ ଆସିବ ଅନ୍ନପୂର୍ଣ୍ଣା ଅନ୍ନପୂର୍ଣ୍ଣା ହସିଦେଇ କହିଲେ, ଅମିତ ମୋର ପୁଅ ପରା ! ଆପଣ କହୁନାହାନ୍ତି !

 

ସେଇଥିପାଇଁ ତ ପାଖକୁ ଡାକୁଛି । ମହାପାତ୍ର ଉତ୍ତର ଦେଲେ ।

 

ଅନ୍ନପୂର୍ଣ୍ଣା ପାଖକୁ ଯିବାରୁ କହିଲେ, ‘‘ସର ପାଇଁ ଅମିତର ପ୍ରସ୍ତାବଟା ପକାଇଲେ କେମିତି ହୁଅନ୍ତା ?

 

କଥାନାହିଁ, ବାର୍ତ୍ତା ନାହିଁ, ଏକାବେଳକେ ବିବାହ ପ୍ରସ୍ତାବ ! ଅନ୍ନପୁର୍ଣ୍ଣା ତାଜୁବ ହୋଇଗଲେ । ଥଙ୍ଗ ଥଙ୍ଗ ହୋଇ ଉତ୍ତର ଦେଲେ, ତମ ଘରେ ବନ୍ଧୁ ବାନ୍ଧବା ତ ଭାଗ୍ୟର କଥା ମଉସା ! କିନ୍ତୁ ଅମିତର ବାପ ମାଙ୍କୁ ନ ପଚାରି ଏ ବିଷୟରେ କେମିତି କଣ କହିବି କହିଲ ?

 

ମହାପାତ୍ରେ ଛାଡ଼ିବାପାତ୍ର ନୁହନ୍ତି । ସେଇ ପରିଚିତ ହସ ମିଶାଇ କହିଲେ, ମୁଁ ଜାଣେ ଝିଅ ! ତୁ କଥା ଦେଲେ ଅନ୍ୟଥା ହେବନାହିଁ । ତଥାପି ଯେତେବେଳେ କହୁଛୁ, ମୁଁ ଅପେକ୍ଷା କରିବି-

 

ମହାପାତ୍ର ଚାଲିଗଲେ । ଅନ୍ନପୂର୍ଣ୍ଣାଙ୍କର ମନହେଲା, ମୁଣ୍ଡ ଉପରୁ ପାହାଡ଼ଟିଏ ଓହ୍ଲାଇଗଲା । ସେ ଦୀର୍ଘନିଶ୍ୱାସ ନେଲେ ।

 

ସରଳା ମହାପାତ୍ରଙ୍କ ପରିବାରର ଅଳିଅଳ କନ୍ୟା । ମହାପାତ୍ରେ ନାତୁଣୀଟିକୁ ପ୍ରାଣଠାରୁ ବଳି ଭଲପାଆନ୍ତି । ସେ ଚାହାନ୍ତି, ଅମିତ ପରି ଶିକ୍ଷିତ ପୁଅର ହାତ ଧରୁ ସେ । ସେଇଥିପାଇଁ ଆଜି ଜାଣିଶୁଣି ଅନ୍ନପୂର୍ଣ୍ଣାଙ୍କୁ ଅନୁରୋଧ କଲେ । ବୋଧହୁଏ ଜୀବନରେ ଅନୁରୋଧ କରିବା ଏଇ ପ୍ରଥମ । ତାଙ୍କୁ ଜାଣିବାରେ ସେ ଖାଲି ଆଦେଶ କରି ଆସିଥିଲେ । ଧନ ଓ ପ୍ରତିପତ୍ତି ବଳରେ ଲୋକଙ୍କ ମୁହଁରେ ମୁଖା ବାନ୍ଧି, ନିଜର କଥା ହିଁ ଶୁଣାଇଥିଲେ । ଆଜି ସେ ଅନ୍ନପୂର୍ଣ୍ଣାଙ୍କ ଉତ୍ତରକୁ ‘ଅପେକ୍ଷା’ କରିବାକୁ ପ୍ରସ୍ତୁତ । ‘ଅପେକ୍ଷା’ ପରି ଏତେବଡ଼ କଠିନ ଶବ୍ଦ ତାଙ୍କ ତୁଣ୍ଡକୁ କେମିତି ଆସିଲା ସେ ବି ଏକ ଆଶ୍ଚର୍ଯ୍ୟ !

 

ଅନ୍ନପୂର୍ଣ୍ଣା ଆଉଥରେ ସେ ପ୍ରସ୍ତାବକୁ ଭାବିହେଲେ । ସରଳା ତ ଆଉ କୁଆଁରୀ କନ୍ୟା ନୁହେଁ । ତା’ ପାଇଁ ନିର୍ବନ୍ଧ ସରିଯାଇଛି । ରବିର ସେ ବାଗଦତ୍ତା ପତ୍ନୀ । ଦାମୋଦର ବାବୁଙ୍କର ଭାବି ବଧୂ ! ତଥାପି ମହାପାତ୍ରେ ପଥ ହୁଡୁଛନ୍ତି । ଧର୍ମ ଅଧର୍ମ ନ ମାନି କଥା ଭାଙ୍ଗୁଛନ୍ତି । ତାଙ୍କ କଥାକୁ ପ୍ରଶ୍ରୟ ଦେବା ଅର୍ଥ ପାପରେ ଅଂଶୀଦାର ହେବା । କେଉଁ ଜନମରେ କି ପାପ କରିଥିଲେ ଯେ ଏ ଜନମରେ ବିଧବା ହେଲେ । ପୁଣି କଣ ଜାଣିଶୁଣି ପାପ ଅର୍ଜ୍ଜିବେ ? ପରର ସ୍ତ୍ରୀ, ପରର ବୋହୁକୁ ନିଜ ଘରକୁ ଆଣିବେ ?

 

ସରଳା ପ୍ରତି ଅନ୍ନପୂର୍ଣ୍ଣାଙ୍କର ଦୟା ହେଲା । ବିଚାରୀ ଛନ୍ଦ କପଟରେ ଧାର ଧାରେନାହିଁ-। ବୁଦ୍ଧି ହେଲାଦିନୁ ଜାଣିଛି, ରବିତାର ଭାବୀ ସ୍ଵାମୀ । ରବିକୁ ସାମନାରେ ଦେଖିଲେ ଲାଜରେ ମୋଡ଼ି ହୋଇଯାଏ । ରମା ସାଙ୍ଗରେ ପ୍ରାଣ ଦେଇ ମିଶେ । ଦାମୋଦରଙ୍କ ପ୍ରତି ଅସୀମ ଶ୍ରଦ୍ଧା । ସେ କଣ ମହାପାତ୍ରଙ୍କ ଏ ଅନୀତି କଥା ଶୁଣିଥିବ ? ଯଦି ଶୁଣି ନ ଥାଏ, ପ୍ରଥମ କରି ତା’ କାନରେ ଏ ସମ୍ବନ୍ଧ କଥା ପଡ଼ିଲେ କଣ ଭାବିବ ସେ ?

 

ମହାପାତ୍ରେ ଭୁଲ କରୁଛନ୍ତି । ବୟସ ଯେତେ ବଢେ, ଲୋକେ କହନ୍ତି ବୃଦ୍ଧି ସେତିକି ପାକଳ ହୁଏ । କିନ୍ତୁ ମହାପାତ୍ରଙ୍କ ଅବିଚାର ଶୁଣିଲେ କାଲିର ପିଲା ବି ହସିବ । ଧନ ଓ ଆଧ୍ୟପତ୍ୟ ମଣିଷକୁ ଏମିତି ଅନ୍ଧ କରିଦିଏ ! ମାଷ୍ଟର ବାବୁଙ୍କ ସଙ୍ଗେ ମହାପାତ୍ରଙ୍କ ମନ ନ ମିଳିଲା ବୋଲି କାଲିକାର ଝିଅ ସରଳାର ଦୋଷ କଣ ? ସେ କାହିଁକି ଏ ଅବିଚାରର ଶିକାର ହେବ ? ମହାପାତ୍ରଙ୍କୁ ଅଞ୍ଚଳର ଶହ ଶହ ଶିକାର ଅଣ୍ଟିଲା ନାହିଁ ସେ ନିଜ ଘରର ଝିଅକୁ ଆଘାତ କଲେ ? ତାଙ୍କର କଣ ହୃଦୟ ନାହିଁ ?

 

ଅନ୍ନପୂର୍ଣ୍ଣାଙ୍କର ନାରୀ ଜାତି ପ୍ରତି ସହାନୁଭୂତି ଜାଗିଉଠିଲା । କେଡ଼େ ସରଳ, ନିରୀହ ଜାତିଟା ସତରେ । ସବୁଦିନ ପୁରୁଷ ମନର ଖେଳନା ହୋଇ ଆସିଛି । ସେ ଯେମିତି କହୁଛି,ସେମିତି ନାଚିଛି ନାରୀ । ତାର ନିଜତ୍ୱ କିଛି ନାହିଁ । କେଡ଼େ ହୀନିମାନିଆ କପାଳଟା ।

 

ମହାପାତ୍ରଙ୍କ ବାଗୁଡ଼ି ଖେଳର ବାଘ ହେଲେ ବୋଲି ମାଷ୍ଟର ଦାମୋଦର ହେଲେ ଶତ୍ରୁ । ମହାପାତ୍ରେ ତାଙ୍କୁ ସହି ପାରିଲେନାହିଁ । ବିଦେଶୀ କଣ୍ଟ୍ରାକ୍ଟର ଆସି ଗାଁରେ ମାନମହତକୁ ହୁର୍‌ଜୁର୍‌ କରୁଥିଲେ ବି'ମାଷ୍ଟର ଯଦି ପଦିଏ କଥା ନ କହି ମହାପାତ୍ରଙ୍କ ପରି ଜୁଳୁଜୁଳୁ କରି ଅନାଇ ଥାଆନ୍ତେ, ସେ ହୁଅନ୍ତେ ମିତ୍ର । ଆଜି ସେ ଗାଁ ଲୋକଙ୍କର ମଙ୍ଗଳ ପାଇଁ, ଝିଅ ବୋହୂଙ୍କର ଇଜ୍ଜତ ପାଇଁ ପାଟିକଲେ ବୋଲି ଗାଁରୁ ତାଙ୍କୁ ତଡ଼ି ଦିଆଗଲା । ମାଷ୍ଟରବୁଢ଼ା ନିଶ୍ଚିନ୍ତରେ ଯାଇ ଈଶ୍ୱରପାଲିରେ ରହିଲେ । ଅସଲ ସୁନାମୁଣ୍ଡା ସେ । ଯେଉଁଠି ପକାଇଲେ ଝଟକିବେ । ସହସ୍ର ପରୀକ୍ଷାର ସମ୍ମୁଖୀନ ହୋଇ ବି’ ମଳିନ ପଡ଼ିବେ ନାହିଁ । ଈଶ୍ୱରପାଲିରେ ଏବେ ତାଙ୍କର କେଉଁ କଥାକୁ ଅଭାବ ହେଲା ? ରବି ପାଇଁ ଏ ସମ୍ବନ୍ଧ ଭାଙ୍ଗିଦେଲେ ଯେ ରବି ଅଭିହାଡ଼ା ହୋଇ ରହିଯିବ, ଏମିତି କଥା ନୁହେଁ । ଯୋଗ୍ୟ ପୁରୁଷ ପାଇଁ ସ୍ତ୍ରୀ ଅଭାବ ପଡ଼ିବେ ନାହିଁ । କିନ୍ତୁ କ୍ଷତି ହେବ ରମାର ।

 

କେଡ଼େ ଭୁଲ କଥାଟିଏ ବିଚାରୁଛନ୍ତି ମହାପାତ୍ରେ । ସବୁ ଭୁଲ ପରି ଏଇନେ କଥାଟା ସୁନ୍ଦର ଦିଶୁଛି । କିନ୍ତୁ କାଳ ଗଡ଼ିଗଲେ ସେ ଭୁଲ ଆପଣା ଅବତାର ଧରିବ । ସୂର୍ପଣଖା ପରି ବିକଟାଳ ରୂପ ଧରି ମାରି ଗୋଡ଼ାଇବ । ମହାପାତ୍ରେ ସେ କଥା ବୁଝିବେ ନାହିଁ । ବିଚାରୀ ରମା ଯାହା କଲବଲ ହୋଇ ମରିବ ।

 

ମାଉସୀଙ୍କର ଗମ୍ଭୀର ମୁହଁ ଦେଖି ଅମିତ ଯେତେବେଳେ ମହାପାତ୍ରଙ୍କ ଆଲୋଚନା କଥା ପଚାରିଲା, ଅନ୍ନପୂର୍ଣ୍ଣା ସବୁକଥା ଫିଟେଇ କହିଦେଲେ । ତା’ପରେ ହସି ହସି କହିଲେ, ତୁ ସେକଥା ଭାବିବୁ ନାହିଁ ଅମିତ ! ସମୟ ପଡ଼ିଲେ ମୁଁ ନିଜେ ହିଁ ଏହାର ସମାଧାନ କରିବି ।

 

ତାର ଆଗମନ ପରେ ଏମିତି ଗୋଟିଏ ଯେ ସୁଦୀର୍ଘ ମହାଭାରତପୂର୍ବ ଆରମ୍ଭ ହୋଇଯିବ, ଅମିତ ଏକଥା କଳ୍ପନା ସୁଦ୍ଧା କରି ନ ଥିଲା ।

 

ଲଛିପୁରରେ ନିଘୋଡ଼ ରାତି ଆସି ତମ୍ବୁ ପକାଇଥିଲା । ସମୁଦାୟ ଲଛିପୁର ସେ ତମ୍ବୁର କଳାକନା ଭିତରେ ଆରାମରେ ଶୋଇପଡ଼ିଲା ।

 

ସକାଳୁ ସକାଳୁ ସନ୍ତୋଷ ଆସି ଅମିତର ନିଦ ଭାଙ୍ଗିଦେଲା ।

 

ସନ୍ତୋଷ ମହାପାତ୍ର ପରିବାରର ସନ୍ତାନ । ସ୍କୁଲ ଫାଇନାଲ୍‌ପାଶ କରି ଘରେ ବସିଛି । ସେ କଲେଜକୁ ଯିବ କି ଗାଁରେ ରହି ଚାଷବାସ ଓ ଅନ୍ୟାନ୍ୟ ବିଷୟ ସମ୍ଭାଳିବ, ତାର ନିଷ୍ପତ୍ତି ହୋଇ ହୋଇନାହିଁ । ଏଇଥିପାଇଁ ବର୍ଷେକାଳ ଗାଁରେ ଅଟକିଗଲା । ଏଥର ଜିଦ୍‌କରୁଛି, ଯେମିତି ହେଲେ ବି’ ପଢ଼ିବ ।

 

ଟିକକ କଥାରେ ଅମିତର ମନେହେଲା, ସନ୍ତୋଷ ମହାପାତ୍ର ପରିବାରକୁ ସଂସ୍କାର କରିବାକୁ ଜନ୍ମ ହୋଇଛି । ସହନଶୀଳ ମନୋବୃତ୍ତି । ସଂସ୍କାରମୁଖୀ ମନ । ତା’ ସ୍ଵଭାବରେ ଶିକ୍ଷା ଓ ସଭ୍ୟତାର ଅନୁପାତିକ ଅଂଶ ଅଛି । କଥାଗୁଡ଼ିକ ବେଶ୍‌ଜଗା ରଖା । ଭଲମନ୍ଦ ବିଚାର କରିବାର ବୟସ ହୋଇଗଲାଣି । ଶାନ୍ତ, ଶିଷ୍ଟ ବୋଲି ଗାଁରେ ସୁନାମ ବି' ଅଛି ।

 

ସନ୍ତୋଷ, ମହାପାତ୍ର ମେଳିରେ ଥିଲେ ବାଛି ହୋଇଯାଏ । ସତେଅବା ପଙ୍କ ପୋଖରୀରେ ପଦ୍ମ କଳିକାଟିଏ । ଫୁଟିଲେ ମନୋରମ ହେବ । ତା' ରଙ୍ଗ ଆଉ ଗଛରେ ସମସ୍ତଙ୍କୁ ବିମୁଗ୍‌ଧ କରିବ । ଏଇନେ କିନ୍ତୁ କଳିକାବସ୍ଥା । କୌଣସି ଦାୟିତ୍ଵ ମୁଣ୍ଡାଇ ନାହିଁ । ସେଥିପାଇଁ ବ୍ୟକ୍ତିଗତ ସ୍ଵାତନ୍ତ୍ର୍ୟ ନାହିଁ । କିନ୍ତୁ ସେ ବାପ ଅଜାଙ୍କର ଅନୀତି ଦେଖିଲେ ତୁନି ରହେନାହିଁ । କ୍ଷୀଣ ସ୍ଵରରେ ପ୍ରତିବାଦ କରେ । ତାର ପ୍ରତିବାଦର କିନ୍ତୁ କୌଣସି ମୂଲ୍ୟ ରହେନାହିଁ ।

 

ଶିକ୍ଷା ଓ ଅଶିକ୍ଷାକୁ ଉଦାହରଣ ଦେଇ ବୁଝାଇବାକୁ ହେଲେ ସନ୍ତୋଷ ଓ ବୃଦ୍ଧ ମହାପାତ୍ରକୁ ସାମନାସାମନି ରଖି ଚିହ୍ନେଇ ଦେବା ଅତି ସହଜ । ଜଣେ ଶିକ୍ଷାର ଆଲୋକରେ ଆଲୋକିତ ହେଲେ ଅନ୍ୟଜଣକ ଆଭିଜାତ୍ୟର ଅହମିକାରେ ଅନ୍ଧ । ଗୋଟିଏ ପରିବାରର ମଣିଷ ! କିନ୍ତୁ ପରସ୍ପର ମଧ୍ୟରେ କେତେ ତଫାତ୍‌, କେତେ ଫାଙ୍କ ! ମଣିଷ ଦୃଦ୍ଧ ହେଲେ ଆପଣାଛାଏଁ ଜ୍ଞାନୀ ହୋଇ ଯାଏନାହିଁ । ଜ୍ଞାନର ଆହରଣ ବିନା ଜ୍ଞାମୀ ହେବା ଏକାନ୍ତ ଅସମ୍ଭବ । ସଂସାରରେ ଅନେକ କଥା ଶିଖିବାର ଅଛି, ଅନେକ ବିଷୟ ଜାଣିବାର ଅଛି । ସୀମିତ ପରିବାର କିମ୍ବା ସଂକୀର୍ଣ୍ଣ ପରିବେଶ ଭିତରେ ସବୁ ରହସ୍ୟ ଜମା ହୋଇନାହିଁ । ଏ ଦୁନିଆ କଳ୍ପନା ଠାରୁ ବି’ ଆହୁରି ବଶାଳ । ଛୋଟ ଏକ ମଣିଷର ଆୟୁ ସେ ସବୁକୁ ଆୟତ୍ତ କରିବା ସହଜସାଧ୍ୟ ନୁହେଁ ।

ମହାପାତ୍ରେ ଭାବନ୍ତି, ସେ ଅନେକ କଥା ଜାଣିଛନ୍ତି । ନିଜର ପ୍ରଶଂସାରେ ନିଜେ ଉଦ୍‌ବୁଦ୍ଧ । ଗରିବମାନେ ଅଭାବରେ ପଡ଼ି ତାଙ୍କର ଦ୍ଵରାସ୍ଥ ହୁଅନ୍ତି । ମନଧରା ପ୍ରଶଂସା କରି ଦି’ଚାରିପଦ କହନ୍ତି । ମହାପାତ୍ରେ ଭାବନ୍ତି, ତାହା ହିଁ ଦୁନିଆର ରାୟ ! ଛାତି ତାଙ୍କର ଫୁଲି ଉଠେ । କିନ୍ତୁ ସତରେ କଣ ସେ ଜ୍ଞାନୀ ? ଧନ ତ ଆଉ ମାନର ମାପକାଠି ନୁହେଁ ! ତାହାହେଲେ ଭାରତର ବଡ଼ ବଡ଼ ଧନୀ, ମହାତ୍ମାଙ୍କ ପରି ପୂଜା ପାଆନ୍ତେ । କିନ୍ତୁ ଦୁନିଆରେ ଏହି ଧନୀ ସଂପ୍ରଦାୟଙ୍କୁ କେଇଜଣ ଚିହ୍ନନ୍ତି ? କିଏ ତାଙ୍କର ଖବର ରଖେ । ଆଜି ଆଖି ବୁଜିଲେ, କାଲି ନାଁ ଲିଭିଯାଏ ।

ଅମିତ ସନ୍ତୋଷର ସାନିଧ୍ୟ ପାଇ ଆନନ୍ଦ ହେଲା । ମାଉସୀ ବି’ କହିଲେ, ଭଲକଲୁ ପୁଅ, ଆସିଗଲୁ । ଅମିତଟା ନ ହେଲେ ଏକୁଟିଆ ହୋଇଥାନ୍ତା । ଭାବିଥିଲି, ଡକାଇ ପଠାଇବି ବୋଲି ।

ଅନ୍ନପୂର୍ଣ୍ଣାଙ୍କ କଣ୍ଠସ୍ଵରର ସନ୍ତୋଷ ପାଇଁ ସ୍ନେହ ଓ ଆର୍ଶୀବାଦ ମିଶିଥିଲା ।

ସନ୍ତୋଷର କଥାବାର୍ତ୍ତାରେ ଜୀବନ ଅଛି । ସୁନ୍ଦର ଭାବରେ କଥା କହିପାରିବା ବି’ ଏକ କଳା । ସେ କଳାକୁ ଆୟତ୍ତ କରିଛି ସନ୍ତୋଷ ।

ଅମିତ ସନ୍ତୋଷ ସଙ୍ଗରେ ଗାଁ ବୁଲୁଥିଲା ।

ଲଛିପୁର ବଡ଼ ନୁହେଁ । ତିନିଧାଡି ଘର । ଦୁଇଟି ସାହି । ବଡ଼ି ସାହୀଟାର ଓସାର ଦାଣ୍ଡ । ବଡ଼ ବଡ଼ ଘର । ଦୋକାନ, ବଜାର ସବୁ ଏଇଠି । ସକାଳ ପାହିଲେ ଆଖପାଖ ଗାଁରୁ ପ୍ରସରା ମୁଣ୍ଡେଇ ମାଇପୀମାନେ ଠୁଳ ହୁଅନ୍ତି । ଭାଗବତ ଘର ସାମନାରେ ଛୋଟକାଟିଆ ହାଟ ବସେ । ମାଇପୀମାନେ ଡାଲାରେ ଧାନ ଚାଉଳ ନେଇ ଜିନିଷ କିଣିବାକୁ ଆସନ୍ତି । ଟଙ୍କା ପଇସାର ଦେଖିନାହିଁ । ଲୁଗା ଖଣ୍ଡେ କି କିରୋସିନୀ ବୋତଲେ କିଣିବାକୁ ପଡ଼ିଲେ, ମଫସଲ ଗୃହସ୍ଥ ଟଙ୍କା ଯୋଗଡ଼ କରେ । ମହାଜନୀ ସଉଦାରେ ତ ଆଉ ଧାନ ଚାଉଳ ଚଳିବନାହିଁ ! ସେହି ଧାନ ଚାଉଳ କଣାବିକା ଟଙ୍କା । ଧାନ ଆମଦାନୀ ଉପରେ ମଫସଲର ସମସ୍ତ ଅର୍ଥନୀତି ନିର୍ଭର କରୁଛ । ଆମଦାନୀ ଦେଖି ଚଳପ୍ରଚଳ । ସରକାରଙ୍କ ନୋଟ ଟଙ୍କା ପରି, ଧାନ ଚାଉଳ ହିଁ ସମସ୍ତ ଭାବ ଅଭାବର ବିନିମୟ ମୁଦ୍ରା ।

ଏଇନେ ଲଛିପୁରରେ ସଂଗଠନ କାମ ଚାଲିଛି । ବନ୍ଧ ଖୋଳା ଠାରୁ ସଡ଼କ ତିଆରି ପର୍ଯ୍ୟନ୍ତ । ଲୋକେ କଞ୍ଚା ଟଙ୍କାର ସୁଆଦ ଚାଖୁଛନ୍ତି । ପରିଶ୍ରମ କରି ଟଙ୍କା ଭିଆଉଛନ୍ତି । ମହାଜନୀ ଜିନିଷର ଚାହିଦା ବଢୁଛି । ଲଛିପୁର ଗାଁରେ ସାବୁନ, ବାସନାତେଲ ବି’ ବିକ୍ରି ହେଉଛି ।

ତଳ ସାହିଟା ଅଣଓସାରିଆ ଗଳିଟିଏ । ଛୋଟ ଛୋଟ ଘର । ଅଧକାଂଶ ମୂଲିଆ ମଜୁରିଆ । ବର୍ଷସାରା ପର ଦୁଆରେ କାମକରି ପେଟ ପୋଷନ୍ତି । ତାଙ୍କ ପାଇଁ ବର୍ଷର ସବୁ ଋତୁ ସମାନ । ଦୁଃଖସୁଖର ପ୍ରାର୍ଥକ୍ୟ ଉପଲବଧ୍‌କରିନାହାନ୍ତି । ଆରାମ ଶବ୍ଦ ସ୍ଵପ୍ନବତ୍‌ । ଜୀବନର ଅର୍ଥ କେବଳ ପୀଡ଼ନ ଓ ହତାଶା । ସେମାନଙ୍କ ଜୀବନ ଦର୍ଶନ ବି ଅଦ୍ଭୁତ ଧରଣର । କହନ୍ତି, ପୁଣ୍ୟ ବଳରେ ମଣିଷ ଧନୀ ଘରେ ଜନ୍ମ ହୋଇ ସୁଖପାଏ । ପୁଣ୍ୟ ନ ଥିଲେ ଗରିବ ହୁଏ । ଗୋଟିଏ ହାତର ପାଞ୍ଚଅଙ୍ଗୁଠି ସମାନ ନୁହେଁ । ସୃଷ୍ଟିର ସବୁ ଲୋକ ସମାନ ନୁହନ୍ତି । ଦେବତା ସେମାନଙ୍କୁ କରିଛି କାଣି ଅଙ୍ଗୁଠି । ସେବା କରିବା ପାଇଁ ତାଙ୍କର ଜନ୍ମ ।

ଏହି ଚଳ ସାହିଟା ଉପରେ ଉପର ସାହୀ ଲୋକ ସବୁବେଳେ ପ୍ରଭୁତ୍ଵ ବିସ୍ତାର କରି ଆସିଛନ୍ତି । ଗାଁ ବସିଲା ଦିନୁ ତଳ ସାହିର ଭାଗ୍ୟ ବଦଳି ନାହିଁ । ଅଥଚ ଏମାନେ ଏ ଗାଁର ସ୍ଵାଚ୍ଛନ୍ଦ୍ୟପାଇଁ ନିଜକୁ ତିଳ ତିଳ କରି ଦାନକରି ଆସିଛନ୍ତି । ନିଜର ସୁଖ ସୁବିଧା ପ୍ରତି ଆଖିବୁଜି ପରପାଇଁ ଜୀବନଟାକୁ ଉତ୍ସର୍ଗ କରି ଦେଇଛନ୍ତି ।

ସ୍ଵାଧୀନତା ପାଇବାର ଅନେକଦିନ ହୋଇଗଲାଣି । କିନ୍ତୁ ପ୍ରତି ଗାଁର ଅବସ୍ଥା ଏକପ୍ରକାର । ଦଳେ ଆର ଦଳର ସ୍ଵାର୍ଥ ଉପରେ ମଉଜ କରୁଛନ୍ତି । ପରକଳ୍ପିତ ‘ସ୍ଵରାଜ ସ୍ଵପ୍ନ’ ହୋଇ ରହିଛି । ଏହି ଦୀନ, ନିଃସହାୟ ଗରିବର ଦୁଆରେ ସ୍ୱାଧୀନତାର ସୁଖବର ଆହୁରି ପହୁଞ୍ଚି ନାହିଁ । ପରାଧୀନ ଭାରତର ଏମାନେ ଦାସ ଥିଲେ । ଏଇନେ ଦାସର ଦାସ ହୋଇ ରହିଛନ୍ତି । ହତଭାଗା ସନ୍ତାନ ସନ୍ତତି ତାର କ୍ରୀତଦାସର ଦୁର୍ଭାଗ୍ୟ ନେଇ ଜନ୍ମ ହୁଅନ୍ତି । ଭାବିପାରିବ ଦିନଠୁ ନିଜକୁ ଅତି ବୋଲି ଭାବି ନିଅନ୍ତି । ମୁନିବର ଦୟା ଉପରେ ଜୀବନ । ସତେ ଯେମିତି ମୁନିବ ପାଇଁ ଜନ୍ମ ହୋଇଛନ୍ତି । ବୃଦ୍ଧ ମହାପାତ୍ରର ମୁହଁର ଆଶ୍ୱାସନା ପଦେ ଶୁଣିଲେ, ଛାତି କୁଣ୍ଢେ ମୋଟ ହୋଇଯାଏ । ସେହି ପଦକ କଥାରେ ସେମାନେ ଭଳି ଯାଆନ୍ତି । ନିଜ ଜୀବନକୁ ପାଣି ଛଡ଼େଇ ଖରା ବର୍ଷାରେ ଗତର ଖଟନ୍ତି ।

ସନ୍ତୋଷ ଚାଲି ଯାଉଁ ଯାଉଁ ଅମିତକୁ ଗାଁ ମୁଣ୍ଡରେ ଥିବା କୁଡ଼ିଆ ଘରକୁ ଆଙ୍ଗୁଠି ଦେଖାଇ ଚିହ୍ନାଇଦେଲା, ଜଗନ୍ନାଥ ମନ୍ଦିର ପ୍ରଥମେ ଲମ୍ବା ଚଉଡ଼ା ବାରଣ୍ଡା ଥାଇ ସୁନ୍ଦର ମଣ୍ଡପ ତିଆରି ହୋଇଥିଲା । ଗାଁର କେତେକ ତଥାକଥିତ ଭଦ୍ରଲୋକ ମିଶି ଏହାକୁ କୋଠାଘରଟାଏ କରିବେ ବୋଲି ଭାଙ୍ଗି ପକାଇଲେ । ଗାଁର ସବୁ ଲୋକଙ୍କୁ ଜମାଇ ସଭା ହେଲା । ଚାନ୍ଦା ପରିମାଣ ଠିକଣା ହେଲା । ଲୋକେ ଶକ୍ତି ଅନୁଯାୟୀ ଟଙ୍କାପଇସା ଠାରୁ ଆରମ୍ଭ କରି କାଠି ପଥର ପର୍ଯ୍ୟନ୍ତ ଯୋଗାଇ ଦେବାକୁ ପ୍ରତିଶ୍ରୁତିଦେଲେ । ଦିଅଁଙ୍କ ଜମି ବନ୍ଧାପଡ଼ି ଟଙ୍କା ଅଣାହେଲା । ଧର୍ମବିଶ୍ଵାସୀ କେଇଜଣ ଆଗୁଆ ଚାନ୍ଦା ବି ଦେଲେ । ଇଟା ଗଢ଼ା ହେଲା । କିନ୍ତୁ କୋଠା ତିଆରି ହୋଇପାରିଲା ନାହିଁ । ଆଦାୟ ହୋଇଥିବା ଟଙ୍କା ସବୁ ଭଦ୍ରଲୋକମାନେ ଚଳୁ କରିଦେଲେ । ଦିଆଁ ଏଇନେ କୁଡ଼ିଆ ଘରେ । ଏତେବଡ଼ ଅନ୍ୟାୟ ଅତ୍ୟାଚାରକୁ ଜଗନ୍ନାଥ ଯେତେବେଳେ ସ୍ଵୟଂ ସହିଗଲେ, ଅନ୍ୟମାନଙ୍କର ଚାରା କଣ ?"

ସନ୍ତୋଷର ନିଜ ଗାଁର ଦୁର୍ବଳତା କଥା କହିବାକୁ ଲାଜ ଲାଗିଲା ନାହିଁ । ସେ ଚାହେଁ, ଏ ଗାଁର ସମସ୍ତେ ସଚୋଟ ହୁଅନ୍ତୁ । ପରର ପରିଶ୍ରମକୁ ଅପହରଣ କରିବାର ଚେଷ୍ଟା ନହେଉ । କିନ୍ତୁ କେଇଲୋକ ତା’ କଥା ପ୍ରତି ନଜର ଦିଅନ୍ତି ? ବିଶେଷତଃ ତଥାକଥିତ ଭଦ୍ରଲୋକଙ୍କ କାନରେ ତୁଳାବିଣ୍ଡା । ଉପୁରି ମିଳୁଥିବା ପର୍ଯ୍ୟନ୍ତ ସେମାନେ କୌଣସି ସମାଲୋଚନାକୁ କାନେଇବେ ନାହିଁ । ଯେ ହାତରେ ପଡ଼ିଥିବା ଟଙ୍କାକୁ ଆପଣା ସ୍ଵାର୍ଥରେ ଲଗାଇ ପାରେନା, ସେ ନିର୍ବୋଧ । ଆଜିର ସମାଲୋଚନା କାଲିକି ସମାନ ହୋଇ ଯିବ । କିନ୍ତୁ ଏ ସୁଯୋଗ ତ ସବୁଦିନ ମିଳିବ ନାହିଁ ।

ଚଲାବାଟରେ ପଡ଼ିଲା ଭାଗବତ ଘର ଆଉ ସ୍କୁଲ । ଭାଗବତ ଘର ଆଉ ଘର ହୋଇ ରହିନାହିଁ । ସେଇଟା ସର୍ବ ସାଧାରଣଙ୍କ ମଇଳା ଖାତରେ ପରିଣତ ହୋଇଛି । ରୁଅରୁ ମାଟି ଛାଡ଼ି ଗଲାଣି । ସୁବିଧା ଦେଖି ଲୋକେ କାଠ ବାଉଁଶ ସବୁ ଗୋଟି ଗୋଟି କରି ବୋହି ନେଉଛନ୍ତି । ଗାଁରେ କାହାରି କଥା କେହି ଶୁଣୁନାହିଁ । ଦଳେ କହିଲେ ଆର ଦଳକ ବିରୋଧ କରୁଛି । ପ୍ରତି ମୁହୁର୍ତ୍ତରେ ପ୍ରତ୍ୟେକ ଦଳ ପରସ୍ପରର ସମାଲେଚନା କରୁଛି ।

ଆଉ ସ୍କୁଲ କଥା ? ସେଇଠି କେବେ ଦିନେ ସିନା ମାଇନର ସ୍କୁଲର ଶୁଭ ଦିଆ ହୋଇଥିଲା । ଏଇନେ ତାହା କଥାର କଥା ହୋଇଗଲାଣି । କେତେଜଣ ଦକ୍ଷ ଶିକ୍ଷକଙ୍କ ସହଯୋଗ ଦ୍ଵାରା ବର୍ଷ ଦି’ବର୍ଷ ଆନନ୍ଦରେ ଚଳି । ମନେ ହେଉଥିଲା ନୂଆ ସ୍କୁଲଘର, ସମଗ୍ର ଗାଁରେ ଶିକ୍ଷାର ଦୀପ ଜାଳିଦେବ, ଅଶିକ୍ଷା-ଅନ୍ଧକାର ଦୁରକରି ଗାଁର ଆସନକୁ ଉଚ୍ଚରେ ରଖିବ । ଲୋକେ ଶିକ୍ଷିତ ହେଲେ ବାଦବିସମ୍ବାଦ ରହିବ ନାହିଁ । ସମସ୍ତେ ସମସ୍ତଙ୍କର କର୍ତ୍ତବ୍ୟ ହୃଦୟଙ୍ଗମ କରି ଆନନ୍ଦରେ ଚଳଯିବେ । କିନ୍ତୁ ଗାଁ ବିବାଦରେ ଏତେବଡ଼ ପୁଣ୍ୟ ଅନୁଷ୍ଠାନଟି ଅବେଳରେ ଭାଙ୍ଗି ପଡ଼ିଲା । ସହଯୋଗୀ ଶିକ୍ଷକମାନେ ଭାଙ୍ଗିପଡ଼ିଲେ । ସେହି ଆଘାତକୁ ସହ୍ୟ କରି ନପାରି ଗାଁ ଛାଡି ଦେଲେ-

ସନ୍ତୋଷର ଶେଷ ବର୍ଣ୍ଣନା କେଇପଦ କରୁଣ ହୋଇ ପଡ଼ୁଥିଲା । ଏ ଗାଁର ଭବିଷ୍ୟତ ନେଇ ସେ ଯେ ଏକାନ୍ତ ବ୍ୟଥିତ, ଏକଥା ତାର ବର୍ଣ୍ଣନା ଶୈଳୀ ସୂଚେଇ ଦେଉଥିଲା ।

ସମୁଦାୟ ଗାଁ ବୁଲିଦେବାକୁ ପନ୍ଦର ମିନିଟରୁ ଅଧିକ ସମୟ ଲାଗିଲା ନାହିଁ । ଅମିତ ଓ ସନ୍ତୋଷ ଗାଁ ମୁଣ୍ଡ ବରଗଛ ଆଡ଼େ ଚାଲିଲେ ।

ବରଗଛର ଅବସ୍ଥିତଟା ବେଶ ଉଲ୍ଲେଖଯୋଗ୍ୟ । ଚାରି ପାଖରେ ସ୍କୁଲ, ପୋଲିସ ଫାଣ୍ଡି, ଡାକଘର ଓ ଷ୍ଟକମେନ କେନ୍ଦ୍ର ରହିଛି । ଗାଁର ବିଶିଷ୍ଟ ଭଦ୍ରଲୋକମାନଙ୍କର ସମାବେଶରେ ସେ ସ୍ଥାନଟି ବେଳେବେଳେ ଉଛୁଳି ଉଠେ ।

 

ବରଗଛ ତଳେ ଈଶ୍ୱରପାଲିର ରାସ୍ତା ମିଶିଯାଇଛି । ଆନିସା କଲେ ଈଶ୍ଵରପାଲିର ନୂଆଣିଆ ଚାଳଘରତକ ଆଖିରେ ପଡ଼େ । ଲଛିପୁର ଆଖପାଖ ଗାଁର ଅସଂଖ୍ୟ ଲୋକ ଏଇ ରାସ୍ତାଦେଇ ଯାତାୟତ କରନ୍ତି । ବରଷର ବାରମାସ ଏ ରାସ୍ତା ଗହଳି ଥାଏ ।

 

ସେହି ବାଟଦେଇ ରାଧା ଲଛିପୁରକୁ ଆସୁଥାଏ ।

 

ଦୟାନିଧି ପ୍ରିୟତମା ରାଧା ! ମୁଣ୍ଡରେ ଜୟ ପକ୍ଷୀର ପର ମାରିଛି । ଦେହ ଦୋହଲା ଚାଲିରେ ନିର୍ଜୀବ ମାଟିଖଣ୍ଡକ ବି’ ପୁଲକି ଉଠୁଛି । ଆଖି କୋଣରେ ଲକ୍ଷେ ଫୁଲବାଣ । ବେଶ ଭୂଷଣ ପ୍ରତି ଟିକିଏ ବୋଲି ସଜାଗ ନାହିଁ । ନବଯୌବନ ତାର ଫାଟିଫୁଟି ପଦାକୁ ବାହାରି ପଡ଼ୁଛି ।

ଲଛିପୁରର କେଇଜଣ ନୂଆ ଯୁବକ କଣେଇ କଣେଇ ଚାହିଁଛନ୍ତି ।

ସେମାନଙ୍କ ଚାହାଣୀ ପ୍ରତି ରାଧାର ଟିକିଏ ହେଲେ ଦରଦ ନାହିଁ । ପ୍ରକୃତିର ଅଲିଅଳ କନ୍ୟା ସେ । ତା’ ଛାତିରେ କୃତ୍ରିମତାର କୌଣସି ଗାର କାଟି ହୋଇନାହିଁ । ତା'ରୂପ ଯୌବନକୁ ପ୍ରଶଂସା କଲେ ସେ ଖୁସିହୁଏ । କିନ୍ତୁ ହାତ ବଢ଼ାଇ ଧରିବାକୁ ଚାହିଁଲେ ପବନପରି ଖସିଯାଇ କହେ, ଏଡ଼େ ସିଆଣା ଓ ଦେଖିବାକୁ ଯଦି ଇଚ୍ଛା, ଦେଖ । ମୋର ଆପତ୍ତି ନାହିଁ । କାରଣ ମୁଁ ଫୁଲଟିଏ । ମୋ ଦେବତା ପାଇଁ ମୁଁ ଫୁଟୁଛି । ତୁମ ହାତ ବାଜିଲେ ମୋ ଦେବତା ମୋତେ କଣ କହିବ ?

ରାଧା ଅଳ୍ପଦୂରରୁ ଅମିତକୁ ଦେଖି ହସିଦେଲ । ସେ ହସ ପରିଚୟର ହସ । ପାଖକୁ ଆସି ପଚାରିଲା, ଆମ ଗାଁକୁ ଆଉ ଗଲନାହିଁ ? ରମାଦେଈ ତୁମକଥା ପଚାରିଲେ ।

ରମାଦେଈ ପଚାରୁଥିଲେ ? କଣ କହୁଥିଲେ ??

ଆଉ କହନ୍ତେ କଣ ? କହିଲେ ଲଛିପୁର କେତେ ବାଟ ସେ ଅଟକି ଗଲେ ?

ତୁ କହିଦବୁ ରାଧା ! ମୁଁ ନିଶ୍ଚୟ ଯିବି । ଅମିତର କଣ୍ଠରେ ଅନୁତାପ ଥିଲା ।

ରାଧା ମୁଣ୍ଡ ହଲାଇ ଚାଲିଗଲା ।

ରାଧାର ମୁଣ୍ଡ ହଲାଇବାରେ ବି’ ଏକ ସ୍ଵାତନ୍ତ୍ର୍ୟ ଅଛି । ଅବୁଝା ଶିଶୁ ପରି ଚାହେଁ । ଆଶ୍ଚର୍ଯ୍ୟ ହେଲାପରି କଥା କହେ । ରାଧା ସୁନ୍ଦରୀଟିଏ ନିଶ୍ଚୟ !

ରାଧା ଚାଲିଗଲା ପରେ, ସନ୍ତୋଷ ସ୍ନେହୀ-ରମାଦେଈ ନାଁରେ ବହୁତ ପ୍ରଶଂସା କଲା । ଦାମୋଦର ବାବୁଙ୍କ ପ୍ରତି ଅସୀମ ଶ୍ରଦ୍ଧା ତାର । ଲଛିପୁର ଗାଁରେ ଆଦର୍ଶର ଏକ ବଳିଷ୍ଠ ଖମ୍ବ ଥିଲେ-। ପ୍ରତ୍ୟେକ ଅନ୍ୟାୟ ଅତ୍ୟାଚାରର ପ୍ରତିବାଦ କରୁଥିଲେ । ବୃଦ୍ଧ ମହାପାତ୍ରେରେ ତାଙ୍କର ବ୍ୟକ୍ତିତ୍ଵ ଦେଖି ସ୍ତବଧ୍‌ ହୋଇ ବନ୍ଧୁତା ବାନ୍ଧିଥିଲେ । ତାଙ୍କର ଧାରଣା ଥିଲା,ଏହି ବନ୍ଧୁତା ଦାମୋଦର ବାବୁଙ୍କ ମୁହଁ ବନ୍ଦ କରିଦେବ । ସେ ଆନନ୍ଦରେ ନିଜ କାମ କରି ଚାଲିବେ । କିନ୍ତୁ ଘରୋଇ ବନ୍ଧୁତା ବାହାର କାମରେ ଲାଗିଲା ନାହିଁ । ଅସହାୟ ପ୍ରତି ଯଥେଚ୍ଛାଚାରକୁ ସେ ସହି ପାରିଲେ ନାହିଁ । ଦୁର୍ବଳର ପକ୍ଷ ନେଇ ବଡ଼ବଡ଼ିଆଙ୍କ ସଙ୍ଗରେ ଲଢ଼ିଲେ । ମହାପାତ୍ରେ ବିରକ୍ତ ହେଲେ । ଶେଷରେ କୌଶଳ କରି ଗାଁ ରୁ ଉଠାଇ ଦେଲେ ।

 

ଏଇନେ ଲଛିପୁରରେ ମହାପାତ୍ର ଦଳଙ୍କର ନିଷ୍କଣ୍ଟକ ଦୌରାତ୍ମ୍ୟ । ଗାଁରେ ଯେମିତି ନ୍ୟାୟ ନାହିଁ କି ଧର୍ମ ନାହିଁ । ଦାମୋଦର ବାବୁଙ୍କର ସଙ୍ଗରେ ସବୁ ନ୍ୟାୟ, ସବୁ ନୀତି ଗାଁ ଛଡ଼ା ହୋଇଯାଇଛି ।

 

କେତେଦିନ ଆଉ ଏ ନିଷ୍ପେସିତ ଜନତା ମଉନ ହୋଇ ବସିଥିବେ ? ସେମାନେ କଣ ଆତ୍ମ ଅଧିକାର ସଙ୍ଗେ ପରିଚୟ ହୋଇ ପାରିବେ ନାହିଁ ? ଏମାନଙ୍କ ପାଇଁ ସ୍ଵାଧୀନତାର ସ୍ଵାଦ କଣ ଉଦ୍ଦିଷ୍ଟ ନୁହେଁ !

 

ସ୍ଵାଧୀନ ଭାରତର ପରାଧୀନ ଗୋଷ୍ଠୀ ଏ ସର୍ବହରା ଦଳ !

 

କିନ୍ତୁ କାହିଁକି ? ସେମାନେ କଣ ମଣିଷ ନୁହନ୍ତି ? ? ସେମାନଙ୍କର କଣ ଜୀବନ ନାହିଁ-? ତେବେ ଏ ଜଡ଼ତା କାହିଁକି ? ଦାୟୀ କିଏ ?

 

ମଣିଷ ତାର ନିଜର ଅଧିକାର ସଙ୍ଗେ ପରିଚୟ ହେବା ଆବଶ୍ୟକ । ନହେଲେ ଗାଁ ଗହଳିର ନ୍ୟସ୍ତସ୍ଵାର୍ଥ ମହାପାତ୍ର ସଂପ୍ରଦାୟ ସେମାନଙ୍କ ପାଖକୁ ଆସି ଅଧିକାର ସଙ୍ଗେ ପରିଚୟ କରାଇ ଦେବେନାହିଁ । ଏମାନେ ସେତେଦିନ ଆଲୁଅ ପାଖରେ ରହି ଆଖି ବନ୍ଦ କରିବେ, ସେତେଦିନ ପାଇଁ ସେମାନଙ୍କ ପକ୍ଷେ ସୁବର୍ଣ୍ଣ ସୁଯୋଗ । ଯେଉଁଦିନ ଆଖି ଖୋଲିବେ, ଆଲୋକର ଦୀପ୍ତିକୁ ଦେଖି ପାରିବେ, ଆଉ ଜାଣିଶୁଣି ଆଖି ବନ୍ଦ କରିବାକୁ ଇଚ୍ଛା କରିବେ ନାହିଁ । ମହାପାତ୍ର ସଂପ୍ରଦାୟର ପ୍ରାଣେ ଭୟ, କାଳେ ଏମାନେ ଆଖି ଖୋଲିଦେବେ ! କାଳେ ଏ ଜଳନ୍ତା ଆଲୋକର ଦୀପ୍ତି ଆଖିରେ ପଡ଼ିବ ।

 

କିନ୍ତୁ ସ୍ୱାଧୀନତାର ଆଲୋକ ଆସିଛି ଦୀପ୍ତି ନେଇ । ସେ ଆଲୋକ ଲିଭିବାର ନୁହେଁ । ତା’ ପକ୍ଷରେ ଧନୀ ଗରିବ ସମସ୍ତେ ସମାନ । ଅନ୍ଧକାର ଦୁରେଇ ଆଲୋକ ବାଢ଼ି ଦେବା ତାର ଧର୍ମ-

 

ଏ ନିରକ୍ଷର, ସର୍ବହରାମାନଙ୍କ କାନରେ ଥରେ କିଏ ଆସି ସ୍ଵାଧୀନତାର ସଙ୍ଗୀତ ଆବୃତ୍ତ କରନ୍ତା କି ! ଥରେ କିଏ କହନ୍ତା,ତୁମେ ବି’ ଭାରତର ସ୍ଵାଧୀନ ସନ୍ତାନ ! ତୁମେ ମୁକ୍ତ ହୋଇଛ । ଅନ୍ୟ ସମସ୍ତଙ୍କ ପରି ଏ ମାଟି, ଏ ସମାଜରେ ସମାନ ଭାବରେ ବଞ୍ଚିବାର ଅଛି । ଆଉ ସେ ଅଧିକାର ଟା ବି’ ତୁମର ହାତ ମୁଠାରେ ।

 

ବିଶାଳ ଭାରତର ମାଟି ଉପରେ ବସାବନ୍ଧା ରହିଥିବା ସହର ଓ ଗ୍ରାମବାସୀଙ୍କୁ ଭାଗ ଭାଗ କଲା କିଏ ସେ ?

 

ସହର ପାଇଁ ସବୁ ସୁଖ, ସୁବିଧା । ସେମାନଙ୍କ ସ୍ୱରର ଅର୍ଥ ଅଛ, ପ୍ରତିକାର ଅଛି । କିନ୍ତୁ ଗ୍ରାମାଞ୍ଚଳ ପାଇଁ ଯେତକଯାକ ଅବମାନନା । ସେମାନଙ୍କ ଅଭାବ ଅସୁବିଧାର ଖବର ସହର ଭିତରେ ପଶିବାକୁ ଅନେକ ବିଳମ୍ବ ହୁଏ । କେତେ କଥା ସହରର ଲୋକାରଣ୍ୟ ଭିତରେ ପଥହର ହୋଇ ନିର୍ଦ୍ଦିଷ୍ଟ ସ୍ଥାନକୁ ପହଞ୍ଚି ପାରେନାହିଁ । ସେଥିପାଇଁ ଲକ୍ଷ୍ମୀପୁର ପରି ଗ୍ରାମ ଅବହେଳିତ ରହିଯାଏ । ଲଛିପୁରରେ ସବୁଦିନିଆ ରାସ୍ତା ହୋଇ ପାରେନା । ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ସନ୍ତାନ ସମସ୍ତ ଶିକ୍ଷାର ଆଲୋକ ଦେଖି ପାରନ୍ତି ନାହିଁ । ଦିନ ମଜୁରିଆର ସଂସାର ଟଳମଳ ଅବସ୍ଥାରେ ପଡ଼ିରହେ ।

 

ଅମିତ ଭାବୁଥିଲା, ତା ନିଜ ଘର ସହର ଓ ଏ ଗ୍ରାମ ଭିତରେ ଅନେକ ତଫାତ୍‌ । ସେ ତଫାତ୍ ତୁଳନା ନାହିଁ । ହିମାଳୟ ଆଉ ପୋଖରୀର ତୁଠ ପଥରର କଣ କେବେ ତୁଳନା ହୋଇପାରେ ? ଅଥତ ଭାରତବର୍ଷର ଲକ୍ଷ ଲକ୍ଷ ଗ୍ରାମ । ସହର ସଂଖ୍ୟା ଗ୍ରାମ ତୁଳନାରେ ଅତି ନଗଣ୍ୟ । ସହର ଓ ଗ୍ରାମ ଭିତରେ ବିଭେଦ ପାଚେରୀ ଛିଡ଼ା ହୋଇଛି । କେହି କାହାକଥା ଦେଖି ପାରନ୍ତି ନାହିଁ ବି ବୁଝି ପାରନ୍ତି ନାହିଁ । ପାଚେରୀ ଉଠିବ ତ ସହର ଗ୍ରାମ ସମାନ ହେବ ।

 

ଗ୍ରାମାଞ୍ଚଳ ଓ ସହର ବାସିନ୍ଦାଙ୍କ ମଧ୍ୟରେ ସେହି ଏକା ପ୍ରାଣ, ଏକା ମନ । କିନ୍ତୁ ମନର ବିକାଶରେ ନୂତନତା ଅଛି । ଜୀବନ ଧାରଣ ପ୍ରଣାଳୀରେ ମଧ୍ୟ ଉଲ୍ଲେଖଯୋଗ୍ୟ ପ୍ରାର୍ଥକ୍ୟ । ସହରବାସୀ ବେଶ ପୋଷାକରେ ଖାଲି ଆବଶ୍ୟକତା ମେଣ୍ଡାଏ ନାହିଁ । ଧନ ଓ ମାନର ବିଜ୍ଞାପନ ବାଢ଼େ । ନିତ୍ୟ ନୂତନ ଭୂଷଣ ପିନ୍ଧ ଯୁଗର ରୁଚିକୁ ବଦଳାଇ ଦିଏ । ନୂତନ ପୁରାତନ ହେବାକୁ ବା ପୁରାତନ ନୂତନ ଦେବାକୁ ସମୟ ଲାଗେ ନାହିଁ ।

 

ସେହି ସହରର ଜୀବନ ? ରଙ୍ଗୀନ ବେଲୁନ ପରି ଖୁବ୍ ହାଲୁକା, ଖୁବ୍ ସୁନ୍ଦର । ସେ ଜୀବନର କୌଣସି ଓଜନ ନାହିଁ । ସ୍ଵପ୍ନ,କଳ୍ପନାର ସଂସାର ଭିତରେ ସେ ଏକ ପ୍ରହେଳିକା ପାଲଟି ଯାଇଛି । ଦୃଷ୍ଟିକୋଣରେ ବସ୍ତୁବାଦର ଗଭୀର ରେଖା ପ୍ରତିଫଳିତ । ଧୂଳିମାଟିର ଧରଣୀ କଥା ତା' ପାଇଁ ଅତି ପୁରାତନ । ସେ ଚାହେଁ ଆକାଶଚର ହେବାକୁ ।

 

ଆଉ ଲଛିପୁର ପରି ପଲ୍ଲୀ ଜୀବନ ? ଗ୍ରାମବାସୀଙ୍କ ସ୍ୱପ୍ନରେ ସହର ସ୍ୱପ୍ନ ର ରୋମାଞ୍ଚ ନାହିଁ । ଜୀବନ ବ୍ୟୂହ ଭିତରେ ରହି ସେ ସଦା ସର୍ବଦା ସଂଗ୍ରାମ କରେ । ବଞ୍ଚିବାର ସଂଗ୍ରାମ । ସେଥିପାଇଁ ତାର ପ୍ରତିଟି ସ୍ୱପ୍ନ ,ପ୍ରତିଟି କଳ୍ପନା ଜୀବନର ସାଦା ରଙ୍ଗରେ ରସାଶିତ । ସହରବାସୀ ପରି ଆୟୁଷକୁ ଉପଭୋଗର ବିଳାସ ପାତ୍ର ବୋଲି ଧରି ନେଇନାହିଁ । ତା' ଜୀବନରେ ସହାନୁଭୂତିର ଅଂଶ ଅଛି । ଆଦର୍ଶକୁ ଜୀବନ ଠାରୁ ଉଚ୍ଚରେ ସ୍ଥାନ ଦିଏ ସେ । ପ୍ରକୃତି ପୁସ୍ତକରୁ ଜ୍ଞାନ ଆହରଣ କରି ସେ ମଣିଷ ହୁଏ ।

 

ପଲ୍ଲୀ ଜୀବନ ଦିନେ ପବିତ୍ର ଥିଲା । ସହରର କୃତ୍ରିମ ସଭ୍ୟତା ଦ୍ଵାରା ପ୍ରଭାବିତ ହୋଇ କ୍ରମେ ଜଟିଳ ହେବାକୁ ଯାଉଛି । କାଳ କ୍ରମେ ଏହି ଲଛିପୁର ଜୀବନଟା ବି' ଅସହ୍ୟ ହୋଇ ଉଠିବ-। ଆଉ ଜଣେ ଦି'ଜଣ ମହାପାତ୍ର ବାହାରି ପଡ଼ିଲେ, ଅସଂଖ୍ୟ ଦାମୋଦର ସମ୍ମାନକୁ ଜଗି ଗୃହତ୍ୟାଗୀ ହେବେ ।

 

ଅମିତ ଏଇ ଶେଷ କଥାପଦକ ଭାବି ଆପଣା ଛାଏଁ ଚମକି ପଡିଲା । ସେ ସନ୍ଦେହୀ ଆଖିରେ ଝରକା ଦେଇ ଗାଁ ଦାଣ୍ଡକୁ ଅନାଇଲା ।

 

ଚାରି ଛ' ଜଣ ଲଙ୍ଗଳା ପିଲା ଖେଳୁଛନ୍ତି । ଧୂଳି ସର ସର ଦେହ । ଧୂଳି ଘର ଗଢି ମନକୁ ନ ପାଇଲେ ସଙ୍ଗେ ସଙ୍ଗେ ଭାଙ୍ଗି ଦେଉଛନ୍ତି । ଆଖି ପଲକରେ ନୂଆ କାନ୍ଥ ଛିଡା ହେଉଛି । ଆଖିରେ ଅସୀମ ଆଗ୍ରହ, ଅନନ୍ତ ଉତ୍କଣ୍ଠା । ସୃଷ୍ଟିର ପ୍ରତ୍ୟେକ ବସ୍ତୁ ଗୋଟିଏ ଗୋଟିଏ ପ୍ରଶ୍ନ ।

 

ଏମାନେ ଦିନେ ବଡ଼ ହେବେ । ଧୂଳି ଘର ଛାଡି ସତ ଘର କରିବେ । ସେତିକିବେଳେ ଏ ସହଜ ସରଳ ମନ ନଥିବ କି ସ୍ୱଭାବିକ ବିକାଶ ନଥିବ । କୌଣସି ବିଷୟରେ ସମ୍ୟକ ଧାରଣା କରିବା ପୂର୍ବରୁ ସବୁ କିଛି ଜାଣିଛନ୍ତି ବୋଲି ଛଳନା କରିବେ । ମିଛ କହି ବାହାଦୂରୀ ନେବେ । ତାଙ୍କ ଉଦାର ମନ ଭିତରେ କୃତ୍ରିମତା ବସା ବାନ୍ଧିବ । ପାରିପାର୍ଶ୍ଵିକ ଅବସ୍ଥା ଦ୍ୱାରା ପ୍ରଭାବିତ ହେବେ ।

 

ବୟସକୁ ଅବରୋଧ କରି ହେବ ନାହିଁ କି ସହରର ପ୍ରଭାବଶାଳୀ ପ୍ରତିଫଳନ କୁ ବାଧା ଦେଇ ହେବ ନାହିଁ ।

 

ଅମିତ ଇଛା କରୁଥିଲା, ବୟସ ଆସିବାର କଥା ଆସୁ । କିନ୍ତୁ ସଙ୍ଗରେ ତାର ଛଳନା କି ଆତ୍ମପ୍ରବଞ୍ଚନା ନ ଥାଉ । ସହର ସଭ୍ୟତା ଦ୍ଵାରା ଗ୍ରାମାଞ୍ଚଳ ପ୍ରଭାବିତ ହେଉ, କିନ୍ତୁ ସେ ପ୍ରଭାବରେ ସତ୍ୟର ପ୍ରତିଫଳନ ପଡ଼ିଥାଉ ।

 

ମାଉସୀଙ୍କ ରନ୍ଧାବଢ଼ା ଆହୁରି ସରିନାହିଁ । ଅମିତ ପାଇଁ କେତେ ରକମର ତରକାରୀ ବସାଉଛନ୍ତି । ପରିବାପତ୍ର ଅପେକ୍ଷା ପ୍ରତିଟି ତରକାରୀ ରେ ମାଆର ବାତ୍ସଲ୍ୟ ମମତାର ଭାଗଟା ଅନେକ ବେଶୀ । ମନାକଲେ ଅସନ୍ତୁଷ୍ଟା ହେବେ । ତାଙ୍କ ମନର ସରଗକୁ ଭାଙ୍ଗି ଦେବାକୁ ଅମିତ ସାହାସ କରି ପାରିଲା ନାହିଁ ।

 

ଗାଁ ଦାଣ୍ଡର ଗୋଟିଏ କୋଣକୁ ଭୁଆସୁଣୀ ଝିଅଟିଏ ଚାଲି ଆସୁଛି । ନୂପୁର ପାଖକୁ ଦି' ଧାଡ଼ି ସରୁ ସରୁ ଅଳତା ଗାର । ପାଦ ମଝିରେ ଅଳତାର ଭଙ୍ଗା ଚନ୍ଦ୍ରଟିଏ ନିରୀହ ଗୃହିଣୀରୁ ସରଳ ମନର ଆଭାସ ମିଳୁଛି ।

 

ଲାବଣ୍ୟମୟୀ ନବ କୁମାରୀଟିଏ ନିଶ୍ଚୟ । ଗୋଟିଏ ଦରଫୁଟା ରଜନୀଗନ୍ଧା । ପୃଥିବୀର ଅଜସ୍ର ବିକାଶୋନ୍ମୁଖୀ କଳିକା ଭିତରୁ ଇଏ ଏକ ଲାବଣ୍ୟମୟୀ କଳିକା । ତନୁଲତାରେ ସହସ୍ର ବିଜୁଳୀର ଆଭା ଅଛି । ଆଖିରେ କୁମାରୀ ବାଳିକାର ଅନନ୍ତ ପ୍ରଶ୍ନ । ପୃଥିବୀର ପ୍ରତ୍ଯକଟି ବସ୍ତୁ ଗୋଟିଏ ଗୋଟିଏ ପ୍ରଶ୍ନ ।

 

ତଥାପି ସୁନ୍ଦର ଦେଖା ଯାଉଛି । ପାଦଚିପା ପାହୁଲ ପକାଇ ଚାଲିଛି ।

 

କାହାର କନ୍ୟା ? ଯାହାର ହାତ ଧରିବ, ସେ ଘରେ ସୁଖ ଶାନ୍ତିରେ ଲହଡ଼ି ଭାଙ୍ଗିବ । ଅମିତ ମନରେ ସେହି ଅପରିଚିତା ବାଳିକାର ଦୀର୍ଘାୟୁ କାମନା କଲା ।

 

ରାସ୍ତା ଉପରେ ମେହେର ଝିଅଟିଏ ଚାଲି ଯାଉଥିଲା । ସେହି ସୁନ୍ଦରୀ ବାଳିକାଟିକୁ ଚାହିଁ ପଚାରିଦେଲା, କୁଆଡ଼େ ବାହାରିଛ ସର ? ଆଜି ତ ବଡ଼ ଅପୂର୍ବ ।

 

ସରୁ ହସଟିଏ ହସି ସର ଉତ୍ତର ଦେଲା, ଅନ୍ନପୂର୍ଣ୍ଣା ମାଉସୀ । ଘରକୁ ଯାଉଛି ।

 

'ସର' ନାଁ' ଟାକୁ ଅମିତ ମନେ ପକେଇବାକୁ ଚେଷ୍ଟା କଲା ପରିଚିତା ନାଁ'ଟିଏ । ଶୁଣିଲା ପରି ମନେ ହେଉଛି । ତେବେ....ତେବେ ଏ କଣ ସେହି ମହାପାତ୍ର ବୁଢ଼ାଙ୍କର ନାତୁଣୀ । ଯାହାର ବିବାହ ପ୍ରସ୍ତାବରେ ସ୍ୱୟଂ ବିଜେ କରିଥିଲେ ସଞ୍ଜ ପ୍ରହରରେ ।

 

ସର ଆସି ମାଉସୀ ଘର କବାଟରେ ହାତ ମାରିଲା । ଅମିତ ଇଚ୍ଛା କରି କବାଟ ଖୋଲିଲା ନାହିଁ । ବିଛଣା ଉପରେ ଚୁପକରି ଶୋଇଗଲା ।

 

ମାଉସୀ କବାଟ ଫିଟାଇ ସରକୁ ଅବେଳରେ ଆସିଥିବା ଦେଖି ପଚାରିଦେଲେ, କଥା କଣ ସର ? ବହୁ ଦିନ ପରେ ମାଉସୀକୁ ମନେପକାଇ କଣ ଚାଲି ଆସିଲୁ ?

 

ସର ଆଉ କିଛି ନ କହି ମାଉସୀଙ୍କ ପଛରେ ଯାଇ ଘର ଭିତରେ ବସିଲା । ଏଣୁତେଣୁ ଗୁଡ଼ାଏ କଥା କହିଦେଲା । ତା' ରମା ଆପାର କଥା ପକାଇ କାନ୍ଦୁଣୁ ମାଗୁଣି ହେଲା ।

 

ସରର କଥାବାର୍ତ୍ତା ଶୁଣି ଅମିତ ର ମନେହେଲା, ସେ ଏକ ଲଛିପୁର ଗାଁର ଲାଜକୁଳୀ ଡାଳ ଖଣ୍ଡେ ନୁହେଁ । ପଞ୍ଜୀର ଗତିବିଧିକୁ ଆଦରି ନେଇଛି ସିନା,ମନ ତାର ଇସ୍ପାତ ଲୁହା ପରି ଟାଣ-। ଭାଙ୍ଗିବ ନାହିଁକି ନଇଁବ ନାହିଁ ।

 

ଏଇନେ ସର ଅସଲ କଥାକୁ ଫେରି ଆସିଛି । ମାଉସୀ ଘର ଚଉଦିଗ ତାର ବିଜୁଳି ଚାହାଣୀରେ ତନ୍ନ ତନ୍ନ କରି ଛାଣି ଆଣି ପଚାରିଲା, କୁଣୁଆ କଣ ଘରେ ନାହାନ୍ତି ମାଉସୀ ? ମା' କହିଲେ, ସେ ଆଜି ଆମ ଘରେ ଖାଇବେ । ସେଇଆ କହିବାକୁ ଆସିଥିଲି ।

 

ଅମିତ କଥା ପଚାରୁଛୁ ନାଁ କଣ ?

 

ସର ମୁଣ୍ଡ ହଲାଇ ହଁ କଲା ।

 

ଅମିତକୁ କୁଣୁଆ କହୁଛୁ ? ମାଉସୀ ହସିଲେ । କହିଲେ, ସେ ମୋ ପୁଅ ପରା ! କୁଣୁଆ ହେଲା କେମିତି ? ତୋର ଭାଇ ହବ । ଗଲୁ, ସେ ଘରେ ଶୋଇଛି ଡାକି ଆଣିବୁ ! ଟୋକାଟା ଦିନରେ ଶୋଉଛି । ଅକଲ ନାହିଁ । କହିବୁ ମାଉସୀ ଡାକୁଛନ୍ତି, ଚାଲ ।

 

ସହର କୁଣୁଆ ଦିନରେ ଶୁଅନ୍ତି ମାଉସୀ ! ତମେ କଣ ଜାଣନା ?

 

ମାଉସୀ ଓ ସର ସାଙ୍ଗହୋଇ ହସୁଛନ୍ତି । ସେ ବ୍ୟଙ୍ଗକୁ ସମ୍ଭାଳି ନପାରି ମିଛ ନିଦରୁ ଉଠିପଡ଼ିଲା ଅମିତ । ଆସୁ ଆସୁ କହିଲା, ମୁଁ ତ ଜମା ଶୋଇନଥିଲି ! ବିଛଣାରେ ଟିକିଏ ଗଡ଼େଇ ପଡ଼େଇ ହେଉଥିଲି ।

 

ଭାଇ ଚେଇଁ ଶୋଇଥିଲେ । ସର ମନ୍ତବ୍ୟ ଦେଉ ଦେଉ ମୁଣ୍ଡ ତଳେ ଲଗାଇ ଦଣ୍ଡବତ ହେଲା । ତା' ପରେ ଅମିତକୁ ଚାହୁଁ ଚାହୁଁ ମାଉସୀଙ୍କ ଉଦ୍ଦେଶ୍ୟରେ କହିଲା, ସେ ପରା ସହର ଭିତରୁ ଆସିଛନ୍ତି ମାଉସୀ ! ସହର ଗନ୍ଧ ତା' ନାକରେ ବାଜୁନି ।

 

ସହର ଗନ୍ଧ ? ଅମିତ ଅବାକ୍ ହେଲା । କହିଲା, ସହର ମଣିଷର ଦେହରୁ ଗନ୍ଧ ବାହାରେ ନାଁ କଣ ? ସେମାନେ କଣ ଲଛିପୁର ଲୋକଙ୍କ ଠାରୁ ପୃଥକ୍ ?

 

ମୋତେ ସେଇଆ ଲାଗେ । ସହରର ଲୋକ କହିଲେ ମୁଁ ତାଙ୍କୁ ଜାମା, ପେଣ୍ଟ ଜୋତା କଥା ଭାବେ । ଆମ ଘରକୁ ଜଣେ ସହର କୁଣୁଆ ଆସିଥିଲେ ଯେ, ରାତିରେ ସେ ଗୋଡ଼ରେ କନା ଗୁଡ଼ାଇ ଶୋଉଥିଲେ । ‘ସବୁବେଳେ ଧଳା ପିକା ଖାଉଥିଲେ । ମୁଣ୍ଡରେ ବାସନା ତେଲ ଲଗାଉଥିଲେ । କଥା ଶୁଣିବା ପାଚିଆ ପରି । ହଳ ଶଗଡ଼ରେ ଯିବ ନାହିଁ । ତାଙ୍କର ମୋଟେ ହେଲେ ଗାମୁଛା ନଥିଲା । ଖାଲି ବସିଲେ ବି’ ପେଣ୍ଟ ଜଙ୍ଘିଆ । ଅସୁବିଧା ହେଉଥିବ ଭାବି ବାପା ଗାମୁଛା ଖଣ୍ଡେ ଖାଇବସିଲା ବେଳେ ବଢ଼େଇ ଦେବାରୁ କହିଲେ ଅଭ୍ୟାସ ଅଛି । ସହରରେ ଧୋତି ଗାମୁଛାର ପ୍ରଚଳନ ନାହିଁ । ଏଗୁଡା କୁଆଡ଼େ ପୁରୁଣା କଥା । ଏବେ ଦେଖିଲ, ଅମିତ ଭଲ, ତମେ ଧୋତି ପିନ୍ଧିଛ । କାନ୍ଧରେ ବି ଗାମୁଛା ଅଛି । ତମେ କଣ ସହର ଭିତରେ ରହୁନାହିଁ ?

 

ଅମିତ ସର କଥା ଶୁଣି ହସି ହସି ନାକେଦମ ହୋଇଗଲା । ଉତ୍ତର ଦେଇ ପାରିଲା ନାହିଁ ।

 

ମାଉସୀ ସରର କଥା ଶୁଣିବାକୁ ଚେତାଇ ଦେଲେ, ସେ କୁଆଡ଼େ ତୋତେ ବାହା ହେବାକୁ ଆସିଥିଲା ? ତା ନାଁରେ ଏମିତି ଗୁଡ଼ାଏ କଣ କହୁଛୁ ?

 

ଶୁଣିଲ, ସହରୀ ବୋଲି ବୁଢ଼ା ଅଜା କୁଆଡ଼େ ଖବର ପଠେଇ ଡାକି ଆଣିଲେ । ତାଙ୍କୁ ଖୁବ ଯତ୍ନରେ ରଖିଲେ । ସତେ ଅବା ଦାମୀ ଜିନିଷଟିଏ । ସହରୀ କୁଣୁଆଁକୁ ଏ ଗାଁ ଲୋକଙ୍କୁ ଦେଖାଇ ପସନ୍ଦ ଅପସନ୍ଦ ପଚାରିଲେ । ଲଛିପୁରର ସଭିଏଁ ଛି ଛାକର କରୁଥାନ୍ତି । କିନ୍ତୁ ବୁଢ଼ୀ ଆଈଙ୍କର ଖୁବ୍‌ମନ ପାଇଥାଏ । ପ୍ରଶଂସାରେ ଉଛୁଳି ଉଠୁଥାନ୍ତି । ତାଙ୍କ ଜାମା ପେଣ୍ଟକୁ ଧନ୍ୟ ଧନ୍ୟ କହୁଥାନ୍ତି । ଜାମା ପେଣ୍ଟ ଯୋଗୁଁ କୁଣୁଆଁ ବି’ ତାଙ୍କର ପସନ୍ଦ ହେଲା । କିନ୍ତୁ ମୁଁ କହିଲି, ତାଙ୍କ ଜାମା ପେଣ୍ଟକୁ ବାହା ହେବି ନାହିଁ ।

 

କେହି କିଛି କହିଲେ ନାହିଁ ? ଅମିତ ପଚାରି ଦେଲା ।

 

କହିବେ ନାହିଁ ? ମୋତେ ମାରେ ନମାରେ । କହିଲେ, ସହର ବର ସହଜରେ ମିଳେନାହିଁ । ଲୋକଟି ବାହାହେବାକୁ ଆସିଛି ଯେତେବେଳ, ଫେରାଇ ଦେଲେ ଶୋଭା ପାଇବ ନାହିଁ । ସେ ତୋତେ ବାହା ହବାକୁ ମନ କଲାଣି । କହିଲେ, ସହରରୁ ନ ଫେରି ଲଛିପୁରର ରହିଯିବ ।

 

ତୁ କଣ କହିଲୁ ? ମାଉସୀ ପଚାରି ଦେଲେ ।

 

ତମେ କଣ ଜାଣିନା ? ଅମିତ ଭାଇ ଅବା ଜାଣି ନଥିବେ । ସେ ବି’ ଆସିଥିଲେ ଶୁଣିଥାନ୍ତେ । ସାରା ଲଛିପୁର ଶୁଣିଲା । ବୁଢ଼ା ଆଈଙ୍କର ଯେଉଁ ପାଟି, ସାହି ଦୁଲୁକି ଗଲା । ସମସ୍ତେ ମୋତେ ସେହିକଥା ପଚାରିଲେ । ଯିଏ ପଚାରିଲେ ଉତ୍ତର ଦେଲି, ସେ ମୋତେ ମନ କଲେ କଣ ହେବ, ମୁଁ ତାକୁ ଜମାରୁ ବାହା ହେବି ନାହିଁ । ମୋର ତାକୁ ମନ ନାହିଁ । ତା’ ପେଣ୍ଟ ଜାମା ଦେଖିଲେ ମୋ’ ହାଡ଼ ଜଳୁଛି । ସହର କୁଣୁଆ ଛାଟିପିଟି ହୋଇ ଚାଲିଗଲା ।

 

ମାଉସୀ ହସି ହସି ବେଦମ ହୋଇଗଲେ । ହସ ସମ୍ଭାଳି ନପାରି ଅଗଣାକୁ ପଳାଇଲେ-

 

ଅମିତ ମନେ ମନେ ସରକୁ ଶତ ପ୍ରଶଂସା କରୁଥିଲା । ଭାଇ ଯେମିତି ଭଉଣୀ ବି’ ସେମିତି । ମହାପାତ୍ର ପରିବାରକୁ ବାଟ ଦେଖାଇବାକୁ ଜନ୍ମ ହୋଇଛନ୍ତି । ଭଗବାନ ଶେଷକୁ ଏ ପରିବାର ଉପରେ ଦୟା କଲେ । ସୁଗୁଣ ଦେଇ ଦୁଇଟି ସନ୍ତାନକୁ ଜନ୍ମ ଦେଲେ । ଭାଇ ଭଉଣୀ ତ ଖାଲି ଲଛିପୁରର ନୁହଁନ୍ତି, ସାରା ଅଞ୍ଚଳର ଗର୍ବ ।

 

ଅମିତ କିନ୍ତୁ ତା' ମନର ସନ୍ଦେହକୁ ପରିଷ୍କାର କରିବାକୁ ଇଚ୍ଛା କଲା । ପଚାରିଲା, ରବି ଭାଇକୁ ତୋର ମୋର ଭଲ ପାଉ ତ ସର ?

 

ସରର ହସିଲା ମୁହଁ ଲୁଚିଗଲା । ଏଡ଼େ ବଡ଼ ବଡ଼ ଓସାରିଆ ଆଖିଟାମାନ ଟିକି ଟିକି ହୋଇଗଲା । ନାକପୁଡ଼ା ଫୁଲି ଫୁଲି ଉଠୁଛି । ସେ ଥନ ଥନ ପାଟି ହୋଇ କହିଲା, ତାଙ୍କୁ ଏ ଜୀବନଯାକ କ’ଣ ଭୁଲି ପାରିବି ? କେବଳ ତାଙ୍କରି ଉପରେ ନିର୍ଭର କରି ସବୁ ପ୍ରସ୍ତାବ ଆଡ଼େଇ ଦେଲି । ନହେଲେ ମୋ ଜିଭରୁ କଣ ଏଡ଼େବଡ଼ କଥାଟିମାନ ବାହାରି ଥାଆନ୍ତା ! ସେହିଁ ମୋର ପ୍ରଧାନ ବଳ ଥିଲେ । ତାଙ୍କୁ ବର କରି ଲଛିପୁରରେ ନିର୍ଭୟ ହୋଇଛି । ତାଙ୍କୁ ଜୀବନ ଦେଇ ଭଲପାଏ । ଯେଉଁଦିନ ନିର୍ବନ୍ଧ କାମ ସରିଲା, ଭାବିଲି ସରଗ ପାଇଛି । ମର୍ତ୍ତର ମଣିଷର ସବୁଇଚ୍ଛା ପୂରଣ ହୁଏନାହିଁ ବୋଲି ଶୁଣି ଥିଲି । କିନ୍ତୁ ସେଦିନ ମୋର ମନହେଲା, ଈଶ୍ୱର ମନ ଚିହ୍ନି ବର ଦିଅନ୍ତି । ବେଳେ ବେଳେ, ନିଷ୍ଠା ଥିଲେ ମଣିଷର ଇଚ୍ଛା ଅତି ଆକସ୍ମିକ ଭାବରେ ପୂରଣ ହୁଏ ।

 

ଅମିତ ସରର ମନ ପରୀକ୍ଷା କରିବାକୁ କହିଲା, ଯଦି ସେ ନିର୍ବନ୍ଧ ହୋଇ ନଥାନ୍ତା ?

 

ନ ହୋଇଥିଲେ ବୁଝିଥାନ୍ତି, ଦୁନିଆରରେ ଭଗବାନ ନାହାନ୍ତି । ସେଇଥିପାଇଁ ମନର ଭଲମନ୍ଦ ସେ ଜାଣି ପାରନ୍ତି ନାହିଁ । ଏ ସଂସାରରେ ଭଲପାଇବା କି ସ୍ନେହ କରିବା ସବୁ ମିଛକଥା । ଆମେ ଦୁହେଁ ଦୁହଁଙ୍କୁ ଭଲ ପାଇ ଭୁଲ କରିଥିଲୁଁ । ଏ ଜୀବନରେ କେହି କାହାକୁ ଭଲ ପାଏ ନାହିଁ । ସବୁ ଛଳନା । ଏ ଦୁନିଆଟା ଏକ ଭୁଲ ଆଉ ଛଳନାର ଘର ।

 

ତୁମେ ଦୁହେଁ ସୁଖରେ ରୁହ ସର ! ତୋର ଅମିତ ଭାଇର ଏହା ଆନ୍ତରିକ ଆଶୀର୍ବାଦ ! ଅମିତ ଖୁସି ହୋଇ କହିଲା ।

 

ତାହା ହେଲେ ତୁମେ କିଛି ଜାଣିନା ? ବୁଝିଲ ଅମିତ ଭାଇ, ମୋ ଆଗରେ ପୁଣି ଏକ ଅଗ୍ନି ପରୀକ୍ଷା ।

 

ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବୁ ବୋଲି ମୋର ବିଶ୍ୱାସ ।

 

ଖାଲି କଣ ବିଶ୍ୱାସ କଲେ କିଛି ହୁଏ ? ନିଜର ଦେହ ଲଗାଇ କିଛି ନକଲେ, ବିଶ୍ୱାସଟିକକ ମାଳ ଅଞ୍ଚଳର ଭୋଦୁଅ ବରଫ ବର୍ଷା ପରି ତରଳି ତରଳି ଯାଏ ।

 

କିନ୍ତୁ ମୋ ବିଶ୍ୱାସ ତରଳିବ ନାହିଁ ଜାଣେ । ଶକ୍ତ ଇସ୍ପାତ ଖଣ୍ଡ ପରି ଦୃଢ଼ ରହିବ ।

 

ତୁମକୁ କେମିତି ସେ କଥାଟା ବୁଝାଇ କହିବି ଅମିତ ଭାଇ ! ପୁଣିଥରେ ଆମ ଘରେ ନୂଆ ପ୍ରସ୍ତାବ ପଡ଼ିଛି ।

 

କଣ ସେହି ରବିଭାଇଙ୍କ ସଙ୍ଗରେ ?

 

ସେତିକି ହୋଇଥିଲେ ତ ଚିନ୍ତା ନଥାନ୍ତା ! ବରଂ ମୁଁ ଆଜି ସବୁଠୁ ବେଶୀ ଖୁସି ହୋଇଥାନ୍ତି । ତାଙ୍କ ବାପାଙ୍କୁ ଏ ଗାଁରୁ କୂଟ କରି ତଡ଼ିଦେଲେ । ରମାଦେଈ ପରି ଦେବୀମୂର୍ତ୍ତୀ ଦେହରେ ବଦନାମର କାଳିମା ବୋଳିଦେଲେ ମୋ’ ପ୍ରାଣକାନ୍ଦି ଉଠିଲା । ଭାଇଙ୍କ ହାତରେ ଏଇନେ କିଛି ନାହିଁ । ନହେଲେ ସେ ଆପେ ଏହାର ପ୍ରତି ବିଧାନ କରିଥାନ୍ତେ । ପଢ଼ିଯିବେ ବୋଲି ପରିବାରର ସବୁ ଭଲମନ୍ଦକୁ ନୀରବରେ ସମ୍ଭାଳି ନେଇଛନ୍ତି । ଏଇନେ ମୋ କପାଳରେ କୁରାଢ଼ି । ନିର୍ବନ୍ଧ ପରେ ବା ପୂର୍ବରୁ ଏମିତି କିଛି ଘଟଣା ଘଟିନାହିଁ ,ଯାହାକୁ ଆଳି କରି ମୋର ବିବାହ ପ୍ରସ୍ତାବ ଭାଙ୍ଗି ଦିଆ ଯାଇଥାନ୍ତା । ଖାଲି ରାଗକରି ,ସେ ସମ୍ୱନ୍ଧକୁ ଭାଙ୍ଗି ଦେବାକୁ ସ୍ଥିର କରିଛନ୍ତି । ମୋ ମନରେ ନିଆଁ ଜଳୁଛି ଅମିତ ଭାଇ ! ମୋର ବିଶ୍ୱାସ ,ତମେ ସେ ନିଆଁକୁ ଲିଭାଇବାରେ ସାହାଯ୍ୟ କରିପାରିବ । ଏ ଦୁନିଆରେ କାହାକୁ ହେଲେ ଦେଖୁ ନାହିଁ, ଯା’ ଆଗରେ ଗୁହାରି କଲେ ସହାନୁଭୂତି ପାଇବି । ଗାଁରେ ଦଳ ଦଳ ହୋଇ ତିନି ଦଳ । ଅପର କାହାକୁ କହିଲେ ପ୍ରତିକାର କରିବା ପରିବର୍ତ୍ତେ ନାକରେ ଆଙ୍ଗୁଟି ଦେଇ ହସିବେ । ମୋ ନାଁରେ ଅପନିନ୍ଦା ରଟାଇବେ ।

Unknown

 

ମୋତେ ବିଶ୍ୱାସ କର ସର ! ମୋ ହାତ ରେ ଯାହାହେବ ମୁଁ କରିବି ।

 

କିନ୍ତୁ ତୁମେ.. ? ନା, ନା ତୁମେ ମୋ ପାଇଁ ..

 

ସବୁ କରିବ ସର ! ତୁ କଣ ମୋର ଭଉଣୀ ନୁହେଁ ? ଭାଇ ପାଖରେ ଭଉଣୀ କଥାର ଯଥେଷ୍ଟ ମୂଲ୍ୟ ଅଛି । ତୁମେ ମୋ ପାଇଁ ମିଛ କହିପାରିବ ଭାଇ ? ଯଦି ଉଚିତ ମନେକର କହିବ, “ତୁମର ବାହାଘର ସରି ଯାଇଛି ।’’

 

ଓଃ, ଏଇ ସାମାନ୍ୟ କଥା ?

 

ସାମାନ୍ୟ ନୁହେ । ଆଜି ତୁମକୁ ଖାଇବାକୁ ଡକାଇଛନ୍ତି, ସେଇ କଥାହିଁ ପଚାରିବେ ବୋଲି । କହିବେ, ସର ସଙ୍ଗରେ ବାହାଘର କଲେ ତୁମର ସମ୍ମତି ଅଛି କି ନାହିଁ ? କିନ୍ତୁ ତୁମେ ତ ଜାଣ ଅମିତ ଭାଇ, କୁମାରୀ ଜୀବନରେ ଭଲପାଏ ଜଣକୁ । ସେ ତାକୁ ହୃଦୟ ଆସନରେ ବସାଇ ସ୍ନେହ, ପ୍ରେମ, ପୂଜା ସବୁ କରେ । ମୁଁ ରବିବାବୁଙ୍କୁ ଭଲ ଏ । ସେଇଥିପାଇଁ...ସର ଆଉ ଆଗେଇ ପାରିଲା ନାହିଁ ।

 

ସେଇଥିପାଇଁ ବାହାଘର ଭାଙ୍ଗିବାକୁ ଆସିଛୁ କିଲୋ ସର ? ମାଉସୀ ସବୁ ଶୁଣି ସାରିବା ପରେ ସେ ଘରକୁ ଆସି ମନ୍ତବ୍ୟ କଲେ । ତାଙ୍କ ଓଠରେ ହସ ଥିଲା । ମନ୍ତବ୍ୟ ପଦକ ପରିହାସ ବୋଲି ସ୍ପଷ୍ଟ ଜଣାପଡ଼ୁଥିଲା । ପୁଣି କହିଲେ, ମୁଁ କିନ୍ତୁ ମାନିବି ନାହିଁ ସର ! ତୋ’ ଭଳି ସୁନା ବହୂକୁ ହାତଛଡ଼ା କରିବି ନାହିଁ । ମୋ’ ଘରେ ଲକ୍ଷ୍ମୀର ପାଦ ପଡ଼ିବ ସର ଆଉ କିଛି କହି ନ ପାରି ମାଉସୀଙ୍କ ଛାତି ଉପରେ ମୁଣ୍ଡ ରଖି କଇଁ କଇଁ ହୋଇ କାନ୍ଦୁଥିଲା । ମାଉସୀ ତା’ ମୁଣ୍ଡରେ ହାତ ବୁଲାଉ ବୁଲାଉ କହିବାକୁ ଲଗିଲେ, ତୋ ମାଆ ତୋତେ ତପସ୍ୟା କରି ପାଇଛି ଲୋ ! ନ ହେଲେ ଏତେ ବୁଦ୍ଧି ହୁଅନ୍ତା କୁଆଡ଼ୁ । ମୁଁ କଥା ଦେଉଛି ସର, ମୋର ବଞ୍ଚିଥିବା ଯାକେ ମୋ ପାଇଁ ତୋର କୌଣସି ଅନିଷ୍ଟ ହେବନାହିଁ । ଅମିତ ମୋ ପୁଅ । ପଢ଼ାଶୁଣା କରିଛି । ତୋ’ କଥା ନିଶ୍ଚୟ ରହିବ ।

 

ସରର ହାରଧରି ଅନ୍ନପୂର୍ଣ୍ଣା ଭିତର ଘରକୁ ନେଇଗଲେ । ମାଆ ହୃଦୟର ମମତା ଦେଇ ସେ ତାର କୋହ ପୋଛିବେ ।

 

ଅମିତ, ସର ଆଉଁ ମାଉସୀଙ୍କୁ ଗୋଟିଏ ଲୟରେ ଅନାଇ କେତେ କଥା ଭାବି ହେଉଥିଲା ।

 

ପଲ୍ଲୀକୋଳର ସର, ସହରର ସମସ୍ତ ଶିକ୍ଷିତା ବାଳିକାଙ୍କ ପକ୍ଷରେ ଗୋଟିଏ ଆଦର୍ଶ । ସହରର କୁତ୍ସିତ ଭାବାପନ୍ନ ବାଳିକାଙ୍କ ପରି ପ୍ରେମକୁ ସାମୟିକ ମଉଜ ବୋଲି ଭାବେନାହିଁ କି ବୟସକୁ ବିଳାସ ତୀର୍ଥ ବୋଲି ଧରିନିଏ ନାହିଁ । ତା' ପକ୍ଷରେ ପ୍ରେମ ହିଁ ପ୍ରାଣ, ପ୍ରେମହିଁ ନାରୀ ଜୀବନର ସର୍ବସ୍ଵ ।

 

ଅମିତର ମନେପଡ଼ିଲା ସହରର ଦୁଇ ତିନୋଟି ଉତ୍ସଙ୍ଖଳ ତରୁଣୀଙ୍କ କାର୍ଯ୍ୟକଳାପ । ସେମାନେ ଯଥେଷ୍ଟ ପାଠ ବି' ପଢ଼ିଛନ୍ତି । କିନ୍ତୁ ତାଙ୍କ ଭାବଭଙ୍ଗୀରେ ଇତର ନାରୀର କାମନା ଅଛି । ସେମାନେ ବୟସ ନିର୍ବଶେଷରେ ସବୁ ପୁରୁଷଙ୍କ ସହିତ ମିଳାମିଶା କରନ୍ତି । ଯିଏ ତାଙ୍କ ପାଇଁ ଖର୍ଚ୍ଚକରି ପାରିଲା, ସେ ଆପଣାର ପାଲଟିଗଲା । ତାଙ୍କ କ୍ଷୁଦ୍ର ଜୀବନ ପରିସର ଭିତରେ ଅନେକ ପୁରୁଷ ବନ୍ଧୁଙ୍କର ପଦଚିହ୍ନ ଅଛି । ସେମାନେ ମନେକରନ୍ତି, ତରୁଣୀଟିଏ ହୋଇ ପୁରୁଷ ମନରେ ଯଦି ଟିକିଏ ଆଲୋଡ଼ନ ସୃଷ୍ଟି କରି ପାରିଲେ ନାହିଁ, ତେବେ ସେ ତାରୁଣ୍ୟ ନିରର୍ଥକ । ସ୍କୁଲ କଲେଜରେ ପଢ଼ି ଯଦି ତାଙ୍କ ସମ୍ବନ୍ଧରେ କବିତା ଧାଡ଼ିଏ, ଗପଟିଏ ବା ଉପନ୍ୟାସ ଖଣ୍ଡେ ଲେଖା ହୋଇ ପାରିଲା ନାହିଁ, ତେବେ ସେ ପ୍ରକାର ଜୀବନ ଯୌବନର ସାର୍ଥକତା ରହିଲା କେଉଁଠି ?

 

ପ୍ରେମ କିନ୍ତୁ ପଣ୍ୟ ନୁହେଁ । ଏ ସୃଷ୍ଟିର ସବୁ ତରୁଣୀ ଯଦି ସରର ଏହି ପବିତ୍ର ରୁଚି ନେଇ ଜନ୍ମ ହୁଅନ୍ତେ, ତେବେ ଏ ଜାତିର ଇତିହାସ ସ୍ଵର୍ଣ୍ଣମୟ ହୁଅନ୍ତା । ଏ ଦେଶରେ ଗୋଟିଏ ହେଲେ ବର୍ବର ଜନ୍ମଲାଭ କରିବାର ସୁବିଧା ପାଆନ୍ତେ ନାହିଁ । ସ୍ତ୍ରୀ ଜାତିର ସୁନାମରେ କଳଙ୍କର ଛିଟା ବାଜନ୍ତା ନାହିଁ ।

 

କିନ୍ତୁ ଏ କଣ ସମ୍ଭବ ?

 

ଅମିତ ସେଦିନ ପ୍ରତିଜ୍ଞାବଦ୍ଧ ହେଲା, ସକାଳ ପାହିଲେ ଈଶ୍ଵରପାଲି ଯିବ । ରାଧା ହାତରେ ଖବର ପଠେଇ ବି’ ଯାଇ ପାରିଲା ନାହିଁ । ରମା କଣ ଭାବିଥିବ କେଜାଣି !

 

ରମା କଥା ଚିନ୍ତା କଲାବେଳେ ଅମିତ ଅସମ୍ଭବ ଭାବରେ ଉତ୍ତେଚିତ ହୋଇ ପଡୁଥିଲା । ଅବୟବରେ ବେପୁଥ ସୃଷ୍ଟି ହେଲା । ରମା ତା’ ଆଖିରେ କେବଳ ତରୁଣୀ ନୁହେ, ରୂପ, ରସ, ଗନ୍ଧର ମୂର୍ତ୍ତିମନ୍ତ ବିଗ୍ରହ । ତା' ମୁହଁରେ ଫୁଲର ଲାବଣ୍ୟ ନେସି ହୋଇଛି । ତା ଦେହରେ ବସନ୍ତର ମିଠା ମିଠା କବିତା । ପୋଟଳଚିରା ଆଖି ଦି’ଟା ଦରଦୀ, ମନର କଥା କହେ ।

 

ରମା ଓଠର ଉଛୁଳା ହସ ଦେଖିବାର ସୌଭଗ୍ୟ ପାଇ ନାହିଁ ସେ । ହସିଲେ ସେ ହୁଏତ ଖୁବ ଚମତ୍କାର ଦେଖା ଯାଉଥିବ ।

 

ଆନତ ଡୋଳାରେ ଲକ୍ଷ ସ୍ଵପ୍ନ ଲହଡ଼ା ଭାଙ୍ଗୁଥିବ । କିନ୍ତୁ ହାୟ, ତା’ ସାମନାରେ ରମା ମନ ପୁରାଇ ହସିଲା ମାହିଁ ।

 

ଏଥର ତାଙ୍କ ଘରକୁ ଗଲେ ରମା ହୁଏତ ଅଭିମାନ କରିବ । ସଙ୍ଗେ ସଙ୍ଗେ ଆସି କଥା କହିବ ନାହିଁ । ମନମାର ଆଡ଼େଇ ଆଡ଼େଇ ହେବ । ପାଖକୁ ଡାକିଲେ ପଚାରିବ, ତୁମେ ଏମିତି ଲୋକ ବୋଲି ଜାଣିନଥିଲି ଅମିତ ବାବୁ ! କଥା ଦେଇବି’ ରଖିଲ ନାହିଁ । ତୁମକୁ କି ବିଶ୍ୱାସ ?

 

ଅମିତ, ରମା ମନର ଅବିଶ୍ଵାସ ଭାଙ୍ଗିବାକୁ ସହସ୍ର ଚେଷ୍ଟା କରିବ । ସର କଥା କହି ହସାଇବାକୁ ଚାହିଁବ । ତଥାପି ଯଦି ତାର ଅଭିମାନ ନ ଭାଙ୍ଗେ ? ନା, ନା ରମା ନିଶ୍ଚୟ ତାର ମନର ବେଦନା ବୁଝିବ । ଆଗେଇ ଆସି ପାଖରେ ବସିବ । କହିବ, ତୁମକୁ ମୋତେ ଖୁବ ଭଲଲାଗେ ଅମିତ ବାବୁ ! କାରଣ କଣ ଜାଣେ ନାହିଁ । ଦେଖିଲେ ମନେହୁଏ, ତୁମେ ଯେମିତି ମୋର ଅତି ଆପଣାର । ଅନେକ ଦିନର ପରିଚିତ । ବୋଧହୁଏ ଆର ଜନ୍ମରେ ତୁମେ ମୋର ସାଥୀ ଥିଲ !

 

କଣ ଜୀବନସାଥୀ ? ଅମିତ ପଚାରିବ ।

 

ଯା, ମୁଁ କହିପାରିବି ନାହିଁ । ତୁମେ ଏଡ଼େ ଦୁଷ୍ଟ ?

 

ରମାର ବିଜୁଳୀ ଆଖି ଦି'ଟା ତଳକୁ ନଇଁଯିବ । ଛାତି ଭିତରୁ ହସର ଉଜାଣି ବୋହୁଥିଲେ ବି' ସେ ହସି ପାରିବ ନାହିଁ । ଲଜ୍ଜାନତା ନବବଧୂ ପରି କଣେଇ କଣେଇ ଚାହିଁବ । କଟାକ୍ଷରୁ କାମନାର କବିତା ଝରୁଥିବ । ମଦ ଅଳସ ଦେହରେ ଜୁଆରିଆ ଯୌବନଟା ଛବିଳ ହୋଇ ଦେଖାଯିବ ।

 

ଅମିତ ଆଖି ପୂରାଇ ଏହି ଲଜ୍ଜାନତ ରମାକୁ ଉପଭୋଗ କରିବ । ଉଚ୍ଛ୍ଵାସର ବନ୍ୟାରେ ନିଜକୁ ଭସାଇ ଦେଇ କୃତାର୍ଥ ହେବ । ତାହାହିଁ ହେବ ଜୀବନର ସର୍ବଶ୍ରେଷ୍ଠ ପ୍ରାପ୍ତି । ରମା ଯଦି ରାଜି ହୁଏ, ତାକୁ ଜୀବନସଙ୍ଗିନୀ କରି ଗ୍ରହଣ କରିବ ।

 

ରମା ରୂପବତୀ, ଗୁଣବତୀ । ଭାଗ୍ୟରେ ଥିଲେ ଏମିତି ତରୁଣୀକୁ ଜୀବନସାଥୀ କରିହୁଏ । ଯଦି ଭାଗ୍ୟରେ ଥିବ, ତାର କଳ୍ପନା ସତହେବ ।

 

ସନ୍ତୋଷ କୁଆଡ଼େ ଥିଲା କେଜାଣି ସକାଳୁ ହଠାତ୍‌ ପହୁଞ୍ଚି ଆସି କହିଲା, ଆଜି କଣ ବୁଲିବାକୁ ଯିବନାହିଁ ଅମିତ ଭାଇ ? ଚାଲ ଈଶ୍ଵରପାଲି ଯିବା ।

 

ଅମିତର ଏକୁଟିଆ ଯିବାକୁ ଭାରି ଇଚ୍ଛା । ଏକୁଟିଆ ଥିଲେ ମା ସାଙ୍ଗରେ ମନଖୋଲି କଥା ହେବାରେ ସୁବିଧା ହେବ । ଜଣକ ସାମନାରେ କଣ ପ୍ରଣୟ କଥା କହିହୁଏ ? ସବୁବେଳେ ମନ ଭିତରେ ଧକ, କାଳେ କଣ ଅନାବଶ୍ୟକ କଥା ବାହାରି ପଡ଼ିବ ! ନିଠେଇ କରି ଚାହିଁଲେ ତୃତୀୟ ଜଣକ କିଛି ଭାବିପାରେ !

 

ତଥାପି ସନ୍ତୋଷ ଭଲ ପିଲାଟିଏ । ତାର ସାହଚର୍ଯ୍ୟ ଆନନ୍ଦଦାୟକ । ସେ ନଥିଲେ ଏ ଲଛିପୁର ଗହଣିଟା କଣ ଉପଭୋଗ୍ୟ ହୋଇ ପାରିଥାନ୍ତା ?

 

ଅମିତ ନାହିଁ କରି ପାରିଲା ନାହିଁ । ସନ୍ତୋଷ ଆଉ ସେ ସାଙ୍ଗହୋଇ ବୁଲି ବାହାରିଲେ ।

 

ସନ୍ତୋଷ ବାଟ ମଝିରେ ଚୁପ୍‌ ଚୁପ୍‌ ପଚାରିଲା, ସତରେ ତମେ କଣ ବାହାକରିଛ ଅମିତ ଭାଇ ? ଆମ ଘରେ ସେଦିନ ତମେ ଏକଥା କହିଲାବେଳେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଘରର ସମସ୍ତେ ବି ଗୁମ୍‌ମାରିଗଲେ । ମାଆ ବୁହେ କଳି କଲେ । କହିଲେ, ମୋ ଝିଅ କଣ ଘରର ଏମିତି ବୋଝଟିଏ ହୋଇ ଯାଇଛି ଯେ ତାକୁ ନେଇ ତମର ଏତେ ଚିନ୍ତା ପଡ଼ୁଛି ? ଘରର ଅଳିଆ ଗଦା ପରି ଏକୋଣ ସେକୋଣ ରଖୁଛ ? ସେଇ ରବି ପାଇଁ ନିର୍ବନ୍ଧ ସରିଛି । ତାରି ହାତ ଧରିବ । ତା' ଭାଗ୍ୟରେ ଯାହା ଥିବ ସେଇଆ ଭୋଗିବ । ସହର ସହର ବୋଲି ପାଗଳ ହୋଇ ଉଛ । ସହର ନାଁ ରେ କଣ ଗୁଡ଼ ଲାଗିଛି ? କିନ୍ତୁ ମୁଁ ଲକ୍ଷ୍ୟ କରିଛି, ତମମୁହଁର କଥାଶୁଣି ସରଳା ଖାଲି ହସୁଥାଏ । ସେ ହସର ଅର୍ଥ କଣ ଅମିତ ଭାଇ ?

 

ହସର ଅର୍ଥ ହସ ବ୍ୟତୀତ ଆଊ କଣ ହୋଇପାରେ ? ତାଙ୍କୁ ଖୁସି ଲାଗିଲା । ସେ ହସିଲା । ତୁମର ଆଶ୍ଚର୍ଯ୍ୟ ହେବା କଥା ଆଶ୍ଚର୍ଯ୍ୟ ହେଲ । ପ୍ରତି କଥାର କଣ ଅର୍ଥ ଥାଏ ? ଅମିତ ଉତ୍ତର ଦେଉ ଦେଉ ଅଳ୍ପ ହସିଲା ।

କହିବ ନାହିଁ ? ସନ୍ତୋଷର କଣ୍ଠରେ ଭରା ଅଭିମାନ ।

ସର ରବିବାବୁଙ୍କୁ ବାହା ହେବାକୁ ଚାହେଁ ।

ତୁମେ ଆଊ ଅଧିକା କଣ କହିଲ ଯେ ସନ୍ତୋଷ ପଚାରିଲା ।

ସେ କଥା ମୋତେ କହିବାରୁ ମୁଁ ବାହାହେବାକୁ ମନା କଲି । ଅମିତ ଅସଲ କଥାଟି କହିଦେଲା ।

ମୁଁ ସେଇଆ ମନେକଲି । କିନ୍ତୁ ମୋର ସମ୍ଭାବନା ଟିକକ ସତ କି ମିଛ ବୋଲି ପରୀକ୍ଷା କରୁଥିଲି । ତୁମେ ଆମ ପାଇଁ ଖୁବ କଲ ଅମିତ ଭାଇ ! ଆଊ କିଛିଦିନ ଏ ଗାଁ ରେ ରହନ୍ତି କି ଆମ ଘରର ଏ ଅବୁଝା ଢଙ୍ଗ ଭାଙ୍ଗି ଯାଆନ୍ତା । ତୁମେ ତ ଆଉ ପିଲା ନୁହଁ ସନ୍ତୋଷ । ପାଠ ପଢ଼ିଛ । ଭଲ ମନ୍ଦ ବୁଝିବାର ଶକ୍ତି ବି ହାସଲ କଲଣି । ତୁମେ କାହିଁକି ସ୍ଵର ଉଠାଉ ନାହଁ ?

ସନ୍ତୋଷ ଅମିତ ଭାଇଙ୍କ କଥା କେଇପଦ ମନେ ମନେ ଗୁଣି ହେଉଥିଲା ।

ଲଛିପୁର ଗାଁ ମୁଣ୍ଡର ଝଙ୍କାଳିଆ ବରଗଛ ପଛରେ ପଡ଼ିଗଲା । ବିଲମୟ ରାସ୍ତା । ମଝିରେ ମଝିରେ ପଲାସ ଆଉ ଖଜୁରୀ ଗଛ । ଚାଷୀ ପରିବାର ବିଲକାମରେ ଲାଗିଗଲେଣି । ଯେ ଯାହାର କାମ ବାଣ୍ଟି ନେଇଛନ୍ତି । ଗୃହସ୍ଥ ହିଡ଼ କାଟୁଛି । ଗୃହିଣୀ ବିଲ ବାଛୁଛି । ସାନ ପୁଅଟି ବଛା ବାଳୁଙ୍ଗାକୁ ନେଇ ହିଡ଼ ଫାଙ୍କରେ ଗଦା କରୁଛି । ଦଶ ବାର ବର୍ଷର ଝିଅ ମୁଣ୍ଡରେ ଡାଲଭର୍ତ୍ତି ଗୋବର ଆଣି ବାପ ହାତକୁ ବଢ଼ାଇ ଦେଉଛି । ସମସ୍ତେ ସମସ୍ତଙ୍କର ଦାୟିତ୍ଵ ତୁଲାଉଛନ୍ତି । ପରିବାର ସୁରୁଖୁରୁରେ ଚଳି ଯାଉଛି ।

ଏମାନେ କୃଷକ । ପଲ୍ଲୀର ଅର୍ଥନୀତିକୁ ଏମାନେ ନିଜ ହାତରେ ରୂପ ଦିଅନ୍ତି । ସହରର ବିଳାସ ବ୍ୟସନଠାରୁ ଦୂରରେ ରହି ରାଜ୍ୟର ଅଗଣିତ ନରନାରୀଙ୍କ ପାଇଁ ଖାଦ୍ୟ ସଂଗ୍ରହ କରନ୍ତି । ଓହରାତ୍ର ପରିଶ୍ରମ କରି, ସୁନାର ଫସଲ ଫଳାନ୍ତି । ଶୋଇଲେ ଏହି ଫସଲ ସ୍ଵପ୍ନ ତାଙ୍କ ଆଖିରେ ଦେଖାଦିଏ ।

ସନ୍ତୋଷ ପଲ୍ଲୀ କୋଳରେ ବଢ଼ିଛି । ଏସବୁ ତାର ନିତିଦିନିଆ ଅନୁଭୂତି । ଏ ଦୃଶ୍ୟଗୁଡ଼ିକ ସେମିତି ଚିରାଚରିତ । କିନ୍ତୁ ଅମିତ ଆଖିରେ ଅସରନ୍ତି ତୃଷ୍ଣା । ସହରର ସନ୍ତାନ ସିଏ । ପଲ୍ଲୀର ଏହି ନିତିଦିନିଆ କଥା ତାକୁ ନୂଆ ନୂଆ ଲାଗୁଛି । ନୂତନତାହୀନ ଗ୍ରାମ୍ୟପଥ ତା’ ପାଖରେ ଚିରନ୍ତନ କବିତାଟିଏ । ବହୁ ପୁରାତନ ମାଟିର କାହାଣୀକୁ ନୂତନ ଦୃଷ୍ଟିକୋଣରୁ ବିଚାର କରି ବିମୁଗ୍‌ଧ ହେଉଛି ।

କୃଷକ ହିଁ ଏ ଦେଶର ଦେବତା । ସହର ବାସିନ୍ଦାର ଘୃଣା ଆକ୍ଷେପକୁ କାନ ନ ଦେଇ ନିଜ କର୍ତ୍ତବ୍ୟ ସାଧନାରେ ଲାଗିଥାଏ । ସହିବା ପଣରେ ଧୁରନ୍ଧର । ଶିଳ୍ପପତିର ଆକ୍ଷେପ, ତଥାକଥିତ ସଭ୍ୟ ମାନବର ଉପହାସ ତା' ପାଇଁ ଚନ୍ଦନ । ପଞ୍ଚବାର୍ଷିକ ପରି-କଳ୍ପନା, ଦେଶର ଅର୍ଥନୀତି, ରାଜନୀତି କି ରାଜ୍ୟଶାସନ ପ୍ରଣାଳୀ ଉପରେ ଆଖି ନାହିଁ । ଫସଲ ଭଲ ତ ସେ ଭଲ । ବସୁମାତାକୁ ସନ୍ତୁଷ୍ଟ କରିବାକୁ କେତେ ପୂଜା, କେତେ ଉପାସନା । ଦେବତା ଆଗରେ ଧନ ମାଗେନାହିଁ କି ପ୍ରତିପର୍ତ୍ତ ମାଗେନାହିଁ । କହେ ସେହି ଚିରାଚରିତ ଗୋଟିଏ କଥା, ‘ଫସଲ ଦିଅ–ଶାନ୍ତିରେ ରଖ ।’

ସାମନା ନାଳରେ ଆଣ୍ଠୁଏ ପଙ୍କ । ପଙ୍କ ଭିତରେ ଘାଣ୍ଟି-ଚକଟି ହୋଇ ଦଶ ବାରଜଣ ପିଲା ମାଛ ଧରୁଛନ୍ତି । ପଡ଼ିଆ ପଟୁ ବୁଲି ଶଗଡ଼ଟିଏ ଆସୁଛି । ବଳଦ ବେକର ଘଣ୍ଟି ଶୁଣି ପିଲାଏ ମାଛ ମରା ଛାଡ଼ି କାନେଇ ଛିଡ଼ା ହେଲେ । କେଡ଼େ ସୁନ୍ଦରିଆ ସୁନ୍ଦରିଆ ଏକାରଙ୍ଗର ବଳଦ । ଠିଆ ଠିଆ ଶିଙ୍ଘ ।

ଶଗଡ଼ ଭିତରେ ନୂଆ ବୋହୂଟିଏ ଜୁଳୁ ଜୁଳୁ ଚାହୁଁଛି । ଆଖି ଦି’ ଟାରେ ରାଇଜଯାକର ଉଦ୍‌ବେଗ । ଲାଜ ପାଣି ଧୁଆ ମୁହଁଟା ଖୁବ ସୁନ୍ଦର ଦେଖାଯାଉଛି । କାହାର ବଧୂ କି କନ୍ୟା ହେବ । ଅମିତ ଆଊ ସନ୍ତୋଷ କୁ ଦେଖି ମୁହଁ ପୋତି ବସିଲା । ଶଗଡ଼ିଆ ଗୀତ ଗାଇ ଗାଇ ବଳଦ ଅଡ଼େଇ ନେଲା ।

ଈଶ୍ଵରପାଲିର ‘ବାଲି ନାଳ’ ଟା ପାଖେଇ ଆସିଲାଣି । ନାଳ ଉପର ପଡ଼ିଆରେ ଚଣା ଚାଷ ହୋଇଛି । ସରୁ ସରୁ ଶାଗୁଆ ଗଛ ।

ଦାମୋଦର ବାବୁ କୁଆଡ଼େ ବାହାରିଥିଲେ ନା କଣ ରାସ୍ତାରେ ଅମିତ ଓ ସନ୍ତୋଷକୁ ଦେଖି ଖୁସି ହୋଇ ଘରକୁ ଫେରିଲ ।

ଅମିତ ରମାକୁ ଦେଖିବ ବୋଲି ଆଖି ବୁଲାଉଥାଏ । ଖୋଜିଲା ଆଖି ଦି’ଟା ଛନ୍‌ଛନ୍‌ ହେଉଥାଏ ।

ଦୟା ଆସି ଖବର ଦେଲା, ରମାଦେଈ ଆଜି ଆଉ ଫେରିବେ ନାହିଁ ମାଷ୍ଟରବାବୁ ! ମୋ ହାତରେ ଖବର ଦେଇଛନ୍ତି, ହାଣ୍ଡିରେ ପଖାଳ ଅଛି ଖାଇନେବ । କାଲି ସକାଳୁ ଯାଇ ସଙ୍ଗରେ ତାଙ୍କୁ ନେଇ ଆସିବି ।

ରମାର କଣ ଦେହ ବ୍ୟସ୍ତ ହେଲା କିଦୟା ? ଦାମୋଦର ବାବୁଙ୍କ କଣ୍ଠରେ ଉତ୍କଣ୍ଠା ଥିଲା ।

ଆମ ରମା ଦେଈଙ୍କର ପୁଣି ଦେହ ବ୍ୟସ୍ତ ହେବ ? ପାର୍ବତୀର ପୁଅ ହେଲା ନା, ସେଇଥିପାଇଁ ରହିଗଲେ ।

ଦାମୋଦର ବାବୁ ଖୁସିରେ ହସି ପକାଇଲେ । ଅମିତ ଉଦ୍ଦେଶ୍ୟରେ କହିଲେ, ଦେଖିଲ ବାବା ରମାକୁ ? ଏତେ ବ୍ୟସ୍ତରେ ଥାଇବି ମୋ’ ଖାଇବା ଚର୍ଚ୍ଚା ଭୁଲି ନାହିଁ । କିନ୍ତୁ ମୁଁ ଠିକ୍‌ଜାଣେ, ସେ ତାର ନିଜର ଖାଇବା ପିଇବା ଭୁଲି ଯାଇଥିବ । ନର୍ସିଂ ପାଠର ଗୁଣ ଦେଖିଲ ?

 

ରମା କଣ ନର୍ସିଂ ପଢ଼ିଛନ୍ତି ? ଅମିତର ମନ ଭିତରେ ଅପୂର୍ବ କୌତୂହଳ ।

 

ଆରେ ତମେ କଣ ଜାଣିନା ? ସନ୍ତୋଷ ଉପରେ ପଡ଼ି ପ୍ରଶ୍ନ କଲା । ରବିଭାଇ ଚାକିରୀ କଲାବେଳେ, ଗଲାବର୍ଷ ରମାଦେଈ ନସିଂ ପଢ଼ିଲେ । ପରୀକ୍ଷାରେ ପ୍ରଥମ ହୋଇ ପାଶ କରିଛନ୍ତି । ସରକାରୀ ନିଯୁକ୍ତି ପାଦତଳେ ଥୁଆ ହୋଇଥିଲା । କିନ୍ତୁ ସେ ଗାଁକୁ ଚାଲି ଆସିଲେ ।

 

କିନ୍ତୁ ସେ ଗାଁକୁ ଆସିଲା କାହିଁକି ଶୁଣିବ ? ଦାମୋଦର ବାବୁ ନିଜ କଥାତକ ଶୁଣେଇ ଦେବାକୁ ଉଦ୍‌ଗ୍ରୀବ ଥିଲେ । କହିଲେ, ଖାଲି ତାର ବାପ ପାଇଁ ବାବା ! ମା ମଲାପରେ ତାକୁ କୋଳରେ କାଖରେ ଧରି ବଢ଼ାଇଥିଲି । ଏଇନେ ସେ ଋଣ ଶୁଝୁଛି । ମୋର ଏତେ ସେବା କଲାଣି ଯେ, ଭାବୁଛି, ମୋତେ ହିଁ ଶେଷକୁ ଋଣୀ କରାଇ ଦେବ । କେଉଁ ଝିଅ ବାପର ଏତେ ଯତ୍ନ କରୁଛି କହିଲ ? କିନ୍ତୁ ରମା ମୋର ସାକ୍ଷାତ୍ ସୁବର୍ଣ୍ଣ ପ୍ରତିମା । ଟିକିଏ ହେଲେ କାମ କରାଇ ଦେବ ନାହିଁ । ଘର ଗୋଟାକର ଦାୟିତ୍ଵ ତାରି ଉପରେ । କିନ୍ତୁ କରମ ତା’ର ଅତି ହୀନ ବାବ ଜନ୍ମ ସିନା ଦେଲି, ତାର କର୍ମକଥା ଜାଣି ପାରିଲି ନାହିଁ । ବାହା ହେବାର ମାସ କେଇଟାକୁ ସ୍ଵାମୀ ତାର ଚାକିରୀ କରିବାକୁ କେଉଁ ଦେଶକୁ ଗଲେ ଯେ ଆଉ ଫେରିଲେ ନାହିଁ । ରମାର କିନ୍ତୁ ଅପେକ୍ଷାର ଅନ୍ତ ନାହିଁ-। ନସିଂ ପଢ଼ି ସାରିବା ପରେ ମୋର ପାଖକୁ ଆସି ଦେଖିଲା, କୁଆଡ଼େ ମୁଁ ଶୁଖିଲା ହୋଇ ଯାଇଛି । ସେଇଦିନଠୁ ମୋରି ପାଖ ଛାଡ଼ୁନାହିଁ । ବେଳେବେଳେ ତାର ବ୍ୟବହାର ଦେଖି ମନେ ହୁଏ, ମୁଁ ତାର କୋଳର ପୁଅ । ଦାମୋଦର ବାବୁ ଭାବାବେଗରେ ଅଶ୍ରୁଳ ହୋଇ ଯାଇଥିଲେ ।

 

ଦୟା ପୁଣି ଥରେ ସନ୍ତୋଷପାଖକୁ ଫେରି ଆସି କହିଲା, ଏ ବର୍ଷ କଦଳୀ ଖାଇବ ନାହିଁ-? ଆମ ଅଗଣାରେ ଚାରିକାନ୍ଦି କଦଳୀ । ଉପର ଥାକ ସବୁ ପାଚି ହଳଦି ଜରଜର ଦିଶୁଛୁ । ଦେଖିବ ଆସ ।

 

ସନ୍ତୋଷ ଦୟା ସାଙ୍ଗରେ ଚାଲିଗଲା ।

 

ଗାଁର ଛୋଟ ଛୋଟ ପିଲା କେଇଟା ବସ୍ତାନୀ ଧରି ପାଠ ପଢ଼ିବାକୁ ଆସୁଥିଲେ । ନଙ୍ଗଳା ପୁଙ୍ଗୁଳା ଦେହ । ପାଠ ପଢ଼ି ଆସିବା ପୂର୍ବରୁ ପେଣ୍ଟ ଖଣ୍ଡେ ଲେଖାଏଁ ଗଳେଇ ହୋଇ ପଡ଼ିଛନ୍ତି । ମୁଣ୍ଡର ବାଳ ସବୁ ଟାଆଁ ସିଆ, ଟାଆଁସିଆ । ଦେହରେ କେତେଦିନ ହେଲା ତେଲ ବାଜିନାହିଁ । ଦାମୋଦର ବାବୁ ସେମାନଙ୍କୁ ଛୁଟିଦେଇ କହିଲେ, ଉପରଓଳି ସହଳ ଆସିବ ।

 

ପିଲାମାନଙ୍କର କି ଆନନ୍ଦ ! ସତେ ଯେମିତି ସମ୍ପତ୍ତି ପାଇଗଲେ । ଆନନ୍ଦରେ ହୁରିଛାଡ଼ି ଧାଇଁବାକୁ ଲଗିଲେ ।

 

ଅମିତ ସେହି ଅଯତ୍ନ ବଦ୍ଧିତ ପିଲାମାନଙ୍କୁ ଚାହିଁ ଚାହିଁ ଭାବୁଥିଲା, ଏମାନେ ଭାରତର ଭବିଷ୍ୟତ ବଂଶଧର । ପିତାମାତାଙ୍କ ପରେ ଏମାନେହିଁ ଗାଁର ନେତୃତ୍ଵର ନେବେ । କିଏ କହିପାରେ, ଏହି ଅବହେଳିତ ଶିଶୁର ମନ ଭିତରେ ଦୃଏତ ଯୁଗମାନବ ଗାନ୍ଧୀର ମହାନ୍ ଆତ୍ମା ମିଶିଛି । ଦେଶର ଭଗ୍ୟବିଧାତା ହେବାର ଗୌରବ ଅଛୁ । କିନ୍ତୁ ପଲ୍ଲୀ ଶିଶୁ କେତେ ଲାଞ୍ଛିତ, କେତେ ଅନାଦୃତ !

 

ଦାମୋଦର ବାବୁ ଅମିତର ମନର କଥାକୁ ପଢ଼ି ପାରିଲେ ଯେମିତି । କହିଲେ, ଏହାହିଁ ମୋର କଳ୍ପନାର ସଂସାର ବାବା । ଏମାନଙ୍କୁ ଶିକ୍ଷାର ଆଲୋକ ଦେଖାଇବି ବୋଲି ପଣ କରିଛି । ବଡ଼ ହୋଇ ଏମାନେ ନିଜକୁ ବୁଝିବାର ଶକ୍ତି ପାଆନ୍ତୁ, ଦେଶକୁ ଜାଣିବାର ଜ୍ଞାନ ପାଆନ୍ତୁ । ସେତକ କରି ପାରିଲେ ଖୁସି ହେବି ।

 

ଆପଣ ମହାନ୍ ଆଦର୍ଶରେ ଉଦ୍‍ବୁଦ୍ଧ । ଈଶ୍ଵର ମନ ବୁଝି ଫଳ ଦେବେ ନିଶ୍ଚୟ । ଅମିତ ପ୍ରକାଶ କଲା ।

 

କିନ୍ତୁ ବାବା, ଈଶ୍ୱରଙ୍କୁ ଏ ସାମାନ୍ୟ କର୍ତ୍ତବ୍ୟ ପାଇଁ ମୁଁ ଡାକୁନାହିଁ । ମୋ ମନରେ ଯେଉଁ ଦାୟିତ୍ଵ ଜ୍ଞାନ ଦେଇଗଲେ, ଯେଉଁ ଦାୟିତ୍ଵ ସମ୍ପାଦନ କଲାବେଳେ ମୁଁ ଅସୀମ ଆନନ୍ଦ ପାଏଁ, ସେଇଟା ହଁ ମୋ ପକ୍ଷରେ ଯଥେଷ୍ଟ ବାବା । ମୁଁ ତାଙ୍କୁ ପ୍ରାର୍ଥନା କରୁଛି, ଏ ଜିବନ-ଦୀପଶିଖା ଜଳୁଥିବା ପର୍ଯ୍ୟନ୍ତ ମୋ କର୍ତ୍ତବ୍ୟ ତୁଲାଇବାର ଶକ୍ତି ଦିଅନ୍ତୁ । ଆଉ କିଛି ତାଙ୍କୁ ମାଗୁନାହିଁ ।

 

ଦୁନିଆର ସମସ୍ତେ ଯଦି ଏ ମହାମନ୍ତ୍ର ପ୍ରତି ସଚେତ ହେବାର ଅବକାଶ ପାଆନ୍ତେ ତାହାହେଲେ ଏ ଦେଶ ନୂତନ ଜନ୍ମ ନିଅନ୍ତା । ଗୋଟିଏ ନୂତନ ସଂସାରର ଜନ୍ମଜାତକ ନୂଆ କରି ଲେଖା ହୋଇ ପାରନ୍ତା । ଅମିତ ମନ୍ତବ୍ୟ ଦେଲା ।

 

ତୁମେ ଠିକ୍ ବୁଝିଛ ବାବା ସହର କଥା କହି ପାରିବି ନାହିଁ, କିନ୍ତୁ ଆମ ଏ ଗ୍ରାମାଞ୍ଚଳର ଅବସ୍ଥା ବଡ଼ କରୁଣ । ସମସ୍ତେ ଅଜ୍ଞାନ, ଅପଗଣ୍ଡ । ଯେଉଁ କେତେକ ଶକ୍ତି ବେଳେବେଳେ ସୁପ୍ତ ମଣିଷର ଆତ୍ମା ଭିତରୁ ପ୍ରକାଶ ପାଉଛି । ଦୁଷ୍ଟ ଲେକଙ୍କ ଦାଉରେ ଉଧେଇ ପାରୁନାହିଁ । ଅନାଦି, ଅନନ୍ତ ଈଶ୍ୱରଙ୍କର ଅବିନଶ୍ୱର ଉତ୍ସ ଆମରି ଜୀବନ ଆଲେକରେ ଦେଦୀପ୍ୟମାନ । ତାକୁ ଆମେ ଭୁଲ ବଝୁଛି । କିନ୍ତୁ ସେହି ମହାନ୍ ବ୍ୟକ୍ତି । ଆସି ଆମର କାନ ମୋଡି ସେତକ ତ ଶିଖାଇ ଦେବନାହିଁ ? ସେ ଦାନ କରିଛି ବିବେକ ! ମନ ଓ ଶରୀରର ଲଗାମ ସିଏ । ମଣିଷ ସମାଜ ବିବେକର ବେକ ମୋଡ଼ ବାରମ୍ବାର ଭୁଲ କରୁଛି । ଏ ସଂସାରରେ ଏତେ ଦୁଃଖ, ଏତେ ଜଞ୍ଜାଳ । ଏ ଦୁଃଖ ଆଉ ଜଞ୍ଜାଳକୁ ଆମେ ଡାକି ଆଣିଛୁ ବାବା, ସେ ଅପେ ଆପେ ଆସି ନାହିଁ ।

 

ଏ ବୃଦ୍ଧ ଦାମୋଦର ବାବୁଙ୍କ ପାଦତଳେ ମୁଣ୍ଡ ଲଗାଇବାକୁ ଇଚ୍ଛା ହେଉଥିଲା ଅମିତର । କେତେ ସୁନ୍ଦର କଥା ! ସେ କଥାରେ କର୍ତ୍ତବ୍ୟର ଆବାହନୀ ମିଶିଛି । ଜୀବନର ଝଲକ ଅଛି । ଆଗରୁ ଆସି ପାରି ନଥିଲା ବୋଲି ଅମିତ ମନେ ମନେ ଦୁଃଖିତ ହେଲା ।

 

ବୃଦ୍ଧଙ୍କର କଥା ଆହୁରି ସରି ନଥିଲା । କହିଲେ ଏସବୁ ଜାଣିଛି ସିନା, କିନ୍ତୁ ମୋର ଦୁର୍ଭାଗ୍ୟ, ଗ୍ରାମ୍ୟ ରାଜନୀତି ଶିଖିଲି ନାହିଁ । ମୋର ମନେହୁଏ, ସେ ପାଠ ବଡ଼ ଜଟିଳ । କିନ୍ତୁ ଏ ଯେଉଁ କଥା କହିଗଲି, ତାକୁ ସମସ୍ତେ ବୁଝି ପାରନ୍ତି ନାହିଁ । ସେ ଜଟିଳ ଗ୍ରାମ୍ୟ ରାଜନୀତି ପ୍ରତି ଗ୍ରାମବାସୀର ଅଦ୍ଭୁତ ଆଗ୍ରହ । ତାହା ଯେମିତି ସମସ୍ତଙ୍କ ରକ୍ତ ବାହି ଶିରା ପ୍ରଶିରାରେ ମିଶି ଯାଇଛି-। ଗ୍ରାମ୍ୟ ଜୀବନ ସଙ୍ଗରେ ସେ ଓତଃପ୍ରୋତ ଭାବରେ ଜଡ଼ିତ । ଜୀବନ ସଙ୍ଗରେ ଏ ରାଜନୀତିର ଏତେବଡ଼ ସମ୍ପର୍କ ବୋଲି ଲଛିପୁର ଗାଁରୁ ତଡ଼ା ଖାଇବା ପରେହିଁ ବୁଝିଲି । ସମସ୍ତେ ମହାପାତ୍ରଙ୍କ ପକ୍ଷ ନେଲେ । ଆଉ ମୋ ପକ୍ଷରେ କେହି ନାହିଁ । ଜଣେ ଲୋକ ଯଦି ଗ୍ରାମସଭାରେ ସେ ଗାଁର କଣ୍ଟା ବୋଲି ସାବ୍ୟସ୍ତ ହେଲା, ତେବେ ଗାଁରେ ତାର ରହିବାର କେଉଁ ଅଧିକାର ରହିଲା-? ମୁଁ ଗାଁ ଛାଡ଼ି ଚାଲି ଆସିଲି । ଏବେ ଶୁଣିଲି, ମୋ ରବିର ବିବାହ ପ୍ରସ୍ତାବକୁ ବି ରମାର ବାପା ପ୍ରତ୍ୟାଖ୍ୟାନ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ରମା ମୋର ଲକ୍ଷ୍ମୀଟିଏ ଅମିତ ! ସେଇଥିପାଇଁ ମନ ଭିତରେ ମୋର ଅଶାନ୍ତି ରହିଗଲା ।

 

କିନ୍ତୁ ମହାପାତ୍ରେ ଏ ସମ୍ବନ୍ଧକୁ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ ବୋଲି ମୋର ବିଶ୍ଵାସ । ଅମିତ ଉତ୍ତର ଦେଲା ।

 

ତୁମ ତୁଣ୍ଡ ସୁତୁଣ୍ଡ ହେଉ ବାବା ! କିନ୍ତୁ ମୋର ଧାରଣା, ମହାପାତ୍ର ସବୁ ଅସମ୍ଭବକୁ ସମ୍ଭବ କରି ଦେଇପାରେ । ତା’ ପକ୍ଷରେ କୌଣସିଟା ଅସମ୍ଭବ ନୁହେଁ ।

 

ରମା ତାର ପ୍ରତିବାଦ କରିବ ।

 

ରମାର ପ୍ରତିବାଦର ମୂଲ୍ୟ ରହିବ ନାହିଁ ସେ ଘରେ । ତା’ କଥା ଯଦି ରହୁଥାନ୍ତା, ତେବେ ଏ ସମ୍ବନ୍ଧ ସବୁ ପରୀକ୍ଷାରେ ସଫଳ ହୋଇ ପାରନ୍ତା ।

 

ରମାର କିନ୍ତୁ କଥା ରହିବ । ତା’ ମାଆ ବି ତାକୁ ସାହାଯ୍ୟ କଲେଣି ।

 

ତୁମେ କେମିତି ଜାଣିଲ ଅମିତ ? ଏଯେଆମ ପରିବାର ପାଇଁ ଏକ ଆର୍ଶୀବାଦର ସୂଚନା । ଘଟଣା ଯଦି ସତ ହୋଇଥାଏ, ତାହାହେଲେ ରବି ଆଉ ସର ଅପେକ୍ଷା ମୁଁ ଆହୁରି ଆନନ୍ଦ ହେବି । ସବୁଠୁ ବେଶୀ ଆନନ୍ଦ ହେବ ରମା । ସେ ଯେ ସରକୁ ପ୍ରାଣରୁ ବଳି ଭଲ ପାଏ ।

 

ଅମିତ ସବୁ ଘଟଣା ତନ୍ନ ତନ୍ନ କରି କହିଗଲା । ବାବୁ ଘଟଣା ଶୁଣି ସାରିବା ପରେ ଅମିତକୁ ଆର୍ଶୀବାଦ,ଦେଉ ଦେଉ କହିଲେ, ତୁମ କଥା ସବୁ ଦିନକୁ ମନେ ରହିବ ବାବା । କିଏ ଜାଣେ, ତୁମେ ଆମ ପରିବାରର ମଙ୍ଗଳ ପାଇଁ କେବଳ ଅଦିନରେ ଲଛିପୁରକୁ ଆସିଥିଲ ।

 

ଦୟା ସନ୍ତୋଷ ସଙ୍ଗରେ ପେରୁଛୁ । ହାତରେ ତାର କଦଳୀ କାନ୍ଦଟିଏ । କହିଲା, ଆଉ ଦିନେ ସୁବିଧା ଦେଖି ଆସିବ ବାବୁ । ବେଳ ଆସି ମୁଣ୍ଡ ଉପରେ । ରମାଦେଈ ଥିଲେ ଚିନ୍ତା ନ ଥିଲା-। ଭୋକ ହେଉଥିବ । ଆସ, ମୁଁ ତୁମ ଦୁହିଁଙ୍କୁ ପହୁଞ୍ଚାଇ ଦେଇ ଆସେ ।

 

ଅମିତ ଓ ସନ୍ତୋଷ ଦାମୋଦରଙ୍କ ପାଖରୁ ବିଦାୟ ନେଇ ବାହାରିଲେ ।

 

ମୁଣ୍ଡ ଉପରେ ସୂର୍ଯ୍ୟ । କିରଣଟା ବଡ଼ ପ୍ରଖର । ଚାଷୀମାନେ ବିଲକାମ ସାରି ଘରକୁ ଫେରୁଛନ୍ତି । ଭାରୁଆଟି କାନ୍ଧରେ ଭାର ବୋହି ନସର ପସର ହୋଇ ଧାଉଁଛି । ଭାରର ଗୋଟିଏ ପାଖରେ ଚାରିବର୍ଷର ପୁଅ । ଆରପାଖଟା ଲୁଗାପଟା ଆଉ ବୋଇତି କଖାରୁରେ ଭରା । ଭରୁଆ ପଛରେ ମାଇପଟିଏ । ମୁଣ୍ଡରୁ ତେଲ ବୋହି ପଡ଼ୁଛି । ଖୋସାରେ ବଣୁଆ ଫୁଲ ମାରିଛି, ଧାଇଁ ଧାଇଁ ଚାଲିଲାବେଳେ ସମ୍ବଲପୁରୀ ଶାଢ଼ୀର ଓସାରିଆ ପଣତଟା ପବନରେ ଉଡ଼ି ଉଡ଼ି ଯାଉଛି । ସେ ଏକ ଅପୂର୍ବ ଦୃଶ୍ୟ ।

 

ଆଉ ଟିକିଏ ଆଗକୁ ଲଛିପୁରର ନବ ଯୁବତୀମାନେ ନଈରେ ଗାଧୋଇ ସାରି ଫେରୁଛନ୍ତି । ଦୁଇ ତିନୋଟି ଝିଅ ମୁଣ୍ଡ ପଖାଳିଛନ୍ତି ବୋଧହୁଏ । ଓଦା ବାଳ ଶୁଖାଇ ଫେରୁଛନ୍ତି । ପରସ୍ପର ଭିତରେ ହସକଥା ପଡ଼ିଛି । ବଣୁଆ ଝରଣା ପରି ଛଳ ଛଳ ହୋଇ ହସୁଛନ୍ତି । ତା’ ପରେ ଗାଁଉଲୀ ଗୀତର ସୁର ମେଲୁଛନ୍ତି । ସମବେତ କଣ୍ଠଲହର ଗରମ ପବନରେ ବୈଶାଖୀ ଘୂର୍ଣ୍ଣିପରି ଚକାଭଉଁରୀ ଖେଳୁଛି ।

 

ସେଦିନ ରବିବାର ।

 

ଲଛିପୁର ଗ୍ରାମବାସୀ ସେ ବାରର ମହତ୍ତ୍ଵ ବୁଝି ନ ପାରିଲେ ବି ସରକାରୀ ଚାକିରିଆମାନେ ରବିବାରିଆ ଛୁଟିକୁ ଉପଭୋଗ କରିବାକୁ ଏକତ୍ରିତ ହୋଇଛନ୍ତି । ଗାଁରେ କିଛିଦିନ ପୂର୍ବେ ବାସନ୍ତୀ ଭବନ’ ବୋଲି ପାଠାଗାରଟିଏ ଆରମ୍ଭ ହୋଇଥିଲା । କେତେଜଣ ଉତ୍ସହୀ ଯୁବକ ଏକତ୍ରିତ ହୋଇ ସେ ଅନୁଷ୍ଠାନ ଗଢ଼ିଥିଲେ ‘ବାସନ୍ତୀ ଭବନ’ର ଉଜ୍ଜ୍ଵଳ ଭବିଷ୍ୟତକୁ ଆଖି ଆଗରେ ରଖି ବିପୁଳ ଉତ୍ସାହରେ ପଡ଼ିଥିଲେ । ପଞ୍ଚବାର୍ଷିକ ଯୋଜନା ପରି ଲଛିପୁର ଗାଁର ଉନ୍ନତି ପାଇଁ ଏ ଅନୁଷ୍ଠାନ ଛିଡ଼ା ହୋଇଥିଲା । କିନ୍ତୁ ଗାଁର ଦଳବଦ୍ଧ ରାଜନୀତି ସେ ଅନୁଷ୍ଠାନର କାଳ ହେଲା । ଦିନେ ଏକ ଅଶୁଭ ସକାଳରେ ଦେଖାଗଲା, ବାସନ୍ତି ଭବନର ସପ, ଲଣ୍ଡନଠାରୁ ଆରମ୍ଭ କରି ରବର ଷ୍ଟାମ୍ପ ପର୍ଯ୍ୟନ୍ତ ହରଣଚାଳ ହୋଇ ଯାଇଛି । ଗ୍ରାମର ମୁଖିଆ ନେତାମାନେ ବୋଧହୁଏ ଏ ଯୁବ ଜାଗରଣକୁ ସହ୍ୟ କରି ପାରିଲେ ନାହିଁ । ସେଦିନୁ ‘ବାସନ୍ତୀ ଭବନ’ର ନାଁ ଲଭିଗଲା । ସରକାରୀ, ବେସରକାରୀମାନଙ୍କ ଏକତ୍ର ମିଳନ କ୍ଷେତ୍ରଟି ଅବରୁଦ୍ଧ ହେଲା । ଗ୍ରାମ୍ୟ ଜୀବନପୁଣିଥରେ ଇତଃସ୍ତତ ।

 

ସରକାରୀ କର୍ମଚାରିମାନେ ସ୍ଥାନୀୟ ଶିକ୍ଷକଙ୍କ ପିଣ୍ଡାରେ ଠୁଳ ହୋଇଥିଲେ । ପୋଲିସ, ସ୍ଵାସ୍ଥ୍ୟ, କୃଷି ଓ ଶିକ୍ଷା ବିଭାଗ କର୍ମଚାରିଙ୍କ ସାମୟିକ ବୈଠକଟିଏ ।

 

ଏମାନେ ହସ ଖୁସିର କଥା ପକାଇ ଥିଲେ । କିନ୍ତୁ ଗ୍ରାମ ବାସୀଙ୍କ ମନରେ ଆତଙ୍କ ଖେଳି ଯାଉଥିଲା । ଭାବୁଥିଲେ, ତାଙ୍କ ମାନଙ୍କ ବିରୁଦ୍ଧରେ ଗାଁର ବଡ଼ବଡ଼ିଆମାନେ ବସି କୌଣସି ଆଲେଚନା କରୁ ନାହାନ୍ତି ତ ? ସର୍ବ ସାଧାରଣ ସେମାନଙ୍କୁ ଭୟ କରୁଥିଲେ । ତେଣୁ ପାଖକୁ ଯିବାର ସାହସ ହେଉ ନ ଥିଲା । ବଡ଼କୁହା ନେତା କେଇଜଣ ବାରଣ୍ଡା ପାହାଚରେ ପାଦଦେଇ ପୁଣିଥରେ ବାହୁଡ଼ି ଆସୁଥିଲେ ।

 

ଲଛିପୁର ଗାଁରେ ସାମାନ୍ୟ ଆଉଟ୍‌ପୋଷ୍ଟଟିଏ । ଏ.ଏସ୍.ଆଇ. ଜଣେ ଥାନା ଅଫିସର । ଛୋଟ ପଦବୀଟିଏ ହେଲେ କଣ ହେବ, ଅନେକ କ୍ଷମତା । ନାଲି ଆଖି ଦେଖାଇ ଦୁଷ୍ଟ ଲୋକଙ୍କୁ ଜବତ୍‌କରନ୍ତି । ବେଳେବେଳେ ନିଜ ସ୍ଵାର୍ଥସାଧନ କରିବା ପାଇଁ ଶିଷ୍ଟ ଲୋକଙ୍କୁ ବି ସାବଧାନ କରାଇ ଦିଅନ୍ତି । ବଡ଼ ହାକିମ ଅନେକ ଦୂରରେ । ସମୟ ଦେଖି ଲଛିପୁର ଆସନ୍ତି । ଛୋଟ ହାକିମଙ୍କ ବିରୁଦ୍ଧରେ କିଛି କହିବାକୁ ଏ ଗାଁର ସାଧାରଣ ଲୋକ ସାହସ କରିପାରେ ନାହିଁ । ଠିକ୍ ହେଉ କି ଭୁଲ ହେଉ, ଭଲ ହେଉ କି ମନ୍ଦ ହେଉ, ଏ. ଏସ୍. ଆଇଙ୍କ କଥାର ମର୍ଯ୍ୟାଦା ଅନେକ । ଗ୍ରାମ ଉପରେ ସାବଭୌମ କ୍ଷମତା ତାଙ୍କର । ତାଙ୍କ ନିର୍ଦ୍ଦେଶରେ ଏ ଗାଁ ଉଠ ବସ୍ ହୁଏ । ମନ ବୁଝିଥିଲେ, ସାଧୁଲୋକଙ୍କ ପାଇଁ ଶିଷ୍ଟ ବ୍ୟବହାର ଦେଖାଇ, ଅସାଧୁ ପ୍ରତି କଠୋର ହୁଅନ୍ତି । ମନ ନ ବୁଝିଲେ ବୁଝାମଣା ବି ଲେଉଟି ଯାଏ । ଦୁର୍ନୀତି ପରାୟଣ ଲେକ, ଗାଁ ନ୍ୟାୟର ପୁରୋଧା ହୁଏ । ସେ ଏ ବୈଠକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଯେତେହେଲେ ଦେଶର ଶାନ୍ତି ଶୃଙ୍ଖଳାର କର୍ଣ୍ଣଧାରତ ! ପାଖରେ ପୁଣି କ୍ଷମତା !

 

ସ୍ଵାସ୍ଥ୍ୟ ବିଭାଗର କର୍ମଚାରି ସରକାରୀ କବରାଜ ଏ ବୈଠକର ଥାଉ ଜଣେ ମୁଖ୍ୟ ସହଯୋଗୀ । ଲଛିପୁରର ନାଡୀ ଏହାଙ୍କ ହାତରେ । ଗାଁର ସବୁ ଭଲମନ୍ଦର ଖବର ରଖିଛନ୍ତି । ସ୍ୱାସ୍ଥ୍ୟ ଖବର ପଚାରିବା ସଙ୍ଗେ ସଙ୍ଗେ ଘରର ହାନି ଲାଭ କଥା ବ’ ବୁଝି ନିଅନ୍ତି । ଅବସ୍ଥା ଦେଖି ଅଦାୟର ପନ୍ଥା ସ୍ଥିର କରି ନିଅନ୍ତି । ଗାଁ ଛାଡ଼ି ପ୍ରବାସ କରୁଛନ୍ତି ଯେତେବେଳେ, ସ୍ଵାର୍ଥ କଥାକୁ ପଛେଇ ଦେବେ କେମିତି ? ଲଛିପୁରର ଭାଗ୍ୟ ଭଲ ଥିଲେ, ବେଳେବେଳେ ନିସ୍ଵାର୍ଥପର ଲୋକ ଆସି ଏ ଅନୁଷ୍ଠାନର ସମ୍ମାନ ରଖି ଯାଆନ୍ତି । କିନ୍ତୁ ସେ ସୌଭାଗ୍ୟ କ୍ଵଚିତ ଘଟେ । ନ ହେଲେ ଦାତବ୍ୟ ଚିକତ୍ସାଳୟ ହୁଏ ଗାଁ ରାଜନିତର ମୂଳପୀଠ । ନ ହେଲେ ମନ୍ତ୍ରଣା ଚାଲେ, ଗାଁକୁ ବୁଡ଼େଇ ଦେବାକୁ, ଗାଁର ସ୍ଵାର୍ଥକୁ ଦଳି ମକଚି ଦେବାକୁ । ସେ ଦୃଷ୍ଟିରୁ ସ୍ଵାସ୍ଥ୍ୟ ବିଭାଗର ଦାୟିତ୍ଵପୂର୍ଣ୍ଣ କର୍ମଚାରୀଙ୍କ ଏ ବୈଠକରେ ଯୋଗଦାନ କଥା ଗୁରୁତ୍ଵପୂର୍ଣ୍ଣ ।

 

ତୃତୀୟ ବ୍ୟକ୍ତି ହେଲେ ଗ୍ରାମସେବକ । ଗ୍ରାମସେବା ବ୍ୟତୀତ ଅନ୍ୟ ସମସ୍ତ କ୍ଷେତ୍ରରେ ସେ ପାରଙ୍ଗମ । ସେହି ଦୃଷ୍ଟି ରୁ ଗାଁ କାହିଁକି ସମଗ୍ର ଅଞ୍ଚଳବାସୀ ତାଙ୍କୁ ଚିହ୍ନନ୍ତି । ଗ୍ରାମ ସେବାର ଶପଥ ନେଇ ତାଲିମ୍ ପାଇଥିଲେ । ଲଛିପୁରରେ ବାବୁ ହୋଇ ଭୋଗ କରୁଛନ୍ତି । ଏଇ କେତେଜଣ ସାଙ୍ଗ କର୍ମଚାରୀଙ୍କୁ ସନ୍ତୁଷ୍ଟ କରି ରଖିଥିଲେ ତେଣିକ ବିପଦ ନାହିଁ । ଊର୍ଦ୍ଧ୍ଵତନ ଅଫିସର ସରୁଦିନ ଆସି ତ ତାଙ୍କ ଖବର ବୁଝନ୍ତି ନାହିଁ କି ରିପୋର୍ଟ ତନଖି କରନ୍ତି ନାହିଁ । ଯେଉଁଦିନ ଅଫିସର ଆସିବେ, ସେ ଦିନ ସତର୍କ ରହିଲେ ହେଲା । ଅନ୍ୟ କର୍ମଚାରିମାନେ ଥଟ୍ଟାରେ ଦି’ପଦ ପଚାରି ଦେଲେ କହନ୍ତି, ଗୋଟିଏ ଲୋକେ ହାତରେ ହଜାର ଦାୟିତ୍ଵ ! କୃଷି, ସ୍ୱାସ୍ଥ୍ୟ, ଶିକ୍ଷାଠାରୁ ଆରମ୍ଭ କରି ସେବା ଆଉ ପ୍ରଚାର ପର୍ଯ୍ୟନ୍ତ । ଦୁଇଟି ହାତରେ ସେତିକି ସମ୍ଭବ, କରିଛି । ଗ୍ରାମବାସୀଙ୍କ ପାଖରେ ତାଙ୍କର ସବୁବେଳେ କାମ । ସେମାନେ ତ' ତାଙ୍କର ସେବାର ସଂସ୍ପର୍ଶରେ ଆସି ନାହାନ୍ତି । ଭାବନ୍ତି ପୋଲିସ ଲୋକଙ୍କ ପରି ଇଏ ମଧ୍ୟ ଏକ, କ୍ଷମତାପନ୍ନ ଅଫିସର । ତେଣୁ ସହଯୋଗ ପରିବର୍ତ୍ତେ ତାଙ୍କୁ ଭୟ କରନ୍ତି । ଦିନକୁ ଦି’ଓଳି ନମସ୍କାର ଜଣାଇ ତାଙ୍କ ହୃଦୟର ଭକ୍ତ କଥା ପ୍ରକାଶ କରନ୍ତି । କିଛି ନ ହେଲେ ତ ବିପଦ ଆପଦ ପଡ଼ିଲେ ନିଜ ପାଇଁ ପୋଲିସ୍ ବା ଅନ୍ୟ ଅଫିସରଙ୍କ ଆଗରେ ଦି’ପଦ ସୁପାରିଶ୍‌କଥା କହିବେ !

 

ଚତୁର୍ଥ ବ୍ୟକ୍ତି ହେଲେ ଶିକ୍ଷକ । ବିଚାର ବଡ଼ ନିରୀହ ଜୀବଟିଏ । ସ୍କୁଲରେ ବକ ବକ ହୋଇ ପାଠ ବୁଝାନ୍ତି । କୌଣସି ଛାତ୍ର ବୁଝୁଛି କି ନାହିଁ, ସେଥିପାଇଁ ଦୃଷ୍ଟି ନାହିଁ । ଘଣ୍ଟାଏ ଦି' ଘଣ୍ଟା ବକି ସାରିଲେ ବୁଝନ୍ତି, ଦାୟିତ୍ଵ ସରିଗଲା । ସେଇ ସ୍ଵଭାବଟା ପ୍ରକୃତିରେ ପରିଣତ ହୋଇ ଯାଇଛି । ବୈଠକରେ ଗୁଡ଼ିଏ ପାଟି କରୁଛନ୍ତି, ଅଥଚ କେହି ତାଙ୍କ କଥାକୁ କାନ ଦେଉନାହାନ୍ତି, । ତଥାପି ଚେଷ୍ଟାର ବିରତି ନାହିଁ । ଅବୁଝା ପିଲାଙ୍କୁ ବାରମ୍ବାର ବୁଝାଇଲା ପରି, ଗୋଟିଏ କଥାକୁ ଥରକୁ ଥର ବକି ହେଉଛନ୍ତି । ତାଙ୍କର ଇଚ୍ଛା, ଏ ଗୋଷ୍ଠୀ ତାଙ୍କ କଥା । ତାଙ୍କ ମନ୍ତବ୍ୟକୁ ସମର୍ଥନ କରନ୍ତୁ । କିନ୍ତୁ ସେମାନେ ଶୁଣୁ ନାହାନ୍ତି । ବିଚରା ଶିକ୍ଷକର ତଥାପି ଅନୁତାପ ନାହିଁ । କ୍ଷମତା ଥିଲେ ଅନୁତାପ ଲଗନ୍ତା ବି ଅଭିମାନ । କରି ହୁଅନ୍ତା । କିନ୍ତୁ ସେ କ୍ଷମତା କାହଁ ? ନିମ୍ନବେତନଭୋଗୀ କର୍ମଚାରୀ । ସଦାବେଳେ ନିଷ୍ପେସିତ, ନିର୍ଯ୍ୟାତୀତ । ସେ ବା’ କାହିଁକି ଏ ଗାଁର ମଙ୍ଗଳ ପାଇଁ ଚେଷ୍ଟା କରିବ ? ଏ ଗାଁର ସମ୍ମାନ ଉଚ୍ଚ ହୋଇଗଲେ ତ ? ଦରମାଗଣ୍ଡାକ ବଢ଼ି ଯାଉନାହିଁ ? ଗାଁ ସେମିତ ଚାଲିଛି, ଚାଲିଥାଉ ।

 

କିନ୍ତୁ ଲଛିପୁରର ସବୁ ଶିକ୍ଷକ ସମାନ ପ୍ରକୃତିର ନୁହନ୍ତି ।

 

ସରଳ ସ୍ଵାଭାବିକ ଶିକ୍ଷକଗୋଷ୍ଠୀ ଭିତରେ ବେଳେବେଳେ ଶକୁନୀର ବଂଶଧର ବି ଜାତ ହୁଅନ୍ତି । ନିଜକୁ ସମସ୍ତଙ୍କ ସମକ୍ଷରେ ଶ୍ରେଷ୍ଠ ପ୍ରତିପାଦନ କରିବାକୁ ହୀନ ବୃତ୍ତିର ଆଶ୍ରୟ ଗ୍ରହଣ କରନ୍ତି । ଜଣକର କଥା ଆରଜଣକ କାନରେ କହି, ସତକୁ ମିଛ, ମିଛରୁ ସରତ କରି, ଦଳ ଦଳ ଭିତରେ ଦଳାଦଳିର ମୂଳବୀଜ ବପନ କରି ସେମାନେ ପୁଣି ପରାମର୍ଶଦାତାର ଆସନ ଗ୍ରହଣ କରନ୍ତି ।

 

ଛୋଟ ବୀଜଟିଏ ବଡ଼ ହେବାକୁ ଚେଷ୍ଟା କରେ । ସେ ଚେଷ୍ଟାରେ ଅନ୍ତ ନାହିଁ । ବିବେକର ବେକ ମୋଡି ସେ ଆଗେଇ ଚାଲେ । ଭଲ ଭିତରେ ମନ୍ଦ ଖୋଜିବାକୁ ଆଗ୍ରହ ପ୍ରକାଶ କରେ । ଅଡକାରେ ଅପରଚିତ ଘରକୁ ପଶି ଯାଇ, ଗୃହସ୍ଥରୁ ଅନୀତି ଶିକ୍ଷା ଦେଉ ଦେଉ କହେ, ମୁଁ ତୁମର ଅତି ଆପଣାର । ମୋତେ ବିଶ୍ଵାସ କର । ମୋ କଥା ମାନି ଚଳ ।

 

ଅଶିକ୍ଷିତ ଗ୍ରାମବାସୀ ସେ କଥାର ଅର୍ଥ ବୁଝି ପାରେ ନାହିଁ । ସେ ଆଖିବୁଜି ଅଗ୍ନି ଉପରେ ଲମ୍ଫ ଦିଏ । ଦେହ ପୋଡି ଜଳି ଦହଗଞ୍ଜ ହେଲାବେଳେ, ଉଦ୍ଧାର ପାଇଁ ଯେତେବେଳେ କୁମନ୍ତ୍ରଦାତାକୁ ସାହାଯ୍ୟ ମାଗେ । ଚାଟୁକାରୀ ସହଜରେ ଧରିଦିଏ ନାହିଁ । ଅପର ଦଳ ସଙ୍ଗେ ସେ ସେତେବେଳ ମିଶିଯାଇ ଲାଭର ସୁବିଧା ଖୋଜୁଥାଏ ।

 

ଅମିତ ଓ ସନ୍ତୋଷ ଚାଲି ଯାଉ ସେ ବୈଠକ ଘର ସାମନାରେ ଛିଡ଼ାହେଲେ । ସନ୍ତୋଷ ସହିତ ସ୍କୁଲ ଶିକ୍ଷକଙ୍କ ପରିଚୟ ଅଛି । ସେ ଆଦର କରି ଉଭୟଙ୍କୁ ପାଖକୁ ଡାକିଲେ । ଅମିତ ଲକ୍ଷ୍ୟ କଲା ଅନ୍ୟମାନେ ତାଙ୍କୁ ସନ୍ଦେହ ମିଶା ଆଖିରେ ଅନାଇଛନ୍ତି । ଆଖିରେ ଆତ୍ମଅଭିମାନର ନିଶା । ସେମାନେ ସମ୍ମାନ ଦାବି କରୁଛନ୍ତି । ନୀରବ ଭାଷାରେ କହୁଛନ୍ତି, ଆମ ସଙ୍ଗରେ ମିଶିଲେ ଏ ଗାଁରେ ଆଧିପତ୍ୟ ବଢ଼େ । ଆମର କ୍ଷମତା ବଳରେ ଏ ଗାଁର ମୁହଁ ବନ୍ଦ କରି ଦେଇଛୁ । ଆମ ପାଖକୁ ଆସିବା ପୂର୍ବରୁ ନମସ୍କାର କରି କୁହ–"ତୁମେ ହିଁ ଏ ଗାଁର .ଦେବତା ଜଗନ୍ନାଥ ଦେଉଳ ଭାଙ୍ଗି ଯିବାପରେ ଦିଅଁ ତୁମରି ଶରଣାପନ୍ନ ହୋଇଛନ୍ତି । ମୁଁ ତୁମର ପ୍ରଭୁତ୍ଵକୁ ସ୍ଵୀକାର କରୁଛି ।"

 

ଗ୍ରାମସେବକ ବୟସରେ ସାନ ହେବ । କିନ୍ତୁ ଖାଇ ପିଇ ମଉଜରେ ରହି ହୁଷ୍ଟପୃଷ୍ଟ ଦେଖାଯାଉଛି । ଅମିତଠାରୁ, ଅଳ୍ପ ଡେଙ୍ଗା ହେବ । ସେ ଆଊ ବୟସ କି ଶିକ୍ଷାର ପାର୍ଥକ୍ୟ ଦେଖୁନହିଁ । ଉଚ୍ଚତାକୁ ନିଜ ମାପରେ ମାପି ମନେ ମନେ କହୁଛି, ମୁଁ ବଡ଼ । ମୋତେ ମୋର ସମ୍ମାନ ଦେବନାହିଁ ?

 

ଅମିତ ସମସ୍ତଙ୍କ ମନ କଥା ବୁଝି ନମସ୍କାର କଲା । କର୍ମ-ଚାରିମାନେ ଖୁସିରେ ହସି ପକାଇଲେ । ହାତ ଧରି ପାଖରେ ବସାଇ ଜଣେ ଅନ୍ୟଜଣଙ୍କର ପ୍ରଶଂସା ବାଢ଼ିଲେ । ଶିକ୍ଷକ କହିଲେ, ବୁଝିଲ ଅମିତ ବାବୁ, ଏ ଗାଁ ର ପରିସ୍ଥିତି ବଡ଼ ଖରାପ । ଲୋକ ଗୁଡିକ ମାରତ୍ମକ । କହିବେ କଥାଏ, କରିବେ ଅନ୍ୟ ପ୍ରକାର । ଗଳି ଗଳିରେ ବାଦବିସମ୍ବାଦ । ପ୍ରକାଶ୍ୟରେ ନିଶା ଦ୍ରବ୍ୟର କାରବାର । ଏ ସବୁ ଆମ ଏ. ଏସ୍‌. ଆଇଙ୍କ ପରି ଟାଣୁଆ ଲୋକ ନ ଥିଲେ, ସମ୍ବାଳି ହୁଅନ୍ତା ନାହିଁ । ଗାଁ ଦାଣ୍ଡରେ ରକ୍ତ ନଦୀ ବୋହୁଥାନ୍ତ । କିନ୍ତୁ ସରକାରଙ୍କ ବୁଝାମଣା ଦେଖିଲ ? ତାଙ୍କୁ ବଦଳି ଆଦେଶ ଦେଇଛନ୍ତି ।

 

ଏ. ଏସ୍ ଆଇ ଆତ୍ମପ୍ରଶଂସା ଶୁଣି ବେକ ଫୁଲାଇ ବସିଥିଲେ । ସ୍କୁଲ ଶିକ୍ଷକଙ୍କ ସମ୍ମାନ ବଢ଼ାଇବାକୁ କହିଲେ, ଯାହା କୁହନ୍ତୁ ଅମିତ ବାବୁ, ଆମ ସ୍କୁଲ ଶିକ୍ଷକ ଅତି ପ୍ରବୀଣ ଲୋକ । ତାଙ୍କରି ସକାଶେ ଏ ଗାଁ ସ୍କୁଲ ସାରା ଅଞ୍ଚଳରେ ସୁନାମ କରିଛି । ଅନେକ ବଡ଼ବଡ଼ିଆ ହାକିମଙ୍କ ସଙ୍ଗେ ତାଙ୍କ ପରିଚୟ । ପଦସ୍ଥ ଅଫିସର ତାଙ୍କ ମୁହଁର କଥାକୁ ସମ୍ମାନ ଦିଏ । ସେ ଏ ଗାଁର ବଶିଷ୍ଟ ଭଦ୍ରଲୋକ କିନା !

 

ସ୍କୁଲ ଶିକ୍ଷକଙ୍କ ମୁହଁ ରଙ୍ଗା ପଡ଼ିଗଲା । ଯାହାହେଉ ଏ. ଏସ୍. ଆଇଙ୍କ ଗୁଣଚିହ୍ନା ପ୍ରକୃତି ଅଛି ।

 

କବିରାଜ ଓ ଗ୍ରାମସେବକ ପରସ୍ପରର ପ୍ରଶଂସା ବାଢ଼ି ବାହାଦୁରୀ ନେଉଥିଲେ । କବିରାଜ କେମିତ ଜ୍ଞାନୀ, ଧର୍ମପରାୟଣ ଓ ସେବାଭାବାପନ୍ନ ବ୍ୟକ୍ତି, ସେ କଥା ଗ୍ରାମସେବକ ବୁଝାଇ କହିଲା ବେଳେ, ଗ୍ରାମ-ସେବକ କେମିତି ନିଷ୍ଠାପରକ କବିରାଜ ସେତକ ପ୍ରକାଶ କଲେ ।

 

ସମୟ ବଳେଇ ଯାଇଥିବାରୁ ବୈଠକ ବି' ଭାଙ୍ଗିଗଲା । ସେ ଯାହା ଘରକୁ ଫେରିଯିବା ପରେ, ସ୍କୁଲ ଶିକ୍ଷକ ଅମିତର କାନ ପାଖରେ ଧୀରେ ଧୀରେ ପ୍ରକାଶ କଲେ, ଏ ଗାଁରେ ଗ୍ରହକୂଟ ପଡ଼ିଛି ଅମିତ ବାବୁ । ଯିଏ ଏ ଗାଁକୁ କ୍ଷମତା ନେଇ ଆସୁଛନ୍ତି, ଗାଁର ସମସ୍ୟା ସମାଧାନ କରି ଲୋକହିତକର କାର୍ଯ୍ୟକ୍ରମରେ ଦାର ଦେବା ଦୂରେଥାଉ, ଅଶିକ୍ଷିତ ଗ୍ରାମବାସୀମାନଙ୍କ ମନ ଭିତରେ ଭେଦଭାବ ଜଗାଇ, ସେମାନଙ୍କୁ ଡରାଇ ଚମକାଇ ଅର୍ଥ ଉପାର୍ଜନର ଫନ୍ଦି ଫିକର ବାହାର କରୁଛନ୍ତି-। ଏ ଗାଁରେ ସମସ୍ତ ଅଶିକ୍ଷିତ, ଅପାରଗ । ସେମାନେ ସେମାନଙ୍କ ଶକ୍ତି ଓ ସ୍ୱାଧୀନତା ସଙ୍ଗେ ପରଚୟ ହୋଇ ନାହାନ୍ତି । କ୍ଷମତା ଯାହା ହାତରେ, ଗ୍ରାମବାସୀ ମାନେ ତାଙ୍କୁ ଭୟ କରନ୍ତୁ । ଟିକିଏ ଡରାଇ ଦେଲେ ଉତ୍କୋଚରେ ମୁଣା ଭରିଯାଏ । ଉତ୍କୋଚର ସ୍ଵାଦ ପାଇ ସେମାନେ ଆହୁରି ଅତ୍ୟାଚାରୀ ହୋଇ ଉଠାନ୍ତି । ବାଘର ମଣିଷ ଆହାର ପରି ଉତ୍କୋଚ । ଏକ ମାରାତ୍ମକ ତୃଷ୍ଣା । ଗାଁରୁ କେହି ବଦଳି ହୋଇଯିବ । ଆଦେଶ ପାଇଲେ ଗ୍ରାମବାସୀମାନେ ଆଶ୍ଵସ୍ତ ହୋଇ ଭାବନ୍ତି, ବୋଧହୁଏ ନୂଆ ଅଫିସର ନୂଆ ଚିନ୍ତା ନେଇ ଆସିବେ । ଅତ୍ୟାଚାରରୁ ଏ ଗାଁ ବିମୁକ୍ତ ହେବ । କିନ୍ତୁ ସେ ଇଚ୍ଛା ପୂରଣ ହୁଏ ନାହଁ । ବିଦାୟୀ ଅଫିସର ଆଖିରୁ ଅଶ୍ରୁ ବହେ । ସତେ ଅବା ବିରାଟ ଜମିଦାରୀଟିଏ ହରାଇ ଦେଲେ । ମୁଖ୍ୟ ଗ୍ରାମନେତାଙ୍କୁ ହାରିଗୁହାରି କରି, ନିଜ ହାତରୁ ଅର୍ଥ ସାରି ବଦଳି ଆଦେଶର ପରିବର୍ତ୍ତନ କରିବା ସକାଶେ ଊର୍ଦ୍ଧ୍ଵତନ ଅଫିସରଙ୍କ ପାଖକୁ ପଠାନ୍ତି । କିନ୍ତୁ ଗାଁ’ ବାସୀଙ୍କ କଥାକୁ ଶୁଣେ କିଏ ?

 

ଏହା ହିଁ ଏ ଗାଁର କାହାଣୀ । କେବଳ କେତେଜଣ ମୁଷ୍ଟିମେୟ ଲୋକ ସ୍ଵଚ୍ଛନ୍ଦରେ ଚଳୁଥିଲେ ବି' ଅନ୍ୟ ସମସ୍ତେ ଅଭାବ ଅନାଟନରେ ନିଷ୍ପେଷିତ । କୃଷକ ପରିବାର ସବୁଦିନ ଦୁସ୍ଥ, ଅବହେଳିତ । କେହି ତାହାର ମନର କଥା ବୁଝେ ନାହିଁ । କି ଘରର ଅବସ୍ଥା ବୁଝେ ନାହିଁ । ଏ ଗାଁର ଦୁଃଖକୁ ଯଦି ସଂସାରର ସବୁ ସୁଖୀ ପରିବାର ଭିତରେ ସମାନ ଭାବରେ ବାଣ୍ଟି ଦିଆଯାଇ ପାରନ୍ତା, ତାହାହେଲେ ସଂସାରର ସମସ୍ତେ କାନ୍ଦି ପକାନ୍ତେ ଅମିତ ବାବୁ ! କିନ୍ତୁ ଲଛିପୁରର ଦୁଃଖୀ ପରିବାର ଆଖିରେ ଅଶ୍ରୁନାହିଁ । ସହି ସହି ସେ ପାଷଣ ପାଲଟି ଯାଇଛି । କାହିଁକି ବଞ୍ଚିଛି ଜାଣେ ନାହିଁ, କି ଏ ଜିବନରେ କେବେହେଲେ ବିଳାସ ବ୍ୟସନର ଯୋଗ ଅଛି ସେ କଥା କଳ୍ପନା କରି ନାହିଁ ।

 

ଏ ଗାଁରେ ଅନେକ ଦିନ ଚଳପ୍ରଚଳ ହେବାପରେ ମଣିଷ ଭାବରେ କେବଳ ଜଣକ ସଂସ୍ପର୍ଶରେ ଆସିଥିଲି । ସେ ମଣିଷରୁପୀ ଦେବତା । ତାଙ୍କ ନାଁ ଦାମୋଦର । ଲେକଙ୍କ ସକାଶେ ଅସୀମ ଶ୍ରଦ୍ଧା । ଲଛିପୁରକୁ ଜୀବନଠାରୁ ବଳି ଭଲ ପାଇଥିଲା । ଦିନରାତି ବସି ଏ ଗାଁର ଉନ୍ନତି କାମନା କରୁଥିଲି । କିନ୍ତୁ ବିଦେଶୀ କଣ୍ଟ୍ରାକ୍ଟରର ପାଶବିକ ଇଚ୍ଛାକୁ ପ୍ରତିରୋଧ ଯେତେବେଳେ କଲା, ମହାପାତ୍ର ବାବୁ ସହି ପାରିଲେ ନାହିଁ । ତାଙ୍କୁ ଗାଁଆରୁ ବାହାର କରିଦେଲେ । କଣ୍ଟ୍ରାକ୍ଟରର ଆଉ ଏ ଗାଁରେ ନାହିଁ । କିନ୍ତୁ କଥା ରଖି ଯାଇଛି । ଧନ ବଳରେ ସମସ୍ତଙ୍କର ମୁହଁ ବନ୍ଦ କରି ଦେଇଥିଲା । ଗ୍ରାମସଭାରେ କେହି ହେଲେ ଦାମୋଦରବାବୁଙ୍କ ସପକ୍ଷରେ ପଦେ କଥା କହି ପାରିଲେ ନାହିଁ । ଯେଉଁ ଗରିବ, ମୂଲିଆଙ୍କ ସୁଖ ସ୍ଵାଚ୍ଛନ୍ଦ୍ୟ ପାଇଁ ଦିନ ରାତି ଖଟୁଥିଲେ, ତାଙ୍କର ଛୋଟ ଛୋଟ ପିଲାକବିଲାଙ୍କୁ ଶିକ୍ଷାର ଅଲେକ ଦେଖାଇବାକୁ ପ୍ରତିଜ୍ଞାବଦ୍ଧ ଥିଲେ । ଯାହାର ଦେହପା ବ୍ୟସ୍ତ ହେବାର ଦେଖି ନିଜେ ଯାଇ କିମ୍ବା ଝିଅକୁ ପଠାଇ ଶଯ୍ୟା ପାଖରେ ବସି ପାଚନ ଖୁଆଉଥିଲେ, ସେହି ଲେକମାନଙ୍କର ମୁହଁ ବି ସେଦିନ ବନ୍ଦ ହୋଇ ଯାଇଥିଲା । ସେମାନେ ଜୁଳୁଜୁଳୁ କରି ଚାହିଁ ତାଙ୍କର ବିଦାୟ ପଥରେ ରୁଣ୍ଡ ହୋଇଥିଲେ । କିନ୍ତୁ କଣ୍ଟ୍ରାକ୍ଟରର ପଇସା କେତେଦିନ ରହିବ ଅମିତବାବୁ ! ମାଗିଲା ତିଅଣ ଗୋଟିଏ ପତରକୁ ନିଅଣ୍ଟ । କଣ୍ଟ୍ରାକ୍ଟରର ବି ଏ ଗାଁରୁ ଚାଲିଗଲା । ପୁଣିଥରେ ସେ ଅଭାବ, ଅନାଟନ । ଏଇନେ ସମସ୍ତେ ଦାମୋଦର ବାବୁଙ୍କ ଅନୁପସ୍ଥିତିକୁ ହୃଦୟଙ୍ଗମ କରୁଛନ୍ତି । ଆଖି ନ କାନ୍ଦିଲେ ବି’ ଛାତି କାନ୍ଦୁଛି ।

 

ସେତିକିବେଳେ ଏ କର୍ମଚାରୀ ଗୋଷ୍ଠୀର କାର୍ଯ୍ୟକଳାପ କଥା ଶୁଣିବ ? କଣ୍ଟ୍ରାକ୍ଟରର ଭୋଜି ଭାତରେ ନିମଗ୍ନ ରହି ମହାପାତ୍ରଙ୍କ କଥାରେ 'ହଁ' ଭରିଲେ । ସେ ସମୟରେ ଏ ପୋଲିସ ଏ.ଏସ୍‌. ଆଇଙ୍କ କଣ କିଛି ହେଲେ ତାୟିତ୍ଵ ନ ଥିଲା, ନା ଗାଁର ଭଦ୍ର ଲୋକ ଭାବରେ କବିରାଜ ସେବକ ବାବୁଙ୍କର କିଛି ହେଲେ କର୍ତ୍ତବ୍ୟ ନ ଥିଲା ? ସେମାନେ ଆଖି ବୁଜିଦେଲେ କାହିଁକି ! ଟିକଏ ନୀରବତା ପରେ ସେ ମୁହଁ ବୁଲାଇ ପଚାରିଲେ, ମୁଁ କ'ଣ ମିଛ କହିଲି ସନ୍ତୋଷ ?

 

କିନ୍ତୁ ଆପଣ ଯେ ଏଇ ଟିକକ ପୂର୍ବରୁ ମସ୍ତଙ୍କର ତାରିଫ୍‌କଥା କହୁଥିଲେ ? ଅମିତ ପଚାରିଦେଲା ।

 

ସନ୍ତୋଷ ମୁରୁକି ମୁରୁକି ହସୁଥାଏ । ସେ ଏ ଗାଁର କାହାରିକି ପସନ୍ଦ କରୁ ନ ଥିଲା । ଗ୍ରାମର ଏହି ଶିକ୍ଷକଙ୍କୁ ବ ନୁହେଁ । ଜାଣିଶୁଣି ଯେ ଅନ୍ୟାୟର ପ୍ରତିବାଦ କରେ ନାହିଁ, ସେ କଣ ମଣିଷ ?

 

ଶିକ୍ଷକ ଦୋଷୀ ପରି ମୁଁଣ୍ଡ ପୋତି କହିଲେ, ଏ ସବୁ ମୋର ଦୁର୍ବଳତା ଅମିତ ବାବୁ ! ଏମାନଙ୍କୁ ପ୍ରଶଂସା ନ କଲେ, କି ମନ ଧରି ନ ଚାଲିଲେ ମୋ ନାଁରେ ବାର ବଦନାମ କରିବେ । ମୋ ବିପକ୍ଷରେ ବାରକଥା ପକାଇ ମୋତେ ହଟହଟା କରିବେ । ଏଗାଁରେ ରଖାଇ ଦେବେ ନାହିଁ । ହୁଏତ ମୋତେ ଦାମୋଦର ବାବୁଙ୍କ ଦଶା ଭୋଗିବାକୁ ପଡ଼ିପାରେ ।

 

ଅମିତ ମନ୍ତବ୍ୟ କଲ, ଦାମୋଦର ବାବୁ ତ ଆରାମରେ ଅଛନ୍ତି । ତାଙ୍କର ଟିକିଏ ହେଲେ ଦୁଃଖ ନାହିଁ । ଅନ୍ୟାୟର ପ୍ରତିବାଦ କରି ଯଦି ନିର୍ଯ୍ୟାତନା ଭୋଗିବାକୁ ପଡ଼େ, ତେବେ ସେ ତ ନିର୍ଯ୍ୟାତନା ନୁହେଁ, ନ୍ୟାୟ ଏବଂ ନ୍ୟାୟୀର ପରୀକ୍ଷୀ । ଯେଉଁ ଗାଁ କିମ୍ବା ସହରରେ ବସବାସ କରିବ, ସେ ଗାଁର ଉନ୍ନତି କାମନା କରିବା ମଣିଷର ସର୍ବପ୍ରଥମ କର୍ତ୍ତବ୍ୟ । ଅନ୍ୟାୟର ପ୍ରତିବାଦ କରିବା ମଣିର ଧର୍ମ । ଯିଏ ଏତିକି କରି ପାରେନାହିଁ, ଜଣାପଡ଼େ ତାରି ହୃଦୟର ମାନବିକତା ମରି ଶୋଇଛି ।

 

ଗ୍ରାମଶିକ୍ଷକ ମହାମନ୍ତ୍ର ଶୁଣିଲା ପରି ଅମିତ ମୁହଁକୁ ଅନାଇ ଥୀଲେ । ସନ୍ତୋଷ ପଚାରିଦେଲା, ଆପଣ ଶିକ୍ଷକତା ଗ୍ରହଣ କରିଛନ୍ତି । ଗାଁର ଶିଶୁକୁ ମଣିଷ କରାଇବା ଦାୟିତ୍ଵ ଆପଣଙ୍କ ହାତରେ । କୁହନ୍ତୁ, ପ୍ରତିବାଦ କରିବା ମାନବୋଚିତ ଧର୍ମ କି ନୁହେଁ ?

 

ଶିକ୍ଷକଙ୍କ ଆଖିରେ ବେଦନାର ଅଶ୍ରୁ ଥିଲା । ସେ ଅପରାଧିଟିଏ ଭଳି ଦେଖା ଯାଉଥିଲେ । ଉତ୍ତର ଦେଲେ, ମୁଁ ଅନ୍ୟାୟ କରିଛି । ମୁଁ ପାପ କରିଛି । ମହାପାତ୍ର ଓ ଦାମୋଦର ବାବୁଙ୍କୁ ଅମେଳ କରିବାରେ ମୁଁ ନେତୃତ୍ୱ ନେଇଥିଲି । କିନ୍ତୁ ତାର ପ୍ରତିକାର କରିବି । ମୋ’ ଜୀବନ ବିପନ୍ନ ହେଉ ପଛକେ ଆଜି ଠୁ ଏ ଗାଁର ଉନ୍ନତି ହିଁ ହେବ ମୋର ପରମ ଲକ୍ଷ୍ୟ ।

 

ସନ୍ତୋଷ ଓ ଅମିତ ଲକ୍ଷ୍ୟ କଲେ, ଶିକ୍ଷକଙ୍କ ହୃଦୟ ପରିବର୍ତ୍ତନ ହୋଇଛି । ତାଙ୍କ ଚକ୍ଷୁର ଦୀପ୍ତି, ମୁଖମଣ୍ଡଳର ଅପୂର୍ବ ତେଜ, ଦୃଦୟ ପରିବର୍ତ୍ତନ କଥାଟା କୁହିଁ ବ୍ୟକ୍ତ କରୁଥିଲା ।

 

ଲଛିପୁର ଗାଁରେ ଯେଉଁଠି ପ୍ରଥମେ ‘ବାସନ୍ତୀ ଭବନ’ ଅନୁଷ୍ଠାନ ଆରମ୍ଭ ହୋଇଥିଲା, ସେଇଠି ସେଦିନ ପାଲା ଓ ଡାଲ୍ ଖାଇ ନାଚର ବନ୍ଦୋବସ୍ତ କରଗଲା । ଗ୍ରାମ ଏ.ଏସ୍.ଆଇଙ୍କ ତୃତୀୟ ସନ୍ତାନର ନାମକରଣ ପର୍ବ ପାଳନ, କରା ଯାଉଛି । ସମସ୍ତ ସେଥିରେ ସହଯୋଗ କରିଛନ୍ତି-। ସମଗ୍ର ଲଛିପୁର ବିଭିନ୍ନ ପ୍ରସ୍ତୁତିରେ ବ୍ୟସ୍ତ ଅଛି ।

 

ଗାଁ ପିଲାଏ ଅନେକ ଦିନରୁ ପ୍ରହଲାଦ ନାଟକ ଶିଖୁଥିଲେ । ସେମାନଙ୍କ ଶିକ୍ଷାର କରାମତି ଦେଖାଇବା ସକାଶେ ଅଣ୍ଟା ଭିଡ଼ି ବାହାରି ପଡ଼ିଲେ । କାଠପଟା ଯୋଡ଼ି ରଙ୍ଗମଞ୍ଚ କରାଗଲା । ଗାଁରେ ଯେତକ ଘୋଡ଼ାଇ ହେବା ଚାଦର ଥିଲା ‘ସେତକ ସିନ୍‌ କାମରେ ଲାଗିଲା ।

 

ସକାଳ ପହରୁ ଆଠୁଟା ବାଜିନି’ ପାର୍ଶ୍ଵବର୍ତ୍ତୀ ଗ୍ରାମମାନଙ୍କରୁ ସରୁ ଚାଉଳ, ଘିଅ, ପରିବା ଇତ୍ୟାଦି ବିଭିନ୍ନ ସାମଗ୍ରୀର ଭାର ଲମ୍ବିକାକୁ ଆରମ୍ଭ କଲା । କେଇଜଣ ଗାଁ ମୁଖିଆ ସୁନ୍ଦର ଟେରୀ ଭାଙ୍ଗି, ସୁପରଫାଇନ୍‌ଧୋତି ଉପରେ ସମ୍ବଲପୁରୀ ଗାମୁଛା ଖଣ୍ଡେ ଖଣ୍ଡେ ପକାଇ ଭାର ସଙ୍ଗରେ ଆସିଥିଲେ । ଛୋଟ ପିଲା ହାତରେ ଶକ୍ତି ମୁତାବକ ଟଙ୍କା ଧରାଇ ଲଛିପୁର ଦୋକାନମାନଙ୍କରେ ସିଗାରେଟ ଆଉ ଚାହା ଖୋଜି ବସିଲେ । ଏ.ଏସ୍.ଆଇ ଭାର ଓ ଟଙ୍କାର ଆନୁପାତିକ ଅତିଥ୍ୟ ପ୍ରଦର୍ଶନ କରିବାରେ କୃପଣ ହେଲେ ନାହିଁ । ଶ୍ରୀ ମୁଖର ହସହସ ସମ୍ଭାଷଣ ହିଁ ସେମାନଙ୍କ ପକ୍ଷରେ ସ୍ଵର୍ଗ ଥିଲା । ଚପରାଶିମାନଙ୍କର ସେଦିନ ଏକପ୍ରକାର ଛୁଟି କହିଲେ ଚଳେ । ବଡ଼ବାବୁଙ୍କର ହୁକୁମ୍ ଚଲାଇବାକୁ କି ନାଲିଆଖି ଦେଖାଇବାକୁ ସମୟ କାହିଁ ?

 

ସର୍ବସାଧାରଣ ପୋଖରୀରେ ମାଛମରା ହୋଇ ବଡ଼ବଡ଼ିଆ ଘର ଦେଖି ବଣ୍ଟା ଚାଲିଲା-। ସଂଗୃହୀତ ଜିନିଷ ବ୍ୟତୀତ ଗାଁରେ ଆଉ କାହାଘରେ କେଉଁ ଜିନିଷ ମିଳିପାରେ ତା’ର ତାଲିକା ପ୍ରସ୍ତୁତ କରିବାକୁ ଅଧ ଘଣ୍ଟାରୁ, ବେଶୀ ସମୟ ଲାଗିଲା ନାହିଁ । ଏ.ଏମ୍.ଆଇ.ଙ୍କୁ କାର୍ଯ୍ୟରେ ଅନେକ ସ୍ଵେଚ୍ଛାସେବକ, ଯାହାର ଯାହା ଉପରେ ରାଗ ଥିଲା, ତାଲିକା କଲାବେଳେ ସେମାନଙ୍କ ନାଁ ପଡ଼ିଲା । ଖାସି, କୁକୁଡ଼ାଠାରୁ ଆରମ୍ଭ କରି କଦଳୀ, ଗୁଆଘିଅ ପର୍ଯ୍ୟନ୍ତ ଲମ୍ବା ଚଉଡ଼ା ତାଲିକା । ବିଚାର ଅନ୍ତଭୁକ୍ତ, ଅଶିକ୍ଷିତ ଚାଷୀ ମୂଲିଆହିଁ ଶିକାର ହେଲେ । କାଳେ କିଛି ଅନିଷ୍ଟ ହୋଇପାରେ ବୋଲି ଲୁହପୋଛି ଆଦେଶକୁ ସମ୍ମାନ ଦେଲେ ।

 

କବିରାଜ ଗ୍ରାମସେବକ ପେଟ ଆଉଁସୁଥାନ୍ତି । ଆଉ କେତେକ ପରିବାରରେ ମଧ୍ୟ ସେଦିନ ଚୁଲି ଜଳିବା ବନ୍ଦ ହୋଇଗଲି । ଚୋରି ଅଫିମ, ଗଞ୍ଜାଇ କାରବାର କରୁଥିବା ପାନ ଦୋକାନିଟି କାନ୍ଧରେ ଭାର ପକାଇ ଦ୍ଵାର ଦ୍ଵାରା ବୁଲିବାର ଦେଖାଗଲା । ଏ.ଏମ୍.ଆଇ. ଅସଲ ସ୍ଥାନରେ ବସି ସବୁକଥାର ହିସାବ ରଖୁଥାନ୍ତି । କୌଣସି କାର୍ଯ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖିଲେ ନାଁ ପଚାରି ନୋଟ୍‍ ଖାତାରେ ଟିପି ରଖୁଥାନ୍ତି । ହାତରେ କ୍ଷମତା ସାଙ୍ଗକୁ ଶାସନ କଳ ରହଛି । ପ୍ରତିଶୋଧ ବାଁ ହାତର ଖେଳ । ଇଚ୍ଛାକଲେ ସହସ୍ର କେଶ୍ ।

 

ଦୁର୍ନୀତିଗ୍ରସ୍ତ ଗୃହସ୍ଥ କେଇଜଣଙ୍କ ସକାଶେ ଏହା ର୍ହିଁ ସୁବର୍ଣ୍ଣ ସୁଯୋଗ । ଅଫିସରକୁ ସନ୍ତୁଷ୍ଟ କରିପାରିଲେ ଭବିଷତ୍ୟରେ ବିପଦ ନାହିଁ । ନିଜ କାମତକ ସୁର୍‍ଖୁରୁରେ ଶେଷ ହେବ । ଅଫିସରଙ୍କ ଆଖିରେ ପଡ଼ିବା ବ୍ୟବଧାନରେ ଛିଡ଼ା ହୋଇ ବିନା କାମରେ ବି ଏପଟ ସେପଟ ହେଉଛନ୍ତି । ବାରମ୍ବାର ପିନ୍ଧିଲା ଧୋତିରେ ମୁହଁ ପୋଛି ନେଉଛନ୍ତି । ଗ୍ଲାସ, ଗ୍ଲାସ ପାଣି ପିଇ ସୂଚେଇ ଦେଉଛନ୍ତୁ, କାମ କରି କରି ସେମାନେ କ୍ଲାନ୍ତ ହୋଇ ପଡ଼ିଛନ୍ତି । ତଥାପି ବିଶ୍ରାମ ଚାହାନ୍ତି ନାହିଁ । ଏ.ଏସ୍.ଆଇଙ୍କ ତୃତୀୟ ପୁତ୍ରର ନାମକରଣ ପର୍ବର ସଫଳତା ପାଇଁ ସେମାନେ ନିଜ ଜୀବନ ସୁଦ୍ଧା ଦାନ କରିବାକୁ ପ୍ରସ୍ତୁତ ।

 

ମହାପାତ୍ର ପରିବାରର ବାପପୁଅଙ୍କ ଏକ ଆଜି ମାରିବାକୁ ସୁଦ୍ଧା ସମୟ ନାହିଁ । କେତେଥର ଯେ ଘରୁ ପୋଲିସିକ ଧାଁ ଧପଡ଼ କରିବେଣି ତାର ହିସାବ ନାହିଁ । ନିଜ ହାତରେ ଘରୁ କମ୍ବଳ, ଦରି, ବାଲଟି ପ୍ରଭୃତି ବୋହିବାରେ ଲାଗିଛନ୍ତି ।

 

ସକାଳେ ଖାଲି ପୂଜା ଆଉ ନାମକରଣ ପୂର୍ବ । ରାତିକି ଭୋଜି ହେବ । ସକାଳ ଅଧେ ସମୟ ଭିତରେ ଏ.ଏସ୍.ଆଇଙ୍କ ଛୋଟିଆ ବସାଘରଟିଭୋଜି ସରଞ୍ଜାମରେ ପୂର୍ଣ୍ଣ ହୋଇଗଲାଣି । ଟଙ୍କା ତାଲିକା ଉପରେ ମା ସାନ୍ତାଆଣୀଙ୍କ ତୀକ୍ଷ୍‍ଣ ଚାହାଣୀ । ପ୍ରଥମ ଓ ଦ୍ଵିତୀୟ ପୁଅଙ୍କର ଜନ୍ମତିଥି କେବେ ପଡ଼ୁଛି, ତାର ହିସାବ ବି' ସରିଗଲାଣି ।

 

ଗାଁ ରେ ଆଜି ମହୋତ୍ସବ । ସୁପ୍ତ ଗ୍ରାମବାସୀଙ୍କର ଅନେକ ଦିନ ପରେ ନିଦ ଭାଙ୍ଗିଛି ଯେମିତି । ଛୋଟ ଏକ ଅଜ୍ଞାନ ବାଳକର ନାମକରଣ ପୂର୍ବ ଏ ତା ର ପ୍ରାଣ ନେଇ ଆସିଛି ।

 

ସକାଳର ପାଲନାଚ ଭଲ ଭାବରେ ଜମି ପାରିଲା ନାହିଁ । ଛୋଟ ଛୋଟ ନାବାଳକମାନେହିଁ ତା’ର ଦର୍ଶକ ହେଲେ । ବଡ଼ମାନେ ଯାଇ ପୂଜା ଦେଖିବାରେ ବ୍ୟସ୍ତ । ପୂଜା କାମ ଶେଷ ହେବା ପୂର୍ବରୁ ପାଲା ନାଚ ଭାଙ୍ଗିଗଲା । ଗାଁର ଆବାଳବୃଦ୍ଧବନିତ ମହାପ୍ରସାଦ ରୂପରେ ‘ଚିନି’ କାଣିଚାଏ ଲେଖା ପାଇ ମୁହଁ ଶୁଖାଇ ଘରକୁ ଫେରିଲେ ।

ସଂନ୍ଧ୍ୟା ହେବା ସଙ୍ଗେ ସଙ୍ଗେ ପ୍ରଲ୍ଲାଦ ନାଟକ ଓ ଡାଲଖାଇ ନାଚ ।

ଡାଳଖାଇ ନାଚର ସହଯୋଗୀ ତରୁଣୀମାନେ ମୁଣ୍ଡରେ ଡାଳଫୁଲ ଖଞ୍ଜି ବେଶ ହୋଇଛନ୍ତି । ଦେହର କସ୍ତା ଶାଢ଼ୀତକ ସଫା ସୁତର । ପେଡ଼ି ସାଇତା ଲୁଗା ପିନ୍ଧି ଲଛିପୁର ଗାଁର ତରୁଣ-କୁଳ ନାଚ ପାଖରେ ଭିଡ଼ ଜମାଇଛନ୍ତି । କେତେ ଆଖିଟିପା, ଓଠଚପା ଲଙ୍ଗିତ । କେତେ ହସ, କେତେ ପରିହାସ । ବଛା ବଛା ଝିଅଟି ଲେଖିଲେଖିଆ ହସରେ ଅକାଶ ପବନ ଥରି ଥରି ଯାଉଛି । ଆଜି ଏତେ ହସ ସେମାନଙ୍କ ଓଠରେ କିଏ ସେ ଆସି ବୋଲି ଦେଲା ?

ମାଦଳର ତାଳେ ତାଳେ ନବଯୁବତୀ ଝିଅମାନେ ହାତ ଧରାଧାରି ହୋଇ ନାଚିଲେ । ମାଦଳ ଶବ୍ଦ ସାଙ୍ଗରେ ପାଦର ଛନ୍ଦକୁ ଯୋଡ଼ି ଦେଇଛନ୍ତି । ମୁହଁରେ ମିଠା ମିଠା ଗୀତ । ମହୁଲ ମଦ ଠାରୁ ଆହୁରି ନିଶାଦିଆ ଗୀତ ! ସରୁତକ ବିପୁଳ ଜୀବନ ଯୌବନର କଥା । ଉତ୍ତାଳ ବୟସର ବାର୍ତ୍ତା । ସେସବୁକୁ ଆଜି ଖୋଲାଖୋଲି ଭାବରେ ସେମାନେ ଦର୍ଶକ ମୁହଁରେ ବାଢ଼ି ଦେଉଛନ୍ତି ।

(‘ଏ ଜୀବନ ସବୁଦିନ ରହେ ନାହିଁ । ଯୌବନ ଚାହୁଁ ଚାହୁଁ ଚାଲିଯାଏ । ଯୌବନ ଯିଏ, ଫୁଟିଲା ଫୁଲ ସିଏ । କେତେଦିନ ରହନ୍ତା ? ଆଜି ଫୁଟି ସୁଗନ୍ଧ ବୁଣୁଛି । ତୁମର କ’ଣ ସେ ବାସନା ପାଇଁ ଲୋଭ ନାହିଁ ? ସେ ରଙ୍ଗ ପାଇଁ ଇଚ୍ଛା ନାହିଁ ? ତେବେ ଚାହିଁଚ କଣ ? ଆସ ହାତ ଧରା ଧରି ହୋଇ ନାଚିବା । ଗ୍ରନ୍ଥିର ଲୁଚାଇବା କଥା ଗାଇବା । ତା 'ପରେ ମନ ଆନନ୍ଦରେ ଚନ୍ଦ୍ର କିରଣରେ ଶୋଇ ପଡ଼ିବା । ରୂପାଜହ୍ନ ମୁହଁ ଉପରେ ପଡ଼ିଥିବ । ସେ ମୁହଁକୁ ଚୁମ୍ବନ କଲେ କେତେ ମିଠା ଲାଗେ ଜାଣିଛ ?’)

ଗୀତ ଶୁଣି ଯୁବକମାନେ ତାଳିମାଡ଼ରେ ଆକାଶ ଫଟାଇ ଦେଉଛନ୍ତି । ସେ ତାଳିରେ ଦ୍ଵି ଗୁଣ ଉତ୍ସାହିତ ହୋଇ ନବ ଯୁବତିମାନେ ନାଚୁଛନ୍ତି । ମାଦଲ ଆହୁରି ଜୋରରେ ବାଜୁଛି । ବେଶବାସ ଅସମ୍ଭାଳ ହୋଇଗଲାଣୀ । ଆଖିରେ ପଡ଼ୁଛି ଖାଲି ଗୋଲଗାଲିଅ ଦେହ । କୁନ୍ଦା ହେଲାପରି ହାତଗୋଡ଼ । ମଦ ଅଳସ ଆଖି । ନୃତ୍ୟରତ ନିବୁଜ ଛାତିର ଦୋଳନ । କେତେ ପ୍ରାଣ, କେତେ ସ୍ଫୁର୍ତ୍ତି !! ସବୁ ଯୁବକ ଏଇଠି ଅଟକି ଯାଇଛନ୍ତି । ହସୁଛନ୍ତି ବିମୁଗ୍ଧ ହେଇ । କଟାକ୍ଷ ଦେଖି ଛାତି କରତି ହୋଇ ଯାଉଛି । ସକାଳ ପାହିଲେ ଏ ଦୃଶ୍ୟ "ଆଉ ମିଳିବ ନାହିଁ । ଏ ଝିଅମାନେ ବ୍ରୀଡାଲୁଣ୍ଠିତା । ବଧୂ ପରି ମୁହଁଟିମାନ ତଳକୁ ପୋତି ଚାଲି ଯାଉ ଥିବେ । ଡାକିଲେ ଶୁଣିବେ ନାହିଁ ।

ତେଣେ ପ୍ରଲ୍ଲାଦ ନାଟକରେ ଗାଁ ମାଇପିଙ୍କ ଅସମ୍ଭବ ଭିଡ଼ । ହିରଣ୍ୟ ଛାତି ଦୋହଲାଇ ନାଚୁଛି । ପାତ୍ରମନ୍ତ୍ରୀମାନେ ଗୁରୁଗର୍ଜନ କରି ସଂଳାପ ଆଉ ଗୀତ ବୋଲୁଛନ୍ତି । ସେ ଯେଉଁ ଚାଲି ଆଉ ହସ୍ତକ ମସ୍ତକ, ସତେକି ଆକାଶ ଛିଡ଼ି ପଡ଼ିବ । ମାଟି ପାଟିଯିବ । ପ୍ରଲ୍ଲାଦ ମିନତି କରୁଛି, ମୋ ଈଶ୍ୱରଙ୍କୁ ନିଉନ କରନାହିଁ । ସେ ସବୁ ସ୍ଥାନରେ ଅଛନ୍ତି । ସବୁ ଶୁଣୁଛନ୍ତୁ । ମାଇପୀମାନଙ୍କ ଆଖିରୁ ଲୁହ ବୋହୁଛି । ଚୁ' ଚୁ କରି କାନ୍ଦି ପକାଉଛନ୍ତି ।

ଈଶ୍ଵରପାଲିରୁ ଦୟା ଆଉ ରାଧା ବି ଆସିଛନ୍ତି । ସେମାନଙ୍କ ଆଖିରେ ହସ ଘର କରିଛି-। ଖୁସିରେ ତାଳିମାରି ମନଇଚ୍ଛା ନାଚି ପକାଉଛନ୍ତି । ସମସ୍ତେ ଉତ୍ସବରେ ବିଭୋଳ । ସମସ୍ତ ଦର୍ଶକ । ପରସ୍ପରକୁ ଚାହିଁବାକୁ ସମୟ କାହିଁ ?

ଅମିତ ଘରେ ଶୋଇଥିଲା । ମାଉସୀ ଉଠାଇ ଦେବାରୁ ବାଧ୍ୟାହୋଇ ଗାଁ ଦାଣ୍ଡରୁ ବାହାରିଲେ । ସନ୍ତୋଷ ସେହି ଊତ୍ସବ ଭିତରେ ଅମିତକୁ ଖୋଜୁଥିଲା ବୋଧହୁଏ । ଅମିତକୁ ଦେଖି ଖୁସି ହୋଇ ଡାଲ୍‍ଖାଇ ଆଉ ପ୍ରଲ୍ଲାଦ ନାଟକ ଦେଖାଇଲା ।

 

ପ୍ରଲ୍ଲାଦ ନାଟକର ଶେଷ ଅଙ୍କ ଆରମ୍ଭ ହୋଇଛି । ପେଣ୍ଡାଲ ପାଖରେ ଚାରୋଟି ଚୌକିରେ ପାଖକୁ ପାଖ ଲାଗି ବସିଛନ୍ତି ଏ. ଏସ୍. ଆଇ, କବିରାଜ ଗ୍ରାମସେବକ ଓ ମହାପାତ୍ରେ । ତାଙ୍କ ପଛକୁ ଧାଡ଼ି ଧାଡ଼ି ହୋଇ ଗାଁର ସ୍ତ୍ରୀ ପୁରୁଷ । ସମସ୍ତେ ବିଭୋର ହୋଇ ଉପଭୋଗ କରୁଛନ୍ତି-

 

ତଳ ସାହିରୁ ମୁଲିଆଟିଏ ଆସି କବିରାଜଙ୍କୁ ଅଳିକଲା, ମୁଁ ବୁଡ଼ିଗଲି ଆଜ୍ଞା ! ତିନି ବର୍ଷର ପୁଅ ମୋର ବାନ୍ତି ଉଛାଳ ହୋଇ ପଡ଼ିଛି । ଆପଣ ନ ଆସିଲେ ମୋ ସଂସାର ଭାସିଯିବ ।

 

କବିରାଜ ଘୃଣା ଚକ୍ଷୁରେ ଥରେ ମୁଲିଆକୁ ଚାହିଁ ଆଖି ଫେରାଇ ନେଲେ ।

 

ପୀଡ଼ିତ ସନ୍ତାନର ପିତା ନାଟ ମଝିରେ ଭୋ ଭୋ ହୋଇ କାନ୍ଦି ପକାଇଲା । ଏ. ଏସ୍. ଆଇଙ୍କ କାନରେ ଏ କାନ୍ଦ ପଡ଼ିବାମାତ୍ରକେ ସେ ରାଗରେ ଲାଲ ପଡ଼ିଗଲେ । ଏଇ ଛୋଟଲୋକଟାର ଏତେ ଆସ୍ପର୍ଦ୍ଧା ଯେ ତାଙ୍କର ପୁଅର ନାମକରଣ ଉତ୍ସବରେ ଆସି ଗଣ୍ଡଗୋଳ ସୃଷ୍ଟି କରିବ ? ଲୋକଟାର ଦିମାକ ତ କମ୍ ନୁହେଁ ! ଏତେବଡ଼ ଆନନ୍ଦ ଉପଭୋଗକୁ ପଣ୍ଡ କରିବାର ରୀତିମତ ଚକ୍ରାନ୍ତ ଲଗାଇଛି ।

 

ମୂଲିଆ ଜଣକ କାନ୍ଦି କାନ୍ଦି କହିଲା, ତୁମେଇଁ କବିରାଜଙ୍କୁ କୁହ ବାବୁ । ମୋର ଗୋଟିଏ ବୋଲି ପୁଅ ! ସେ ଯଦି ଏଇ ରାତି ଭିତରେ କିଛି ହୋଇଯାଏ......

 

ତାକୁ ଗାଁ ଶ୍ମଶାନରେ ନେଇ ପୋତି ଦେଇ ଆସିବୁ । ଗ୍ରାମସେବକ ନିଷ୍ଠୁର ପରାମର୍ଶଟାଏ ଦେଲେ ।

 

ଏ କଣ କହୁଛ ବାବୁ ? ତୁମର କ’ଣ ପୁଅଝିଅ ନାହାନ୍ତି ? ଏ ଗରିବ ପ୍ରତି ଟିକିଏ ଦୟା କରୁନା ?

 

ଏ. ଏସ୍. ଆଇ. ଧୌର୍ଯ୍ୟ ବନ୍ଧ ଭାଙ୍ଗିଗଲା । ଦି’ ତିନିଜଣ ଚପରାଶିଙ୍କୁ ନିର୍ଦ୍ଦେଶ ଦେଲେ ତାକୁ ନେଇ ହାଜତରେ ବନ୍ଦ କରି ଦେବାକୁ । ତାର ଦୋଷ ହେଲା, ସେ ସାଧାରଣ ଶାନ୍ତି ଶୃଙ୍ଖଳା ଭଙ୍ଗ କରିଛି ।

 

ଦର୍ଶକମାନେ ଖାଲି ଅନେଇଛନ୍ତି । ମୁହଁରେ ଭାଷା ନାହିଁ ଯେମିତ । କିନ୍ତୁ କାହିଁକି ? ସନ୍ତୋଷ ସମସ୍ତଙ୍କୁ ବିସ୍ମୟ କରି ପ୍ରଶ୍ନ କଲା ।

 

ତୁମର ବୟସ କେତେ କହି ପାରିବ ? ଏ. ଏସ୍. ଆଇ. ଓଲଟା ପ୍ରଶ୍ନ କଲେ ।

 

ମୋ’ ପ୍ରଶ୍ନ ପଚାରିବାର ଅଧିକାର ଆପଣଙ୍କର ନାହିଁ । କିନ୍ତୁ ଏ ଅନ୍ୟାୟର ପ୍ରତିବାଦ କରିବାର ସ୍ୱାଧୀନତା ମୁଁ ପାଇଛି ।

 

 

ଦେଖୁଛ ମହାପାତ୍ରେ ତୁମର ନାତିକୁ ? କେବଳ' ତୁମରି ମୁହଁ ଦେଖି ମୁଁ ଏ ପ୍ରଶ୍ନର ଉତ୍ତର ଦେଇ ପାରୁନାହିଁ ।

 

ନହେଲେ.......

 

ଗୁରୁଜନମାନେ ସାମନାରେ ବସି ଥାଉଁ ଥାଉଁ ତୋର ଏ କଥା କହିବାର ଅଧିକାର ନାହିଁ ସନ୍ତୋଷ । ଏ. ଏସ୍. ଆଇ.ଙ୍କ ଗୋଡ଼ତଳେ ପଡ଼ି କ୍ଷମା ମାଗିନେ’ । ବୁଦ୍ଧ ମହାପାତ୍ରେ ଆଦେଶ ଦେଲେ ।

 

ସନ୍ତୋଷର ଆତ୍ମା ଭିତରର ମଣିଷ ଶିଶୁଟି ଜାଗି ଉଠିଥିଲା । ମାନବିକତାବୋଧ ତାକୁ ଅଜାଙ୍କ କଥା ମାନିବାକୁ ମନାକଲା । ବିବେକ ଅସି ତା’ ବାକ୍‍ଶକ୍ତିକୁ ପ୍ରଖର କରିଦେଲା । ସେ କହିଲା, ଅପାତ୍ରରେ ସମ୍ମାନ ଦେବା ଶ୍ରେୟସ୍କର ନୁହେଁ । ମୋତେ ଆଶ୍ଚର୍ଯ୍ୟ ଲାଗେ, ଯଦି ଏ. ଏସ୍. ଆଇ ତାଙ୍କ ନିଜର ତୃତୀୟ ପୁତ୍ରର ନାମ- କରଣ ପୂର୍ବକୁ ଏଡ଼େ ଜାକଜମକରେ ପାଳନ କରିବାର ଅଧିକାର ପାଇଲେ, ତାହାହେଲେ ତଳସାହିର ଏହି ପୀଡିତ ସନ୍ତାନର ପିତା ତା’ ପୁତ୍ରକୁ ବଞ୍ଚାଇବାର ଅଧିକାର ହରାଇଲା କମିତି ? ଗାଁର ସରକାରୀ କବିରାଜଙ୍କ ପକ୍ଷରେ ଏହି ଆନନ୍ଦ ଉପଭୋଗ ଯଦି ପ୍ରାଣଠାରୁ ଅଧିକ ପ୍ରିୟ ହୋଇ ଉଠିଲା, ତାହାହେଲେ ସେ ଏତେବଡ଼ ଦାୟିତ୍ଵ ମୁଣ୍ଡାଉଥିଲେ କାହିଁ କି ?

 

ମୋର କଣ ଉପଭୋଗ କରିବାର ଅଧିକାର ନାହିଁ ? ତୁମେ ଜାଣ ସନ୍ତୋଷ, ଇଏ ଅଫିସ ସମୟ ନୁହେଁ ? ଅଫିସ ସମୟ ବାହାରେ କାର୍ଯ୍ୟ କରିବାକୁ ମୁଁ ବାଧ୍ୟ ନୁହେଁ । ବିନା ଫିସ୍‍ରେ କଣ ବେଠି ପଡ଼ିଛି ଯେ ଧାଇଁବି ?

 

ଯଦି ଫିସ୍ ପାଇଲେ ଯିବେ, ତାହାହେଲେ ଏଇ ଫିସ୍ ନେଇ ଅନୁଗ୍ରହ କରି ଚାଲନ୍ତୁ । ଅମିତ ଦଶଟଙ୍କାର ନୋଟ୍ ଖଣ୍ଡେ କବିରାଜଙ୍କୁ ବଢ଼ାଇ ଦେଉ ଦେଉ କହିଲା, ଯଦି ନ ଯାଆନ୍ତି ତାହାହେଲେ ଆମେ ଆପଣଙ୍କ ଉପରିସ୍ଥ ଅଫିସରଙ୍କ ଆଗରେ ଅଭିଯୋଗ କରିବାକୁ ବାଧ୍ୟ ହେବୁ ।

 

କବିରାଜେ ଆସନ ଛାଡ଼ି ଛିଡ଼ିା ହେଲେ । ମୁହଁରେ ତାଙ୍କର ପ୍ରଗାଢ଼ ବିରକ୍ତି ।

 

କିନ୍ତୁ ସେ ମୂଲିଆଟାକୁ ଏଇନେ ଛାଡ଼ି ଦିଆଯାଇ ପାରିବ ନାହିଁ । ସେ ଶାନ୍ତିଶୃଙ୍ଖଳାରେ ବାଧା ଦେଇଛି । ତେଣୁ ରାତିସାରା ହାଜତରେ ରହିବ ।

 

କ୍ଷମତାର ଅପପ୍ରୟୋଗ କରିବା ଅବାଞ୍ଛନୀୟ । ସନ୍ତୋଷ ଆପତ୍ତି କଲା ।

 

ମୋତେ ତୁମେ ନିୟମ ଶିକ୍ଷା ଦେଉଛ ? ଏ. ଏସ୍ ଆଇଙ୍କ କଣ୍ଠରେ ଅବଜ୍ଞା ଥିଲା । ଯୋଗ କଲେ, ପୋଲିସ୍ ଚାକିରୀ କ’ଣ ମୁଁ ଜାଣେ । ଏତେ ବର୍ଷର ଅଭିଜ୍ଞତାର ମୂଲ୍ୟ ଅଛି । ଏହା କହି ଏ. ଏସ୍ । ଆଇ ଚପରାଶିମାନଙ୍କୁ ନିର୍ଦ୍ଦେଶ ଦେଲେ ସେହି କ୍ରନ୍ଦନରତ ମୂଲିଆଟାକୁ ହାଜତକୁ ନେଇଯିବାକୁ ।

 

ସନ୍ତୋଷ ସହସା ସେ ମୂଲିଆର ହାତ ଧରିପକାଇ ଅତ୍ୟୁଚ୍ଚ ଗଳାରେ ଚିତ୍କାର କଲା, ଆପଣ ତାକୁ ହାଜତକୁ ନେଇ ପାରିବେ ନାହିଁ ।

 

ଅଲବତ୍ ନିଆଯିବ । ଯଦି ସରକାର କାର୍ଯ୍ୟରେ ବାଧା ଦିଅ ତାହାହେଲେ ତୁମକୁ ବି’ ତାରି ଦଶା ଭୋଗିବାକୁ ପଡ଼ିବ ।

 

ନାଟ ଭାଙ୍ଗିଗଲା । ସମବେତ ଜନତା ଆସି ଘଟଣା ସ୍ଥଳକୁ ଘେରିଗଲେ ।

 

ତୁ ପାଗଳ ହେଉଛୁ, କାହିଁକି ସନ୍ତୋଷ ? ଏ. ଏସ . ଆଇ ଏ ଗାଁର ବଡ଼ ଅଫିସର । ସେ ଆମର ମିତ୍ର । ସନ୍ତୋଷର ବାପା ଆସି ବୁଝାଇ କହିଲେ ।

 

ସନ୍ତୋଷ ମିନତି କରି କହିଲା, ଏ ତଳ ସାହିର ମୂଲିଆଟି କଣ ମଣିଷ ନୁହେଁ ବାପ ! ? ତା' ସଙ୍ଗରେ ଆମେ ପୁରୁଷାନୁକ୍ରମେ ବସବାସ କରି ରହିବା । ସେ ଆମର ମିତ୍ର ହେଲା ନାହିଁ ଯେ ଏହି ବିଦେଶୀ, ଅତ୍ୟାଚାରୀ ଥାନା ଅଫିସର ହେଲା ଆମର ମିତ୍ର ? ଏ ଯେ ଦେଶର ମସ୍ତବଡ଼ ଶତ୍ରୁ ବାପା ! ଶାସନ କାଳରୁ ଏହିଭଳି ସ୍ଵେଚ୍ଛାଚାରୀ ଅଫିସର ହିଁ କଳଙ୍କିତ କରିଦଏ । ତା’ର ଯଦି ପୁତ୍ରର ନାମକରଣ କରୁଛି, ତେବେ ଗାଁରେ ଦୁଆର ଦୁଆର ବୁଲି ଲିଷ୍ଟ ମୁତାବକ ଜିନିଷ ସଂଗ୍ରହ କରୁଛି କାହିଁ କି ? ଏ କ'ଣ ରିସ୍‍ପତ୍ ନୁହେଁ ? ଦିନ ଦି’ପହରେ ଗାଁରେ ଡକାୟତି, ରୀତିମତ ସୟତାନୀ ।

 

କିଏ କହିବ ଇଏ ରିସ୍‍ପତ୍ ବୋଲି ? ମୁଁ ଏ ଅଞ୍ଚଳର ସଚ୍ଚୋଟ କର୍ମଚାରୀ । ଶ୍ରଦ୍ଧାରେ ମୋତେ ଲୋକେ ଉପହାର ଦେଉଛନ୍ତି । ମୋତେ ତ ନୁହେଁ, ମୋ ପୁଅକୁ ଶ୍ରଦ୍ଧାରେ କିଛି କିଛି ଦେଇ ଯାଉଛନ୍ତି । ଏ, ଏସ୍.ଆଇ କହିଲେ ।

 

ଶ୍ରଦ୍ଧା ? ସନ୍ତୋଷ ଗର୍ଜି ଉଠିଲା । ଶ୍ରଦ୍ଧାରେ କିଏ ନିଜର ସ୍ନେହପାଳିତ ଛେଳିଛୁଆକୁ ଭୋଜିପାଇଁ ଦାନ କରେ ନା କଣ ? ଔଷଧ ପାଇଁ ଘର ସାଇତା କରି ସାଧାରଣ ଲୋକେ ଯେଉଁ ଟୋପାଏ, ଟୋପାଏ ଘିଅ ସଞ୍ଚି ରଖିଥିଲେ, ପଲାଉ ପାଇଁ ସେତକ ତୁମ ଟିଣ ମୁହଁରେ ଅଜାଡ଼ି ଦେଲେ ତୁମକୁ ଶ୍ରଦ୍ଧା କରି ? ପୁଅର ତ ତୁମ କଥା କହିବାର ଶକ୍ତି ନାହିଁ, ସେ କଣ ସାଧାରଣ ଲୋକଙ୍କ ଠାରୁ ଟଙ୍କା ମାଗି ରଖୁଥିଲା ? ତାର ଆଜି ଏତେ ଆଦାୟ କାହିଁକି ଜାଣ ? ସେ ଖାଲି ତୁମର ପୁଅ ବୋଲି । ଆଊ ମୂଲିଆ ଲୋକଟିଏ ବୋଲି ତେଣେ ଛୋଟ ପୁଅଟିଏ ବାନ୍ତି ଉଚ୍ଛଳ ହୋଇ ପଡ଼ିଛି । ଅଥଚ ତା’ର ପ୍ରାଣ ରକ୍ଷା କରିବା ସକାଶେ ସେ ଆସି କବିରାଜକୁ ଗୁହାରି କଲା ବୋଲି ଶାନ୍ତି ଶୃଙ୍ଖଳାରେ ବାଧା ଦେଲା । ଆହୁରି ଶୁଣିବ ?

 

ମହାପାତ୍ରେ ଲଜ୍ଜିତ ହୋଇ ମୁଣ୍ଡ ପୋତି ଦେଲେ ।

 

ଏ. ଏସ୍. ଆଇ, କ୍ଷୁବ୍ଧ ହୋଇ ଚପରାଶିମାନଙ୍କୁ କହିଲେ, ଦେଖୁଛ କ’ଣ, ସେହି ମୂଲିଆଟି ସଙ୍ଗରେ ନିର୍ବୋଧ ସନ୍ତୋଷକୁ ବି ଧରି ନେଇଯାଅ ।

 

ତାଙ୍କର କି ଦୋଷ ବାବୁ ? ମୋରି ପାଇଁ ସେ କାହିଁକି ହାଜତରେ ରହିବେ ? ମୋ’ ସଂସାର ଉଚ୍ଛନ୍ନ ହୋଇ ଯାଉ ପଛକେ ତାଙ୍କୁ ଛାଡ଼ିଦିଅ । ପୀଡ଼ିତା ସନ୍ତାନର ପିତା ନେହୁରା ହେଲା-

 

ଗାଁବାଲାମାନେ ତେଜି ଉଠିଲେଣି । ଶିକ୍ଷକଙ୍କ ନେତୃତ୍ଵରେ ସେମାନେ ବି’ ପ୍ରତିବାଦ ସ୍ଵର ମେଲିଲେ ।

 

ଏତେଟା ଅନ୍ୟାୟ ଭଲ ହେବନି ’ ଥାନା ବାବୁ ! ସନ୍ତୋଷକୁ ଛାଡ଼ିଦିଅ । ମହାପାତ୍ରେ ବିନୟ ହୋଇ କହିଲେ ।

 

ନାଁ ମୁଁ ମୁକ୍ତି ଚାହେନା । ମୁଁ ଏ ଅନ୍ୟାୟର ପ୍ରତିବାଦ କରୁଛି । ସନ୍ତୋଷ ବାରମ୍ବାର ଚିତ୍କାର କରୁଥାଏ ।

 

ତାର ଭଲ ଆଚରଣ ପାଇଁ ତମେ ଯଦି ପୋଲିସ ଅଫିସରେ ଦାୟିତ୍ଵନାମା ଲେଖିଦେବ, ତେବେ ଯାଇ ସେ ମୁକ୍ତି ପାଇବ । ଏ. ଏସ୍. ଆଇ, କର୍କଶ କଣ୍ଠରେ ରାୟ ଶୁଣାଇଲେ ।

 

ମହାପାତ୍ରେଙ୍କ ବିବେକ ଉଦୟ ହେଲା । ଏତେଦିନ ପରେ ଜାଣିଲେ ସେ ଯାହାକୁ ମିତ୍ର ବୋଲି ମନେ କରିଥିଲେ, ସେ ମିତ୍ର ନୁହେଁ ପରମ ଶତ୍ରୁ । ଖାଲି ତାଙ୍କର ନୁହେଁ, ସମଗ୍ର ଗାଁବାସୀଙ୍କର । ସେ ପ୍ରକାଶ୍ୟରେ କହିଲେ, ଯଦି ନ୍ୟାୟ କଲେ ହାଜତ ଯୋଗ ହୁଏ, ତେବେ ସନ୍ତୋଷର ହାଜତ ଦଣ୍ଡହିଁ ମୋର କାମ୍ୟ । କର୍ତ୍ତବ୍ୟ ବିଚ୍ୟୁତ ପୋଲିସ କର୍ମଚାରୀଙ୍କୁ ବନ୍ଧୁ ବୋଲି ଭାବି ଯେଉଁ ଗରୀୟାନ୍ ଦୋଷ କରିଥିଲି, ସେଥପାଇଁ ମୁଁ ଲଜ୍ଜିତ । ସେ ମୁଣ୍ଡ ପୋତି ଘଟଣା ସ୍ଥଳରୁ ବିଦାୟ ନେଲେ ।

 

ସେଦିନର ମହୋତ୍ସବ ଭାଙ୍ଗିଗଲା । ଏ. ଏସ୍.ଆଇଙ୍କ ତୃତୀୟ ପୁତ୍ରର ନାମକରଣର ଭୋଜି ଅଂଶଟା ବି’ ବନ୍ଦ ରହିଲା ।

 

ଦୟା ଆଉ ରାଧା ଆସି ଅମିତର ହାତ ଧରି ପଚାରିଲେ, ସନ୍ତୋଷ ବାବୁଙ୍କର କଣ ହେବ ବାବୁ ? ସେ କଣ ହାଜତରୁ ଆଉ ମୁକୁଳିବେ ନାହିଁ ? ମୁହଁରେ ତାଙ୍କର ଆଶଙ୍କା ଥିଲା । ସେମାନେ ଥରି ଯାଉଥିଲେ ।

 

ଅମିତ ହସିଦେଇ କହିଲା, ସନ୍ତୋଷର କିଛି ହେବ ନାହିଁ । ତାରି ଯୋଗୁଁ ଗାଁର ଏକତା ଫେରି ଆସିଛି । କେହି ଜଣେ ହେଲେ ରିପୋର୍ଟ ଦେବାକୁ କି ସାକ୍ଷୀ ହେବାକୁ ପୋଲିସ ଦୁଆର ମାଡ଼ିବେ ନାହିଁ । ବୁଦ୍ଧ ମହାପାତ୍ରଙ୍କର ସୁବୁଦ୍ଧି ଫେରି ଆସିବା ଫଳରେ ଗାଁର ସମ୍ମାନ ବଢ଼ିବ ।

 

ରାଧା ଆଉ ଦୟା ଦୋ’ ଦୋ’ ପାଞ୍ଚ ହୋଇ ଈଶ୍ଵରପାଲିକୁ ଫେରିବାକୁ ବସିଛନ୍ତି, ସନ୍ତୋଷର ମାଆଙ୍କର କାନ୍ଦଣା ଶୁଭିଲା । ସେ ସରର ହାତ ଧରି ବରଗଛ ପାଖ ହେଲେଣି । କହୁଥାନ୍ତି, ଯଦି ସନ୍ତୋଷକୁ ତୁମେ ସବୁ ଥାଉ ଥାଉ ହାଜତକୁ ପଠାଇ ଦେଲ, ମୋର ଆଉ ଏ ଗାଁରେ ରହି ଲାଭ କ’ଣ ? ସରର ବା’ କି ନିରାପତ୍ତା ଅଛି ? ଯାଉଛି ଈଶ୍ୱରପାଲିକୁ । ତାକୁ ତା’ ଶଶୁର ଜମା କରିଦେଇ ସେଇଠି କାମଧାମ କରି ରହିବି ।

 

ବୃଦ୍ଧ ମହାପାତ୍ର ପୁଅକୁ ସଙ୍ଗରେ ନେଇ ସର ଆଉ ତା’ ମାଆକୁ ଗୋଡ଼ାଇ, ଗୋଡ଼ାଇ ବୁଝେଇବାରେ ଲାଗିଥାନ୍ତି । କିନ୍ତୁ ସନ୍ତୋଷର ମାଆ କି ସହଜେ ବୁଝୁଛନ୍ତି ? ସତେ ଅବା ଅଣବାହୁଡ଼ା ରୁକୁଣାରଥ ।

 

ଦୟା ଆଉ ରାଧା ସଙ୍ଗରେ ମା’ ଝିଅ ଦୁଇଜଣ ଚାଲିଛନ୍ତି । ସନ୍ତୋଷର ବାପା ବି’ ସେମାନଙ୍କ ପଛେ ପଛେ ଗୋଡ଼ାଇଲେ । ବୃଦ୍ଧ ମହାପାତ୍ରେ ଥକ୍କା ହୋଇ ଛକ ଉପରେ ଅଟକି ଗଲେ । ପରିବାରର ସମସ୍ତେ ଈଶ୍ୱରପାଲି ଚାଲିଗଲେ ସନ୍ତୋଷ ତେଣେ କାହାର ହେବ ।

 

ଶରତ ଜହ୍ନଟା ସତେଜ ଦେଖା ଯାଉଛି । ସବୁଦିନଠୁ ଆଜିର କିରଣଟା ଆହୁରି ତୋଫା-। ବୁଦ୍ଧ ମହାପାତ୍ର ଭାବୁଥିଲେ, ତାଙ୍କ ପରିବାରର ଏହି କରୁଣାତ୍ମକ ଅଧ୍ୟାୟକୁ ସମସ୍ତଙ୍କ ଆଖିରେ ସୁପୁଷ୍ଟ କରିବାରୁ ସେ ସତେ ଅବା ଆଜି ପଣ କରିବୁ । ଉତ୍ତରା ପବନଟା ହସି ଉଠୁଛି ଯେମିତି । କହଛୁ, ଦେଖୁଛ ମହାପାତ୍ରେ, ତୁମ ସଂସାରର ପରିଣତିକି ଦେଖି ପାରୁଛ ?

 

ମହାପାତ୍ରେ କାନ ଦୁଇଟିକୁ ହାତରେ ବନ୍ଦ କରି ଆଖି ବୁଜି ଦେଲେ । ତଥାପି ଅନୁଭବ କରୁଛନ୍ତି, ତାଙ୍କ ଚଉପାଖରେ ଯେମିତି କିଏ ଖଲ ଖଲ ହୋଇ ହସି ଉଠୁଛି । ଏ ପବନଟା ବି ଶତ୍ରୁ, ହୋଇଛୁ । ଗାଁ ଯାକର ଉପହାସଭାରା ହସକୁ ସେ ବୋହିଅଣି ନିଜ ପାଖରେ ପରଶି ଦେଉଛି ।

 

ମହାପାତ୍ରେ ହତାଶ ହୋଇ ଈଶ୍ୱରପାଲିର ଓସାରିଆ ବସ୍ତାଟାକୁ ଚାହିଁଲେ । ଏଇ ବାଟରେ ଦିନେ ଦାମୋଦର ବାବୁ, ସର ଆଉ ତାଙ୍କ ସଂସାରର ଛୋଟ ବଡ଼ ଘରକରଣା ନେଇ ଚାଲି ଯାଇଥିଲେ । ସେ ପ୍ରତିବାଦ କରି ନ ଥିଲେ । ଆଜି ତାଙ୍କର କୁକର୍ମ ଫଳ ସବୁ ଦୁଇଗୁଣ ହୋଇ ଫେରି ଆସିଛି ନିଜ ପାଖକୁ ।

 

ମହାପାତ୍ରେ ବିକଳ ଚାହାଣୀରେ ଅନେଇଲେ ପଛକୁ । ଶିକ୍ଷକ ଆଦର କର ଡାକୁଛନ୍ତି । କହୁଛନ୍ତି, ତମେ ଫେରି ଆସ ମହାପତ୍ରେ ! ଅପେକ୍ଷା କଲେ ସବୁ ସମସ୍ୟାର ସମାଧାନ ହେବ ।

 

ମହାପାତ୍ରଙ୍କ ଚୈତନ୍ୟୋଦୟ ହେଲା । ଏ ଗାଁରେ ସେ ଚିରଚିତ୍ର ଘର କରି ରହିବେ । ଏହି ଗ୍ରାମବାସୀମାନେହିଁ ତାଙ୍କର ସାଥି । ସରକାରୀ କର୍ମଚାରିଗଣ କ୍ଷମତା ଆସନରେ ବସି ଏ ଗାଁର ଅନିଷ୍ଟ କରିବାରେ ବ୍ୟସ୍ତ । ସେ ଗାଁ ତରଫ ନେଇ ଦୁର୍ନୀତି ସଙ୍ଗରେ ଲଢିବେ ।

 

ପୁଅଟି ତଳ ସହିର ପରା ବାନ୍ତି ଉଛାଳ ହୋଇ ପଡ଼ିଥିଲା ? ମହାପାତ୍ରେ ପଚାରିଲେ ।

 

ଅମିତ କବିରାଜଙ୍କୁ ନେଇ ପୁଅ ପାଖରେ ପହଞ୍ଚି ସାରିଲେଣି । ଶିକ୍ଷକ ଉତ୍ତର ଦେଉଥିଲେ ।

 

ଉଭୟଙ୍କ କଣ୍ଠର ଅନୁଶୋଚନା ଥିଲ । ସେମାନେ ବୁଝୁ ଥିଲେ, ଅତୀତରେ ଏ ଗାଁର ଅନେକ ଅମଙ୍ଗଳ କରିଛନ୍ତି । ନିଜ ସ୍ଵାର୍ଥପାଇଁ ଗ୍ରାମର ସାମୂହିକ ଜୀବନକୁ ବିପଦଗ୍ରସ୍ତ କରିଛନ୍ତି । ତାଙ୍କର ପାଇଁ ନ୍ୟାୟୀ ଦଣ୍ଡ ପାଇଛି ।

 

କିନ୍ତୁ ଏଇନେ ସେମାନେ ନୂତନ ପଦକ୍ଷେପ ନେବେ ।

 

ନୂଆ ଉଚ୍ଛ୍ୱାସରେ ମହାପାତ୍ରେ ଓ ଶିକ୍ଷକ ପରସ୍ପରକୁ ଆଲିଙ୍ଗନ କଲେ । ସେମାନଙ୍କ ଆଖିର ଲୁହ, ଗ୍ରନ୍ଥିର କଥା କହୁଥିଲା ।

 

ସକାଳୁ ଉଠି ଅମିତର ମନେହେଲା, ଲଛିପୁରର ଆଦିମ ସକାଳଟା ଆକସ୍ମିକ ଭାବରେ ସୁନ୍ଦର ହୋଇ ଉଠିଛି । ସହର ସଭ୍ୟତା ଠାରୁ ଦୂରେ, ଅନେକ ଦୂରରେ ରହି ବି ଏଇଠି ସକାଳ ପାରୁଛି । ସ୍ଵଚ୍ଛ, ଶୁଭ୍ର କିରଣରେ ଏ ବନ୍ୟଗ୍ରାମ ପ୍ରତି ଆର୍ଶୀବାଦର ଭାଷା ରହିଛି ।

 

ସମସ୍ୟାବିହୀନ ଜୀବନ, ଜୀବନ ନୁହେଁ । ଏ ସଂସାର ସଙ୍ଗେ ପରିଚୟ ହେବାକୁ ଇଚ୍ଛା କଲେ, ନିତିଦିନିଆ ସମସ୍ୟାକୁ ଅଡ଼େଇ ଦେଇ ହେବ ନାହିଁ । ଜୟ, ପରାଜୟର ହିସାବ ରଖି ବ’ ଲାଭ ନାହିଁ । ସମସ୍ୟା ସଙ୍ଗେ ସଂଗ୍ରାମ କରି ନିଜର ଅଭିଷ୍ଟ ପୂରଣକରିବାକୁ ହେବ । ଏହାହିଁ ଗ୍ରାମ୍ୟ ଜୀବନର ଇତିହାସ । ଆଉ ଲଛିପୁର ଗ୍ରାମ ? ସେତେ ସେହି ଇତିହାସର ପୃଷ୍ଠାଟିଏ !

 

ଶରତର, ସ୍ଵଚ୍ଛ ଶୁଭ୍ର ସକାଳ ଲଛିପୁରର ଅନ୍ଦିସଦ୍ଧିରେ ଲୁଚିଥିବା ସମଗ୍ର ରହସ୍ୟକୁ ପଦାରେ ପକାଇବାକୁ ଆସିଥିଲା ।

 

ଅନ୍ନପୂର୍ଣ୍ଣା ଦେବୀ ନାଇତୁଠରୁ ଫେରିବା ମାତ୍ରକେ ଖବର ଦେଲେ, ଶୁଣିଲୁଣି ଅମିତ ! ସନ୍ତୋଷ ଆଉ ସେ ଲୋକଟିକୁ ପୋଲିସ ଛାଡି ଦେଲା ।

 

ପୋଲିସ ଛାଡ଼ି ଦେଲା ? ଅମିତ ଆଶ୍ଚର୍ଯହୋଇ ପ୍ରଶ୍ନ କଲେ । ନ ଛାଡ଼ି ଉପାୟ ନଥିଲା-। ଜିଲ୍ଲାର ବଡ଼ ହାକିମ ଜଣେ ଆସୁଛନ୍ତି ବୋଲି ଚପରାଶୀଟି ଖବର ଆଣିଲାବେଳେ, ଏ.ଏସ୍.ଆଇ ଇତଃସ୍ତତ ହୋଇ ପଡ଼ିଲେ । ତାଙ୍କ ମୁହଁରୁ ମିଠାକଥା ବାହାରିଲା । ସେ ତାଙ୍କର ଉତ୍ତେଜିତ ମୁହୁର୍ତ୍ତକୁ ଭୁଲି ଯିବାକୁ ଅନୁରୋଧ କଲେ । ତାପରେ କଣ କହିଲେ ଶୁଣିବ ? ସନ୍ତୋଷ ହସ ହସ ମୁହଁରେ ଅମିତ ପାଖକୁ ଆଗେଇ ଆସୁଥିଲା ।

 

ସେ ଅଲଣା କଥାରୁ ଆମକୁ କଣ ମିଳିବ ଯେ ତୁ ପୋଲସି ଘରୁ ଫେରି ଆସିଛୁ, ତାହା ହିଁ ବଡ଼ କଥା । ମହାଦେବଙ୍କୁ ବେଲପତ୍ର ଚଢ଼ାଇବି । ମଣିଷ ସିନା କିଛି ବୁଝି ନପାରି ହଇରାଣ ହୁଏ କି ହଇରାଣ କରେ, ଯିଏ ଉଦୁଛି ବୁଡ଼ୁଛି ସେ ସବୁ ଜାଣେରେ ! ଦୁନିଆର ଭାଗ୍ୟ ତାରି ହାତରେ । ମାଉସୀ ମନ୍ତବ୍ୟଦେଲେ ।

 

ସନ୍ତୋଷ ପିଠିରେ ହାତରଖି ଅମିତ ଆନନ୍ଦରେ କହିଲା, ଏତେ ଦିନକୁ ଗୋଟିଏ କାମ ଦେଖାଇଲୁ । ତୋର ସାହସ ପାଇଁ ଧନ୍ୟବାଦ ।

 

ତୁମେହିଁ ତ ଏ ସାହସ ଦେଲ ଅମିତ ଭାଇ ! ସନ୍ତୋଷ ପ୍ରକାଶ କଲେ ।

 

ଆହୁରି କଥାଏ ବାକି ଅଛି ସନ୍ତୋଷ ! ତୋ ’ ମା, ଭଉଣୀ ଆଉ ବାପା ଯାଇ ଈଶ୍ୱରପାଲିରେ । ତାଙ୍କ କଥା ବୁଝିବାକୁ ହେବ । ଅନ୍ନପୂର୍ଣ୍ଣା ଦେବୀ ସୂଚେଇ ଦେଲେ ।

 

କଣ ପ୍ରାୟଶ୍ଚିତ କରୁଛନ୍ତି ? କିନ୍ତୁ ମୋର ମନେ ହୁଏ, ଯିଏ ପ୍ରାୟଶ୍ଚିତ କରିବା କଥା ଯେ କରିନାହଁ । ତଥାପି ମୁଁ ଖୁସି ! ସନ୍ତୋଷ କହିଲା ।

 

ମୁଁ ଅନେକ ଦୁଃଖୀ ସନ୍ତୋଷ ! ପ୍ରାୟଶ୍ଚିତ ପାଇଁ ରାସ୍ତା ମୋ ପାଇଁ ନାହିଁ । ଅନୁତାପ ହିଁ ଯଦି ପରମ ଶାସ୍ତି ହୋଇଥାଏ, ତେବେ ଏ ବୟସରେ ଯାହା କରିଗଲି ସେଥିପାଇଁ ମୁଁ ବିଶେଷ ଅନୁତପ୍ତ । ଦାମୋଦର ବାବୁଙ୍କ ପାଦଧରି କ୍ଷମା ମାଗିବି । ତୁ ଏ ବଂଶର ଆଲୋକ ସନ୍ତୋଷ । ପାଠ ପଢ଼ି ପାଞ୍ଚଜଣ ଭିତରେ ନାଁ କର, ଏହାହିଁ ଇଚ୍ଛା ମୋର । ତୋ ପାଇଁ ପାଠ ପଢ଼ାଇବାରେ ଯେତିକ ଧନ ସାରିଥିଲ, ଗଲା ଗତିରେ ସବୁ ଫେରାଇ ଦେଇଛୁ । ତୁ ଆହୁରି ପାଠପଢ଼ି, ଆମ ପରିବାର ବାହାରେ ସାରାଅଞ୍ଚଳରେ ତୋର ଜ୍ଞାନ ଦୀପକୁ ତେଜାଇ ରଖ । ବୃଦ୍ଧ ମହାପାତ୍ରେ ଅଗଣାରେ ଥାଇ ଆର୍ଶୀବାଦ ଦେଲେ ।

 

ଭିତରକୁ ଆସୁନା ! ଅନ୍ନପୂର୍ଣ୍ଣା ଅନୁରୋଧ କଲେ ।

 

ନା, ପ୍ରଥମ ଈଶ୍ୱରପାଲିକୁ ଯାଇ ଦାମୋଦର ବାବୁଙ୍କ ସଙ୍ଗେ ଦେଖା କରିବି । ତାଙ୍କୁ ତାଙ୍କ ନିଜ ଗାଁ ଘରକୁ ଫେରାଇ ଆଣିଲେ ଯାଇ ଆଉ କୋଉ କଥା । ଦାମୋଦର ବାବୁଙ୍କ କଥା ମାନି ଚଳିଥିଲେ ବୋଧହୁଏ ଏ ଗାଁ ଆଉ ଆମ ପରିବାର ଉପରେ ଏତେବଡ଼ ବିପଦ ପଡ଼ି ନ ଥାନ୍ତା-। ମହାପାତ୍ର ଦାମୋଦର ବାବୁଙ୍କ ଗୁଣ ସବୁ ବାହୁନି ହେଉଥିଲେ ।

 

ଆମେ ବି’ ଚାଲ ଯିବାରେ ଅମିତ ! ତୁ କହୁଥିଲୁ ମୁଁ ମନା କରୁଥିଲେ, କିନ୍ତୁ ଆଜି ମୋର ଇଚ୍ଛା ହେଉଛି ସହର ଯାଇ କିଛିଦିନ କଟାଇ ଆସିବାକୁ । ରମାକୁ ଅନେକ ଦିନ ହେଲା ଦେଖିନାହିଁ-। ମନ ହାଇଁପାଇଁ ହୋଇ ଗଲାଣି ।

 

ସନ୍ତୋଷ ଆଉ ବୃଦ୍ଧ ମହାପାତ୍ରେ ସେଇଠୁ ବିଦାୟ ମାଗି ଈଶ୍ୱରପାଲି ଉଦ୍ଦେଶ୍ୟରେ ବାହାରିଲେ ।

 

ଦାମୋଦର ବାବୁଙ୍କ ଦିନକୁଟୀରରେ ହର୍ଷର ମହୋତ୍ସବ । ସମଗ୍ର ଈଶ୍ୱର ହସି ଉଠିଛି । ଗ୍ରାମ ପରିବେଷ୍ଟିତ ସଭୁଜ ଶ୍ୟାମଳ ବନାନୀ, ନବଯୁବତୀର ଦେହପରି ପରିପୁଷ୍ଟ ପୁଷ୍କରିଣୀ, ଉଦ୍ଦଣ୍ଡି ବାଲିନାଳ ବି’ କିଲିକିଲି ହୋଇ ହସୁଛି ।

 

ଦାମୋଦରବାବୁ ପରମ ଆନନ୍ଦରେ ବୃଦ୍ଧ ମହାପାତ୍ରଙ୍କୁ ପାଛୋଟି ନେଲେ । ରମା ଧୀରେ ଆସି ମୁଣ୍ଡିଆ ମାରି ପାଖରେ ଛିଡ଼ା ହେଲା । ଆରେ ଏମାନଙ୍କ ମନରେ କଣ ଟିକିଏ ହେଲେ ଈର୍ଷା ନାହିଁ ? ଏମାନେ କେତେ ଖୁସିରେ ହସି ପାରୁଛନ୍ତି । ବୃଦ୍ଧ ମହାପାତ୍ରେ ଆଶ୍ଚର୍ଯ୍ୟ ହୋଇ ଅନେଇ ଥିଲେ ।

 

ଜଣକ ମନ ଭିତରେ ଥରଟିଏ ଆଘାତ ଦେଇଥିଲେ, ଜୀବନଯାକ ସେ ମନେ ରଖ । ପଦେ କଡ଼ା କରି କହିଥିଲେ, ସହସ୍ରବାର ତାକୁ ଫେରାଇ ଦିଏ । ଅଥଚ କାଲିର ସେହି ଦୁଃଖ, ନିର୍ଯ୍ୟାତନାକୁ ଦାମୋଦର ଭୁଲିଗଲେ ?

 

ବୃଦ୍ଧ ମହାପାତ୍ର ଅଧିର ହୋଇ ଉଠିଲେ । ଦାମୋଦରବାବୁଙ୍କ ମୌନତାହିଁ ତାଙ୍କୁ ବିଶେଷ ଆଘାତ ଦେଲି । ସେ ଯଦି କିଛି କହିଥାନ୍ତେ, ତାହାହେଲେ ତାକୁ ଯୋଖି ଦି’ପଦ ଉତ୍ତର ଦେଇ କ୍ଷମା ମାଗିଥିଲେ ଖୁବ ଭଲ ଲାଗିଥାନ୍ତା ।

 

ସନ୍ତୋଷ ସେ ଦୁହଁଙ୍କୁ ଏକୁଟିଆ ଛାଡ଼ିଦେଇ ଭିତର ଘରକୁ ପଶି ଦେଖିଲା, ସର ଚା’ ବସାଇଛି । ମୁଣ୍ଡରେ ଓଡ଼ିଣାଦେଇ ନୂଆ ବୋହୂଟିଏ ପରି ଦିଶୁଛି ।

 

ଦୁଃଖର ଦିନ ଚାଲିଗଲା । ପରୀକ୍ଷା ସମୟ ଅତିକ୍ରମ ହୋଇଗଲା । ନୂଆ ଦିନର ନୂଆ ଭାଷା ନେଇ ଏ ଯେଉଁ ଶୁଭ ମୁହୂର୍ତ୍ତ ଊପସ୍ଥିତ ହୋଇଛି, ତାକୁ ଦୁଇଟି ପରିବାର ମନଲଗାଇ ଉପଭୋଗ କରୁଥିଲେ ।

 

ଅମିତ ଓ ଅନ୍ନପୂର୍ଣ୍ଣାଙ୍କୁ ବାଟରେ ଦେଖି ଦୟା ଖୁସିହେଲା । ସାମନାକୁ ଆସି ଦଣ୍ଡବତଟିଏ ହେଉଁ ହେଉଁ କହିଲା, ତୁମେ କଣ ଗୁଣିଆ ଜାଣିଛ ଅମିତବାବୁ ? ତମେ ଆସିଲ, ଆଉ ଏ ଦି’ଗାଁର କଳି ଭାଙ୍ଗିଲା । ମହାପାତ୍ର ଘର ସଭିଏଁ ଆସି ମାଷ୍ଟର ବାବୁଙ୍କ ଘରେ ଠୁଳ ।

 

ଆଉ କରୁ ଗୋଳମାଳ ହୋଇନିତ ? ଅନ୍ନପୂର୍ଣ୍ଣା ପଚାରିଲେ ।

 

ନାଁ ସେମିତି କିଛି ହେଇନି । ଏଇନେ ଦେଖିବ, ଦି’ବୁଢ଼ାଯାକ କ୍ଷୀରନୀର । ଉପରହାତ ପାଣି, ତଳ ପାପୁଲିରେ ପଡ଼ୁନାହିଁ । ରମାଦେଈ ଆମର ଖୁବ୍ ଖୁସି ଅଛନ୍ତି । ତାଙ୍କ ମୁହଁରେ ହସ ଧରୁ ନାହିଁ । ‘ବାଲିନାଳ’ ପର ଛଳଛଳ ହୋଇ ବୋହି ଯାଉଛି ।

 

ଈଶ୍ଵରଙ୍କ ଇଚ୍ଛା ପୂରଣ ହେଉ । ଅନ୍ନପୂର୍ଣ୍ଣା ମନେ ମନେ ଗୁଣି ହୋଇ ଅଦୃଶ୍ୟ ଦେବତା ଉଦ୍ଦେଶ୍ୟରେ ହାତ ଯୋଡ଼ିଲେ ।

 

ରାଧା ସିଆଡ଼ୁ ଝାଳନାଳ ହୋଇ ଧାଇଁଥିଲା । ଅମିତକୁ ଦେଖି ଅଟକି ଗଲା । ଖଣ୍ଡେ ଦୁରରେ ଛିଡ଼ାହୋଇ ଦୟାକୁ ନିଜ ଆଡ଼କୁ ଆକୃଷ୍ଟ କରିବା ସକାଶେ ଖଣ୍ଡି କାଶ ମାରିଲା ।

 

ଦୟା ରାଧା ମୁହଁରୁ ଆଖିବୁଲାଇ ଅମିତ ଉଦ୍ଦେଶ୍ୟରେ କହିଲା, ଶୁଣୁଛ ବାବୁ, ଆସିଲା ବେଳେ ଏଇ ରାଧା କଥା କହୁ ନଥିଲି, ତାର ମୋର ବାହାଘର ହେଉଛି ।

 

ଏ’ତ ଅତି ଆନନ୍ଦର କଥା । ଅମିତ ଊଉର ଦେଲା ।

 

କୁହ ବାବୁ, ତମେ କଣ ମୋ’ ବାହା ଘରକୁ ଆସିବ ନାହିଁ ?

 

ସେ ଆଉ ମୁଁ ଆଜି ଚାଲି ଯାଉଛୁଁରେ ଦୟା ! ଅନ୍ନପୂର୍ଣ୍ଣା ଅମିତ ପକ୍ଷରୁ ଉତ୍ତର ଦେଲେ ।

 

କୁଆଡ଼େ ଯିବ ଯେ ? ଦୟା ପଚାରିଲେ ।

 

ସହରକୁ । ମୋ’ ଭଉଣୀ ଘରକୁ ।

 

କିନ୍ତୁ ଯାହା କୁହ ବାବୁ, ତମ ଉପରେ ମୋର ଖୁବ ଭରସା ଥିଲେ । ଏ କଥା ଶୁଣି ମନ କରତି ହୋଇ ଯାଉଛି । ହଉ ଯାଅ ବାବୁ ! ଦୟାକୁ ମନେ ରଖିଥିବ । ଦିନେ ନିଶ୍ଚୟ ତୁମ ସହର ଘରକୁ ଯିବି ! ରାଧାକୁ ବି ସଙ୍ଗରେ ନେଇଯିବ । ଗାଉଁଲି ଝିଅଟିଏ, କିଛି ଦେଖିନାହିଁ । ତାକୁ ବାଇସ୍କୋପ୍ ଦେଖାଇବାକୁ ନେବି ।

 

ସତେ ନାଁ କଣ ? ଏହାତ ଖୁବ ଭଲ କଥା ହେବ । ଅମିତ କହିଲା ।

 

ଦେଖିବ ନାହିଁ ? ଏ ସାଲେ ବାହା ସରିଲେ, ଆର ସାର୍ଲକୁ ଯାଇଥିବୁ । କଣକ ପାଖକୁ ଦି’ଜଣକର ଆମଦାନୀ, ଅନେକ ପଇସା ରଖିବୁ । ଜମିବାଡ଼ି କରି ଖୁସିରେ ରହିବୁ ।

 

ଦୟା ଏଇନେ ବିବାହର ସୁଖସ୍ଵପ୍ନ ଦେଖୁଛି । ବିବାହର ଜଞ୍ଜାଳକଥା ମନେ ପକାଉ ନାହିଁ । ସନ୍ତାନର ପିତା ହେଲେ, କାଲିକି କାଲି ଏ ଭାବନା ବଦଳି ଯିବ ।

 

ଅମିତ ଓ ଅନ୍ନପୂର୍ଣ୍ଣାଙ୍କୁ ଦୁଇଟି ପରିବାରର ସ୍ତ୍ରୀ ପୁରୁଷ ଆନନ୍ଦ ଅଭ୍ୟର୍ଥନା ଦେଖାଇଲେ-। ସମସ୍ତେ ହସ, ହସ-ହରଷ ।

 

ଅମିତ ରମାର ଏକାନ୍ତ ଦର୍ଶନ ଚାହୁଁଥିଲା । ତାକୁ ସବୁ ସରମ ଛାଡ଼ି ପଚାରି ଦେବ, ତୁମେ ମୋତେ ଭଲପାଅ ରମା ? ମୁଁ ଯଦି ତୁମକୁ ବିବାହ ପ୍ରସ୍ତାବ ଦିଏ, ତାହାହେଲେ ତୁମେ କଣ ଅରାଜି ହେବ ?

 

ଆଃ, ରମାଟା । ଆଜି ଚମତ୍କାର ଦେଖାଯାଉଛି । ହସିଲେ ସେ ଗୋଲାପ ଫୁଲପରି ସତେଜ ଆଉ ସୁନ୍ଦର ଦେଖାଯାଏ । ତାର ଗୋଲିଆ ମୁହଁର ରଙ୍ଗଡ଼ିଆ ଗାଲଦି’ଟାକୁ କଳ୍ପନା କରି ହୁଏ ନାହିଁ । ସେ ପୁଣି ଏତେ ହସ ଶିଖିଥିଲ !

 

ଅନେକ ସମୟ ଅପେକ୍ଷା କଲା ପରେ ଅମିତର ଅଭିଳଷିତ ମୂହୁର୍ତ୍ତ, ଆସିଲା ।

 

ଅମିତ ଏକୁଟିଆ ବସିଥିଲା । ରମା ପଛରୁ ଆସି ପଚାରିଲେ, ରବିଭାଇଙ୍କର ବାହାଘର ପର୍ଯ୍ୟନ୍ତ ରହିବ ନାହିଁ ?

 

କିଏ ମୁଁ ? ଅମିତର କଣ୍ଠ ଥରିଉଠୁଛି । ରମାର ସ୍ୱରରେ ଏହି ‘ବାହାଘର’ ଶବ୍ଦଟା ଆସିଲେ ଅତି ରୋମଞ୍ଚକ ଭାବେ ଫୁଟି ଉଠୁଛି ।

 

ହଁ ଆପଣ । ରବିଭାଇ ଦିନେ ଦି’ ଦିନ ପରେ ଆସିବେ ଚିଠି ଦେଇଥିଲେ । ସେ ଆସିଲେ ସଙ୍ଗେ ସଙ୍ଗେ ସରର ବାହାଘରେ, ଏଇଥିପାଇଁ କୁଆଡ଼େ ଅନେକ ପରିଶ୍ରମ କରିଥିଲ ଶୁଣିଲି ।

 

କିଏ କହିଲା ?

 

ସେଇ ସର ଭାଉଜ ! ଉତ୍ତର ଦେଇ ରମା ଆଉ ଥରେ ହସୁଛି, ଚା’ ଆଖିର ଭଅଁର କଳା ଡୋଳା ଦୁଇଟି ଢଳ ଢଳ ହେଉଛି । ଦୁଷ୍ଟାମୀର ରଂଗ ମିଶିଛି ତହିଁରେ ।

 

ଆଚ୍ଛା, ଯଦି ମନରେ କିଛି ନ ଭାବ, ତାହାହେଲେ କଥାଟିଏ ପଚାରନ୍ତି ।

 

ପଚାରୁ ନାହାନ୍ତି ? ଏଥିପାଇଁ ଅନୁମତି ମାଗୁଛନ୍ତି ! ରମା ନିର୍ଲିପ୍ତ ମନେ ହେଉଛି ।

 

ମୁଁ କଣ କହୁଥିଲି କି .... ଅମିତ କହି ପାରିଲି ନାହେଁ ।

 

ଯଦି ଅସୁବଧା ହେଉଛୁ, ପରେ କହିବେ । ମୁଁ ଆପଣଙ୍କ କଥା ଶୁଣିବାକୁ ପରେ ବି ପ୍ରସ୍ତୁତ ଅଛି ।

 

ମୋର ସେ ଭରସା ଅଛି ରମା ! ସେଥିପାଇଁ କହୁଛି । ହୁଏତ ମୋର ପ୍ରଶ୍ନ ପାଇଁ ଏହି ଏକାନ୍ତ ମୁହୂର୍ତ୍ତଟିହି ସୁବର୍ଣ୍ଣ ସୁଯୋଗ । ଏହାର ସଦୁପଯୋଗ କରିବି ।

 

ଏତେ କଣ ଭାବୁଛନ୍ତି ?

 

ଆଉ ଭାବିବିନାହଁ ରମା ! ମୁଁ ଖାଲି ଜାଣିବାକୁ ଚାହେଁ, ତୁମେ ମୋତେ ଭଲପାଅ କି ନାଁ-? ତୁମକୁ ମୁଁ ବିବାହ କରିବାକୁ ଚାହେଁ ।

 

ରମା ତଟସ୍ଥା ହେଲା । ଏତେ ବଡ଼ କଥାଟିଏ ଶୁଣିବ ବୋଲି ଅଶା କରି ନଥିଲା ! ତଥାପି ତାକୁ ଉତ୍ତର ଦେବାକୁ ହେବ । ସେ ଉତ୍ତର ଯେତେ ନିର୍ମମ ହେଉ ପଛକେ ତାକୁ ପ୍ରକାଶ କରିବା ବ୍ୟତୀତ ଅନ୍ୟ ପନ୍ଥା ନାହିଁ । ଅମିତ ବାବୁ ଦୁଃଖିତ ହୋଇ ପାରନ୍ତି । ତାଙ୍କର ଦୁଃଖ, ସମୟ କ୍ରମେ ଧୋଇ ହୋଇଯିବ । କିନ୍ତୁ ଦୁଃଖିତ ହେବେ ବୋଲି ନିଜକୁ ସେ ବ୍ୟକ୍ତ କରିବାରେ ପଶ୍ଚାତପଦ ହେବ କାହିଁକି ? କହିଲା, ‘‘ମୁଁ ଆଜି ନିଜକୁ ସେ ଧନ୍ୟ ମନେ କରୁଛି ଅମିତ ବାବୁ ! ଏ କାଙ୍ଗାଳିନିର ଜୀବନରେ ଆପଣଙ୍କ ସ୍ନେହ ସବୁଦିନ ସମ୍ମାନ ପାଇବ, ମୋ ଭବିଷ୍ୟତ ପଥର ପାଥେୟ ହେବ, ଆପଣଙ୍କ ର ଏହି ସହାନୁଭୁତିଭରା କଥାପଦକ । କିନ୍ତୁ ମୁଁ ନାଚାର ଅମିତ ବାବୁ ! ମୁଁ ବଡ଼ ଅଭାଗିନୀ । ଦୁଃଖ ନେଇ ମାଆଙ୍କ ଗର୍ଭରୁ ଜାତ ହୋଇଥିଲି । ସେଇଥିପାଇଁ ସୂଖ ଆଶାକରି ଯାହାର ହାତ ଧରିଲି, ସେ ନିରୁଦ୍ଦିଷ୍ଟ ହେଲେ । ଦାମ୍ପତ୍ୟ ସୁଖକୁ ସେଦିନ ଭୁଲି ଯାଇଛୁ । ସେଦିନ ନର୍ସିଂ ଟ୍ରେନିଂରେ କୃତକାର୍ଯ୍ୟ ହାସଲ କଲି, ସେହିଦିନ ପଣ କରିଛି, ଏ ଦେଶ ଆଉ ଦଶର ସେବାରେ ନିଜକୁ ନିୟୋଜିତ କରିବି । ଏହାଦ୍ଵାର ବିଗତ ଜନ୍ମ-ପାପରୁ କିଛିଟା ହେଲେତ ପ୍ରାୟଶ୍ଚିତ ହେବ ।’’

 

ଅମିତ ଅବାକ୍ ହୋଇ ଚାହିଁଲା ରମା ମୁହଁକୁ ।

 

ଦୁହିଁଙ୍କ ଆଖିର ମିଳନ ହେବା ପରେ ରମା କାନ୍ଦିଲା ଆଖିରେ ହସିବାକୁ ଚେଷ୍ଟାକଲା । କି କରୁଣାତ୍ମକ ସେ ହସ !

 

ଅମିତ ସହରରୁ କିଛିଦିନ ପାଇଁ ଗ୍ରାମାଞ୍ଚଳକୁ ଆସି ଗୁଡ଼ିଏ ନୂତନ ଅନୁଭୂତି ସଂଗ୍ରହ କରିଛି । ଦାମୋଦର ବାବୁ, ଦୟା, ସର ପ୍ରଭୃତି ଠାରୁ ଆରମ୍ଭ କରି ଗ୍ରାମ୍ୟ ଶିକ୍ଷକ ପର୍ଯ୍ୟନ୍ତ କେତୋଟି ଚରିତ୍ର ସଙ୍ଗେ ପରିଚୟ ହୋଇଛି । କିନ୍ତୁ ରମାର ଚରିତ୍ର ସବୁଠାରୁ ବିଚିତ୍ରମୟ ।

 

ସେହିଦିନ ଅମିତ ଆଉ ଅନ୍ନପୂର୍ଣ୍ଣା ସହର ବସ୍ ଧରିବାକୁ ଈଶ୍ୱରପାଲି ଛାଡ଼ିଲେ ।

 

ଅଧାବାଟରେ, ଜଙ୍ଗଲ ମଝିରେ ଶଗଡ଼ଟିଏ ଆସୁଥିଲା । ତାରି ଭିତରେ ଧୋବଧାଉଳିଆ ଯୁବକଟିଏ । ଶଗଡ଼ ଚାଲିଯିବା ପରେ ଅନ୍ନପୂର୍ଣ୍ଣା ପ୍ରକାଶ କଲେ, ଏଇ ଯେଉଁ ଶଗଡ଼ ଭିତରେ ଲୋକଟିଏ ବସିନି, ମୋର ମନେ ହୁଏ, ସେ ରମାର ବର ହେବ ନା କଣ ?

 

ଅମିତ ଚମକି ପଡ଼ିଲା । ଆଖି ଆଗରେ ରମାର ଅଶ୍ରୁଳ ମୁହଁ ପାଖକୁ ଆଉ ଗୋଟିଏ ସହାସ୍ୟ, ସୁନ୍ଦର ରମା ଝାପ୍ସା ଦେଖାଗଲା ।

 

ଆଃ, ମାଉସୀଙ୍କର ଏ ସମ୍ଭାବନା ସତ ହୁଅନ୍ତୁ କି ?

Image